Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କତଲ
7 Minutes   4.6K    16


Content Ranking

ଏକ ଭିନ୍ନ ସ୍ୱାଦର କ୍ଷୁଦ୍ରଗଳ୍ପ:

●◆ କତଲ ◆●

====

ଗଫର ମିଆଁ ପାଖରେ ଭେଜାଲ ନାହିଁ। ବଜାର ରେଟ ଠାରୁ ତା ରେଟ ଟିକେ ଚଢା ହେଲେବି ଖାଣ୍ଟିଖିଆ ଖର୍ଦ୍ଦାର ସବୁ ଗଫର ଦୁକାନର ବାରମାସି ବରାଦିଆ ଗରାଖ।

ଆନ୍ଧ୍ରା ଖାସି କିମ୍ବା ଦେଶୀ ପେଣ୍ଠି କାଟେନା ଗଫର। ଦିନ ଅଧିଆ ଗରାଖ କେବେ କେହି ଯଦି ଗଲତିରେ ପଚାରିଦେଲା," ଶୁଖିଲା କାଟିବ ତ ଚାଚା?" । ଗଫରର ଗୁସା ପଞ୍ଚମକୁ ଉଠିଯାଏ।

"ଏ ବାବୁ, ପହିଲି ବାର ଗଫର ମିଆଁ ଦୁକାନକୁ ଆଇଚ ସାୟଦ। ଗଫର ମିଆଁ ମିଲାବଟ କରେନି।ଖାସି କାଟିକାଟି ବଚ୍ଚାରୁ ବୁଢ଼ା ହେଲି ଏଯାଏଁ କେହି ପଚାରି ନଥିଲେ ଏକଥା ମୋତେ। ତମେ ପଚାରିଲନି ବାବୁ ,ସବାଲ କରିଦେଲ ମୋ ର ଇମାନଦାରି ଉପରେ-ଗଫର ମିଆଁର ନିୟତ ଉପରେ। ଗଫର ମିଆଁ ଖାଲି ବେପାର କରିବା ଲାଗି ବଜାରକୁ ଆସିନି ବାବୁ ,ରିସ୍ତେଦାରୀ ଭି ନିଭାଉଛି।

ଆଜି ମୁଫ୍ତରେ ମାଉଁଶ ଦେଉଛି ନେଇଯାଅ ଖାଇବ। ମାଲ ଠିକ ନ ଥିଲେ ପଇସା ଦେବାର ଜରୁରତ ନାହିଁ-ଖାଲି ଆସି କହିଦେବ, ଗଫର ମିଆଁ ଜୁବାନର ଦମ ନାହିଁ। ଏଇ ବାବୁମାନେ ଦଶ-ବିଶ୍ ସାଲ ହେଲାଣି ଗଫର ଦୁକାନର ଗରାଖ। କିସୀକୋ ଭି ପୂଛୋ, କୋଈ ଏକଭି ବୋଲେଗା କି ଗଫର କଭୀ କିସୀକୋ ଭେଜାଲ ମାଲ ଦିଆହେ ତୋ ଅଭିକା ଅଭି ବାଜାର ଛୋଡଦୁଙ୍ଗା।ହିନ୍ଦୁସ୍ତାନୀ ପଠାନ କା ବଚ୍ଚା ହୁଁ, କୋଈ ପାକିସ୍ତାନୀ ସୁଅର କା ନେହିଁ।" -କହିସାରି ଡାହାଣ ହାତକୁ ମେହେନ୍ଦି କରା ଦାଢ଼ି ଉପରେ ବୁଲାଇ ଆଣି ଚାକୁରେ ଚାକୁ ଘଷିଚାଲେ ଗଫର।

ବାସ, ସେତିକିରେ କଥା ଶେଷ। ବାର ଦିନିଆ ଗରାଖ ବି ବାର ବର୍ଷିଆ ଗରାଖ ସାଜି ଝୁଙ୍କି ପଡନ୍ତି ବିଚରା ଲୋକଟି ଉପରେ।

