ଆଜିର ପାଠ
ଆଜିର ପାଠ
ଜେଜେ ପଚାରିଲେ ନାତିକୁ, “କହିଲୁ
ପଣିକିଆ ବାଇଶିର”
ମୁହେଁ ମୁହେଁ ନାତି କହିଦେଲା, “କାହିଁ
ପାଗଳ ପ୍ରଳାପ କର !
ବାଇଶି କଅଣ, ଦୁଇ ପଣିକିଆ
ନକହି ପାରିବି ମୁହିଁ
ସେସବୁ ପାଠକୁ ସ୍କୁଲ୍ ରେ ଶିକ୍ଷକ
କେବେ ବି ଶାଖାନ୍ତି ନାହିଁ ।“
“ଅଷ୍ଟମ ଶ୍ରେଣୀରେ ପାଠ ପଢି ତତେ
ଆସୁନାହିଁ ପଣିକିଆ
ଚୋପାଟା ତା’ହେଲେ ପଢୁଛୁ, ତୁ ପୁଣି
ଗର୍ବେ ଫୁଲୋଉଛୁ ହିଆ !
ଗଣିତ ଆସୁନି, ସାହିତ୍ୟ ଆସୁନି
ଆସୁନି ଭୂଗୋଳ ଡ୍ରଇଁ
ନିତି ଦିନ ତେବେ କରୁ ସେଠି କିସ
କାହିଁ ଯାଉ ପୁଣି ଧାଇଁ ?”
“ସ୍କୁଲ୍ ଯାଉଛି ମୁଁ ପଢିବାକୁ ବୋଲି
କାହାଠୁ ଶୁଣିଲ ତୁମେ
ପାଠ ପଢା ଯୁଗ ସରିଲାଣି ବୋଲି
ଭେଦୁନାହିଁ କି ମରମେ ?
ମଧ୍ୟାହ୍ନ ଭୋଜନ ସାଙ୍ଗକୁ ପୋଷାକ
ଯୋଗାଉଛି ସରକାର
ବାପା ମାଆ ପୁଣି ପାଆନ୍ତି ପଇସା
କରି ଏହି ଉପକାର !
ତୁମ ବେଳେ ସିନା ଫେଲ୍ ର ଭୟରେ
ପଢୁଥିଲ ରାତି ଦିନ
ସର୍କାରୀ ନିୟମ ସୁହାଏ ଆମକୁ
ପାଠେ ଲାଗେ ନାହିଁ ମନ ।
ସିନେମା ଟିଭିରୁ ଫୁର୍ସତ ବା କାହିଁ
କରିବୁ ଯେ ପରିଶ୍ରମ
ଦି’ ଟଙ୍କି ଚାଉଳେ ପେଟ ନପୂରିଲେ
‘ନରେଗା’ରେ ମିଳେ କାମ ।
ଯଦି କେବେ କିଛି ନକରି ପାରିବୁ
ସର୍କାରଙ୍କ ଦୋଷ ହେବ
ଅଯୋଗ୍ୟ ଶାସକ ରାଜୁତିର ବାଜା
ରାଇଜ ସାରା ବାଜିବ ।
ତୁମ କଥା ମାନି ପାଠ ପଢିଦେଲେ
କି ଲାଭ ପାଇବି ଶେଷେ
କାମ ଧନ୍ଦା ଛାଡି ନିତି ଧାଉଁଥିବି
ଚାକିରି ପାଇବା ଆଶେ !
କଳା ଅକ୍ଷରକୁ ଶିଖିଗଲା ପରେ
ମାଟି କାଦୁଅରେ କାମ
କରିବାକୁ ଲାଜ ମାଡିବ ହେ ଜେଜେ
ଶିକ୍ଷା ହେବ ବଦନାମ !
ସେଥିପାଇଁ ଘରେ ଚିଟା ମାଡିଗଲେ
ହାତଗୋଡ ହଲା ପାଇଁ
ଚାଲିଯାଏ ସ୍କୁଲ୍ ସାଙ୍ଗସାଥି ମେଳେ
ମଉଜ କରିବା ପାଇଁ ।
ମଧ୍ୟାହ୍ନ ଭୋଜନ ରନ୍ଧା ହେଇଥାଏ
ସ୍କୁଲ୍ ରେ ଆମରି ପାଇଁ
ନଗଲେ ସେସବୁ ନଷ୍ଟ ହେବ ସିନା
କେହି ତ ଖାଇବେ ନାହିଁ !
ପଣିକିଆ କ’ଣ, ଅ ଆ ବି ତ
ଶିଖିନାହିଁ ଆଜି ଯାଏଁ
କେମିତି କହିବି ବୁଝେଇ ହେ ଜେଜେ,
କାହିଁ ସେଠିକୁ ମୁଁ ଧାଏଁ !
ଶିଖଗଲା ପରେ ଦସ୍ତଖତ ନିଜ
ଆଉ କିଛି ଲୋଡାନାହିଁ
ମାଡି ମକଚିକି ଦି’ ବର୍ଷ ସାରିଲେ
ପାଇଯିବି ଡିଗ୍ରୀ ମୁହିଁ ।
ପାଠର ମୂଲିଆ ସେତିକି ମାତର
ଆଜିକା ଯୁଗରେ ଜେଜେ
ପଚାରିବ ନାହିଁ ଏହା ବାଦେ ଦିନେ
ପାଠ କଥା ତୁମେ କେବେ !
-0-