ଆମ ଗାଁ ଅନ୍ଧାରୁଆ ଗଳି
ଆମ ଗାଁ ଅନ୍ଧାରୁଆ ଗଳି
ଆମ ଗାଁ ଅନ୍ଧାରୁଆ ଗଳି
ଖାଲ ଢ଼ିପ ହେଲେ ବି
ପାଦକୁ ମୋ କରି ପାରେ କଳି
ଆମ ଗାଁ ଅନ୍ଧାରୁଆ ଗଳି ।୧।
ପାଣି-କାଦୁଏ କେତେ ମୁଁ ପଡ଼ିଛି କଚାଡ଼ି
ସଂଭ୍ରମେ-ସଳଖି ଚାଲିଛି, ପୁଣି ମୁଁ ଉଠି ପଡ଼ି
ସଫଳତା ମନ୍ତ୍ର ଶିଖେଇଛି, ମୋ ହାତକୁ ଭିଡ଼ି
ଆସୁ ଯେତେ ବିଷମ, ବିପଦ, ଖରାପ ଘଡ଼ି ।୨।
ଚାଲିବୁ ନ ଥକି ନିରନ୍ତରେ, ତୁ ଉଠି ପଡ଼ି
ତାହେଲେ ଚଢିବୁ ଗନ୍ତବ୍ୟର, ସହଜ ସିଡ଼ି
ସଂଭ୍ରମେ-ସଳଖି ଚାଲିବୁ, ପୁଣି ତୁ ଉଠି ପଡ଼ି ।୩।
ବନ୍ୟାରେ ସମ୍ପର୍କ ଯେବେ ଛିନ୍ନ ହୁଏ
ଅକାଳ ପାଣି ଶରୀରକୁ ତା' ଗ୍ରାସି ନିଏ
ଅଜାଣତେ ସିଏ ବାଟ କଡେ଼ଇ ଦିଏ
ଭୁଡୁ ଭୁଡୁ ଶବଦେ ନିଶ୍ୱାସ ମାରୁ କି ଥାଏ ! ୪
ଉନ୍ମୁକ୍ତ ଆକାଶ ବକ୍ଷକୁ ଆଁ ଟେ କରି
କାହିଁ କେତେ କାଳୁ ଚାହିଁ ଅଛି ବିଚାରି
କେବେ ବୃଷ୍ଟି ଧାରା ଆକାଶୁ ପଡ଼ିବ ଖସି
ଶୁଷ୍କ ତୁଣ୍ଡରେ ତା' ଉଲ୍ଲାସ ଉଠିବ ଝଲସି ।୫।
ଅନ୍ତିମ ପ୍ରାନ୍ତେ ବୁଡ଼ା ବରଗଛଟି ଛିଡ଼ା
ଚଟାଣ ତା' ଶୁଭ୍ର,ଚଢ଼େଇ ଗୁହାରେ ଗଢ଼ା
ସେହିଠି ଅନ୍ଧାର ଟିକେ ମଳିନ ହୁଏ
କଅଁଳ ସୂର୍ଯ୍ୟ, ତା ପାଦ ନିତି ଛୁଏଁ ।୬।
ସିଧା ନୁହେଁ ଅଙ୍କା ବଙ୍କା ତା ବାଟ
ଶ୍ରମିକ,କୃଷକ ଅବା ହେଉ ସେ ଚାଟ
ସଭିଙ୍କ ପାଦକୁ ଆପଣେଇ ସେ ନିଏ
ସୁଖରେ କର୍ମସ୍ଥଳେ ପହଞ୍ଚାଇ ଦିଏ ।୭।
କେତେ ଭାଗ ବାଣ୍ଟ,କେତେ ସଂସାର ଗଢ଼ା
ବିଦେଶୁ ପୁତ୍ରର ଘର ବାହୁଡ଼ା, ଅବା
ନିଃସଙ୍ଗ ପଥିକର ସାଥିଟେ ଲୋଡ଼ା
ସଭିଁକ ପାଖେ ସେ ହେଉଛି ଛିଡା ।୮।
ମୋ ପୁଅ ପୁତୁରା କଚାଡି,
ତା'ଦେହେ ପଡ଼ୁନି ଆଜି
ତା' ଚେହେରା ବଦଳି ଯାଇଛି,
ଚିକ୍କଣ କଂକ୍ରିଟ୍ ସାଜି
ନାଲି ବାଲି ଗୁଡ଼ି ମାଟି ଶରୀରୁ,
କେବେଠୁ ଯାଇଛି ହଜି
ବିକାଶପଥେ ପୁରୁଣା ଅସ୍ତିତ୍ବର ସ୍ମୃତିକୁ
ଆଉ ପାଉନି ଖୋଜି ।୯।
ରାତିର ନୀରବେ,
ଝିଇଁ ଝିଇଁ ଝିଙ୍କାରି ଶବ୍ଦେ
କୁଁ କୁଁ କ୍ରନ୍ଦନ ସ୍ୱର, କାହାର ଶୁଭେ
ସତେ କି ! ସିଏ ଜୀବନ ଲଭେ ।୧୦।
କାହିଁକି ଏମିତି ତୁ ଯେ ଭାଳୁ !
କଂକ୍ରିଟ୍ ଆବରଣର ସମାଧି ତଳୁ
ଗଳିର ସ୍ୱର ଦବି ଯାଇଛି,
କେଉଁ ପୁରୁଣା କାଳୁ ।୧୦।