ଆଶାର ଆଲୋକ
ଆଶାର ଆଲୋକ
କାଲି ମୁଁ ଯେ ଭାବୁଥିଲି ଜୀବନଟା ସହଜ ସରଳ,
ଫୁଲର ପାଖୁଡା ବିଛା ରାସ୍ତା ଯାହା ସବୁଠି ଉଜ୍ଜ୍ୱଳ,
ଆଜି କିନ୍ତୁ ଯାହା ଦେଖେ ସବୁକିଛି ଓଲଟ ପାଲଟ,
ପଦେପଦେ କଣ୍ଟକିତ ଅନ୍ଧକାର ଅଙ୍କାବଙ୍କା ବାଟ,
ଫୁଙ୍କିଫୁଙ୍କି ପାଦ ଏଠି ଥାପିବାକୁ ହୁଏ ଗଲାବେଳେ,
ସତର୍କତା ନରହିଲେ ଚାଲିଯିବ ଜୀବନ ଅକାଳେ,
ଉନ୍ନତିର ପଥ ଏଠି ନୁହେଁ ଜମା ସଳଖ ସୁଗମ,
ପଙ୍କିଳ କର୍ଦ୍ଦମଯୁକ୍ତ ଖସଡା ଏ ପଥଟା ଅଗମ୍ୟ,
ତଥାପି ଆଲୋକ ରେଖା ଦେଖାଯାଏ ଦୂରେ ବହୁଦୂରେ,
ଲକ୍ଷ୍ୟକରି ଚାଲିବାକୁ ହୁଏ ଏଠି ଧୀରେ ଅତିଧୀରେ,
ଆହା, କି ସୁନ୍ଦର ହୋଇଥାନ୍ତା ଏଇ କର୍କଶ ଦୁନିଆଁ,
ସମସ୍ତେ ହୋଇଯାଆନ୍ତେ ଯଦି ଏଠି କୁନିକୁନି ଛୁଆ,
ନ ଥାନ୍ତା କପଟ, କ୍ରୋଧ, ହିଂସା ଆଉ ପରଗୋଡ ଟଣା,
ଅନ୍ଧାର ବାଟରେ କେହି ହୁଅନ୍ତେନି କେବେ ବାଟବଣା,
ଏ ସାରା ସଂସାର ହୋଇଯାନ୍ତା ଗୋଟେ ସରଗ ନୂତନ,
ଅବତରିଥାନ୍ତେ ଏଠି ଲୀଳା କରିବାକୁ ଦେବଗଣ
