Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ବପ୍ନ କମ୍ବଳ
ସ୍ବପ୍ନ କମ୍ବଳ
★★★★★

© ସତ୍ୟବତୀ ସ୍ୱାଇଁ

Others

3 Minutes   2.6K    17


Content Ranking

ଓହୋ ଏ ପେଥାଇ ସାମୁଦ୍ରିକ ବାତ୍ୟାର କି ବହପ ଦେଖ ହୋ---ବଥାଇ ବଥାଇ ମାରିଲାଣି  ।  କି ଭୟାନକ ପେଥାଇର କୋପ । ବାପରେ ବାପ । କି ଭିଷଣ ଥଣ୍ଡା ।

ଲାଗୁଛି ସତେକି ହିମାଳୟ ବରଫ ଗଡାରେ ଗଳି ପଡିଛୁ ଆମେ । ଉହୁଁ---ଆହା । ଯେତେ ଶୀତ ବସ୍ତ୍ର ସବୁ ଯେମିତି କମ୍ ପଡୁଛି । ବାହାରକୁ ବାହାରିଲେ ମଞ୍ଜ ଦୋହଲି ଯାଉଛି । ବେଶୀ ବରଫ ବରଫ ଲାଗୁଛି ପାଦ ଦିଇଟା ।

ଏମିତି ସମୟରେ ବଡ଼ ଦିନ ଛୁଟି କଟେଇବାକୁ ନଣନ୍ଦ,ତାଙ୍କ ସ୍ୱାମୀ ଓ ପିଲାମାନେ ଆସିଛନ୍ତି ପଞ୍ଜାବରୁ । ଆଠ ଦଶ ଦିନ ରହିବେ । କେବେ କେବେ ସେମାନେ ଛୁଟି ଦେଖି କେତେବେଳେ ରଜରେ,କେବେ ଦଶହରାରେ ବା କେବେ ବଡ଼ ଦିନ ଛୁଟିରେ ଗାଆଁକୁ ବୁଲି ଆସନ୍ତି । ଏଥରକ ଏ ପେଥାଇ ରେ ସେମାନଙ୍କ ଆଗମନ ଟିକେ ବିଚଳିତ କଲା ମୋତେ । ଭଣଜା ଭାଣିଜି ବଡ଼ ହୋଇଗଲେଣି । ସେମାନଙ୍କର ଗୋଟିଏ ଗୋଟିଏ ରୁମ୍ ଦରକାର । ସହରୀ ଛୁଆ କାହା ସଙ୍ଗେ ଆଡ୍ ଜଷ୍ଟ୍ କରିବେନି । ପୁଣି ତଳେ ଶୋଇବେନି । ନଣନ୍ଦ ନଣନ୍ଦେଇଙ୍କର ଗୋଟେ ରୁମ୍ ଦରକାର ।

ଆମର ମାତ୍ର ତିନୋଟି ରୁମ୍ । ସେମାନଙ୍କୁ ତିନିଟା ରୁମ୍ ଛାଡ଼ିଦେଲୁ । ଡାଇନିଂ ଓ ଡ୍ରଇଂ ରୁମରେ ଆମେ ମାନେ ଶୁଭେନ୍ଦୁ ମୋ ସ୍ୱାମୀ,ମୁଁ ନିକିତା ଓ ଆମ ଝିଅ ପୁଅ ଶୋଇବାର ବ୍ୟବସ୍ଥା କରା ଗଲା । ଅବଶ୍ୟ ନଣନ୍ଦ ଶତାବ୍ଦୀ କହିଲେ" ଆମେ ଡ୍ରଇଂ ରୁମରେ ଶୋଇଯିବୁ । ଶୁବୁ ଓ ତୁ ରୁମରେ ଶୁଅ" ।

