Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Others

3  

Arabinda Rath

Others

ଉଦରୋପାଖ୍ଯାନମ୍

ଉଦରୋପାଖ୍ଯାନମ୍

9 mins
7.9K


ଲେଖା-ଅରବିନ୍ଦ ରଥ

ଗଲା ମାସରେ କିଣିଥିବା ସାର୍ଟଟା ଆଉ ଦେହରେ କଣ୍ଟ ହଉନି। ପେଟଟା ଭୁଷୁଡି ବାହାରକୁ ଆସିଲା ପରି ପ୍ରତୀୟମାନ ହେଲାଣି। ଯେନତେନ ପ୍ରକାରେଣ ପେଟକୁ ଭିତରକୁ ଖାଙ୍କି ସାର୍ଟର ବୋତାମ ଦେଲାବେଳକୁ ଝାଳରେ ଥରେ ଗାଧୋଇ ସାରିଲେଣି ଚକରା ବାବୁ। ସେପଟେ ପତ୍ନୀଙ୍କର କୋକିଳ ରାବଟି ବେଳକୁ ବେଳ କର୍କଶ ହୋଇ କାକରାବରେ ପରିବର୍ତ୍ତିତ ହୋଇସାରିଲାଣି। ଏକ ପ୍ରକାର ଦଉଡି ଯାଇ ପହଞ୍ଚିଲେ ଖାଇବା ଟେବୁଲ ପାଖରେ। ପ୍ଲେଟ୍ ରେ ସଜେଇ ରଖା ଯାଇଛି ପୋଲିଓ ଗ୍ରସ୍ତ ତିନିଟି ଇଡିଲି ଓ ଆଞ୍ଜୁଳାଏ ଧଳା ଚଟଣି। ସକାଳ ଜଳଖିଆର ଏମନ୍ତ ରୂପ ଦେଖି ଚକରାଙ୍କ ମୁଣ୍ଡରେ ତେନ୍ତୁଳିଆ ବିଛା କାମୁଡିବା ଆରମ୍ଭ କଲା। ମନ ଭିତରେ ରାଗ , ନାଥୁ ଜଳଖିଆ ଦୋକାନରେ ଜଳୁଥିବା ଚୁଲି ନିଆଁ ଠାରୁ ଢେର ବେଶି ହେଲେ ବି କୌଣସି ପ୍ରକାରେ କଣ୍ଠରେ ପାଣିଚିଆ ପ୍ରେମ ଭାବ ଜାଗ୍ରତ କରି କହିଲେ--

– --ଆଜି ପୁରି ତରକାରି ମିଳିଲାନି କି? ନ ହେଲେ ଅନ୍ଯ ଦୋକାନରୁ ଘେନି ଆସିଥାନ୍ତେ। ଏ ଇଟିଲି ଖାଇ କଣ ଏତେ ସମୟ ରହିହେବ।

ଏ କଥାରେ କି ପ୍ରକାରର ଭାବ ଥିଲା କେଜାଣି, ଶ୍ରୀମତି ତତଲା ତେଲ କଢେଇରେ ପାଣି ଛିଟା ମାରିଲେ ଯେମିତି ଚଡଚଡ ଡାକ ଦିଏ ସେମିତି ଗରଜି ଆସିଲେ।

ଓଃ ଭାରି ପୁରି ଖାଇବାକୁ ମନ ତ। ଆଇନା ସାମନାରେ ଥରେ ନିଜ ଘମ ପରି ଫୁଲୁଥିବା ପେଟକୁ ଦେଖ। ସେ ଏମିତି ବଢୁଛି ଯେ ସାର୍ଟର ବୋତାମ ମାନେ ବି ବୋପା ଲୋ ମାଆ ଲୋ ଡାକ ଛାଡିି ତଳେ ଗଡି ପଡୁଛନ୍ତି। ଗଲା ମାସ କିଣିିଥିବା ଫରମାଲ ସାର୍ଟଟା ଚର୍ମଚିପା ( ସ୍କିନ୍ ଫିଟ୍) ସାର୍ଟ ହୋଇସାରିଲାଣି। ଜିନିଷର ଦରଦାମ୍ ପରି ତୁମ ଓଜନ ଟା ହୁ ହୁ ହୋଇ ବଢିଚାଲିଛି। …........

