STORYMIRROR

Bunee Tripathy

Others

3  

Bunee Tripathy

Others

ଆମ ଐତିହ୍ୟ

ଆମ ଐତିହ୍ୟ

1 min
208


ରହରହ କ୍ଷଣେ ସମୟର ଯାନ

   ଦେଖିବି ପ୍ରକୃତି ସୁଷମାରାଜି

କାହିଁ କେତେକାଳୁ ହୋଇଛନ୍ତି ଠିଆ

   ମୂକସାକ୍ଷୀ ରୂପେ ହୋଇ ବିରାଜି।


ପ୍ରାଚ୍ଯ ଇତିହାସ ଲେଖାଅଛି ବୁକେ

   ଖୋଦିତ ପ୍ରସ୍ତର ଗୁମ୍ଫା ଚଟାଣେ

   ଐର ଖାରବେଳ ଶାସନର ବାର୍ତ୍ତା

    ମୁକ ରହି ମଧ୍ଯ କହେ ଅନନ୍ଯେ।


ଖଣ୍ଡଗିରି ଅବା ଉଦୟଗିରିରେ

   ବୁକୁର କୋହକୁ ଦେଖିଛ ତୁମେ

ସହିଛନ୍ତି କେତେ ଘାତପ୍ରତିଘାତ

   ଦୁଃଖ କରନ୍ତିନି ହୃଦୟ କୋଣେ।


ବୃଦ୍ନ ଜରାଜୀର୍ଣ୍ଣ ଅବୟବ ନେଇ

   ହୋଇଛ ଠିଆ ସମୟକୁ ଚାହିଁ

କାଳ ଚକ୍ରବାକ ଭଉଁରୀ ଭିତରେ

   ଲୀନ ହୋଇଯିବ ଅସ୍ତିତ୍ବ କାହିଁ।


ଖଣ୍ଡଗିରି ବୁକେ ମାତା ବାରଭୂଜା

  ଆସ୍ଥାନେ ତାଙ୍କର ପାଆନ୍ତି ପୂଜା

ଆକାଶଗଙ୍ଗା ଅବା ଗୁପ୍ତଗଙ୍ଗା ସେ

  ଦର୍ଶକେ ନିଅନ୍ତି ତାହାରି ମଜା।


ରାଣୀଗୁମ୍ଫା ପରା ବିଶ୍ବ ପ୍ରସିଦ୍ଧ

  ଉଦୟଗିରିରେ ପାଉଛି ଶୋଭା

ଆଜି ବି କହୁଛି ହଜିଲା ଅତୀତ

   ଯାହା ବିତିଅଛି ଲୁଚିଛି ପ୍ରଭା।


ସହଚରୀ ମେଳେ ମହାରାଣୀ ପରା

    ସଭାସଦ ଗଣେ ହୁଅନ୍ତି ଉଭା

ରାଜା ମହାରାଜା ଦରବାରେ ବସି

    ଉତ୍କଳର ଗାଥା କରନ୍ତି ସଭା।


କାହିଁ କେତେଆଡୁ ମୁନିଋଷି ଗଣ

   ଆସନ୍ତି ତ ଧାଇଁ ଦେଖି କାନନ

ନୀରବେ ନିଶ୍ଚଳେ ଈଶ୍ବର ବିଶ୍ବାସେ

   ଧ୍ଯାନରତ ସେହି ଗୁମ୍ଫା ଗହନେ।


ଶୁଷ୍କ ପ୍ରସ୍ତରରେ ଭଗ୍ନ ଅବୟବ

   ଆଜିବି କହୁଛି ଅତୀତ ଗାଥା

ଦୁଃଖ କଷ୍ଟ ସବୁ ପିଇଯାଏ ସିଏ

   ମନେ ଭରିଥାଉ ଯେତେ ବି ବ୍ଯଥା।


ଲିଭି ଆସୁଥିବା ଆମ ଐତିହ୍ଯକୁ

   ସାଇତି ରଖିଛି ହୃଦେ ତାହାର

ଧରାଶାୟୀ ହେବ ଯେଉଁଦିନ ସିଏ

    ଉତ୍କଳେ ଲିଭିବ ସ୍ମୃତି ତାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