ଆକୁଳ ମିନତୀ ମୋର
ଆକୁଳ ମିନତୀ ମୋର
ଦୁଃଖ ଯଦି ଲେଖିଥିଲ ପ୍ରଭୁ ତୁମେ
କପାଳ ଲିଖନେ ମୋର ,
କିମ୍ପାଇଁ ଭରିଲ ପ୍ରଭୁ ମୋ ଆଖିରେ
ଏତେ ସପନ ସୁଖର ।
ହାତ ପାହାନ୍ତାରେ ଢାଳି ଦେଇ ସୁଖ
ଛଡାଇ ନେଲ ମୋ ଠାରୁ ,
ଲୁହ ସବୁ ଯେତେ ଅମାନିଆ ହୋଇ
ଗଡିଯାଏ ମୋ ଆଖିରୁ ।
ଭକତ ଭକ୍ତିରେ ତୁମେ ଥାଅ ବୋଲି
ମାଆ ଠାରୁ ଶୁଣିଥିଲି ,
ବିଶ୍ବାସର ଦିବ୍ୟ ମହକରେ ତୁମେ
ଆସ ବୋଲି ଜାଣିଥିଲି ।
ମୋ ପାଇଁ ଆଜିକି ସବୁ ପଥ ତୁମ
ହୋଇଗଲା ବାଟବଣା ,
କାହିଁକି କେଜାଣି ସବୁ ସୁଖ ମୋର
ହୋଇତ ଗଲା ଅଜଣା ।
ଆରକ୍ତ କପାଳେ ଚନ୍ଦନର ଟୀକା
ବୋଳିଦିଅଇ ତୁମର ,
ଦୁଇ ହାତ ଛନ୍ଦି ତୁମ ଛନ୍ଦା ତଳେ
ମାଗୁଣି କରେ ଅପାର ।
ଅନ୍ଧାର ଘରର ତୁମେ ତ ଆଲୋକ
ଜଳ ଦୀପଟିଏ ପରି,
ବିଶ୍ବ ନିୟନ୍ତା ହେ ଦେଖାଅ ଝଲକ
ଏ ଜୀବନ ଯାଉ ସରି ।
ଏତିକି ମିନତୀ କରୁଛି ପ୍ରଭୁ ହେ
ପାରି କର ଏଇ ଭବୁ ,
ତୁମ ନାମ ଜପି ଏ ଭବ ସାଗରୁ
ହରିଯାଉ ଦୁଃଖ ସବୁ ।