ଇଏ ଗୋଟିଏ କଥା । ବର୍ଷକୁ ଥରେ ଆସିବ ନିଜ ବାପ ଘରକୁ,ଶୋଇବାରେ ହଇରାଣ ହେବ । ଏ ଘର ଆଗ ତୁମର ଦି । ପଛେ ଶୁଭେନ୍ଦୁ ଓ ମୋର । ବାପାଙ୍କର ବଡ଼ ଝିଅ,ଆମ ଗୁରୁଜନ ତୁମେ ଶୀତୁ ଦି । ଜ୍ବାଇଁ ପୁଅ ବାହାର ଘରେ ଶୋଇବେ । ଛି--- ଏଇଟା କେମିତି ହେବ । ତୁମେ ବ୍ୟସ୍ତ ହୁଅନାହି । ପିଲା ମାନେ ଡ୍ରଇଂ ରୁମରେ ଓ ଆମେ ଡାଇନିଂରେ ଶୋଇ ପଡ଼ିବୁ ।

ଶୋଇବା ପାଇଁ ଘର ଠିକ୍ ହୋଇଗଲା । ମାତ୍ର ଏ ଯେଉଁ ପେଥାଇ ଫୁଲେଇ ଆଇଚି ତା ହାବୁଡ଼ରୁ ରକ୍ଷା ପାଇବା ପାଇଁ ମୁଁ କମ୍ବଳ ଦରାଣ୍ଡିଲି । ବନ୍ଧୁ ବାନ୍ଧଵ ଆସିଲେ ଘୋଡି ହେବା ପାଇଁ ଖଣ୍ଡେ ଦୁଇ ଖଣ୍ଡ କମ୍ବଳ ରଖା ଯାଇଥାଏ । ଏଥରକ ତିନୋଟି କମ୍ବଳ ଅଧିକ ଦରକାର ହେବାରୁ କେବେ ବାହାର କରୁ ନଥିବା କମ୍ବଳ ଟି ବାହାର କଲି ।

ଏଇଟି ମୋ ପାଇଁ ହୀରା ଲୀଳା ମୋତି ଯେ କୌଣସି ମୂଲ୍ୟବାନ ବସ୍ତୁ ଠାରୁ ମୂଲ୍ୟବାନ ଥିଲା । ଏ କମ୍ବଳ ନୁହେଁ ମୋ ପୂଜା । ମୋ ସେହ୍ନ ମମତା ଲୁଚିଥିଲେ ସେଥିରେ । ମୋ ବୋଉ ବୋଉ ବସେ ସେ କମଳ । କେବେ କେବେ କମ୍ବଳ ଟି ବାହାର କରେ,ଛାତିରେ ଚାପିଧରେ,ମୁଣ୍ଡରେ ଲଗାଏ ପୁଣି ଥୋଇ ଦିଏ  ।  ଏ କମଳ ସହିତ ଗୋଟେ ଇତିହାସ ମୋର ଜଡିତ । ଦେହକୁ ଫୋଡି ପକାଇଲା ପରି କମ୍ବଳ ଆମେ ଘୋଡ଼ି ହେଉଥିଲୁ ପିଲା ବେଳେ । ବାପା ଜଣେ ପୋଷ୍ଟ ମାଷ୍ଟର୍ ଥିଲେ । ଏତେ ରୋଜଗାର ନଥିଲା । ବାପାଙ୍କର ଭାଇ ଭଉଣୀ ଦୁଇଜଣ,ବାପାମା । ତା ସାଙ୍ଗକୁ ମୁଁ ଓ ମୋଭାଇ ମିଶି ଆଠ ଜଣ ପ୍ରାଣୀ । ଭାରି କଷ୍ଟେ ମଷ୍ଟେ ଚଳୁ । ନିହାତି ଆବଶ୍ୟକ ଚିଜ ଠିକ୍ ସମୟରେ ମନ ମୁତାବକ ମିଲେନା ଆମକୁ ।

ବୋଉର କିନ୍ତୁ ଇଛା ମୋ ସାଙ୍ଗ ସୁନନ୍ଦା ଘର ଯେମିତି ମୁଲାୟମ କମ୍ବଳ ଘୋଡ଼ି ହୁଅନ୍ତି ସେମିତି କମ୍ବଳ ଟିଏ ଘୋଡ଼ି ହେବାକୁ । ବହୁତ ପଇସା ସେ କାଳେ । ମୁହଁ ଖୋଲି କୁହେନି  । ମୋତେ କିନ୍ତୁ କୁହେ" ଜାଣିଲୁ ନିକି!! ତୋ ସାଙ୍ଗ ସୁନନ୍ଦା ବାପା ବିଶ୍ୱାଳ ବାବୁ ସହରରୁ ବଢିଆ କମ୍ବଳ ଆଣିଛନ୍ତି । ଭାରି ନରମ । ଦେଖିବାକୁ ଅତି ସୁନ୍ଦର । ଆମ କମ୍ବଳ ପରି ଦେହକୁ ଫୋଡି ପକାଏନି ।

