Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Others

3  

sushama Parija

Others

ନିର୍ମଳ ହୃଦୟ

ନିର୍ମଳ ହୃଦୟ

7 mins
516


ଆମ ଭିତରେ, ବିଭିନ୍ନ ପ୍ରକାର ର ଲୋକ ଅଛନ୍ତି । ବେଳେବେଳେ ଆମେ ସେମାନଙ୍କର ବାହ୍ୟ ରୂପ ଦେଖି କିମ୍ବା ତାଙ୍କ ବିଷୟରେ ଅନ୍ୟ ମାନଙ୍କ ଠାରୁ ଶୁଣି ସେମାନଙ୍କ ଚରିତ୍ର ଆକଳନ କରିଥାଉଁ ଯାହା ସମୟାନ୍ତରେ ଭୁଲ୍ ବୋଲି ପ୍ରମାଣିତ ହୋଇଥାଏ । ସେତେବେଳକୁ ହୁଏତ ଲୋକ ଟି ଆମ ଭ୍ରମଧାରଣା ର ଶୀକାର ହୋଇ ତା’ ଆପଣାପଣ ହରେଇ ସାରିଥାଏ କିମ୍ବା ଆମ ସହିତ ବନ୍ଧୁତା ତୁଟେଇ ଦେଇଥାଏ । ସେଇ କ୍ଷେତ୍ରରେ ଲୋକଟିର ପ୍ରକୃତ ସ୍ୱଭାବ ଆମ ଅଗୋଚର ରେ ରହିଯାଏ । ସେମିତି ଗୋଟିଏ ଘଟଣା ।

ମୋ ଚାକିରୀ କାଳ ର କଥା । ବାବୁ ବୋଲି ଆମ ଅଫିସ୍ ରେ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ଥିଲା । ସ୍ୱଳ୍ପ ଶିକ୍ଷିତ ଏବଂ ସଂଖ୍ୟା ଲଘୁ ସଂପ୍ରଦାୟର ହୋଇଥିବାରୁ ତା’ର ଭାଷା ରେ ଶାଳୀନତା କମ୍ ଥାଏ । କଟକର ବସ୍ତି ବାସିନ୍ଦା ହୋଇଥିବା ହେତୁ ଖୁବ୍ ମୁହଁ ଖୋର ଏବଂ କିଛି ବଦଭ୍ୟାସ ମଧ୍ୟ ଆପଣେଇ ଥାଏ ସିଏ। ସେଥିପାଇଁ ଅଫିସ୍ ରେ ସହିତ ବେଶୀ ମିଳାମିଶା କରୁ ନଥିଲେ କେହି। ସେ ଜଣେ ଗୁଣ୍ଡା ଶ୍ରେଣୀ ର ଲୋକ ଏବଂ ଦରକାର ହେଲେ ଯେକୌଣସି ସମୟରେ ଝଗଡା କରିପାରେ ବୋଲି ଖୁବ୍ ଦୁର୍ନାମ ଥାଏ ତା’ର । ସେଥିପାଇଁ ତା’କୁ ସବୁବେଳେ ସବୁଠାରୁ କଠୋର ସିନିୟର ମ୍ୟାନେଜର ମାନଙ୍କ ପାଖରେ ହିଁ ପୋଷ୍ଟିଂ କରା ଯାଇଥାଏ। ଆମେ ମହିଳା କର୍ମଚାରୀ ମାନେ ତା’ ଠାରୁ ନିରାପଦ ଦୂରତାରେ ରହିବା ଲାଗି ପସନ୍ଦ କରିଥାଉ । ସହଜରେ ତା’ ହାତରେ କୌଣସି କାମ କରିବାକୁ ଦେଉନା । ପୁରୁଷ କର୍ମଚାରୀ ମାନେ ମଧ୍ୟ ତା’କୁ ଦୂରେଇ ରଖନ୍ତି , କାରଣ ଦଶଟା ବେଳକୁ ଅଫିସ୍ ରେ ପହଞ୍ଚି ହଠାତ୍ କରି ତା’କୁ ପାଣି ଗ୍ଲାସ୍ ଟି ମାଗିଲେ “ କ’ଣ ଘରୁ ପାଣି ପିଇ ଆସିନି କି? “ ଭଳି ଉତ୍ତର ଟିଏ ଶୁଣିବାକୁ ପଡେ । ତେବେ ତା’ର କିଛି ପୃଷ୍ଠପୋଷକ ଥାଆନ୍ତି ଯେଉଁ ମାନେ ତା’ର ବଦଭ୍ୟାସ କୁ ପୁରଣ କରିବା ପାଇଁ ସମୟ ଅସମୟରେ ତା’କୁ ପଇସା ପତ୍ର ଦେଇ ଆପଣା ସ୍ୱାର୍ଥ ରେ ନିୟୋଜିତ କରିଥାନ୍ତି । ସେଇମାନଙ୍କ ଲାଗି ସେ ଜୀବନ ଦେଇ କାମ କରି ପାରେ । ସେତେବେଳକୁ ମୁଁ ମଧ୍ୟ ହେଡ୍ ଅଫିସ୍ ରେ ନୂଆ ନୂଆ ଚାକିରୀ କରୁଥାଏ । ବାହାଘର ପରେ ତୋର ପରିବାର ଭିତରେ ତିନି ବର୍ଷ କଟେଇ ଚାକିରୀ କ୍ଷେତ୍ର କୁ ଆସିଥିବାରୁ ଶାଶୁଘର ର ପୁରୁଣା କାଳିଆ ସଂସ୍କାର ସବୁକୁ ଛାଡି ପାରି ନଥାଏ ।