କବାଟ ଖୋଲି ବାହାରକୁ ଚାଲି ଆସିଲେ ଚକରା। ସକାଳଟାରୁ ପତ୍ନୀଙ୍କର ଏମନ୍ତ ହିଂସ୍ର ରୂପ ଦେଖି ଛାତି ଭିତରେ ହୃତପିଣ୍ଡଟା ଧାକୁଧାକୁ ହୋଇ ନାଚ କରୁଥାଏ। ମନକୁ ସ୍ଥିର କରି ମଟରସାଇକେଲଟାକୁ ଧୁକୁଧୁକୁ କରି ଅଫିସ୍ ରେ ପହଞ୍ଚିଲା ବେଳକୁ ସମୟ ଏଗାରଟା। ପେଟ ଭିତରଟା ଖାଲି ରାମ୍ପୁଡି କାମୁଡି ପକଉଥାଏ। କାହୁଁ ୧୫ ପଟ ପୁରି, ଦୁଇଗିନା ବହଳିଆ ମଟର ତରକାରି ଓ ସହ ଦଶ ଟଙ୍କିଆ ଦୁଇଟା ରସଗୋଲା ଓ କାହୁଁ ଛାର ପୋଲିଓ ଗ୍ରସ୍ତ ଇଟିଲି ସହ ପାଣିଚିଆ ମଟର ଝୋଳ। କି ପାପ କଲେ କେଜାଣି, ଆଜି ସକାଳୁ ଶନି ଠାକୁର କୋପ କଲେଣି। ଅଫିସ କାମରେ ମନ ଜମା ଲାଗୁନି। ପେଟ ସିନା ଥଣ୍ଡା ଥିଲେ ମୁଣ୍ଡରେ ବୁଦ୍ଧି ଜୁଟିବ। କିନ୍ତୁ ସେ ନିରୁପାୟ। ଫାଇଲ ଓଲଟେଇବାରେ ମନ ଦେଲେ। ଉପର ହାକିମଙ୍କ କଡା ତାଗିଦ୍। କାମରେ ହେଳା କଲେ ମାଲକାନଗିରି ବଦଳି କରିବାର ଭୟ ବି ଘଣ୍ଟାରେ ତିନିଥର ଦେଖେଇ ବାରେ କେବେ କାର୍ପଣ୍ଯ କରନ୍ତିନି।

ଟେବୁଲ ଆଗରେ ହାକିମ ଯିବା ସମୟରେ ଚକରା ନିରେଖି ଦେଖିଲେ ତାଙ୍କ ପେଟ। ତାଙ୍କ ପେଟଟା ବିଶେଷ ବଡ ନ ହେଲେ ବି ସାନ କୁହା ଯାଇପାରିବନି। ଅନ୍ତତଃ ସେ ଚାଲିଲା ବେଳେ ଥାକୁଲୁ ଥାକୁଲୁ ହୋଇ ନୃତ୍ଯ କରୁନାହିଁ। ମନେମନେ କେତେ ଗୁହାରି କରି ଠାକୁରଙ୍କୁ କହିଲେ

– ପ୍ରଭୋ, ମୋ ହାକିମଙ୍କ ସୁଖ ମୋ ଠାରୁ ଢେର ଗୁଣ ଅଧିକ ହେଉ, ତାଙ୍କ ସୁଖ ସାଙ୍ଗକୁ ପେଟଟି ସେଇମିତି ବଢି ଚାଲୁ।

ଠାକୁର ସେ ମରମ ବେଦନା ବୁଝିଲେ କି ନାହିଁ ଜଣା ନାହିଁ କିନ୍ତୁ ଚକରା ବାବୁଙ୍କ ପାଖରେ ବସିଥିବା ସୁକୁଟି ପେଟିଆ ମଦନା ପାନଖିଆ ଦାନ୍ତ ନିକୁଟି କହିଲା--

– – ଯାହା ହେଲେ ଆମ ହାକିମଙ୍କ ପରି କିଏ ହେବ। ଏତେ ବୟସରେ ବି ନିଜ ଦେହକୁ ଯେମିତି ଖେଳୁଆଡ ରକମ କରି ରଖିଛନ୍ତି ତାହା ଦେଖିବା କଥା। ହାକିମଙ୍କ ପେଟ ତାଙ୍କ ବୋଲ ମାନି ଅଛି ପୋଷା କୁକୁର ପରି। ଯେତେ ଖାଇଲେ ବି ସେଇ ସାର୍ଟ ବୋତାମ ପଛରେ ଜାକି ଜୁକି ହୋଇ ବସିଥିବ। ଆଗକୁ ଆସିବାର ଚେଷ୍ଟା ବି କରିବନି। କିନ୍ତୁ ଆମ ଅଫିସରେ ଲୋକ ଅଛନ୍ତି ପାଣି ପିଇଦେଲେ ବି ସାର୍ଟ ବୋତାମ ଛିଡି ଭୁଇଁରେ ଲୋଟିବ ଓ ପେଟ ଟି ପୂର୍ଣ୍ଣମୀ ଚାନ୍ଦ ପରି ବାହାରକୁ ଫିଟି ଆସିବ।

ଚକରା ବାବୁ ହାକିମଙ୍କ ପ୍ରଶଂସା ଶୁଣି ଯେତିକି ଖୁସି ନ ହେଲେ ତା ଠାରୁ ବେଶି କ୍ଷତାକ୍ତ ହେଲେ ସେ ଟୋକା ର ଛିଗୁଲା କଥା ଶୁଣି। ଆଜି କାଲିକା ଟୋକା ଗୁଡାକ ବଡ ସାନ ମାନୁ ନାହାଁନ୍ତି। ବାପ ଧୋତିରେ ଦଉଡି ବାନ୍ଧି କହିବେ ଆମ ବୋପା ଅଜା ମାଙ୍କଡ ଥିଲେ।

