STORYMIRROR

Baman Chandra Dixit

Others

3  

Baman Chandra Dixit

Others

ଆ'ଲୋ ଛଇଳୀ ଶୀତ

ଆ'ଲୋ ଛଇଳୀ ଶୀତ

1 min
353


ବାମନ ଚନ୍ଦ୍ର ଦୀକ୍ଷିତ।


ସୋରିଷ ଫୁଲିଆ ସୁନେଲି ଓଢଣୀ

ଉହାଡ଼େ ମୁହଁକୁ ଲିଚେଇ,

ଆ'ଲୋ ଛଇଳୀ ଛଟକୀ ଛବିଲୀ

କୁହୁଡ଼ି ଚାଦର ଘୋଡ଼େଇ।।


ତୁ ଘାଷ ଗାଳିଚାର କାକର ବିନ୍ଦୁରେ

ଲଙ୍ଗଳା ପାଦର ଅଳସ ଗତି

ନିଃଶ୍ବାସ ଧୂଆଁର ଧାର ଦେଖୁ ଦେଖୁ

କାଖ ତଳେ ରଖା ହାତର ତାତି

ଚାଦର ଫାଙ୍କରୁ ସୁଲୁ ସୁଲୁ ବାଆ

ଛାତି ଦେବ ଯେବେ ଥରେଇ,

ଆ'ଲୋ ଛଇଳୀ ଛଟକୀ ଛବିଲୀ

କୁହୁଡ଼ି ଚାଦର ଘୋଡ଼େଇ।।


ତୁ ପତରୁ ପତରୁ ଝରି ପଡ଼ୁ ଥିବା

କାକରର କୁନି କୁନି ମୁକୁତା,

ସକାଳ ସୂରୁଜ ମୁରୁଜ ବୁଣିଲେ

ପ୍ରତିବିମ୍ବିତ ତୁ ରଙ୍ଗିଲୀ ଛଟା

କୁନି ଚଢ଼େଇର ନାଲିଆ ଥଂଟକୁ

ଶିଶିର ବିନ୍ଦୁରେ ଭିଜେଇ,

ଆ'ଲୋ ଛଇଳୀ ଛଟକୀ ଛବିଲୀ

କୁହୁଡ଼ି ଚାଦର ଘୋଡ଼େଇ।।


ଅଳି କନିଅର କଳି କରବୀର

ରଙ୍ଗ ରସ ଧାର ସଜେଇ ଦେଇ

ମାଳତୀ ମଲ୍ଲିକା ସେବତୀ କଳିକା

ମନ୍ଦାର ଅଧର ରଖେ ରଂଜେଇ

ଖଞ୍ଜି ଦେଇଛନ୍ତି ସ୍ୱାଗତିକା ମାଳା

ଦେବେ ତୋ ଗଳାରେ ଲମ୍ବାଇ।।

ଆ'ଲୋ ଛଇଳୀ ଛଟକୀ ଛବିଲୀ

କୁହୁଡ଼ି ଚାଦର ଘୋଡ଼େଇ।।


ବୁଢ଼ୀ ବୁଢ଼ିଆଣି ଚାନ୍ଦୁଆ ଟାଣିଛି

ତହିଁରେ ଖଞ୍ଜିଛି କେତେ ତୁହିନ,

ଅରୁଣ କିରଣେ ଝଲସୁଛି ଯେହ୍ନେ

ହୀରା ନୀଳା ମଣୀ ଅବା କାଞ୍ଚନ

ଗୁଣୁ ଗୁଣୁ ସ୍ୱନେ ମଧୂପ ଆଳାପେ

କୁଜନ ବାଇଦ ବଜେଇ;

ଆ'ଲୋ ଛଇଳୀ ଛଟକୀ ଛବିଲୀ

କୁହୁଡ଼ି ଚାଦର ଘୋଡ଼େଇ।।


రచనకు రేటింగ్ ఇవ్వండి
లాగిన్