ଆମ ଗର୍ବ ଗୌରବ ତୁ ମା
ଆମ ଗର୍ବ ଗୌରବ ତୁ ମା
ବାତ୍ୟା ବିଧ୍ବସ୍ତ ହୋଇ ଗଲୁ ସିନା ଅବେଳରେ, ପ୍ରକୃତିର ସେଇ କରାଳ ହସ୍ତେ l
ମୁଣ୍ଡେ ହାତ ଦେଇ ବସିବୁନି ମାତ, ତୋ ସନ୍ତାନ ମାନେ ଅଛନ୍ତି ଯେ ପର୍ଯ୍ୟନ୍ତେ ll
କିଛି ଦିନ ହୁଏତ ଲାଗିଯାଇ ପାରେ, ଫେରାଇ ଆଣିବାକୁ ତୋର ପୂର୍ବ ସୌନ୍ଦର୍ଯ୍ୟ l
ଆଶ୍ବାସନା ଦେଇ କହୁଛୁ ସର୍ବେ, ମା ତତେ, ରଖିବୁ ବିଶ୍ବାସ ଆଉ ରଖିବୁ ଧଇର୍ଯ୍ୟ ll
ତୋର ପାଟ ଶାଢୀ ଗଲା ଚିରି, ତୋର ମୁଣ୍ଡରୁ ମୁକୁଟ ସିନା ଟିକେ ଗଲା ଖସି l
ସେଥିପାଇଁ ଦୁଖ କରିବୁନି, କେତେ ପାଟଶାଢୀ, ସୁନା ମୁକୁଟ ରଖିଦେବୁ ତୋର ପାଦେ ଆଣି ll
ତୋର ହାତେ ଗଢ଼, ତୋ ବୀର ସନ୍ତାନ ନୁହେଁ ଅକିନ୍ଚନ, ନୁହଁଇ ସେ କର୍ମ ଭୀରୁ l
ସହିବେନି କେବେ ତୋ ଦୟନୀୟତା, ପାସେ ହେବେ ଠିଆ ରକ୍ଷା କରିବାକୁ ଦୁର୍ଦ୍ଦିନରୁ ll
ଦୟା କ୍ଷମା ଆଉ ସହନଶୀଳତାରେ, ଯାହାଙ୍କୁ ଗଢିଛୁ କରି ମଣିଷ ପରି ମଣିଷ l
ସେମାନଙ୍କ କଥା, କାର୍ଯ୍ୟ ଉପରେ ମା ତତେ ରଖିବାକୁ ହେବ ପୁରା ଭରସା ବିଶ୍ବାସ ll
ସେଇ ସନ୍ତାନଙ୍କ ଉଦାର ହୃଦୟର, ପରିଚୟ ପାଇଯିବୁ କ୍ଷଣେ ଅପେକ୍ଷା କର l
ଅତୀତେ ଯାହା ଥିଲେ, ଏବେବି ସେମିତି ଅଛନ୍ତି, କିଛି ହୋଇ ନାହିଁ ପରିବର୍ତ୍ତନ ତାଙ୍କର ll
ତତେ ଅସହାୟେ ଭାଗ୍ୟ ହାତେ ଦେଇ, ଏକା ଲଢିବାକୁ ଛାଡିଦେବେ ନାହିଁ କେହି l
ତୋର ସୁଖ ବେଳେ ତୋ ଛାୟା ରେ ଥିଲେ, ଆଜି ଦୁଖେ ବି ପାଖେ ପାଖେ ଥିବେ ରହି ll
ତୋର ପୂର୍ବର ସେଇ ଅମଳିନ ଗର୍ବ ଗୌରବ, ହେବ ନାହିଁ କ୍ଷୁର୍ଣ ଏ ଦୁନିଆର ଦରବାରେ l
ଯେ ପର୍ଯ୍ୟନ୍ତ ଥିବ ଜଣେ ବି ଓଡିଆ, ତୋ ମଥା ନୁଆଇଁବାକୁ ଦେବ ନାହିଁ ଆଉ କାହାର ଦ୍ଵାରେ ll
ଅକାଟ ସତ୍ୟ ମା, ମୁଣ୍ଡ ବାଜି ରଖି ଦେଇ ତୋ ଚରଣେ ଶପଥ ନଉଛୁ ଆଜି l
ତୋର କୀର୍ତ୍ତି ଧ୍ବଜା ଯେପରି ଉଡୁଥିଲା, ଉଡିବ ବି ଚିରକାଳ ବିକଶି ସୌନ୍ଦର୍ଯ୍ୟ ରାଜି ll
ଏ ମଳିନ ବେଶ ଏ ଉଜୁଡା ଘର, ଦେଖି ସହି ପାରିବନି ତୋର, କେହି ବି ଓଡିଆ ପୁଅ l
ରାତିଦିନ ଲାଗି ଯେତେ କଷ୍ଟ ହେଉ, ସଜାଡି ଦେବେ ମା ତାଙ୍କୁ ଆଶୀର୍ବାଦ କରୁଥାଅ ll