ଗଫର କହେ,"ଛୋଡଦୋ ଭାଇ, ଗଲତି ସେ ବୋଲଦିଆ। ତାଙ୍କର କସୁର ନୁହେଁ, ବାଜାର ସେମିତି ହେଇଗଲାଣି। ମିଲାବଟ ତ ସବୁଠି,ନାୟା ଆଦମୀ କେମିତି ୟକିନ କରିବ ! ଗଫରକା ମାଲ ଲେକେ ଏକବାର ଖାନେକେ ବାଦ ଏ ବାବୁ ଭି ଆପ ଲୋଗୋକି ତରହା ସବକୁଛ ପତା ଚଲଯାଏଗା। ଫିର ୟେ'ଭି ଗୋସ ଖାନେକେ ଲିୟେ ଗଫର କି ପାସ ହି ଆଏଗା।"

--------------- (2 )--------------

ଦେଶ ବିଭାଜନ ବେଳେ ଗଫର ର ବାପ ୟାକୁବ ଏଇ ଇଲାକାରେ ଗାଁ ଗାଁ ବୁଲି ଫେରି କରୁଥିଲା। ପାକିସ୍ତାନ ଯିବାପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ କରାଗଲା ସେଇ ସମୟ ଭିତରେ ୟାକୁବ ଦେଶଛାଡି ଯାଇ ପାରିଲା ନାହିଁ ତା'ର ରୋଗଣା ସ୍ତ୍ରୀ ଆଉ ଛ-ଛଅଟା ପିଲାଙ୍କୁ ଧରି। ମାତ୍ର ତାର ଅଧିକାଂଶ ରିସ୍ତେଦାର ଚାଲିଗଲେ ସୀମାପାର ହେଇ। ୟାକୁବର ଜିସମ ରହିଗଲା ହିନ୍ଦୁସ୍ତାନରେ ,ଜାନ ଚାଲିଗଲା ପାକିସ୍ତାନ।

ଭଦ୍ରକ ସହର ମଝିଦେଇ ବୋହିଯାଇଛି ସାଳନ୍ଦୀ ନଦୀ କାହିଁ କେଉକାଳରୁ ସହରକୁ ମଝିଆ ମଝି ସମାନ ଦୁଇ ଫାଳରେ ବାଣ୍ଟି ଦେଇ। ସେଇ ନଦୀ କୂଳରେ ଟିଣପିଟା ଝୁମ୍ପୁଡିଟେ ବନେଇଦେଇ ୟାକୁବ ତାର ପରିବାରକୁ ଧରି କାଟିଦେଇଥିଲା ତା ଜୀବନର ଶେଷ ଦଶ-ବାର ସାଲ।

ବଟୱାରା ର ପାଞ୍ଚସାଲ ବାଦେ ଗଫରର ଜନ୍ମ। ତା'କୁ ଛଅ-ସାତ ବର୍ଷ ହେଲାବେଳକୁ ୟାକୁବ ଆରପାରିକୁ ଚାଲିଗଲା। ୟାକୁବ ଯିବାର ଚାରିମାସ ପରେ ମା ପରବିନ ବି ବାଟ କାଟିଲା ସେପାରିକି। ସବା ବଡ଼ଭାଇ ରଉଫ ସାଉଦ ଆରବ ଯାଇଥିଲା ନୌକିରୀ କରିବା ପାଇଁ । ସିଏ ତାର ସେଇଠି ସାଦିବାଦି କରି ରହିଗଲା ସବୁଦିନ ପାଇଁ।

ସହରରେ ଯେଉଁ ଦଙ୍ଗା ହେଇଥିଲା ସେଥିରେ ଦୁଇଭାଇ ଫୈଜଲ ଆଉ ଫରଦିନ ଏକାଦିନକେ ସଫା ହେଇଗଲେ।

ଗଫର ର ଠିକ ଉପର ଭାଇ ଜମୀର , ଭଲ ପାଠ ପଢୁଥିଲା। ବଦକିସ୍ମତି କେ ଆଗେ କିସିକା ଏକ ଭି ଚଳତା ନେହିଁ। ଦିନେ ଜମୀର ହଠାତ କୁଆଡେ ଉଭାନ ହେଇଗଲା। କିଛିଦିନ ପରେ ଖବର ମିଳିଲା ,ସିଏ କୋଉ ଗୋଟେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନରେ ମିଶିଯାଇଥିଲା। ଆତଙ୍କବାଦୀର ଭାଇ ବୋଲି ଗଫରକୁ କିଏ କେତେକଥା କହିଲେ,ଟାହି ଟାପରା କଲେ,ଗଫର ସବୁକଥା ସହିଗଲା ଆଖିକାନ ବନ୍ଦ କରି। କାହାକୁ କେବେହେଲେ ଥରେ ପାଲଟା ଜବାବ ଦେଇନାହିଁ। ସବୁ ତା'ର ତକଦିର ବୋଲି ମାନି ନେଇଛି ସେ। କଡା ମେହେନତ କରି କାଟିଦେଇଛି ବଚପନ। ଯବାନ ହେଲାପରେ ପନ୍ଦର ବର୍ଷ ବୟସରେ ଖୋଲିଥିଲା ଏଇ ସଗୁଆତି ଦୁକାନ- ଆଜିଯାଏଁ ଆଛାସେ ଚାଲିଛି।