ସେଥିପାଇଁ ମୁଁ ବାବୁ ହାତରୁ ପାଣି ଗ୍ଲାସ୍ ଟିଏ ମଧ୍ୟ ପିଏ ନାହିଁ । କେବେ ଅଫିସ୍ ରେ ଭୋଜିଭାତ ହେଲେ ସେ ବଢାବଢି କରୁଥିଲେ ମୁଁ ସେଠାରେ ଖାଏ ନାହିଁ । ଅବଶ୍ୟ ତା’ର ଡିପାର୍ଟମେଣ୍ଟ ଆଉ ମୋର ଡିପାର୍ଟମେଣ୍ଟ ଅଲଗା ଅଲଗା ଥିଲା ତଥାପି ସାମୁହିକ ସଭା ସମିତିରେ ସେ ଉପସ୍ଥିତ ରହିଲେ ମୁଁ ଟିକିଏ ଆଡକୁ ଆଡ ହୋଇ ରହିଥାଏ। ସିଏ ମୋର ହାବଭାବ କୁ ଲକ୍ଷ୍ୟ ରଖିଥାଏ, କିନ୍ତୁ ମୁହଁ ରେ କିଛି କୁହେନାହିଁ ମତେ । ମଝିରେ ଥରେ ଅଫିସ୍ ରେ ଗୋଟିଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା , କୌଣସି ବିଶେଷ କାରଣରୁ କର୍ମଚାରୀ ମାନେ ଦୁଇ ଭାଗ ହୋଇ ଗୋଟିଏ ଭାଗ ମ୍ୟାନେଜମେଣ୍ଟ ସପକ୍ଷରେ ଏବଂ ଆଉ ଗୋଟିଏ ଭାଗ ମ୍ୟାନେଜମେଣ୍ଟ ର ବିପକ୍ଷରେ ଥିଲେ । ଘଟଣା ଟି ତୀବ୍ର ଆକାର ଧାରଣ କରିଥିଲା, ଇଉନିୟନ୍ ଭର୍ସେସ୍ ମ୍ୟାନେଜମେଣ୍ଟ ନୀତି ରେ ଧାରଣା ଚାଲିଥିଲା । ବାବୁ ଥାଏ ଇଉନିୟନ୍ ସପକ୍ଷରେ ଥିବା ନେତାମାନଙ୍କ ସାଥିରେ । ଖାଇବା ପିଇବା କୌଣସି ଥିରେ ଅଭାବ ନଥାଏ, କାମରୁ ପୁରା ବିଶ୍ରାମ । ବାବୁର କଚେ ପୁଅ ବାଆର । ଖୁବ୍ ଅଏସ୍ ରେ ଥାଏ।

