STORYMIRROR

Sanjukta Rout

Others

3  

Sanjukta Rout

Others

ଆମେ ଯେ' ଓଡ଼ିଆ

ଆମେ ଯେ' ଓଡ଼ିଆ

1 min
844



ଉତ୍କଳ ମାତାର ବରଦା ସନ୍ତାନ

କବିବର ରାଧାନାଥ ।

ଶବ୍ଦରେ ଶବ୍ଦରେ ଛନ୍ଦି କରିଅଛ

ଓଡ଼ିଆ ଭାଷା ସମ୍ଭ୍ରାନ୍ତ ।।


କବି ଗଙ୍ଗାଧର ଓଡ଼ିଆ ଭାଷାକୁ

ପ୍ରକୃତି ପ୍ରୀତିରେ ଭରି ।

ଭାଷାକୁ ସମୃଦ୍ଧ ଭାବକୁ ବିବିଧ

ବର୍ଣ୍ଣରେ କଲ ସୁନ୍ଦରୀ ।।


ଉତ୍କଳ ଜନନୀ ସ୍ଵର୍ଣ୍ଣ ଶିରୋମଣି

ଭାଷାରେ ଅବର୍ଣ୍ଣନୀୟ।

ତଥାପି କାହିଁକି ହୀନମନ୍ୟ ଆମେ

ଦେବା ପାଇଁ ପରିଚୟ ??


ଆମେ ଯେ ଓଡ଼ିଆ ଭାଷାରେ ବଢିଆ

ରକ୍ତ ଆମ କଥା କୁହେ ।

କାହିଁକି ତାହେଲେ ଆମରି ଭାଷାରେ

କହିବା ସଂକୋଚ ହୁଏ !!


ବିଦେଶୀ ଭାଷାରେ କଥା ହୋଇଗଲେ

ଭାବୁଛ ବଢ଼େ ସମ୍ମାନ ।

ଆମପରି ମୂର୍ଖ ଜଗତେ କେ ଅଛି

ସବୁ ଥାଇ ହୀନିମାନ ।।


ବିଦେଶୀ ଆଚାର ବିଦେଶୀ ଵିଚାର

ମିଶି ଗଲାଣି ରକ୍ତରେ ।

ବକଟେ ଶିଶୁକୁ ଇଂରାଜୀ ଶିଖେଇ

ଫୁଲୁଛୁ ମିଛ ଗର୍ବରେ ।।


ବେଲଜ୍ୟାଙ୍କ ପରି ଖଣ୍ଡି ଇଂରାଜୀରେ

କଥା ହୋଇ କରୁ ଗର୍ବ ।

ବୁଝି ପାରୁନାହୁଁ ପ୍ରକୃତ ପକ୍ଷରେ

ଜାତି ପ୍ରୀତିରେ ଅଥର୍ବ ।।


ନିଜ ଭାଷା ପ୍ରତି ମମତା ବଢିଲେ

ବଢିବ ଜାତିର ମାନ ।

ତାହା ହିଁ ଗୌରବ ତାହା ହିଁ ସୌରଭ

ସେ ଜାତି ଉଦୀୟମାନ।।


ନିଜ ଭାଷା ଆଗ କହି ଲେଖି ଶିଖ

ହେ ମୋର ଓଡ଼ିଆ ଭାଇ ।

ଦେଶ ବିଦେଶରେ ଗର୍ବ ଗୌରବରେ

ଚାଲିବା ଛାତି ଫୁଲାଇ ।।


ମାତୃଭୂମି,ନିଜ ମାତୃଭାଷା ଠାରୁ

ଆଉ କେ ଅଛି ମହାନ ।

ଜନ୍ମଦାତ୍ରୀ ସିଏ ଅନନ୍ୟା ଜନନୀ

ବଢିବ ତା'ର ସମ୍ମାନ ।।


Rate this content
Log in