ଛାଡ...... ସକାଳଟା ଉଜୁଡି ଯାଇଛି , ସେଇ ପ୍ରକାରେ ଦିନଟା ବି ବିତିବ। ମନ ଭତରେ କେତେ ଆଶା ଥିଲା ପତ୍ନୀ ସୁକୁଟି ଦେବୀ ସକାଳ ଜଳଖିଆଟା ସିନା ଉଜାଡି ଦେଲେ, ଦିହି ପହର ଖାଇବାଟା ଅନ୍ତତଃ ଦମଦାରିଆ ହେଉ। ବାରଟା ବୁଧବାର। ସବୁ ବୁଧୁବାର ଦିନ ସୁକୁଟି ଦେବୀ କେଡେ ଯତନରେ ଧୋବ ଫରଫର ଅରୁଆ ଭାତ ସାଙ୍ଗକୁ ବହଳିଆ ହରଡ ଡାଲି, କୁକୁଡା କଷା ଓ ମାଛ ତରକାରି ପରଶିି ଦିଅନ୍ତି। ଥାଳି ଚାରିପଟରେ ସଜେଇ ଦିଅନ୍ତି ଗୋଲ କଟା ପିଆଜ, ଲେମ୍ବୁ,ଲଙ୍କା ଓ ଲୁଣ। ଘର ଭିତରକୁ ପଶୁ ପଶୁ ନାକ ଭିତରେ ସେ କଷା ମାଂସର ବାସ୍ନା ସୁ ସୁ ହୋଇ ବାତ୍ଯା ପରି ପଶି ଯାଏ। ହାତ ଧୋଇଲା ବେଳକୁ ପାଟିରୁ ଲାଳ ସରସର ହୋଇ ବୋହିଯାଉଥାଏ। ଦାନ୍ତ ମାନେ ଆନନ୍ଦରେ ଗଦଗଦ ହୋଇଯାଆନ୍ତି। ସତେକି ନିଜ ଭିତରେ ଗପସପ ଆରମ୍ଭ କରନ୍ତି, କୁକୁଡାକୁ କେମିତି ରାମ୍ପୁରି ବିଦାରି ପକେଇବେ ସେଇ ଭାବନାରେ। ପଞ୍ଚ ଇନ୍ଦ୍ରିୟ ଜୋରଦାର ପ୍ରତିଦ୍ବନ୍ଦିତା କରନ୍ତି ନିଜ ନିଜର ଆଧିପତ୍ଯ ଜାହିର କରିବାକୁ।

ପୁରୁଣା ସ୍ମୃତିର ବରଷାରେ ଭିଜି ଘର ଭିତରକୁ ପାଦ ରଖିଲା ବେଳକୁ ସୁକୁଟୀ ଦେବୀ ଖାଇବା ଟେବୁଲ ଆଗରେ ତାଙ୍କ ଶଙ୍ଖି ବିଲେଇ ସମ ଫୁଲୁକା ବଦନରେ ମନ୍ଦମନ୍ଦ ହସ ଉକୁଟାଇ ଅପେକ୍ଷାରତ। କେଜାଣି କାହିଁକି ଚକରା ବାବୁଙ୍କୁ ସେ ହସରେ କିଛି ଗୋଟେ ଚକ୍ରାନ୍ତର ଆଭାଷ ହେଲା। ମନ କଥା ମନରେ ରଖି ହାତ ଧୋଇଲା ବେଳକୁ ଅନୁଭବ କଲେ ଆଜି ତାଙ୍କ ଇନ୍ଦ୍ରିୟ ମାନେ ସୁପ୍ତପ୍ରାୟ। ସକାଳର ପ୍ରହାର ଏତେ ଭୟଙ୍କର ଥିଲା ଯେ ସବୁ ଇନ୍ଦ୍ରିୟ ନିଜ ନିଜର ସତ୍ତା ହରେଇ ସାରିଥିଲେ ବୋଧେ। ଘର ଭିତରେ ବାସ୍ନାର ଭୟଙ୍କର ନୀରବତା। କାଇଁ ଅରୁଆ ଭାତର ସେ ମହମହ ବାସ୍ନା ଆସୁନି.....ନାକ ପୁଡାକୁ କେଞ୍ଚି ପକେଇ ଅସ୍ତବ୍ଯସ୍ତ କରିଦେଲା ପରି କୁକୁଡା କଷାର ବି ନାମଗନ୍ଧ ନାହିଁ। କଥା କଣ ?? ଟେବୁଲ ପାଖରୁ ସୁକୁଟିଦେବୀଙ୍କର ପ୍ରେମବୋଳା ଡାକ ଶୁଣି ଗୋଟିଏ ଡିଆଁରେ ହାଜର ହେଲେ। ମନରେ ଭାବନା ଥିଲା, ସେ ସକାଳ ଜଳଖିଆ ମାଧ୍ଯମରେ କରିଥିବା ଅତ୍ଯାଚାର ପାଇଁ ଅନୁତପ୍ତ ଥିବେ। ସେଇ କାରଣରୁ କଣ୍ଠରେ ଏତେ ମଧୁରତା।