ସେଇ ସମୟରେ ବାବୁ କାହାରି ପ୍ରରୋଚନା ରେ ହେଉ ଅବା ନିଜର ଅଣାୟତ୍ତ ଅବସ୍ଥା ରେ ହେଉ ମ୍ୟାନେଜମେଣ୍ଟ ସପକ୍ଷରେ ଥିବା କିଛି ମହିଳା କର୍ମଚାରୀ ମାନଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କଲା , ତା’ ପୁଣି ସର୍ବ ସମକ୍ଷରେ । ସେମାନେ କନ୍ଦାକଟା କରି ଫେରାର ହେଲେ ଅଧ୍ୟକ୍ଷ ଙ୍କ ଆଗରେ । ଅଧ୍ୟକ୍ଷ ଥିଲେ ଅତ୍ୟନ୍ତ ବିଚାରବନ୍ତ ରୁଢିବାଦୀ ମଣିଷ । ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାବୁ କୁ ନୋଟିସ୍ ପଠାଇଦେଲେ ।

ଘଟଣା ସମ୍ପର୍କରେ ସବିଶେଷ ଅନୁସନ୍ଧାନ କରିବାକୁ ଅଫିସର ନିଯୁକ୍ତ କରିଦେଲେ । ଘଟଣା ଟି ଘଟାଇ ସାରିବା ପରେ ବାବୁର ଚୈତନ୍ୟ ଉଦୟ ହୋଇଥିଲା । ସେ ସଂପୃକ୍ତ ମହିଳା କର୍ମଚାରୀ ମାନଙ୍କୁ ଯାଇ କ୍ଷମା ମାଗିଥିଲା । ତା’କୁ ଭୁଲ୍ ବାଟରେ ନେଉଥିବା ବନ୍ଧୁ ମାନଙ୍କର ସଂଖ୍ୟା କମ୍ ନଥିଲା । କଥା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା । ଏପରି ହୋଇଥିଲା ଯେ ଆମ ସଂସ୍ଥା ର ସବୁ ସମସ୍ୟା ସମାଧାନ ହୋଇ ପରିସ୍ଥିତି ସାମାନ୍ୟ ହୋଇ ସାରିଥିଲେ ମଧ୍ୟ ବାବୁ ର ସେଇ ସାଧାରଣ ଗାଳି ଦେବା ଘଟଣା ଟି ଲମ୍ବା ହୋଇ ମହିଳା କମିସନ୍ ପର୍ଯ୍ୟନ୍ତ ଯାଇଥିଲା । ସେଇ ଭୁଲ୍ ଟି ପାଇଁ ବାବୁ ନିଜେ ମଧ୍ୟ ଖୁବ୍ ଅନୁତପ୍ତ ଥିଲା, ସେ ଯାହା ହେଉ ତା’ର ଦୋଷ ସ୍ୱୀକାର ଆଉ କ୍ଷମାପ୍ରାର୍ଥନା ପରେ ସବୁ ଥଣ୍ଡା ପଡି ଯାଇଥିଲା, ବାବୁ କୁ ବଦଳି କରି ଦିଆ ଯାଇଥିଲା ସହରରେ ଥିବା ଆମ ଅଫିସ୍ ର ଅନ୍ୟ ଏକ ଶାଖା କୁ।

