ଆଜି ବହୁତ ଗପିବା
ଆଜି ବହୁତ ଗପିବା
ଠାକୁର ବି ଶୋଇଗଲେ
ପିଲା ସବୁ ଶୋଇଗଲେ
ମଲ୍ଲୀ ଡ଼ାଳ ରାତି ଅନ୍ଧାରରେ
ବୈଶାଖ ସକାଳର
ସ୍ୱପ୍ନ ଭରୁଥିଲେ
ଜୀବନ ବି କି ନିର୍ଲଜ ପୀଡା
ପୁରୁଣା ଭିକାରୀଟେ ପରି
ଜୀବନର ସବୁ ସଡକରେ ମିଳୁଥିଲେ
ଯେତେ ସବୁ ଶୂନ୍ୟସ୍ଥାନ
ଆଜି ଗପିବାରେ ମଲମ ମାରିବ
ତୁମ ଥକିଲା ଦେହକୁ ତେଣେ
ଆଖି ତୁମ କହେ,
"ଆଉ ଟିକେ ସହି ଯାଆ
ଯେ ପର୍ଯ୍ୟନ୍ତ ମୁଁ ମେଲା ଅଛି !"
ଗପିବା ଟା କଣ ଚୁଲିଟିଏ ?
ସେଠି କାଠି କୁଟା ଶବ୍ଦର ଜାଳ ଜଳେ
ସମ୍ପର୍କର ଉଷ୍ମତା ଧରି ରଖି ହୁଏ
ଯେତେ ଯାଏଁ ଚୁଲି ଜଳୁଥାଏ...
ଗପିବାଟା ଗୋଟେ
ଆହତ ରାତିର ମରୀଚିକା
ଯିଏ ଶୋଷ ମାରୁଥାଏ
ଶୋଷ ଦେଉଥାଏ ବି
ତୁମର ବା ଯାଏ ଆସେ କେତେ
ଦୂର କେଉଁ ସହରରେ
ତୁମ ସଖୀ ସବୁ
ସିନେମାକୁ ଯାଇଥିଲେ
ବ୍ୟଞ୍ଜନ କଳାର
ପୂଜାରିଣୀ ହୋଇ
ସଦ୍ୟ ଉନ୍ମୋଚିତ ହୋଇଥିବା
ହୋଟେଲର ଗୁଣ ଗାଉଥିଲେ
ତୁମର ବା ଯାଏ ଆସେ କେତେ
ସିରିଆରେ କେତେ ଲୋକ ମଲେ
କ୍ରିକେଟରେ କିଏ ଜିତେ କିଏ ହାରେ
ଦୁନିଆଁ ବହିର୍ମୁଖୀ ହେଲାବେଳେ
ତୁମେ ସନ୍ନ୍ୟାସିନୀ ପରି
ନିଜ ପରିଧି ଭିତରେ ହଜିଯାଅ
ଛୋଟ ଅଳି କରି ବସ
"ଆଜି ବହୁତ ଗପିବା"
ଗପିବାରେ ତୁମ ପାଇଁ ଠୁଳ
ସବୁ ସହରୀ ମନୋରଞ୍ଜନ
ସବୁ ଗହଣା
ସବୁ ଦାମୀ ବସ୍ତ୍ର
ସବୁ ପାର୍ଥିବ ଇଚ୍ଛାର ସଙ୍ଗମ
ଆଜି କେତେ ସ୍ମୃତି କହିଯାଅ
ତୁମର ଛୁଆବେଳ ଠାରୁ
ଆଜି ଯାଏ ଘଟି ଯାଇଥିବା
ଛୋଟ ବଡ଼ ଟିକିନିଖି କଥା
ତୁମ ହାତରେ ଟୀକା ଚିହ୍ନ ଠାରୁ
କଲେଜ ସହପାଠୀନିର
ବୈଧବ୍ୟର କାହାଣୀ
ହୋଲି ଖେଳର ରଙ୍ଗ ଲଗା ଲାଗି
ବାପାଙ୍କ ତାଗିଦ ଠାରୁ
ପ୍ରଥମ ଥର ରଜବତୀ
ହେବାର କାହାଣୀ
ପଛ ପଟେ
ମୋ ମନର ଅନ୍ଧାରୀ ଅଗଣା
ମତେ ନ ବୁଝି ନ ଜାଣି
କେତେ ଗପି ଚାଲ
ମଝିରେ ମଝିରେ ସଂଜ୍ଞାହୀନ ହୋଇଯାଏ
ନିଦ ବାଘର ପଞ୍ଝା ଆଘାତରେ
ମୁଁ କି ଗପ ଶୁଣେ ଯେ
ଏଣେ ତେଣେ ମନ ବୁଲି ଯାଏ
ମଝିରେ ମଝିରେ
ହୁଁ ହୁଁ ମାରିବାକୁ କୁହ
ମୁଁ ଶୁଣୁଛି କି ନାହିଁ
ଜାଣିବାକୁ କେବେ ପଚାରି ଦିଅ
" କଣ କହୁଥିଲି କହିଲ?"