ଖାଇବା ପରଷା ଆରମ୍ଭ ହେଲା। ଆଗ ଉଷୁନା ଭାତ। ତା ପରେ ଗିନାରେ ପାଣିଚିଆ ଡାଲି। ପାଖକୁ ଅଧା ପୋଡି ଯାଇଥିବା ଭେଣ୍ଡି ଭଜା। ସବା ଶେଷରେ ତେଲ ମସଲାର ନାମ ଗନ୍ଧ ନ ଥିବା ପାଣି ସରସର ସନ୍ତୁଳା। ଜଉବନ ଯାଏ ସୁନ୍ଦରୀ କନିଆ ବାହା ହେବା ଆଶାରେ ମତୁଆଲା ଭେଣ୍ଡିଆର ବାହାଘର ଆଲକାତରା ରଙ୍ଗିଆ ,ଠାକରା ଗାଲିଆ, ପେଚା ଆଖିଆ ଝିଅ ସହ ହେଲେ ଯେମନ୍ତ ପରିସ୍ଥିତି ହେବ , ସେ ଅବସ୍ଥା ଚକରା ବାବୁଙ୍କର ହୋଇ ସାରିଥିଲା। ମନ ଭିତରେ ଦୁଃଖ, ରାଗ, ବିରକ୍ତି, ଘୃଣା, ହତାଶିଆ, ସବୁ କିଛି ହରେଇ ଦେବାର, ସଂସାର ଉଜୁଡି ଯିବାର , ଭୟଙ୍କର ଚକ୍ରାନ୍ତର ଶିକାର ହେବାର ଭାବ ମାନେ ହାଉଯାଉ ହେବା ଆରମ୍ଭ କରି ଦେଇଥିଲେ। କିଏ ଆଗ ବାହାରକୁ ଆସି ନିଜ ରୂପ ଦେଖେଇବେ ସେଇ ଟଣା ଓଟରାରେ ବ୍ଯସ୍ତ ଥିଲା ବେଳେ, ଛାତକୁ ଦୋହୋଲାଇ ଦେଲା ପରି କଣ୍ଠରେ ସବୁ କିଛି ସ୍ଥିର ହୋଇଗଲା। ସୁକୁଟି ଦେବୀଙ୍କ ହୁଙ୍କାର ଶୁଣି ଚକରା ବାବୁ ପାଟି ସୁଆଦ ଭୁଲି ଏକ ପ୍ରକାର ଢୋକି ପକେଇଲେ ସବୁ ଖାଦ୍ଯ।

ସେପଟରୁ ସାବାସି ମିଳିଲା । ଏମିତି କିଛି ଦିନ ଖାଇଲେ ପେଟଟି ପଞ୍ଜରା ହାଡ ସହିତ ସମାନ ରେଖାରେ ରହିବ। ନିଜ ସୀମା ସରହଦ ଭୁଲି ଆଗକୁ ଆସିବ ନାହିଁ। ଶତୃ ମାନଙ୍କୁ ଦମନ ନିମନ୍ତେ ଯେପରି ଗୁଳିଗୋଳାର ଆବଶ୍ଯକତା ଅଛି, ସେମିତି ବଢିଲା ପେଟକୁ ଯଥା ସ୍ଥାନକୁ ଫେରେଇ ବାକୁ କିଛି ଅସ୍ତ୍ର ପ୍ରୟୋଗ କରିବାକୁ ହେବ। ବାହାଘରର ପଚିଶ ବର୍ଷ ଭିତରେ ସୁକୁଟି ଦେବୀଙ୍କ ନିଷ୍ପତ୍ତି ଖିଲାପରେ ଉଁ ଚୁଁ କରି ନ ଥିବା ଚକରା ବାବୁ ମୁଣ୍ଡ ପାତି ହଁ ଭରିଲେ। ମନେ ମନେ ଭାବୁଥିଲେ କିଏ କହିଲା ପୁରୁଷ ଅତ୍ଯାଚାରିତ ହେଉ ନାହାଁନ୍ତି। ସେପରି କହିବା ଲୋକକୁ ଏଠିକୁ ଡାକି ଆଣିଲେ ଦେଖନ୍ତା ପୁରୁଷ ଅତ୍ଯାଚାରର ଭୟଙ୍କର ରୂପ। ମନ ଭିତରଟା ମନ୍ଥି ହୋଇ ଯାଉଛି। ପେଟଟି ଯେମିତି କହୁଛି – ମୋତେ ପଛେ କାଟି ଫିଙ୍ଗି ଦିଅ କିନ୍ତୁ ଏପରି ଅତ୍ଯାଚାର କରନାହିଁ। ବାକି ଇନ୍ଦ୍ରିୟ ମାନେ ଚକରା ବାବୁଙ୍କ ବୋଲ ମାନିବାକୁ ନାରାଜ। କିନ୍ତୁ ସେମାନଙ୍କୁ କିଏ ବା ବୁଝେଇବ ଏମିତି ଦୁର୍ଦ୍ଦିନର ପ୍ରଥମ ଓ ଶେଷ କାରଣ ସୁକୁଟି ଦେବୀ ବୋଲି।