ମୋର ସୌଭାଗ୍ୟ କୁ ହେଉ ବା ଦୁର୍ଭାଗ୍ୟ କୁ ହେଉ ବାବୁ ପୂର୍ବରୁ ମୋର ମଧ୍ୟ ବଦଳି ହୋଇଥିଲା ସେଇ ଶାଖା କୁ। ସେତେବେଳକୁ ମୋର ଶାରୀରିକ ଅସୁସ୍ଥତା ଚରମ ସୀମାରେ , ଗୋଡ ଦୁଇଟା ଗଣ୍ଠିବାତରେ ପୁରା ଅଚଳ ,ଆଶାବାଡି ଟିଏ ନଧରିଲେ ଚାଲିବା ଅସମ୍ଭବ, ଖୁବ୍ କଷ୍ଟ ରେ ଚାଲୁଥାଏ। ଅଫିସ୍ ବସିବା ଲାଗି ଗୋଟିଏ ସ୍ୱତନ୍ତ୍ର ଉଚ୍ଚା ଚେୟାର୍ ଥାଏ , ଏମିତି ଖୁବ୍ ଦୟନୀୟ ଅବସ୍ଥା ରେ ଥାଏ ମୁଁ । ବାବୁ ଆସି ଶାଖାରେ ଯୋଗ ଦେଲା ମୋର ସହାୟକ ଭାବେ । ଅନ୍ୟ ସମସ୍ତଙ୍କ ଭଳି ମନ ଭିତରେ ଗୋଟାଏ କୁଣ୍ଠିତ ଭାବ ନେଇ ବାବୁ ସହିତ କାମ କରୁଥାଏ ମୁଁ । ହେଡ୍ ଅଫିସ୍ ରେ ଥିଲାବେଳେ ମଧ୍ୟ ସେ ମତେ କେବେ କିଛି କହି ନଥିଲା କି ଖରାପ ବ୍ୟବହାର କରି ନଥିଲା ବରଂ ମୋ ପ୍ରତି ତା’ର ଗୋଟିଏ ସମ୍ମାନବୋଧ ଥିବାର ଲକ୍ଷ୍ୟ କରିଥିଲି ମୁଁ । ସେଥିପାଇଁ ଆମ ମହଲରେ ତା’ ବିଷୟରେ ଆଲୋଚନା ହେଉଥିଲା ବେଳେ ମୁଁ ଚୁପ୍ ରହିବାକୁ ପସନ୍ଦ କରୁଥିଲି । କିଛି କାମ ପଡିଲେ ତା’କୁ କହିଲେ ସେ ମଧ୍ୟ ବିନା କୌଣସି ପ୍ରତିବାଦ ରେ ସବୁ କରିଯାଉଥିଲା । ଏବେ ନୂଆ ଶାଖାରେ ତା’ ବ୍ୟତୀତ ଆଉ କେହି ସହାୟକ ନଥିଲେ ।ତେଣୁ ସବୁ କାମ ତା’ରି ଦ୍ୱାରା ହିଁ କରାଇବାକୁ ପଡିବ। କ’ଣ କରିବି , କେମିତି ଭାବରେ ତା’କୁ ମ୍ୟାନେଜ୍ କରିବି ସେଇ ଚିନ୍ତା ରେ ଥାଏ ମୁଁ । ଏକାଉଣ୍ଟସ୍ ମ୍ୟାନେଜର ହୋଇଥିବାରୁ ଗ୍ରାହକ ମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ପଡେ, ଯଦି ବାବୁ ତା’ର ପୁରୁଣା ଅଭ୍ୟାସବଶତଃ କିଛି ଓଲଟାସିଧା କଥା କହିଦେବ କାହାକୁ, ତେବେ ସମ୍ଭାଳିବା ମୁସ୍କିଲ୍ ହୋଇଯିବ ମୋ ପାଇଁ । କିନ୍ତୁ ମୋତେ ଆଶ୍ଚର୍ଯ୍ୟ କରି ବାବୁ ସୁନା ପିଲା ଭଳିଆ ସବୁ କାମ ସୁଚାରୁରୂପେ ସମ୍ପାଦନ କରୁଥିଲା । ମୁଁ ଜାଣିଥିଲି ତା’ର ନାମ ଟି ବ୍ୟତୀତ ତା’କୁ ଆଉ ଅଧିକ ଇଂରାଜୀ ଜଣାନଥିଲା ତେଣୁ କରି ତା’କୁ କୌଣସି ଫାଇଲ୍ କାମ କରିବା ଲାଗି ଦେଉ ନଥିଲି ମୁଁ । ଦରକାର ପଡିଲେ ସେଇ ନାଲି ଫାଇଲ୍ ଟି ଦିଅ, ସେଇ ନୀଳ ଫାଇଲ୍ ଟି ଦିଅ ବୋଲି କହେ । ବାକୀ କାମ ଅନ୍ୟ କର୍ମଚାରୀ ମାନଙ୍କ ଦ୍ଵାରା କରାଏ ।

