ଆଜିର ଏକଲବ୍ୟ
ଆଜିର ଏକଲବ୍ୟ
ସେଦିନ ଅପମାନିତ ହେବା ପରେ
ଫେରିଆସିଥିଲି ମୁଁ ଗୁରୁଙ୍କ ପାଖରୁ
ପରିସମାପ୍ତି ଘଟାଇ ଶିକ୍ଷାର
ଧର୍ନୁବିଦ୍ୟା ଏକା କେବଳ ରାଜପୁତ୍ରର
ନାହିଁ ଅଧିକାର ଶିଖିବାର ଆଉ କାହାର ।
ଗୁରୁଙ୍କ ପ୍ରତିମୂର୍ତ୍ତୀ ରଖି ରଙ୍ଗଶାଳେ
ଶୟନେ ସପନେ ଜାଗରଣେ
ତାଙ୍କ ପାଦପଦ୍ମେ ରଖି ଲୟ
ଲକ୍ଷ୍ୟଭେଦ କରୁଥାଏ ବାରମ୍ଵାର ।
ବିନା ଗୁରୁରେ ପହଁଚିହୁଏନି ଲକ୍ଷ୍ୟସ୍ଥଳ
ସେ ଯେ ହୁଅନ୍ତୁ ନା କାହିଁକି
କାଠ କାଦୁଅ ପଥର ଅବା ରକ୍ତ ମାଂସର
ସେଥିରେ କିଛି ବି ଫରକ ନ ଥିଲା ମୋର ।
ଭକ୍ତି ସମର୍ପଣ ଭାବ ଥିଲେ ଭରି ମନେ
ସମୁଦ୍ରକୁ ପହଁରିପାରିବ ଜାଣ
ନୀଳ ଆକାଶକୁ ଛୁଇଁ ପାରିବ
ନିର୍ବିଘ୍ନରେ ଆଉ ଅକ୍ଳେଶରେ ।
ଘୁରୁଥିବା ଚକ୍ରେ ମାଛର ଆଖିରେ
ଦୂର ଗଛେ ବସିଥିବା ଚଢେଇ ଆଖିରେ
ନିଶାଣ କରିବା ଏତେ ସହଜ ନୁହେଁ
ଲକ୍ଷ୍ୟ ଛଡା ମୋତେ କିଛି ଆଉ ଦିଶେନି ।
ଗୁରୁଙ୍କ ପାଦପଦ୍ମକୁ ସ୍ମରି
ଦିଶୁଥାଏ କେବଳ ମୋତେ ଆଖିର କେନ୍ଦ୍ରବିନ୍ଦୁ
ଯେଉଁଠିକି ତୀରବିଦ୍ଧ କରିବାକୁ ହେଵ ଏକଲୟରେ
ଆଜି କାହିଁ ତୀର ସବୁ ମୋର ଲକ୍ଷ୍ୟଚ୍ୟୂତ
ଦିଗହୀନ ପକ୍ଷାଘାତ ଅସ୍ଥିରମନା
ନିଶାଣକୁ ପାରୁନି ଭେଦି ।
ରକ୍ତମାଂସର ଶତଶତ ଗୁରୁମାନେ
ମୋ ଚାରିକଡେ ଦଣ୍ଡାୟମାନ
ତଥାପି କାହିଁକି ମୁଁ ହାରିଯାଉଛି ବାରମ୍ଵାର
ଧାଡିରେ ଆଗ ଠିଆ ହୋଇଥିବା ଲୋକ
ଦୀପ ତଳ ଅନ୍ଧାର ଭଳି
ନିଜେ ଅନ୍ଧକାରେ ରହିଯାଏ
ନିଜକୁ ଜାଳି ଜାଳି ଆଲୋକ ଖୋଜୁଥାଏ ।
କିନ୍ତୁ ଦ୍ରୋଣାଚାର୍ଯ୍ୟମାନେ
କାଟିନିଅନ୍ତି କୌଶଳେ
ବୃଦ୍ଧାଙ୍ଗୁଳୀ
ଶିକ୍ଷାଦାନ ଆରମ୍ଭ ପୂର୍ବରୁ
ଗୁରୁ ଦକ୍ଷିଣା ମାଗିବା ଛଳେ
ସ୍ଵାର୍ଥ ରକ୍ଷା କରିବାକୁ
ଏଠି ରାଜ ପୁତ୍ର ଅର୍ଜୁନମାନଙ୍କର ।