ସେଦିନ ରାତିରେ ସୁକୁଟି ଦେବୀ ଯୁବତୀ ସୁଲଭ ହାସ୍ଯ ବଦନରେ ଗୋଟେ ଜରି ବ୍ଯାଗରେ କିଛି ଉପହାର ଧରେଇଦେଲେ। ଚକରା ବାବୁଙ୍କ ବେନି ନୟନ ଫେଡି ହୋଇଗଲା। ବାହାଘରର ଏତେ ବର୍ଷ ଭିତରେ ତାଙ୍କ ପାଖରୁ ଉପହାର କଣ, ଇଞ୍ଚିକିଆ ଓଢଣଟେ ମିଳିନି। ତେବେ ଆଜି କେମନ୍ତ ପଶ୍ଚିମ ଦିଗରେ ଦିବାକର ଉଙ୍କି ମାରିଲେ। ପିଲାଟି ପରି ଜରି ବ୍ଯାଗଟି ହାତରୁ ଛଡାଇ ନେଇ ଛିନ୍ ଭିନ କରି ଦେଖି ପକେଇଲେ ଭିତରଟା। ବ୍ଯାଗ୍ ଭିତରେ ଦୁଇହଳ ଧୋବ ଫରଫର ଜୋତା, ହଳେ ଢିଲା ଜାମା ପ୍ଯଣ୍ଟ, ଗାନ୍ଧି ବୁଢା ଅମଳର ଆଲାର୍ମ ଘଣ୍ଟା। ପରୀକ୍ଷା ଖାତାରେ ବୀଜଗଣିତର ପ୍ରଶ୍ନ ଦେଖି ପିଲା ଯେମିତି କୂଳକିନାରା ନ ପାଇ ମାଷ୍ଟ୍ର ମୁହଁକୁ ବଲବଲ କରି ଚାହେଁ, ସେମତି ଅବସ୍ଥାରେ ଚକରା କିଛି ସମୟ ରହିଲେ। ପରିଷ୍କାର ଭାଷାରେ ସୁକୁଟୀ ବୁଝେଇଦେଲେ, କାଲି ସକାଳ ଚାରିଟାରୁ ଘଣ୍ଟାରେ ଆଲାର୍ମ ଦେଇ ଉଠିବାକୁ ହେବ। ହାତରେ କୁକୁର ଘଉଡା ବାଡି ଗୋଟେ ଧରି ନୂଆ ଜାମାପ୍ୟାଣ୍ଟ ଓ ଜୋତା ପିନ୍ଧି ପ୍ରାତଃ ଭ୍ରମଣରେ ଯିବାକୁ ହେବ। କିଛି ପରିଶ୍ରମ ନ କଲେ ସେ ଘମ ପେଟ କଣ ଭିତରକୁ ଯିବ?

ରାତିରେ ପେଟକୁ କିଛି ଦାନା ଗଲା କି ନାହିଁ ସେ ବିଷୟରେ ଆମ ପାଖରେ କିଛି ଖବର ନାହିଁ, କିନ୍ତୁ ସକାଳ ଚାରିଟାରେ ନୂତନ ବେଶରେ ଚକରା ବାବୁ ପାଦ ଘୋଷାରି ରାସ୍ତାରେ ଚାଲିବାର ଦେଖାଗଲା।

ଓଃ କି ଯନ୍ତ୍ରଣା। ଶନିସପ୍ତା ପଡିଛି ବୋଧେ। ନୋହିଲେ ଏପରି ପ୍ରାଣାନ୍ତକ ପୀଡା ବରଷି ପଡୁଛି କେଉଁ କାରଣରୁ। ସବୁଦିନ ମଟରସାଇକେଲରେ ବସି ଏଇ ରାସ୍ତାରେ ଯିବା ଆସିବା କରନ୍ତି। ଆଜି ପ୍ରଥମଥର ପାଇଁ ପାଦ ପଡିଛି। କି ଭାଗ୍ଯ ଏ ରାସ୍ତାର। କେଇ ପାଦ ଚାଲିଲା ପରେ ଦଣ୍ଡେ ଛିଡା ହୋଇ ଚାରି ଆଡକୁ ଦେଖିଲେ। ସବୁ ଘରେ ତାଟି କବାଟ ପଡିଛି। ଲୋକେ ମହା ଆନନ୍ଦରେ ଶୋଇଥିବେ ପରା। ଟିକେ ଭଲ କରି କାନେଇଲେ ଘୁଙ୍ଗୁଡି ଶବ୍ଦ ଶୁଭିବ। କାହା ଭାଗ୍ଯରେ ଏପରି ନିଆଁ ଲାଗିଛି ଯେ ରାତି ଅଧଟାରେ ନିଦ ଭର୍ତ୍ତି ଆଖିରେ କୁନୁମୁନିଆ ହୋଇ ରାସ୍ତାରେ ଜୋତା ଘଷିବ। ହାବୁକାଏ ପବନ ରେ ଦୋହଲି ଗଲେ ଚକରା।