ଗଫର ପାଇଁ ହିନ୍ଦୁସ୍ତାନ ସବୁକିଛି। ପାକିସ୍ତାନ ବୋଲି ଶବ୍ଦଟାକୁ ନଫୁରତ କରେ ସେ। ସେଇ ପାକିସ୍ତାନ ହିଁ ତା'ଠାରୁ ସବୁ ରିସ୍ତା କୁ ଛଡେଇ ନେଇଛି ବାରବାର କରି।ଏବେବି ପ୍ରତିଦିନ ଛଡେଇ ଚାଲିଛି ତା'ଠାରୁ ସେ କଡା ମେହେନତ କରି ହିନ୍ଦୁସ୍ତାନର କନ୍ୟାକୁମାରି ଠୁଁ କାଶ୍ମୀର ଭିତରେ ନିଜ ହାତରେ ନାପାକ ପାକିସ୍ତାନୀ ଆତଙ୍କିଙ୍କ ଗର୍ଦ୍ଦନ କାଟିଲା ପରି ଅସଂଖ୍ୟ ଖାସିଙ୍କୁ କତଲ କରି ସେମାନଙ୍କ ଦେହର ସବୁ ଖୁନକୁ ନିଗାଡ଼ିଦେଇ ବଫାଦାର ରିସ୍ତେଦାରୀ ନିଭଉଥିବା ନାଗୁଆ ଗ୍ରାହକ ମାନଙ୍କ ହାତକୁ ଡବଲ କଳା ପଲିଥିନରେ ଶୁଖିଲା ମାଉଁସ ଦେଇଦେଇ ଯେଉଁ ଶୁକୁନ ଟିକକ ପାଉଛି,ତାକୁ ବି।

କେବଳ ହିନ୍ଦୁସ୍ତାନର ମାଟି,ପାଣି ଓ ପବନ ନୁହେଁ, ହିନ୍ଦୁସ୍ତାନୀ ଅପନାପନ ତା ଜିସମରେ ଜାନ ରଖିପାରିଛି ଏ ପର୍ଯ୍ୟନ୍ତ। ଗଫର କହେ," ହିନ୍ଦୁସ୍ତାନ ଏକ ଐସା ଦେଶ ହୈ ଜହାଂ ହର କିସୀକୋ ଚେନସେ ଜିନେକା ହକ୍ ହୈ ଔର ମୌକା ଭି ହୈ।"

ଅନ୍ୟ ମୁସଲମାନ ମାନଙ୍କ ପରି ଗଫର ଦିନକୁ ପାଞ୍ଚ ବାର ଆଜାନ କରେନା। ସକାଳେ ବିସ୍ତର ଛାଡିଲା ପରେ ଥରେ ହିନ୍ଦୁସ୍ତାନର ମିଟ୍ଟିକୁ ମଥାରେ ମାରି କଦମ ନିକାଲେ ଘରୁ,ପୁଣି ରାତିରେ ଶୋଇଲା ବେଳକୁ ଥରେ ମଥାରେ ଛୁଆଁଏ ଦିଏ ସେଇ ମାଟିକୁ।

ଗଫର ନିଜେ କହେନା,ଗଫର ସାଥିରେ ଜୀବନରେ ଥରେ ଯିଏ କଥା ହେଇଛି ସେ ବି କହେ," ଗଫର ପକ୍କା ପଠାନ-ସଚ୍ଚା ଇଂସାନ- ଖାଣ୍ଟି ହିନ୍ଦୁସ୍ତାନୀ"।

-------------- (୩ )-------------

ସାଦି କରିବା ଉମର ହେଲାପରେ ବହୁତ ଲୋକ ସାଦି କରି ଘର ବସେଇବା ପାଇଁ ସୁଝାବ ଦେଇଥିଲେ। ମାତ୍ର, ଗଫର ବିବି,ବାଲ-ବଚ୍ଚା ଝାମେଲା ରେ ପଶିବନାହିଁ କହି ସାଫ ସାଫ ଇଂକାର କରିଦେଇଥିଲା।

