ଆସଫେରି
ଆସଫେରି
ଗାରେ ସ୍ମୃତି ତୁମ ସାଇତି ରଖିଛି
ଅଲିଭା କାଗଜେ ଲେଖି,
ଯେଉଁଦିନ ତୁମ ନଜର ପଡିବ
ଲାଖିଯିବ ତୁମ ଆଖି ।
ଅନେଇ ରହିଛି ଆସିବା ପଥକୁ
ହେ ମୋର ପ୍ରିୟ ମଣିଷ,
ଆସିବ ତ ଫେରି ସାଜିବି ଶର୍ବରୀ
ଓଠରେ ଫୁଟାଇ ହସ ।
କୁମୁଦିନୀ ସାଜି ଚାହିଁ ବସିଛି ମୁଁ
ଶଶିର-ଆବେଗ ନେଇ,
ଚନ୍ଦ୍ର-ବିଧୌତ ରଜନୀରେ ଆମ
ମିଳନ ସଙ୍ଗୀତ ଗାଇ ।
ତୁମେ ବରଷାର ଧାରା, ମୁଁ ପୃଥିବୀ
ହାତ ଧରାଧରି ହୋଇ
ପିହୁର ସଙ୍ଗୀତେ ନୃତ୍ଯର ଭଙ୍ଗିରେ
ଛନ୍ଦ ତୋଳିବା ତ ଯାଇ ।
ରଜନୀଗନ୍ଧାର ଗଜରାରେ ଗଭା
ସଜେଇ ହେବି ତ ମୁହିଁ,
ଗଙ୍ଗଶିଉଳୀର ଗାଲିଚା ଉପରେ
ବଧୂ ବେଶେ ଥିବି ରହି।
ସହକାର ପତ୍ରେ ଟାଣିଛି ତୋରଣ
ତୁମ ଆସିବା ଅନେଇ,
ଶୁଭ ନାରିକେଳ ଅକ୍ଷତ କୁସୁମ
ଥାଳିରେ ଥୋଇଛି ନେଇ।
ପ୍ରେମ ପୁଷ୍ପଭରା ଗୋଲାପ ଆଣିଛି
ସଜେଇଛି କୁଞ୍ଜବନ,
ତୁମ ଚଲାପଥେ ପୁଷ୍ପର ସମ୍ଭାର
ଦିଶେ ସତେ ବୃନ୍ଦାବନ ।
ତୁମେ ଯେଉଁଦିନ ଆସିବତ ଫେରି
ପ୍ରଷ୍ପୁଟିତ ହେବ ବୃକ୍ଷ,
ନବ ପଲ୍ଲବରେ ପଲ୍ଲବିତ ହେବ
ପ୍ରକୃତି ଦେବ ତା' ସାଖ୍ଯ।
ସୁଲୁସୁଲୁ ବାଆ ବହେ ନଈକୂଳେ
ତଟିନୀ ଗାଉଛି ଗୀତ,
ତୁମ ସାଥେ ଦିନେ ଉଡି଼ବୁଲୁଥିଲି
ସମୀରେ ଉଡେ଼ ପଣତ।
କୃଷ୍ଣଚୂଡା଼ ମୂଳେ ସାଥୀ ହୋଇ ଦିନେ
ସପନ ଗଢି଼ଲେ କେତେ,
ନାଲି ରଙ୍ଗ ତା'ର ପ୍ରେମର ପ୍ରତୀକ
ନେଇଗଲା ପ୍ରୀତି ପଥେ ।
ପ୍ରୀତିର ପଥରେ ବିଛାଇ ଥିଲା ତ
ନାଲି ମୁରୁଜର ଶେଯ,
ରଙ୍ଗସବୁ ଆଜି ଫିକା ଦିଶିଲାଣି
କାହିଁପାଇଁ ସଜବାଜ !
ସପ୍ତର୍ଷି ମଣ୍ଡଳ ହୀରକ ହାରରେ
ସଜେଇ ହୋଇ ପ୍ରକୃତି,
ଶିଶିର ଟୋପାର ମୁକୁତା ଆଞ୍ଜୁଳି
ବିଛାଉଛି ନିତି ନିତି ।
ସ୍ମୃତିର ପସରା ଧୂଆଁଳିଆ ଦିଶେ
ତେଜହୀନ ଚକ୍ଷୁ ମୋର,
ସମୟର ରେତ ସରିସରି ଯାଏ
ହଜେ ଅନୁଭୂତି ମୋର ।