– ଆରେ ଏ କଣ! ମହାନ୍ତିଆଣି, ପଣ୍ଡିଆଣି, ବେହେରାଣି, ନାୟକାଣି ଆହୁରି କେତେ ଆଣି କାଣି ମାନେ ହାତରେ ବେଲଣା କାଠି ଲମ୍ବର ବାଡି ଧରି ଧଇଁସଇଁ ହୋଇ ମାଡି ଆସୁଛନ୍ତି। ଚେହେରା ଦେଖିଲେ ଲାଗୁଛି ସତେ କି ହିଡିମ୍ବା କି ସୃପଣଖା। ଦିନ ଆଲୁଅରେ ସ୍ନୋ, ଲିପଷ୍ଟିକ, ପାଉଡର ମାଖି ଅସଲ ଚେହେରାଟି ଅଲଗା ଦିଶେ। କିନ୍ତୁ ବିନା ସାଜସଜ୍ଜା ବିଶିଷ୍ଟ ଭୟଙ୍କର ମୁଖମଣ୍ଡଳକୁ ଲୋକଲୋଚନକୁ ନ ଆଣିବା ଉଦ୍ଦେଶ୍ଯରେ, ମୁହଁରେ ଓଢଣୀ ଅଧା ଘୋଡା ହୋଇରହିଛି, ତେଣୁ ଭଲରେ ଦୃଶ୍ଯ ହେଉନି। କିନ୍ତୁ ଗୋଟିଏ ଦାନା ଚାଉଳ ଚିପି, ହାଣ୍ଡି ଭିତରେ ଭାତର ଅବସ୍ଥା ଜଣା ପଡିବା ପରି , ସେହି ଆଣି କାଣି ମାନଙ୍କର ଚେହେରାର ଅବସ୍ଥା ଅନୁମାନ କରିହେଉଥିଲା। ଚାଲିଲା ବେଳେ ମଇଁଷି ମାନଙ୍କ ପରି ସଁ ସଁ ଶବ୍ଦ ଉଚ୍ଚାରଣ ପୂର୍ବକ ରାସ୍ତାରେ ଧୂଳି ଉଡେଇ ମାଡିଚାଲିଛନ୍ତି। ସେମାନଙ୍କୁ ଦେଖି ଭକ୍ତିରେ ଦୁଇ ହାତ ଯୋଡି ହୋଇଗଲା। କାରଣ ଦୈବାତ୍ କ୍ରୋଧ ପରବଶ ହେଲେ, ଆଣି କାଣି ମାନେ ଯେ ପାଦରେ ପିମ୍ପୁଡି ଦଳିଲା ପରି ଦଳି ଚାଲିଯିବେ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଲାଗୁଛି ଯେମିିତି ପାଦରେ କେତେ ମହଣ ଓଜନର ବେଡି ପଡିଛି। ହାତେ ମାପି ଚାଖଣ୍ଡେ ଚାଲିବା ନ୍ଯାୟରେ ଚକରା ବାବୁ ଅଗ୍ରଗତି ହେଉଛନ୍ତି। ନାରୀସେନା ମାନଙ୍କର ପଟୁଆର ଢେର ଆଗକୁ ଚାଲିଗଲାଣି। ସେମାନଙ୍କ ସହ ତାଳ ଦେଇ ଚାଲିବା, ଫିନିଫିନିଆ କାର ପଛରେ ଧୋକଡା ରିକସା ଗୋଡେଇବା ପରି ହେବ।