ମୋର ଅଫିସ୍ ଟି ଆମ ଘର ପାଖରୁ ପ୍ରାୟ ଦଶ କିଲୋମିଟର ଦୂରରେ । ମୋ ସ୍ବାମୀ ପ୍ରତିଦିନ ମୋତେ ସ୍କୁଟି ରେ ନେଇ ଅଫିସ୍ ରେ ଛାଡନ୍ତି।ଗାଡିରୁ ଓହ୍ଲାଇ ମତେ ଧରି ଧରି ନେଇ ଅଫିସ୍ ଭିତରେ ବସାଇ ଦେଇ ଆସନ୍ତି , ପୁଣି ଫେରିଲା ବେଳକୁ ଅଫିସ୍ ଭିତରୁ ମତେ ଧରି ଧରି ଆଣି ବସାନ୍ତି ସ୍କୁଟିରେ । ଧୀରେ ଧୀରେ ମୁଁ ଲକ୍ଷ୍ୟ କଲି ବାବୁ ମୁଁ ଅଫିସ୍ ରେ ପହଞ୍ଚିଲା ବେଳକୁ ଠିଆ ହୋଇ ରହୁଛି ଗେଟ୍ ପାଖରେ । ମୋ ସ୍ବାମୀ ଙ୍କୁ କହୁଛି “ସାର୍ ଆପଣ ଥାଆନ୍ତୁ, ମୁଁ ନେଇ ଯାଉଛି ଦିଦିଙ୍କୁ ,ଫେରିବା ବେଳକୁ ମୋ ହାତ ଧରି ଉଠେଇ ଆଣି ଗାଡିରେ ବସାଇ ଦେଉଛି । କାଉଣ୍ଟର ରେ କେହି ଗ୍ରାହକ କିଛି କହିଲେ ଖୁବ୍ ନମ୍ରତା ର ସହ ସେମାନଙ୍କୁ ବୁଝାଶୁଝା କରୁଛି, ସବୁବେଳେ ମୋର ପାଖେ ପାଖେ ରହୁଛି, କାଳେ କାଳେ କେତେବେଳେ ମୁଁ କ’ଣ ଦରକାର କରିବି ବୋଲି । ମତେ ତା’ ଭିତରର ଏ ପରିବର୍ତ୍ତନ ଦେଖି ଖୁବ୍ ଖୁସି ଲାଗୁଥାଏ । କ୍ରମେ କ୍ରମେ ମୁଁ ମଧ୍ୟ ତା’ ସହିତ ମିଶିବାକୁ ଲାଗିଲି । ମଝିରେ ମଝିରେ ମୁଁ ତ’ ସହିତ ତା’ର ଘର ପରିବାର ବିଷୟରେ ପଚାରିବା ସହିତ ତା’ର ଭଲ ମନ୍ଦ ବୁଝେ, ତୁମର କିଛି ଅସୁବିଧା ଥିଲେ ମତେ କହିବ ବୋଲି କହିଥାଏ , ସେ ବେଳେ ବେଳେ ମତେ ତା’ ପରିବାର ର ସୁବିଧା ଅସୁବିଧା କଥା କହିବାକୁ ଆଉ ସଙ୍କୋଚ କରୁନଥିଲା ।

