STORYMIRROR

Upendra prasad Mahala

Others

3  

Upendra prasad Mahala

Others

ଆସରେ ପଢ଼ିବା ଆସ

ଆସରେ ପଢ଼ିବା ଆସ

2 mins
268

ଭୋକିଲା ପେଟରେ ସ୍କୁଲ ଯାଇ
 ପଢୁଥିଲେ ପିଲେ ଗୀତ ଗାଇ
" ଆମେ ତ ଭାଗ୍ୟବାନ ପିଲାରେ
ଆଉ କେ ଆମ ପରି ଥିଲାରେ"।
ସମାଲୋଚନାକୁ ଡରିମରି 
ପାଠ୍ୟପୁସ୍ତକରୁ ଗୀତ କାଢି
ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କଲ
ପିଲାଙ୍କ ମୁହଁରେ ଆହାର ଦେଲ ।
" ଆମେ ଓଡ଼ିଆ, ଭାଷା ବଢିଆ "
କଥାକୁ ହେଳେ ପାଶୋରି ଦେଲେ ।

ଧନ୍ୟ ସରକାର, ଧନ୍ୟ ଶିକ୍ଷାନୀତି 
କଥା ଗୋଟେ କୁହ କାମ ଅଲଗା
ଇଂଲିଶ ଶିକ୍ଷାକୁ ମିଳେ ପ୍ରୋତ୍ସାହନ
ଓଡ଼ିଆ ଭାଷାକୁ ଭାରି ଅଦେଖା
ସ୍କୁଲ, କଲେଜରେ ମିଳେ ନାହିଁ
ଆଉ ଓଡ଼ିଆ ବହି, ପତ୍ରପତ୍ରିକା
ମୂଳଦୁଆକୁ ତ ଦେଲ ଦୋହଲାଇ
ହୀନିମାନୀ ହେବ ଭାଷା ଓଡ଼ିଆ।
ଚିତାକାଟି ତାକୁ ବୁଲାଇଲଣି
କାହାକୁ ପାଉନି ଆଉ ଭରସା।
ଇଂଲିଶ ପଢିଲେ ମିଳିବ ଚାକିରି 
ଶିଖାଉଛି ଆମ ଶିକ୍ଷା ବ୍ୟବସ୍ଥା।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା
ମଳିଗଲା କହି ନାଚିଲେ ନେତା ।
ବଖାଣି ବସିଲେ ଭାଷା ପ୍ରାଚୀନତା
ଶାରଳା ଦାସ ଓ ଭଞ୍ଜ ସାହିତ୍ୟର 
ଗୌରବ ଗାଥା, କେତେ ଯୋଗ୍ୟତା।
ଖଞ୍ଜି ଦେଲେ କାହିଁ କେତେ ଯୋଜନା। 
ସରକାରୀ ଫାଇଲରୁ ହଟିବ ଇଂଲିଶ
ନାମ ଫଳକେ ରହିବ ଓଡ଼ିଆ ଭାଷା।
ସବୁ ଆଶ୍ୱାସନା ଥିଲା ମିଛ, ପ୍ରହସନ 
ମଉଳି ଗଲାଣି ଓଡ଼ିଆ ପ୍ରାଣର ଆଶା ।
ସଙ୍କୁଚିତ ଆଜି ଭାଷା ଭବିଷ୍ୟତ
ଭୁଲିଲାଣି ଭାଷା ଉପାନ୍ତ ଓଡିଶା।
ଧନ୍ୟ ସରକାର ତୁମ ଭାଷାନୀତି
ଆସରେ ଶିଖିବା ଇଂଲିଶ ଭାଷା।
ଭୁଲିଯିବା କି ଗୋଟିଏ କଥା
ବଢିଆ ଆମରି ମାତୃଭାଷା !!

ଭାଷା ସାହିତ୍ୟକୁ ନାହିଁ ଆଦର 
ନାହିଁ ଗବେଷଣା, ପ୍ରୟୋଗଶାଳା
କଥାକୁ ସୁନ୍ଦର ଶାସ୍ତ୍ରୀୟ ମାନ୍ୟତା
ନା ମିଳେ ଉତ୍ସାହ, ନା ପ୍ରୋତ୍ସାହନ ।
ପାଠାଗାର ଥାଇ ଝୁଲିଲାଣି ତାଲା
ଶୂନଶାନ ପଡିଛି ସାହିତ୍ୟାନୁଷ୍ଠାନ 
ଚମତ୍କାର ଆମ ଭାଷା ପ୍ରୋତ୍ସାହନ !!
କାହାକୁ କହିବା, ଶୁଣିବ କିଏବା
କପାଳରେ ସିନା ହାତ ମାରିବା ।

ଶୁଣ ଭାଷାତତ୍ତ୍ୱବିତ, ବିଶେଷଜ୍ଞ କଥା
ଦେଶେ ପ୍ରଚଳିତ ସାତଶହ ଭାଷାରୁ
ମରଣ ଦୁଆରେ ଚାରିଶହ ଭାଷା।
ବେଳ ଥାଉ ଥାଉ ଜାଗରେ ଜାଗ
ମାତୃଭାଷା ବିନା ରହିବକି ଆମ
ପରିଚୟ, ସଂସ୍କୃତି, ଜୀବନଧାରା।

ଦେଖୁଛ କି ନାହିଁ ଇଂଲିଶ କିମିଆ
ଅପାଠୁଆ ଥାଇ ମାଆ ବାପ ପିଲାଙ୍କୁ
ଶିଖାନ୍ତି ଡାକରେ ଡାକ ମମି, ଡାଡ
ସବୁଠି ଚାଲୁଛି ହ୍ୟାଲୋ, ହାଏ,ବାଏ 
ପାଟିକୁ ଆସୁନି ଆଉ ମାତୃଭାଷା।
ବେଳକାଳ ଏବେ ଜମା ଭଲ ନାହିଁ 
ନିଜ ନିଃଶ୍ୱାସକୁ ସୁଦ୍ଧା ବିଶ୍ୱାସ ନାହିଁ।

କରିବାରେ ପଣ, ଛାଡିବାନି ଆଶା
ଉଠାଇବା ଦାବି ପଛେଇ ଯିବାନି
ଶିକ୍ଷାନୁଷ୍ଠାନ ହେଉ ପ୍ରୟୋଗଶାଳା
ଲେଖନ୍ତୁ ପିଲାଏ ଅ, ଆ, ଇ, ଈ ସହ
ଏ, ବି, ସି, ଡି, ଇ,ଏଫ ମନା ନାହିଁ।
ଭାଷା ପ୍ରିୟ ହେଲେ ଦେଶ ଶିକ୍ଷାନୀତି
ପ୍ରଯୁକ୍ତି କୌଶଳ ଆପଣାଇ ନେବା
ବଢିବରେ ଆମ ଭାଷାର ଗୌରଵ 
ଵଞ୍ଚିଯିଵ ନିଶ୍ଚେ ଜାତି ସ୍ୱାଭିମାନ।
ଆସ ମନେ ମନେ ହେଉଥିବା ଗୁଣି
"ପାହିଲାଣି ଘୋର ତାମସ ରଜନୀ
ଫୁଟିବ ଉତ୍କଳ ଭାଷା- କମଳିନୀ।"


*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