ପଛରୁ ଶୁଭିଲା ବିକଟାଳ ହସ। ପଛରେ ଦେଖିଲା ବେଳକୁ ଦଳେ କଲେଜ ପଢୁଆ ପୁଅ ଝିଅ ଖୁସି ଗମାତ କରି ମାଡି ଆସୁଛନ୍ତି। ରୂପ ଦେଖିଲେ ଲାଗିବ ସତେ କି ଦୁର୍ଭିକ୍ଷ ଅଞ୍ଚଳରୁ ଆସିଛନ୍ତି। କୋରଡ ପଶିଆ ଆଖି, ତାମ୍ପଡା ଶୁଖୁଆ ଗାଲ, ଆମ୍ବୁଲ ଠାକରିଆ ନିତମ୍ବ ଧାରି ଯୁବକ ଯୁବତୀ ମାନଙ୍କ ପାଇଁ ପ୍ରାତଃଭ୍ରମଣଟା ଗୋଟେ ପ୍ରେମାଳିଆ ଅବସର ବିନୋଦନ ପରି ଲାଗୁଛି। ସେମାନେ ବି ଧୁଳି ଉଡେଇ ଚାଲିଗଲେ। ଚକରା ବାବୁ ଶହେ ମିଟର ସରିକି ଅତିକ୍ରମ କରି ସାରିଲେଣି। ତାଙ୍କ ପଛକୁ ଆଉ ଏକ ଆପେକ୍ଷାକୃତ ପତଳା ଭିଡରେ, ଓଜନରେ ଶତକଧାରୀ କିଛି ପ୍ରୌଢ ବଡ କଷ୍ଟରେ କଚ୍ଛପ ଗତିରେ ଆସୁଛନ୍ତି । ସେମାନଙ୍କୁ ଦେଖି ଚକରାଙ୍କ ମୁହଁରେ ପ୍ରଶାନ୍ତିର ଝଲକ ଖେଳିଗଲା। ଏହି ମାନେ ହିଁ ତାଙ୍କର ଉପଯୁକ୍ତ ପ୍ରତିଦ୍ବନ୍ଦୀ। ପାହୁଣ୍ଡ ଟିକେ ବଡ ପଡିବାକୁ ଲାଗିଲା।

କାହା ଡାକରେ ପଛକୁ ବୁଲି ଦେଖିଲେ। ତାଙ୍କ ପଡୋଶୀ ବଳ ବାବୁ। ଓଜନ ପାଖାପାଖି ପାଞ୍ଚ କୋଡି ପଚିଶ। ତାଙ୍କ ଜୋତା, ଜାମାପ୍ଯାଣ୍ଟ ଦେଖି ଚକରା ଆଚମ୍ବିତ ହେଲେ। ଜାଆଁଳା ଭାଇ ପରି ପୁରାପୁରି ସମାନ। ବଳବାବୁଙ୍କ ପେଟଟି ଜାମାଟିକୁ ଚିରିବାକୁ ପ୍ରସ୍ତୁତ ଥିଲା ପରି ଲାଗୁଛି। ଅମଣିଆ ଷଣ୍ଢ ପରି ବାହାରକୁ ମୁଣ୍ଡ ଟୁଙ୍ଗାରି ବସିଛି। ଦେଖିଲେ ଲାଗୁଛି ସତେକି ଆମ୍ବସାଡର ଗାଡିର ବନେଟ୍। ବଡ ଧଇଁସଇଁ କଣ୍ଠରେ ଧକେଇ ଧକେଇ ବଳ ବାବୁ ନିଜ ଦୁଃଖ ବଖାଣି ବସିଲେ। ସବୁ ଶୁଣିଲା ପରେ ଚକରା ଜାଣିଲେ, ସେ କେବଳ ଏ ଯାତନା ଶିକାର ହୋଇନାହାଁନ୍ତି। ଆହୁରି କେତେ ପେଟଧାରି ଲୋକେ ସମ ଦୁଃଖରେ ଆଉଟୁ ପାଉଟୁ। ଏହା ମଧ୍ଯ ଆବିଷ୍କାର କଲେ ଯେ ଶ୍ରୀମତି ବଳ ଓ ସୁକୁଟି ଦେବୀଙ୍କର ଭୟଙ୍କର ଷଡଯନ୍ତ୍ରର ଶିକାର ଉଭୟେ ହୋଇଛନ୍ତି। କିଛି ବାଟ ଗଲାପରେ ଗୋଟିଏ ନୂଆଁଣିଆ ଟୁଙ୍ଗି ଦୋକାନରେ ଭିଡ ଦେଖି ଦଣ୍ଡେ ଅଟକି ଗଲେ। ଦୋକାନ ଚାରିପଟରେ ଶତକ ଓଜନଧାରୀ ଲୋକ ମାନେ ମାଛି ପରି ବେଢି ଠିଆ ହୋଇଛନ୍ତି। ଚକରା ବଡ ଆଗ୍ରହ ସହକାରେ ବଳ ବାବୁଙ୍କୁ ଦେଖିଲେ। ବଳ ବାବୁ କହିଲେ ଆରେ ପ୍ରାତଃ ଭ୍ରମଣର ଅସଲ ମଜା ଏବେ ଆସିବ।

ଭିଡ ଆଡେଇ ଭିତରକୁ ପଶି ଚକରା ବାବୁ ଚକିତ ହୋଇଗଲେ। କି ସୁନ୍ଦର ଗୋଲ ଗୋଲ ପୁରି ଛଣା ଚାଲିଛି। ତା ସହ ବହଳିଆ ମଟର ତରକାରି, ବରା, ପିଆଜି, ଘୁଘୁନି, ଲଡୁ, ରସଗୋଲା ଆହୁରି କେତେ କଣ। ସବ୍ ଜାନତା ପରି ବଳ ବାବୁ କହିଲେ ଆରେ ଏମିତି ଜଳଖିଆ ସାରା ପୃଥିବୀରେ ମିଳିବନି। କି ସୁଆଦ....। ଖାଇବା ଲୋକ ସ୍ବର୍ଗ ସୁଖ ପାଇବ ଜାଣ।