ଗଫର କହେ, " ଜିନ୍ଦେଗି କା କ୍ୟା ଭରୋସା। ଦୁନିଆ ମେଂ ଦୋ ପଲକା ମେହେମାନ ବନକେ ଆୟାହେ , ଉଆପସ ବୁଲାବା କିସିଭି ବଖତ ଆସକତା ହୈ । ବାଲ ବଚ୍ଚା ହୋଙ୍ଗେ ତୋ ଯାନେମେ ଧିକ୍କତ ହୋଗି। ସାରା ହିନ୍ଦୁସ୍ତାନ ଜୈସା ଘର ଅଉର୍ ଆପଲୋଗ ଜୈସେ ଅପନେ ହେଁ ତୋ ଫିର ଫିକର୍ କିସ ବାତକା ?"

ଗଫର କୋରାନ ପଢୁ କି ନପଢୁ ପ୍ରତିଦିନ ଅଖବାର କିନ୍ତୁ ପଢେ।

ସାରା ଦେଶର ଖବର ରଖେ। ପାକ ଆତଂକବାଦୀଙ୍କ ଠାରୁ ବେଶି ନଫରତ କରେ ଅଲଗାଓଁବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ନେତା ଓ ପଥରବାଜ ମାନଙ୍କୁ।

"ହାରାମି ଓ ଲୋଗ ନେହିଁ, ଅସଲ ହରାମି ତୋ ୟେ ଲୋଗ ହେଁ ଜୋ ଦେଶକା ଖାତେହେଁ ଦୁଷ୍ମନ କେ ଲିୟେ ଜୀତେହେଁ। ଇନ୍ସନିୟତ ବେଚନେ ବାଲେ ନେତା ବନି ଯିବା ଠୁଁ ସରମ ଆମପାଇଁ ଆଉ କଣ ଅଛି ! ଜବାନ ମଲେ କିଛି ନାହିଁ,ସୈତାନ ମଲେ ସହୀଦ ମରଗୟା କହି ଭୂଖ ହଡ଼ଟାଲ କରିବେ। ମାନବବାଦର ଉଲଂଘନ ହେଲା କହିବେ। ପଥରବାଜଙ୍କ ଉପରେ କିସି ପ୍ରକାର କି କାନୁନି କାରାବାଇ ନ କରିବା ଲାଗି ସିପାରିସ କରିବେ। ଜବତକ ଏ ହରାମି ନେତାଲୋଗୋକା ସଫାଇ ନେହିଁ ହୁଆ ହେ ତବତକ ଦେଶକା ୟେ ହାଲାତ ସୁଧରେଗା ନେହିଁ। ୟେ କଚଡ଼ା ସାଫ ହୋନା ବେହେଦ ଜରୁରୀ ହୈ।"

---------- ( ୪ ) ---------

କାଲି ରବିବାର। ରବିବାର ଦିନ ଯେତେମାଲ ହେଲେବି ବଜାରକୁ ପାଏନାହିଁ। ଦୁକାନ ସମ୍ନାରୁ ଗରାଖ ମାଲ ନ ପାଇ ଫେରିଗଲେ ଗଫରର ଭାରି ମନ ଖରାପ ହୁଏ। ସେଥିପାଇଁ ଆଜି ଗଫର ଆଉ ପାଞ୍ଚ ଗାଁ ବୁଲି ପାଞ୍ଚ-ସାତଟା ଅଧିକ ଖାସି ଯୋଗାଡ଼ କରିଛି।

ଗଫର ମିଆଁ ବକରି କତଲ କଲାବେଳେ ବେସ କଂସେଇ ପରି ଲାଗିଲେବି ତା'ର ମନ ଭିତରଟା ଭାରି ନରମ। ଗଫର ଦେଖେ,ଗ୍ରାହକ ମାନେ ବକରି ମାନଙ୍କ ଚିକ୍କଣ ଚେହେରା ଉପରେ ଶାଣଦିଆ ନଜର ବୁଲେଇ ନେଲାବେଳେ ସେମାନଙ୍କ ଆଖି ଭିତରେ ବନ୍ଧା ହେଇଥିବା ବେଯୁବାନ ଖାସି ମାନେ କେମିତି ବିନା ଚାକୁରେ କତଲ ହେଇଯା'ନ୍ତି ! ସାରା ଦୁନିଆଟା ଖୁନ ରେ ଲାଲେଲାଲ ହେଇଯାଏ।

