ଆଶାୟୀ ଅପରାହ୍ନ
ଆଶାୟୀ ଅପରାହ୍ନ
ତୁମେ
ପୂର୍ବାହ୍ନ...
ପୂର୍ବାହ୍ନର ଅଭିଳାଷ... !
ମୁଁ
ଅପରାହ୍ଣ...
ଅପରାହ୍ଣର ଅଭିଷେକ... !!
ହୁଏତ;
ଆମ ସାକ୍ଷାତ...
ଦୁର୍ଘଟଣାଗ୍ରସ୍ତ
ସୂକ୍ଷ୍ମ ବିନ୍ଦୁଟିଏ,ଆକସ୍ମିକ !!
ସମୟ
ହୁଏତ ମଧ୍ୟାହ୍ନ...
ଆମ ପାଇଁ,
ଆମ...
ସଂକ୍ଷିପ୍ତ ସାକ୍ଷାତ ପାଇଁ... !
ସେଇ ସାକ୍ଷାତ ,
ହୁଏତ..
ଚିର ଅଭ୍ୟସ୍ତ
ଦୁର୍ବାର ସମୟର
ପ୍ରତୀକ୍ଷିତ କେନ୍ଦ୍ର ବିନ୍ଦୁଟିଏ... !!
ସେଇ ସାକ୍ଷାତ
ବିନ୍ଦୁ,ବର୍ତ୍ତୁଳତା ନେଇ...
ଆଙ୍କି ଦେଇଗଲା
ଅସଂଖ୍ୟ ରଶ୍ମିରେଖା...
ଅସମାନ୍ତରାଳ.....
ସମସ୍ତେ
ପ୍ରତୀକ୍ଷାରତ....
ମଧୁ ମିଳନର ଅପେକ୍ଷାରେ...
ଅପୂର୍ବ ମିଳନର ଜିଜ୍ଞାସା...
ଏକ ନୂତନ ସୃଜନୀ ପାଇଁ.... !!
ଆକର୍ଷଣ...
ଉତ୍କଣ୍ଠା,ଆଲୋଡନ...
ଅତ୍ମୀୟତା,
ଅଳ୍ପ ମୁହୂର୍ତ୍ତରେ...
ପ୍ରଗାଢ ବିଶ୍ୱାସର
ଅଭ୍ର ଅଟ୍ଟାଳିକା,
ସତେକି,ନଭଶ୍ଚୁମ୍ବୀ....
ସ୍ବପ୍ନ ସବୁ ଭିଡ଼ ଜମେଇଲେ ।
କେତେବେଳେ ମିନର୍ଭା ତାଜ୍...
ପୁଣି,କେତେବେଳେ
କୋଣାର୍କ କୌମୁଦୀ.... !!
ହଠାତ୍
ଶିଥିଳତା...
ନମ୍ର ନମ୍ର ନୀରବତା...
ସତେକି,
ସମୟ ସୁଅରେ
ଉର୍ଦ୍ଧ୍ୱମୁଖୀ ଜୁଆର...
ଅବା, ଭାବନା ଭିତରେ
ସପ୍ତଫଣୀ ସର୍ପ ଦଂଶନ....
ହଠାତ୍ ସବୁ
ନୀରବ ନିଶ୍ଚଳ...
ନିଶ୍ଚଳ ନିସ୍ତବ୍ଧ.....
ସତେକି,
ତାହା ମଧ୍ୟାହ୍ନର
ଅମା ଅନ୍ଧକାର......
ଜାଣେନା,
ଭାବି ବି ହୁଏନା...
ସେ ମୁହୂର୍ତ୍ତ...
ଆଉଥରେ
ଆସିବ କି ନା.... ?
ସେଇ ସୃଜନୀ
ଅଙ୍କୁରିବ କି ନା....??
ସେଇ ତୁମେ ଆଉ ମୁଁ
ଭେଟ ହେବା କି ନା.....??
ହୁଏତ..
ହଁ ଆଉ ,
ନା' ଭିତରେ...
ଥିବ କିଛି ଅନ୍ତର୍ଦ୍ବନ୍ଦ୍ୱ.....
ଅନ୍ତର୍ଘାତୀ ସମୟର
ବୁକୁଫଟା ଅଟ୍ଟହାସ୍ୟ.... !!
ଅଥବା...
ଆମ ସ୍ବପ୍ନମାନଙ୍କର
ସ୍ୱପ୍ନିଳ,ବର୍ଣ୍ଣିଳ ପଟ୍ଟଭୂମି.... !!!