ବୋଉ ଏକଥା କହିଲା ବେଳେ ତା ଆଖିରେ ନେସି ହୋଇଯାଉଥିଲା ମେଞ୍ଚାଏ ଅପ୍ରାପ୍ତିର ଛବି । ମୁହଁ କହୁଥିଲା ମିଳି ଯାଅନ୍ତା କି ସେମିତି ଗୋଟେ କମ୍ବଳ ତାକୁ । ଘୋଡ଼ି ହୋଇ ଉଷୁମ ଟାଣନ୍ତା ଟିକେ ।

ସତରେ ତ ଗରିବ ଗୁରୁବାଙ୍କର ଛୋଟିଆ ମୋଟିଆ ଆଶାଟିଏ ପୁରୁଣ ହେବାକୁ ଲାଗିଯାଏ କେତେ ବର୍ଷ । ଅପେକ୍ଷା କରିବାକୁ ପଡେ ମୋ ପରି କେହି ବଡ଼ ହେବା ଯାଏ । କାହାର ପୁରେ ତ କାହାର ସେମିତି ଅପୁରଣୀୟ ରହିଯାଏ ମାଶାଣୀ ରେ ମାଟି ହେବା ଯାଏ । ବିଚିତ୍ର ଏ କାହାର ଲୀଳା ।

ବୋଉର ସେଇ ଆଖି ଓ ମୁହଁ ମୋ ଜୀବନରେ ଯେତିକି ଟି ଶୀତ ଆସିଛି ସେତେବେଳେ ଭାସି ଉଠନ୍ତି । ପିଲାଦିନୁ ଏପର୍ଯ୍ୟନ୍ତ ପ୍ରତିଟି ଶୀତରେ କମ୍ବଳ ଛୁଉଁ ଛୁଉଁ ମନେ ପଡେ ମୋ ବୋଉ ଓ ତା ସେ ଆଖି ,ମୁହଁ ।

ଦୁଃଖେ କଷ୍ଟେ ପିଲାରୁ ଆମେ ବଡ଼ ହେଲୁ ।  ମୁଣ୍ଡ ଝାଳ ତୁଣ୍ଡରେ ମାରି ବାପା ବୋଉ ଆମକୁ ପାଠ ଦି ଅକ୍ଷର ପଠାଇଲେ । ମୁଁ ଏବେ ସୋସିଓଲୋଜିରେ ଅଧ୍ୟାପିକା । ଯେଉଁ ଦିନ ମୋ ଚାକିରିର ପ୍ରଥମ ଦରମା ପାଇଲି,ସେଇ ଦରମାରେ ଆଗ କିଣିଲି ସବୁଠୁ ଦାମୀ,ସବୁଠୁ ମୁଲାୟମ କମ୍ବଳ ମୋ ବୋଉ ପାଇଁ । ସେତେବେଳେ କେଦାରସନ୍ ନାଁ କରା ନାମୀ ଦାମୀ ବିଭିନ୍ନ ଡିଜାଇନ୍ ପୋଷାକ ଦୋକାନଥିଲା କଟକରେ । ଦୋକାନକୁ ଯାଇ ମାଗିଥିଲି ସବୁଠୁ ଦାମୀ କମ୍ବଳ ଦେଖାଇବାକୁ । ଦୋକାନୀ ମୋ ମୁହଁକୁ ଜଳ ଜଳ କରି ଅନାଉଁଥିଲେ । ମୁଁ କିନ୍ତୁ ଖୋଜୁଥିଲି ମୋ ସାଙ୍ଗ ସୁନନ୍ଦା ଘର କମ୍ବଳ ଠାରୁ ଢେର ବେଶୀ ସୁନ୍ଦର,କୋମଳ କମ୍ବଳ ।

