ଆସ ମାଆ ଅବତରି
ଆସ ମାଆ ଅବତରି
କିଏ ଗୋ ଲାବଣ୍ୟବତୀ
ମୋହୁଛ ଧରାକୁ
ହସୁଅଛି ସସାଗର ଧରା
କି ଧନୀ ଗରିବ...ଦେବତା ମାନବ
ପୂଣ୍ୟ ପାର୍ବଣରେ ଆନନ୍ଦ ଉଲ୍ଲାସେ
ଆସ ଅବତରି ମାଆ ଏ ଧରା ପୃଷ୍ଠକୁ
ପ୍ରାଣେ ପ୍ରାଣେ ଖେଳାଇ
ଅସରନ୍ତି ଆଶାର ସଞ୍ଚାର।
ଭୂମିରୁ ଆକାଶ ରୋଷଣୀ ସର୍ବତ୍ର
ପୂଣ୍ୟ ପାର୍ବଣେ ମର୍ତ୍ତ୍ୟଭୂବନେ
ଚଲାପଥେ ଭରିଛି କୁସୁମ
କାଶତଣ୍ଡୀ ହଲି ହଲି ଚଅଁର ଢାଳୁଛି
ଶରତର ପାର୍ବଣକୁ ସ୍ୱାଗତ କରୁଛି
ଚହଟୁଛି ଦିଗ ଓ ବିଦିଗ
ଶେଫାଳି ବାସ୍ନାରେ
ସୁଶୋଭିତ ମେଢ଼ରେ ତୁମର
ଶ୍ରଦ୍ଧାର ମୃଣ୍ମୟ ମୂର୍ତ୍ତି
ଆକର୍ଷିତ କରଇ ଚିତ୍ତକୁ।
ଘଣ୍ଟ ଘଣ୍ଟା ମୃଦଙ୍ଗ ବାଦ୍ୟ
ହୁଳହୁଳି ଶଙ୍ଖ ନାଦେ
କମ୍ପିଉଠେ ଧରା
ଝୁଣା, ଧୂପ ବାସ୍ନା ମହକରେ
ଭରା ମଣ୍ଡପରେ
ଅଭୟ ମୁଦ୍ରାରେ
ତୁମ ଆଶିଷର ଦୃଶ୍ୟ ସଙ୍ଗେ
ପ୍ରତିଭାତ ହୁଏ ତୁମ
ବିରାଙ୍ଗନା, ଶକ୍ତିମୟୀ ରୂପ।
ଆବିର୍ଭୂତା ହୋଇ ଅଛ
ନାଶିବାକୁ ଅନ୍ୟାୟ, ଅନୀତି
ଗର୍ବ, ଅହଂକାର
ଯାତନା, ଯନ୍ତ୍ରଣା ।
ସଂହାରିବ ମାନବ ରୂପୀ ଦାନବ
ଯେତେଛନ୍ତି ଭବେ,
ନିଶ୍ଚିହ୍ନ ହୋଇବ ତୁମ ତ୍ରିଶୁଳ ମୁନରେ
ନିବାରିଣ ଧରାଭାର
ଶାନ୍ତି, ମୈତ୍ରୀ, ଧରମ ସ୍ଥାପିବ।
ଆସ ମା' ଅବତରି ପୁଣ୍ୟ ପୁଲକରେ
ମର୍ତ୍ତ୍ୟଭୂବନରେ,
ଭରିଦେବ ଜାଗୃତିର ସ୍ୱର ସୂକ୍ଷ୍ମ ଚେତନାରେ।
ମା ଜଗତ୍ ଜନନୀ, ଶକ୍ତିପ୍ରଦାୟିନୀ
ଦୁର୍ଗତିନାଶିନୀ, ଦୁର୍ଗାଦେବୀ
ମାତୃରୂପେ ମୁକ୍ତି ନିରଞ୍ଜନା
ମହିଷାମର୍ଦ୍ଦିନୀ, ଦୈତ୍ୟବିନାଶିନୀ
କାତ୍ୟାୟିନୀ, ମହାମାୟା,
ସକଳ ଆଶାର ସମ୍ଭାବନା
ପୂଣ୍ୟପାର୍ବଣେ,ସତ୍ୟ ଝଲକରେ।
କୃପାମୟୀ, ଦୟାମୟୀ
ଭକତ ଙ୍କୁ ଦେଇଣ ଶରଣ
ସୃଷ୍ଟିକର ସମ୍ଭାବନାର
ନୂତନ ଅଧ୍ୟାୟ ଆବିର୍ଭୁତା ହୋଇ।
ଅନ୍ତରେ ବାହାରେ
ହୃଦେ ତା ଭରି ଦେବ ଶକ୍ତି
ଯୁଝିବାକୁ ନ୍ୟାୟ ପାଇଁ
ଜୀବନ ପ୍ରାଙ୍ଗଣେ
ସୁରଙ୍କର ଦୁଃଖ ହରି
ବୋଲାଇବ ସୁରେଶ୍ୱରୀ।
ନବୀନ ସୂର୍ଯ୍ୟ ଦିବ୍ୟବିଭାରେ
ମାଟିର ବୁକୁରେ ଅର୍ଘ୍ୟ ଜାଳି
ମନ୍ତ୍ରିତ କରି ଅନ୍ତର ସାରା
କମ୍ପନ ତୋଳି ଭଳି ଭଳି
ସୌରଭ ଭରା ମୁଗ୍ଧ ମହକେ
ପ୍ରତି ହୃଦୟରେ ଝରିଯାଅ,
ଛନ୍ଦ ଜଗାଇ, ତନ୍ଦ୍ରା ତୁଟାଇ
ଅମୃତ ମଧୁ ଭରିଦିଅ।
ଯାଦେବୀ ସର୍ବଭୂତେଷୁ
ମାତୃରୂପେଣସଂସ୍ଥିତା
ନମସ୍ତସୈ ନମସ୍ତସୈ
ନାମସ୍ତସୈ ନମୋ ନମଃ
