STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଆଗନ୍ତୁକ

ଆଗନ୍ତୁକ

1 min
256



ତୁମକୁ ତ ମୁଁ କେବେ ଚାହିଁନି

ମାଗିନି କିଛି ବି

କହିନି କେବେ କିଛି

ମୋ ମନ ତଳର ଗୋପନ କଥା

ମାନ ଅଭିମାନ ରାଗ ଅନୁରାଗ

କେତେ ହସେ ଆଉ କେତେ କାନ୍ଦେ

ଲୁଚି ଲୁଚି ଏକା ଏକା

ପ୍ରତିକ୍ଷଣେ ସମସ୍ତ ଙ୍କ ଅଲକ୍ଷରେ ।


ତଥାପି ତମେ ଆସ ବାରମ୍ବାର

ଠିକ୍ ଏହି ସମୟରେ

ଢଳ ଢଳ କାକର ବିନ୍ଦୁ ରେ ଢଳି ଢଳି

ଥରୁଥାଅ ଥୁରୁ ଥୁରୁ ହାଡଭଙ୍ଗା ଶୀତରେ

ଆଙ୍କି ହୋଇଯାଅ ଛବିଟିଏ ହୋଇ

ମୋ ନିବୁଜ ହୃଦୟର

ଖୋଲା କାନଭାସ୍ ଉପରେ ।


କେବେ କେବେ ଧରେଇଦିଅ

ରଙ୍ଗ ତୂଳିଟିଏ ମୋତେ

ଛବିଟିଏ ଆଙ୍କିବାକୁ ବାଧ୍ୟକର

'ମୋନାଲିସା' ଅବା 'କ୍ଲିଓପେଟ୍ରା'

ହାତ ମୋର ଥରିଯାଏ

ଛବି ବିବର୍ଣ୍ଣ ହୁଏ ବାର ବାର

କାହିଁକି କି ନା

ମୁଁ ଜଣେ ନିଖୁଣ ଚିତ୍ରକର ନୁହେଁ

ତୁମ ବିଚାରରେ ଅବା ତୁମରି ଦୃଷ୍ଟି ରେ ।


ତୁମେ କି ସ୍ବପ୍ନ ନେଇ ଆସିବ ଏଥର ?

ସାତସିଆଁ କନ୍ଥାରେ ତାଳିପକା ଲୁଗାରେ

ରାତିରେ ଜହ୍ନ ଓ ଦିନରେ ସୂର୍ଯ୍ୟ ଦେଖୁଥିବା

ନୂଆଣିଆଁ ଚାଳଘରେ ଭଙ୍ଗା ମଥାନକୁ

ବିକଳରେ ଚାହିଁ ରହିଥିବା

ମଣିଷ ଟି ର ଚୌହଦୀ କୁ

କି ଫୁଲରେ ସଜାଇବ ତୁମେ ?


ରକ୍ତ ର ଝଲମଲ ବିନ୍ଦୁ ରେ ହୋଲି ଖେଳୁଥିବା

ନାରୀ ଦେହର ମୁଲାୟମ ମାଂସ ଖଣ୍ଡ କୁ

ଝୁଣି ଖାଉଥିବା ଜହ୍ଲାଦମାନଙ୍କୁ

କି ବାର୍ତ୍ତା ଦେବ ଏଥର ତୁମେ ?

ଫେରାଇ ପାରିବ କି ସ୍ବର୍ଗୀୟ ମହକ

ଭାଇଚାରାର ନିର୍ମଳ ପୀୟୂଷ ?

ଆସିବ ଯଦିତ ଆସ

କାଳରାତିର ଶୂନଶାନ ନିଥର ନିଃଶବ୍ଦ ଗଳିରେ

ପାଦଚାପି ଧୀରେଧୀରେ

ଅକାଳେ ସକାଳେ କେବେ କେଉଁଦିନ

ବିସ୍ମୃତିର ପଥଧାରେ

ଜୀବନ୍ଯାସ ପାଇଯିବେ କାଳେ

ମଲାସ୍ବପ୍ନମାନେ ଭଙ୍ଗାମନର କବର ତଳେ ।।


ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ , ବଡବିଲ।


Rate this content
Log in