ଆସିଛି ବରଷା
ଆସିଛି ବରଷା
ଆସିଛି ବରଷା ନେଇ କେତେ ଆଶା
ଗ୍ରୀଷ୍ମକୁ ବିଦାୟ ଦେଇ
ରଚିବ ପିରତି ଶ୍ରାବଣ ସାଥିରେ
ଖୁସିରେ ଦେବ ଭିଜେଇ ।
ଆକାଶେ ଦେଖିଣ ମେଘମାଳାକୁ
ମୟୂର ନାଚିବ ଅତି ଆନନ୍ଦେ
ପ୍ରାଣୀ ହେଉଥିଲେ ଡହଳବିକଳ
ରୁଦ୍ର ତାପର ଅଂଶୁଘାତରେ।
କାଳ ବଇଶାଖ କାଳ ସାଜିଥିଲା
କରୁଥିଲା ଅସନ୍ତୋଷ
ପୂର୍ଣ୍ଣ ହେବ ନଦୀ ଗାଡ଼ିଆ ପୋଖରୀ
ପଶୁପକ୍ଷୀ ହେବେ ତୋଷ।
ଧରଣୀ ପିନ୍ଧିବ ବସିଛି ଅନାଇ
ସବୁଜ ରଙ୍ଗର ଶାଢ଼ୀ
ଭରି ଯିବ ଗଛ ଫୁଲ ଫଳାଦିରେ
ଧରିବ ଏଥର କଢ଼ି।
ଚାଷୀ ଭାଇ ମନ ଭାରି ପ୍ରଫୁଲ୍ଲିତ
ଦେଖି ତାର ଆଗମନ
ସ୍ୱପ୍ନ ତାର ସତ କରିବ ବରଷା
ଆସିଗଲା ସେହି ଦିନ।
ପ୍ରେମି ଯୁଗଳ ଯେ ଭିଜିବେ ପ୍ରେମରେ
ହୃଦେ ହୃଦୟ ମିଶାଇ
ବର୍ଷା ଭିଜା ଶୀତ ଗାଇ ପ୍ରେମ ଗୀତ
ଦେହ ଦେବ ଥରାଇ।
ମାଆ ବାଢ଼ି ଦେବ ଗରମ ଭାତକୁ
ସକାଳର ବର୍ଷା ପାଗେ
ମନ ମଉଜରେ ଖାଇଦେଇ ଛୁଆ
ପାଠ ପଢ଼ିବାକୁ ଯିବେ।
ଜେଜେମା ବସି ଦାଣ୍ଡ ପିଣ୍ଢାରେ ତ
ଖୋଲିବ ଗପର ଆସର
କହିବ ଯୌବନେ ଜେଜେ ଆମ କେତେ
ରଖୁଥିଲେ ଖିଆଲ ତାଙ୍କର।
ଭଉଣୀ ସାଙ୍ଗରେ କୁନି ଭାଇ ମିଶି
ଭସେଇବ ଡଙ୍ଗା ପୁଣି
ଠେଲି ଠେଲି ନେବ କାଗଜ ଡଙ୍ଗାକୁ
ଘର ଓଳି ତଳ ପାଣି।
ଶ୍ରାବଣ ମାସର ଝରି ବରଷାରେ
ହନ୍ତସନ୍ତ ସିନା ହେଉ
ବର୍ଷା ଋତୁ ପରା ପ୍ରିୟ ସଭିଙ୍କର
ଏଇମିତି ଆସୁଥାଉ।