ଆ'ଲୋ ଛଇଳୀ ଶୀତ
ଆ'ଲୋ ଛଇଳୀ ଶୀତ
ବାମନ ଚନ୍ଦ୍ର ଦୀକ୍ଷିତ।
ଶୋରିଷ ଫୁଲିଆ ସୁନେଲି ଓଢଣୀ
ଉହାଡ଼େ ମୁହଁ କୁ ଲୁଚେଇ,
ଆ'ଲୋ ଛଇଳୀ ଛଟକୀ ଛବିଲୀ
କୁହୁଡ଼ି ଚାଦର ଘୋଡ଼େଇ।।
ତୁ ଘାଷ ଗାଳିଚା ର କାକର ବିନ୍ଦୁ ରେ
ଲଙ୍ଗଳା ପାଦ ର ଅଳସ ଗତି
ନିଃଶ୍ବାସ ଧୁଆଁ ର ଧାର ଦେଖୁ ଦେଖୁ
କାଖ ତଳେ ରଖା ହାତ ର ତାତି
ଚାଦର ଫାଙ୍କରୁ ସୁଲୁ ସୁଲୁ ବାଆ
ଛାତି ଦେବ ଯେବେ ଥରେଇ,
ଆ'ଲୋ ଛଇଳୀ ଛଟକୀ ଛବିଲୀ
କୁହୁଡ଼ି ଚାଦର ଘୋଡ଼େଇ।।
ତୁ ପତରୁ ପତରୁ ଝରି ପଡ଼ୁ ଥିବା
କାକର ର କୁନି କୁନି ମୁକୁତା,
ସକାଳ ସୂରୁଜ ମୁରୁଜ ବୁଣିଲେ
ପ୍ରତିବିମ୍ବିତ ତୁ ରଙ୍ଗିଲୀ ଛଟା
କୁନି ଚଢ଼େଇ ର ନାଲିଆ ଥଂଟ କୁ
ଶିଶିର ବିନ୍ଦୁ ରେ ଭିଜେଇ,
ଆ'ଲୋ ଛଇଳୀ ଛଟକୀ ଛବିଲୀ
କୁହୁଡ଼ି ଚାଦର ଘୋଡ଼େଇ।।
ଅଳି କନିଅର କଳି କରବୀର
ରଙ୍ଗ ରସ ଧାର ସଜେଇ ଦେଇ
ମାଳତୀ ମଲ୍ଲିକା ସେବତୀ କଳିକା
ମନ୍ଦାର ଅଧର ରଖେ ରଂଜେଇ
ଖଞ୍ଜି ଦେଇଛନ୍ତି ସ୍ୱାଗତିକା ମାଳା
ଦେବେ ତୋ ଗଳା ରେ ଲମ୍ବାଇ।।
ଆ'ଲୋ ଛଇଳୀ ଛଟକୀ ଛବିଲୀ
କୁହୁଡ଼ି ଚାଦର ଘୋଡ଼େଇ।।
ବୁଢ଼ୀ ବୁଢ଼ିଆଣି ଚାନ୍ଦୁଆ ଟାଣିଛି
ତହିଁରେ ଖଞ୍ଜିଛି କେତେ ତୁହିନ,
ଅରୁଣ କିରଣେ ଝଲସୁଛି ଯେହ୍ନେ
ହୀରା ନୀଳା ମଣୀ ଅବା କାଞ୍ଚନ
ଗୁଣୁ ଗୁଣୁ ସ୍ୱନେ ମଧୂପ ଆଳାପେ
କୁଜନ ବାଇଦ ବଜେଇ;
ଆ'ଲୋ ଛଇଳୀ ଛଟକୀ ଛବିଲୀ
କୁହୁଡ଼ି ଚାଦର ଘୋଡ଼େଇ।।
****************************