ସେତକ ଦେଖିଦେଲାପରେ ଗଫର ହାତର ଚାକୁ ବକରିର ଗର୍ଦ୍ଦନ ଉପରେ ଚାଲିଲା ବେଳେ ଥରି ଉଠେନାହିଁ।

ମୋଟା କାଚବାଲା ଚାଳିଶିଆ ଚଷମାର କଚକୁ ଭଲକରି ପୋଛି ଆଖିରେ ଲଗାଇ ଅଖବାର ଉଠେଇନେଲା ଗଫର। ପ୍ରଥମ ପୃଷ୍ଠାରେ ପହିଲି ଖବରଟା ଉପରେ ନଜର ପଡିଯିବା ମାତ୍ରେ ଚାଇଁ କରି ନିଆଁ ଲାଗିଗଲା ଗଫରର ସାରା ଦେହରେ।ହାତମୁଠା ଟାଣ ହେବା ସଙ୍ଗେସଙ୍ଗେ ସିରାଳ ବାହୁର ପେଶୀ ଖୁବବେଶି ଫୁଲିଉଠିଲା। ଚଷମାର ମୋଟା କାଚତଳେ ତା'ର ଆଖିଡୋଳା ଦୁଇଟି ଜମାଟ ବନ୍ଧା ବକରି ର ଖୁନ ଭଳି ଲାଲ ହେଇଗଲା।

"ଗଦ୍ଦାର କୋ କଭି ନେହିଁ ଛୋଡେଙ୍ଗେ।" - ଖୁବ ଚଢା ସ୍ୱରରେ ଏତିକି କହି ସ୍ପ୍ରିଂଗ ଭଳି ଛାଟିହେଇ ଉଠି ଠିଆହେଲା ଗଫର । ତାପରେ, ଟିଣ ବେଞ୍ଚ ଉପରେ ପଡିଥିବା ସବୁଠାରୁ ଓଜନିଆ ଚାକୁ ଦୁଇଟାକୁ ଉଠେଇ ନେଇ ଦରବାଜା ପାଖରେ ପଡିଥିବା ପଥର ଉପରେ ଘସିଘସି ଦାଢ ପଜେଇଲା ବେଳେ ସୈତାନ ଭଳି ଜଣାପଡୁଥିଲା ସେ।

ବେଶ କିଛି ସମୟ ପରେ ଚକଚକ କରୁଥିବା ଧାରକୁ ହାଲକା ହାତରେ ପରଖି ନେଇସାରିବା ପରେ ତା ମୁହଁରେ ଫୁଟି ଉଠିଲା ଭିନ୍ନ ଧରଣର ଏକ ପ୍ରଶାନ୍ତ ଭାବ।

ହତିଆର କୁ ଯତ୍ନର ସହ ଟିଣବେଞ୍ଚ ଉପରେ ଥୋଇଦେଇ ଚାଳିଆ ଭିତରେ ଦାଉଣୀରେ ବାନ୍ଧିଥିବା ବକରା ମାନଙ୍କ ଗର୍ଦ୍ଦନରୁ ଫାସ ଖୋଲି ରାତାରାତି ଆଜାଦ କରିଦେଲା ଗୋଟିଗୋଟି କରି ସମସ୍ତଙ୍କୁ ଏକସଙ୍ଗେ।

ବିସ୍ତର ପାଖକୁ ଆସି ସବୁଦିନ ପରି ମାଟିକୁ ଛୁଇଁ ମୁଣ୍ଡ ଉପରେ ହାତ ବୁଲେଇ ଆଣି ବିସ୍ତର ଉପରେ ଲୋଟିଗଲା ଗଫର।

-------------- ( ୫ ) -------------

ସକାଳ ସାତଟା ବାଜିଲା ଅଥଚ ଗଫର ମିଆଁର ଦୋକାନ ଖୋଲୁ ନଥିଲା ଆଜି।

ନିରାଶ ଗରାଖ ମାନେ କଥା ହେଉଥିଲେ, "ଗଫର ଭାଇ ଦୋକାନ ଆରମ୍ଭରୁ ଆଜିଯାକେ ଆଇଁଶ ବାରିରେ କେବେ ବନ୍ଦ ହେଇ ନଥିଲା। କିଛିଗୋଟେ ବଡ ଅସୁବିଧା ହେଇଥିବ ନିଶ୍ଚୟ। ଆଜିର ରବିବାରଟା ବିଲକୁଲ ବର୍ବାଦ ହେଇଗଲା...."