କାନ କୋଣରେ ଲାଗି ରହିଥିବା
ଶବ୍ଦ କେତୋଟିକୁ
ବନେଇ ଚୁନେଇ କହିଦିଏ
ଉତ୍ତରରେ ସନ୍ତୁଷ୍ଟ ନ ହେଲେ ବି
କେମିତି ବି ପାସ କରାଇ ଦିଅ
ଚେତନା ଭଗବାନଙ୍କୁ
ମୁଁ ଧନ୍ୟବାଦ ଦିଏ
ସବୁଥର ପରି
ଏଥର ବି ବଞ୍ଚି ଯାଏ
ଗପୁଥିବା ଏହି ଜିଅନ୍ତା ମେସିନ
ଶୋଇଥାଏ ପାଖକୁ ଲାଗି
"ସେ ହାତ ମୋର"
କହି ସଦା ଟାଣି ରଖ
ହାତକୁ ଛାତି ଉପରେ
ହାତ ସେଇଠି ପଡି ରହେ
ଖରାବେଳେ ଜବରଦସ୍ତି
ଶୁଆଇ ଦିଆ ଯାଇଥିବା ପିଲା ପରି
ମୋ ସହ ସିଏ ବି
ତୁମ ଚାପା ଚାପା
ମିଠା ମିଠା ଗପ ଶୁଣେ
ଭିଡି ମୋଡି ହୁଏ
ଛାତି ଭିତରେ
ଅଣନିଶ୍ଵାସୀ ହୁଏ
ଯେମିତି ହାତର ବି ନାକଟିଏ ଅଛି !
ହାତ କଡ ଲେଉଟାଇଲେ
ତୁମେ ମିଛଟାରେ
ମତେ 'ଦୁଷ୍ଟ' କୁହ
ବାରମ୍ବାର ଉଡି ଆସୁଥିବା
ଅଲରା କେଶ ଦୁଇ
ତୁମ କେଶରେ ନଡ଼ିଆ ତେଲର ବାସ୍ନା
ତୁମ ଘୋରି ହୋଇଯାଇଥିବା ପାଦ ମୁଦି
ତୁମ ଶୀର୍ଣ୍ଣ ଦେହର
ପିଠିପଟ ମେରୁହାଡ଼
ତୁମ କାଖ ତଳେ
ସିଲାଇ ଫିଟି ଥିବା ବ୍ଲାଉଜ
ସମସ୍ତେ କଥା ହେଉ ଥାଆନ୍ତି
ପ୍ରଶ୍ନ କରେ
ମୁଁ କାହାକୁ ଶୁଣିବି ଯେ
ତୁମେ ଆଖି ଦେଖାଇ କୁହ
"ସେମାନଙ୍କୁ ଦେଖ ନା
କେବଳ ମତେ ଶୁଣ!"
"ଓଃ ! ଏଇ ଆଖିରେ କାନ୍ଦ ତା ହେଲେ
ଆଛା ! ଆଖିର ଏହି କୋଣ
ଯେଉଁଠି ଲୁହ ତୁମ ଜମା ହୁଏ !"
ଆରେ ସତରେ କାନ୍ଦୁଛ ତମେ
ଏତେ ଜଲଦି
ଭରି ଦେଲ ସେ ଜାଗା
ତୁମ ଲୁହରେ
ସେହି ତୁମ ଉପାସନା
ଗପ ଗପି ବି
ଲୁହ ଝରାଅ ପ୍ରେମରେ
"ଥାଉ, ଆଜି ଆଉ ଗପ ନାହିଁ !"
କୋଳକୁ ତୁମକୁ ଟାଣି ନିଏ
ଏଇ ହାତରେ ବାସନ ମାଜ
ଏଇ ହାତରେ ଦଳିଥିବା ଅଟା ଗୁଳା
ରୁଟି ହୋଇ ପୁଷ୍ଟି ହୋଇ
ଏବେ ରକ୍ତରେ ଦୌଡୁଛନ୍ତି
ଏଇ ସେ ଓଠ
ଅନର୍ଗଳ ମିଠା କଥା ଝରି ଆସେ
ଏହି ସେ କପାଳ
ଯିଏ ହଜାର ଥର
ଚଟାଣ ଛୁଇଁଛି ଶିବ ମନ୍ଦିରରେ
ଏତକ କହିଲା ବେଳକୁ
ତୁମେ ଗପ ବନ୍ଦ କରି ମତେ ଚାହଁ
ତୁମ ସେ ନୀରବ ଚାହାଣୀ
ଧୀରେ ଧୀରେ ମୋ ପାଇଁ
ଗପ ହୋଇଯାଏ