ଗୁଡାଏ ଘଣ୍ଟାଘଣ୍ଟି କଲା ପରେ ଗୋଟିଏ କମ୍ବଳ ମୋର ପସନ୍ଦ ହେଲା । ପ୍ରାୟତଃ ଦରମାର ଅଶୀଭାଗ କମ୍ବଳ କିଣାରେ ସାରି ଦେଇଥିଲି । କମ୍ବଳଟି ଧରି ସିଧା ବୋଉ ପାଖକୁ ଗଲି । ତା ହାତେ ଥୋଇଦେଲି ତା ସ୍ବପ୍ନର କମ୍ବଳ ।

ବୋଉ ଖୁସି ଦେଖେ କିଏ । !ଓଃ ତା ଆଖିରେ କି ଚମତ୍କାର ଖୁସିର ଚମକ । ସତେକି କମ୍ବଳ ନୁହେଁ ସ୍ୱର୍ଗ ଟି ତା ହାତ ମୁଠାରେ । ମୋତେ କୁଣ୍ଢେଇ ପକାଇ କହିଲା---ତୋର ମନେଥିଲା ପିଲା ଦିନର ସେଇ ବିଶ୍ୱାଳ ବାବୁଙ୍କ କମ୍ବଳ କଥା ।

ତାପରେ ଯିଏ ଘରକୁ ଆସିଲା ତାକୁ ଦେଖାଇ କହୁଥିଲା--ମୋ ନିକି ଏଇଟା ମୋ ପାଇଁ ଆଣିଛି । ଛୁଆ ବେଳେ କେଉଁଦିନ ଏମିତି କମ୍ବଳ ଘୋଡ଼ି ହେବାକୁ ଇଚ୍ଛା କରି ଥିଲି ତ । ପାଗେଳି ଟା--- ଚାକିରିର ପ୍ରଥମ ଦରମା ବୋଉ ପାଇଁ କମ୍ବଳ କିଣାରେ ସାରି ଦେଲା । ଏତକ କହିଲା ବେଳେ ବୋଉର ମୁହଁ ଆନନ୍ଦରେ ଝଲସୁଥିଲା ଯେପରି ।

ଗୋଟିଏ ବର୍ଷ ଘୋରି ହୋଇଛି କି ନାହିଁ,ବୋଉ ହୃଦ ଘାତରେ ଆମକୁ ଛାଡି ଆକାଶର ତାରା ହୋଇଗଲା । ହାଇ ଡାଇବେଟିସ ଥିଲା । ଆମ ସୁଖ ଦେଖିବାକୁ ରହିଲାନି ସେ ।

ଇଏ ସେଇ ବୋଉର ସ୍ବପ୍ନ କମ୍ବଳ ।  ଶାଶୁ ଘରକୁ ଆସିଲା ବେଳେ ସାଙ୍ଗରେ ଆଣିଥିଲିଏ କମ୍ବଳ ଟିକୁ । ପୁରୁଣା କମ୍ବଳ କାହିଁକି ଆଣିଛୁ ବୋଲି ଶାଶୁ ଘରେ କେତେ କିଏ ପ୍ରଶ୍ନ କରିଛନ୍ତି । ମୁଁ ହସି ଦେଇ କୁହେ ଏଇଟା ମୋ ପ୍ରିୟ କମ୍ବଳ ତ ସେଇ ପାଇଁ । ସେମାନେ କେମିତି ବୁଝିବେ କେତେ ସ୍ବପ୍ନ ମୋ ବୋଉର ଏ କମ୍ବଳରେ ଅଛି?

ଏ କମ୍ବଳ ଟିକୁ ଛୁଇଁଲେ ଛୁଇଁ ହୋଇଯାଏ ବୋଉକୁ,ତା ଆଖିକୁ ,ତା ହସିଲା ମୁହଁକୁ । ଏ ପେଥାଇ ପାଇଁ ସେ କମ୍ବଳ ବାହାର କରିଛି ମୁଁ । କମଳ ଟା ବାସୁଛି ବୋଉ ବୋଉ ।

Minoo,ସତ୍ୟବତୀ ସ୍ୱାଇଁ,ବାଲିକୁଦା,ଜଗତସିଂହପୁର*

କମ୍ବଳ ବାପ ଘର ପୂଜା

Rate the content


Originality
Flow
Language
Cover design

Comments

Post

Some text some message..