ଗଫରର ନିଦ ଭାଙ୍ଗିଲା ବେଳକୁ ସକାଳ ଆଠଟା ବାଜି ସାରିଥିଲା। ତରବରରେ ନିତ୍ୟକର୍ମ ସାରି ଲୁଙ୍ଗି ଓ କୁର୍ତ୍ତା ପିନ୍ଧିନେଲା। ଚମଡା ବ୍ୟାଗରେ ରାତିରେ ପଜେଇ ରଖିଥିବା ଚାକୁ ଦୁଇଟି ରଖି କାନ୍ଧରେ ଗଳେଇ ସାରି ପଟାରିଆ ଚାଦରଟା ଢାଙ୍କିହେଇ ପାଦ ବଢ଼େଇଲା ଆଗକୁ ।

ମଇଦାନରେ ପହଁଚିଲା ବେଳକୁ ସଭା ଆରମ୍ଭ ହେଇ ସାରିଲାଣି। ମନ୍ତ୍ରୀଙ୍କ ଭାଷଣର ଧାର ଭୟଙ୍କର ଭାବେ ତୀକ୍ଷଣ ଥିଲା। ଭାଷଣର ପ୍ରତ୍ୟେକ ଶବ୍ଦ ମଇଦାନରେ ସମବେତ ସହରଟାକୁ ନିଶବ୍ଦରେ ଦୁଇଫାଳରେ ଚିରି ଚାଲିଥିଲା । ବର୍ଷବର୍ଷ ଧରି ଅନଗିନତ ଖାସି କତଲ କରି,ବିନା ପାଣିଦିଆ ମାଂଶ ଦେଇ ସେ ଯେଉଁମାନଙ୍କୁ ଗୋଟିଏ କରି ରଖିଥିଲା ସେମାନେ ତା'ରି ଆଖି ସାମ୍ନାରେ ବାଣ୍ଟି ହେଇ ଯାଉଥିଲେ କମବେଶି ହେଇ ଦୁଇ ଭାଗରେ-ହିନ୍ଦୁ ଆଉ ମୁସଲିମ।

ନିଜ ଭିତରେ ନିଜେ ଖୁବ ଦ୍ରୁତ ବେଗରେ ପିଛିଲା ଦିନକୁ ଫେରି ଯାଉଥିଲା ଗଫର। ସେଥର ଏଇ ମନ୍ତ୍ରୀ ସଭା ସାରିବାର କିଛି ସମୟ ଭିତରେ ସାରା ସହରଟା ପାଲଟି ଯାଇଥିଲା ଗୋଟେ ବିରାଟ କତଲଖାନା ଆଉ ଛଡେଇ ନେଇଥିଲା ତା'ଠୁଁ ତା ଭାଇ ଫୈଜଲ ଓ ଫରଦିନ ଙ୍କୁ ସବୁଦିନ ପାଇଁ।

ତା'ପରେ ସେ ଜାଣିଥିଲା ଜମୀରକୁ ଭଲ ଚାକିରି କରେଇଦେବାର ପ୍ରଲୋଭନ ଦେଖାଇ ରାଜଧାନୀକୁ ଡକେଇ ନେଇଥିଲା ଏହି ମନ୍ତ୍ରୀ। ସେଇଠୁ ତାକୁ କେମିତି କଣ କରି ବୁଝେଇସୁଝେଇ ପଠେଇ ଦେଇଥିଲା କେଉଁଗୋଟେ ଆତଂକବାଦୀ ଶିବିରକୁ।