ଏମିତି କିଛି ଦିନ ବିତିଗଲା । ରାଜ୍ୟ ବାହାରେ ଗୋଟିଏ ବଡ ହସ୍ପିଟାଲରେ ମୋର ଗୋଡ ଦୁଇଟି ଅପରେସନ୍ ହେବ ବୋଲି ସ୍ଥିର ହେଲା । ମୁଁ ରାଜ୍ୟ ବାହାରକୁ ଯିବି ଏବଂ ସେଥିପାଇଁ ତିନି ଚାରି ମାସ ଛୁଟି ନେବି ବୋଲି ମୁଖ୍ୟ କାର୍ଯ୍ୟାଳୟ କୁ ଜଣାଇଲି । ବାବୁ ନିଜେ ମୋର ଦରଖାସ୍ତ ଟି ନେଇ ମୁଖ୍ୟ କାର୍ଯ୍ୟାଳୟ ଗଲା ଆମର ମହା ପ୍ରବନ୍ଧକ ଙ୍କୁ ଦେବା ପାଇଁ । ତା’ ପରଦିନ ମୁଁ ଅଫିସ୍ ଆସିଲା ବେଳକୁ ଦେଖିଲି, ବାବୁ ଗେଟ୍ ପାଖରେ ଗତାନୁଗତିକ ଭାବରେ ଠିଆ ହୋଇ ରହିଛି, ହେଲେ ତା’ର ମୁହଁ ଟିରେ ସେଇ ଚିର ପରିଚିତ ହସପିଟାଲରେ ନାହିଁ, କେମିତି ଶୁଖିଲା ଦିଶୁଛି । ତା’ ସହିତ ଆସି ଅଫିସ୍ ଭିତରେ ଚୌକି ରେ ବସି ପଡି ମୁଁ ପଚାରିଲି “ କ’ଣ ହୋଇଛି କି ବାବୁ, କାହିଁକି ମନ ଦୁଃଖ “ । ସେ କହିଲା “ ନାଇଁ ଦିଦି ! କିଛି ହୋଇନି, ଗତକାଲି ଆପଣଙ୍କର ଦରଖାସ୍ତ ନେଇ ହେଡ୍ ଅଫିସ୍ ରେ ଦେଲି, ଜି ଏମ୍ ସାର୍ ସାଙ୍ଗେ ସାଙ୍ଗେ ଭୀମ ସାର୍ ଙ୍କୁ ଡାକି କହିଲେ ଆପଣଙ୍କ ଛୁଟି ମଞୁର କରିବା ଲାଗି, ସେଠାରେ ସମସ୍ତେ ଆପଣଙ୍କ ଅସୁସ୍ଥତା ବିଷୟରେ କଥାବାର୍ତ୍ତା କଲେ, କହିଲେ ବିଚାରୀ ଏତେ କଷ୍ଟ ସହିଲାଣି, ଏତେ ରିସ୍କ ନେଇ ଅପରେସନ୍ କରିବାକୁ ଯାଉଛି, କେତେ କଷ୍ଟ ସହିବା, କେତେ ପଇସାପତ୍ର ଖର୍ଚ୍ଚ ହେବ, ହେଲେ ଅପରେସନ୍ ସଫଳ ହେବ କି ନାହିଁ କିଏ ଜାଣେ? ଅପରେସନ୍ ପରେ ସେ ପୁଣି ଠିକ୍ ଭାବରେ ପୂର୍ବଭଳି ଚାଲି ପାରିବ କି ନାହିଁ କିଏ ଜାଣେ? ସେମାନଙ୍କ କଥା ଶୁଣି ମୋର ମନଟା ବହୋତ ଖରାପ ଲାଗିଲା । ଘରକୁ ଯାଇ ଲୁଗାପଟା ବଦଳି ମୁଁ ମସଜିଦ୍ କୁ ଗଲି । ଆଲ୍ଲା ଙ୍କୁ ଆପଣଙ୍କ ପାଇଁ ପ୍ରାର୍ଥନା କଲି, ମନ୍ନତ୍ ମାଗି ଆସିଛି ଆପଣ ସୁସ୍ଥ ହୋଇ ଫେରି ଆସିଲେ ମୁଁ ପୂଜା ଦେବି । ଆପଣଙ୍କ ଅପରେସନ୍ ହେଲା ଦିନ ମୁଁ ନମାଜ୍ କରିବି ଆପଣଙ୍କ ପାଇଁ । ଆପଣ ନିଶ୍ଚୟ ସୁସ୍ଥ ହୋଇ ଫେରିବେ , ପୁଣି ଆଗ ଭଳିଆ ଚାଲିବେ “ । ଶେଷ ଆଡକୁ ବାବୁର କଣ୍ଠସ୍ବର କାନ୍ଦିଲା ଭଳି ଶୁଣା ଯାଉଥିଲା ମତେ। ମୁଁ ସ୍ତବ୍ଧ ହୋଇ ଚାହିଁ ରହିଥିଲି ବାବୁ ର ମୁହଁ କୁ । ମନେ ମନେ ଭାବୁଥିଲି, ଇଏ କ’ଣ ସେଇ ବାବୁ? ଯାହାକୁ ମୁଁ ବିଗତ କୋଡିଏ ବର୍ଷ ଧରି ଦେଖି ଆସିଛି ? ଇଏ କ’ଣ ସେଇ ବାବୁ? ଯିଏ ଗୋଟାଏ ଗୁଣ୍ଡା, ବଦମାସ, ଦଙ୍ଗା ହଙ୍ଗାମା କରିବାରେ ଓସ୍ତାଦ୍, ମାତାଲ୍, ଅଭଦ୍ର ବୋଲି ଗୁଡିଏ ବଦନାମ୍ ଅର୍ଜନ କରିଥିବା ସେଇ ମଣିଷ ? ମୋ ନିଜକୁ ନିଜେ ହିଁ ବିଶ୍ବାସ କରି ପାରୁନଥିଲି ମୁଁ । ମୋ ଆଖିରେ ଲୁହ ଜକେଇ ଆସିଥିଲା , ମୋର ନିଜର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା, ମୁଁ ନିଜକୁ ନିଜେ ଧିକ୍କାର କରିବାକୁ ଆରମ୍ଭ କରି ଥିଲି,

