ଆମେ ସ୍ୱାଧୀନ
ଆମେ ସ୍ୱାଧୀନ


ତମସାଚ୍ଛନ୍ନ ଅର୍ଦ୍ଧରାତ୍ରିର,
ନିସ୍ତବ୍ଧ ଅନ୍ଧକାର ଭେଦି,
ଶହ ଶହ ଆଶା, ଆକାଂକ୍ଷାର,
ମଶାଲ ଦିନେ ଉଠିଥିଲା ଜଳି,
ଆଲୋକିତ କରି ସମଗ୍ର ବିଶ୍ୱ,
ପରାଧୀନତାର ଶୃଙ୍ଖଳ ଛିଣ୍ଡାଇ,
ହୁଙ୍କାର ତୋଳିଥିଲା ସ୍ୱାଧୀନତାର,
କମ୍ପି ଉଠିଥିଲା ସେଦିନ ସମଗ୍ର ମେଦିନୀ।
ସଂଗ୍ରାମୀ ନିଜ ଲହୁ, ଲୁହ ସିଞ୍ଚି,
ଯେ ସ୍ୱାଧୀନତା ବୀଜ କରିଥିଲା ବପନ,
ଭାରତ ଜନନୀର ଅଶ୍ରୁ ଜଳେ ଭିଜି,
ଅଙ୍କୁରିତ ହୋଇ ସେ ସ୍ୱାଧୀନତାର ବୀଜ,
ପତ୍ର, ପୁଷ୍ପ୍ପେ ସୁସଜ୍ଜିତ, ସୁଶୋଭିତ କରି,
ଭାରତ ମାତାର କରିଥିଲା ଶୃଙ୍ଗାର।
ସ୍ବପ୍ନର ଭାରତ, କଳ୍ପନା ରାମ ରାଜ୍ୟର,
ସୁଗଠିତ ରାଷ୍ଟ୍ର ଭାରତର, ସତ୍ୟ, ଅହିଂସାର,
ସମତାର ଅଧିକାର, ଉଚ୍ଚ, ନୀଚ କରି ଦୂର,
ଦାରିଦ୍ର୍ୟ, ନାରୀ ଅସ୍ମିତାର ସୁରକ୍ଷା ଶପଥ,
ବିଶ୍ୱାସ ଜନ୍ମାଇ ଥିଲା ନିରୀହ ଜନତାର ।
ସତରେ ସେ ପରିକଳ୍ପନା ହୋଇଛି କି ପୂରଣ,
ସ୍ୱାଧୀନ ଭାରତର ?
ଆଜି ବି ମହାଭାରତର ଦରବାର,
ପଶାପାଲିରେ ହୁଏ ସଜ୍ଜିତ,
କେତେ ସୀତା, ଅହଲ୍ୟା,ଦ୍ରୋପଦୀର,
ଅସ୍ମିତାର ହୁଏ ଅସମ୍ମାନ,ହୁଏ ଭୂଲୁଣ୍ଠିତ,
ନାରୀ, ପୁରୁଷ, ଧନୀ, ଗରୀବ, ଉଚ୍ଚ, ନୀଚର
ଶୁଭେ ନାହିଁ ସମାନତାର ସ୍ଲୋଗାନ,
ଆଜି ବି ଦାନ ମାଝୀ ଅବହେଳିତ,
ଋଣ ଗ୍ରସ୍ତ ଚାଷୀର ଆତ୍ମଘାତ,
ମଣ୍ଡନ କରେ ପୃଷ୍ଠା ପରେ ପୃଷ୍ଠା ନିତି ଖବର କାଗଜର ।
ସ୍ୱାଧୀନତାର ହୁଙ୍କାର, ଦୁର୍ବଳର ଆର୍ତ୍ତନାଦ,
ସ୍ୱାର୍ଥ, ଈର୍ଷା, ଲୋଭର ଅଭେଦ୍ୟ ବଳୟ ଘେରରେ,
କ୍ଷୀଣରୁ ହୁଏ କ୍ଷୀଣତର, ଖାଲି ଯାହା ଶୁଭୁଥାଏ,
ଆମେ ସ୍ୱାଧୀନ.....ଆମେ ସ୍ୱାଧୀନ...ଆମେ ସ୍ୱାଧୀନ।