ଭାବନାରୁ ଫେରି ମଞ୍ଚ ଉପରକୁ ଚାହିଁଲା ଗଫର। ଭାଷଣ ଦେଉଥିବା ମନ୍ତ୍ରୀ ଜଣକ ତାକୁ ହଠାତ ଚିକିଣିଆ ଖାସିଟିଏ ଭଳି ଦେଖାଗଲା। ସଭା ମଞ୍ଚର ଠିକ ସାମ୍ନାକୁ ଯାଇ ପଛକୁ ଚାହିଁଲା ଗଫର। ତାକୁ ଲାଗିଲା ଆଜିର ରବିବାରରେ ତା ଦୋକାନ ସାମ୍ନାରେ ଶୁଖିଲା ମାଂଶ ପାଇଁ ଗରାଖ ମାନେ ଭିଡ ଭାଙ୍ଗୁଛନ୍ତି। ପଛରେ ଖାସି,ସାମ୍ନାରେ ଗରାଖ, ମଝିରେ ଗଫର ମିଆଁ। ତା'ର ମନ ତାକୁ କହିଲା ," ଗଫର ମିଆଁ, ଆଉ ଡେରି କରନା, ଚାକୁ ବାହାର କରି ତୁରନ୍ତ କତଲ କରିଦେ ଖାସିକୁ ।ଗରାଖ ମାନେ ମାଂସ ନ ପାଇଲେ ଗତଥର ଭଳି ଏଥରବି ପରସ୍ପରର ମାଉଁଶ ଖାଇବା ପାଇଁ ପ୍ରସ୍ତୁତ ହେଇଯିବେ। ଜଳଦି କର।"

ଆଉ ଅପେକ୍ଷା କରିବାକୁ ଉଚିତ ମାନିଲା ନାହିଁ ଗଫର। ମଞ୍ଚ ଉପରକୁ କୁଦି ପଡିଲା ସେ। କାନ୍ଧରେ ଝୁଲୁଥିବା ବ୍ୟାଗରୁ ଶାଣଦିଆ ଚାକୁଟାକୁ ବାହାର କରି ଆଖି ପିଛୁଡାକେ ଚଳେଇ ଦେଲା ଖାସିର ଗର୍ଦ୍ଦନ ଉପରେ।ମୁହୂର୍ତ୍ତକ ଭିତରେ ଖାସିର ଖୁନରେ ଲାଲେଲାଲ ହେଇଗଲା ସଭାମଞ୍ଚ। କଟାମୁଣ୍ଡଟାକୁ ବାଁ ହାତରେ ଧରି ପଛକୁ ଫେରି ଚାହିଁଲା ଗଫର। ଦୁଇଭାଗରେ ବାଣ୍ଟି ହେଇଯାଉଥିବା ସବୁ ଲୋକ ତା ଦୋକାନ ସାମ୍ନାର ଗରାଖ ମାନଙ୍କ ପରି ମିଶି ଏକାକାର ହେଇ ଧାଇଁ ପଳାଉ ଥିଲେ।

ପୁଲିସମାନେ ମାଡିବସି କାବୁ କରିନେଇଥିଲେ ଗଫରକୁ। ଗଫର ମୁହଁରେ କୌଣସି ଭାବାନ୍ତର ପରିଲକ୍ଷିତ ହେଉନଥିଲା। ନା ଅପରାଧବୋଧ ନା ଅନୁତାପ। ତା ଆଖିରେ ଫୁଟି ଉଠୁଥିଲା କେମିତି ଏକ ଆତ୍ମତୃପ୍ତିର ଭାବ। ମେହେନ୍ଦି କରା ଦାଢ଼ି ଉପରେ ହାତ ବୁଲେଇ ଆଣି ଖୁବଜୋରରେ ହସିଉଠିବା ସଙ୍ଗେ ସଙ୍ଗେ ମନକୁ ମନ କହିଲା," ଲଗତା ହୈ ଆଜ ସବକୋ ସୁଖା ଗୋସ ଚାହିଏ ଥା ! ମୁଝେ କ୍ୟା ପତା ଥା କି ଇସମେଂ ଖୁନ କମ ପାନି ଇତନା ଜ୍ୟାଦା ହୋଗା !! "

-------ସମାପ୍ତ------

©ବିନୟ ଭୂଷଣ ପାଣିଗ୍ରାହୀ

ନୀଳାଦ୍ରି ବିହାର, ଭୁବନେଶ୍ୱର-୨୧

୯୪୩୮୬୭୦୧୨୦/୯୯୩୭୫୪୮୪୩୧

-------------------------------

ହରସିଂ ପୁର,ପିରହାଟ ବଜାର,ଭଦ୍ରକ।

ଗରାଖ ମିଲାବଟ ପାକିସ୍ତାନ

Rate the content


Originality
Flow
Language
Cover design

Comments

Post

Some text some message..