ଏମିତି ଗୋଟିଏ ନିର୍ମଳ ହୃଦୟ ର ଲୋକ ଟିଏ କୁ ଆଜି ଯାଏ ଚିହ୍ନି ପାରି ନଥିଲି ବୋଲି । ମୋ ମନରେ ତା’ର ଜାତି ପ୍ରତି ଥିବା ଅସୂୟା ଭାବ ଦୂରେଇ ଯାଇଥିଲା, ତା’ର ମହତପଣିଆ ଆଗରେ ମୁଣ୍ଡ ନଇଁ ଯାଉଥିଲା ମୋର । ନିଜକୁ ବାବୁ ଠାରୁ ହୀନ ମନେ କରୁଥିଲି । ମୁଁ ତା’କୁ ଘୃଣା କରୁଥିଲା ବେଳେ ମୋ ପାଇଁ ତା’ ମନରେ ଏତେ ସ୍ନେହ ଶ୍ରଦ୍ଧା ଭରି ରହିଥିଲା ତାହା ମୋର ଅଗୋଚର ଥିଲା । ଆମେ ତଥାକଥିତ ସଭ୍ୟ ଭଦ୍ରଲୋକ ମାନେ କାହାରିକୁ ଭଲ ଭାବରେ ଜାଣିବାକୁ, ବୁଝିବାକୁ ଚେଷ୍ଟା ନକରି ତା’ ବିଷୟରେ ଶୁଣିଥିବା କଥାମାନଙ୍କୁ ଠିକ୍ ଭୋଲି ଧରିନେଇ ସେଇ ମଣିଷଟିଏ ପ୍ରତି କେତେ ଅବିଚାର କରିଥାଉ ସତେ! ମୋ ଆଖିରୁ ପଶ୍ଚାତାପର ଅଶ୍ରୁ ଝରୁଥିଲା । ବାବୁ ଭାବୁଥିଲା, ମୁଁ ଅପରେସନ୍ ଡରରେ କାନ୍ଦୁଛି, ସେ ମତେ ଆଶ୍ୱାସନା ଦେଲା “ କିଛି ହେବ ନାହିଁ ଦିଦି! ଆପଣ ପୁରା ଭଲ ହୋଇ ଯିବେ, ଆଲ୍ଲା ଆପଣଙ୍କୁ ନିଶ୍ବାସ ଭଲ କରିଦେବେ” ।

ଅଳ୍ପ ଦିନ ପରେ ମୁଁ ଅପରେସନ୍ ପାଇଁ ଗଲି ଏବଂ ତିନି ଚାରି ମାସ ପରେ ଯେଉଁ ଦିନ ଫେରି ଆସି ଅଫିସ୍ ରେ ଯୋଗଦେଲି, ସେଦିନ ବାବୁ ର ଖୁସି ଦେଖିବ କିଏ ? ହସି ହସି ଆସି ପାଛୋଟି ନେଲା ମତେ ଅଫିସ୍ ଭିତରକୁ । କହିଲା ଦିଦି ! ଦୁଇ ଶହ ଟଙ୍କା ଦିଅ , ଆଜି ମିଠା କିଣି ଆଣି ବାଣ୍ଟି ଦେବା ସମସ୍ତଙ୍କୁ । ଆମ ଦିଦି ଆଜି ନିଜ ଗୋଡରେ ଚାଲି ଆସିଛନ୍ତି ଅଫିସ୍ କୁ। ତା’ ନିର୍ମଳ ହୃଦୟ ର ନିର୍ମଳ ହସ ସଞ୍ଚରି ଯାଇଥିଲା ସମସ୍ତଙ୍କ ଓଠ କୁ ।।


Rate this content
Log in