ଟିକେ ଦୋ ଦୋ ପାଞ୍ଚ ହୋଇ ଚକରା ପଚାରିଲେ--- ଦାନ୍ତ ଘଷିନେ, ପୁଣି ଚାଲିବାକୁ ଆସିଛେ। ଏସବୁ ଖାଇଲେ କିଛି ଅସୁବିଧା ହେବନି ତ?

ସେ ପ୍ରଶ୍ନର ଉତ୍ତର ମିଳିଲା କି ନାଁ ଭଗବାନଙ୍କୁ ଜଣା। କିନ୍ତୁ ଅଳ୍ପ ସମୟ ପରେ ଚକରା ବାବୁ ପୁରି ତରକାରି ଓ ମିଠା ଏକ ପ୍ରକାର ଗିଳି ପକଉଥିବାର ଦୃଶ୍ଯହେଲା। କେତେ ଦିନରୁ ଶୋଇ ପଡିଥିବା ଇନ୍ଦ୍ରିୟଗଣ ଆନନ୍ଦରେ ନୃତ୍ଯ ଆରମ୍ଭ କରିଦେଲେ। ଦୋକାନ ରୁ ଗହଳି କମି ଗଲାଣି। କିନ୍ତୁ ବଳ ବାବୁ ଓ ଚକରା , ଅଭିମନ୍ଯୁ ପରି ବ୍ଯୁହ ଭତରେ ଯୁଦ୍ଧରତ। ସବୁ ସରିଗଲା ବୋଲି ଦୋକାନୀ କହିଲା ପରେ ପ୍ରକୃତିସ୍ଥ ହେଲେ। ପଇସାଟା ଘରେ ରହିଗଲା ବୋଲି ଚକରା ଚିନ୍ତା ପ୍ରକଟ କରିବା ମାତ୍ରେ, ବଳ ବାବୁ ଅଭୟଦେଇ କହିଲେ, ଏ ଦୋକାନରେ ବାକି ଖାତା ଖୋଲି ଦେଇଛି। ମାସିକିଆ ପଇଠ କରିବାକୁ ଯୋଗାଡ ବି କରିଛି। ତେଣୁ ଅଚିନ୍ତା ରହି, କାଲି ସକାଳେ ନିଜ ନାମଟି ସେଇ ଖାତାରେ ଲେଖାଇ ଦେବାକୁ। ସୁଅରେ ଭାସି ଯାଉଥିବା ପିମ୍ପୁଡିକୁ ଶୁଖିଲା ପତ୍ର ମିଳିଲେ ଯେମିତି କୋଟିନିଧି ପାଇଲା ପରି ଲାଗେ, ସେମିତି ଲାଗୁଥିଲା ଚକରା ବାବୁଙ୍କୁ। ଯାହା ହେଉ ଏଥର ପ୍ରାତଃ ଭ୍ରମଣରେ ଆସିବାକୁ ଆଉ କୁନ୍ଥୁକୁନ୍ଥୁ ହେବାର ଆବଶ୍ଯକତା ନାହିଁ।

ମଧ୍ଯାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ସୁକୁଟି ଦେବୀ ଯାହା ବି ପରଶିଦେଲେ ଚକରା ବିନା ଦ୍ବିଧାରେ ଗିଳି ଚାଲିଲେ। ଏ ପ୍ରକାରର ପରିବର୍ତ୍ତନ ଦେଖି ସୁକୁଟିଙ୍କ ଖୁସିର ଠିକଣା ରହିଲାନି। ସବୁ ଦିନ ଭୋର ଚାରିଟା ବେଳେ ଚକରା ବେଶଭୁଷା ହୋଇ ହାତରେ କୁକୁର ଘଉଡା ବାଡି ଧରି ରାସ୍ତାରେ ଅପେକ୍ଷା କରିବାର ଦେଖାଗଲା ବଳ ବାବୁଙ୍କୁ। ଏ ଦୁଇ ମହାପୁରୁଷଙ୍କ ମେଳରେ ଦିନେ ଚାଲିବାର ସୌଭାଗ୍ଯ ଏ ଅକିଞ୍ଚନକୁ ମିଳିଲା।

ସେମାନଙ୍କ ଶ୍ରୀମୁଖରୁ ସବୁ କାହାଣୀ ଶୁଣିବା ପରେ ପଦେ ଗୀତ ଗାଇବାକୁ ମନ ବଳେଇଲା “ ଆ ଲୋ ମୁତୁରୀ ଶୋଇବା, ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା ”.

*************************************


Rate this content
Log in