Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନମ୍ୟାଚୁୟର୍ ଗାର୍ଲ
ଅନମ୍ୟାଚୁୟର୍ ଗାର୍ଲ
★★★★★

© ସ୍ତୁତିରେଖା ମିଶ୍ର

Others Romance Tragedy

16 Minutes   4.4K    10


Content Ranking

― ପ୍ରେମରେ ସୀମା ନ ଡେଇଁଲେ ପ୍ରେମର ପରିଭାଷା ବୁଝା ପଡେନି । ଆଉ ଜାଣ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଣ ? ପ୍ରେମ ସେଇଠି ସୀମା ଡେଇଁ ଯାଏ ଯେଉଁଠି ପାଇଯିବା ସମ୍ଭବ ହୁଏନି । ଅପ୍ରାପ୍ତି ହିଁ ସୃଷ୍ଟି କରେ ଅସୀମ ପ୍ରେମର ଧାରାଟିଏ।

― ସେଇ ଅପ୍ରାପ୍ତି ହିଁ ଆମ ପ୍ରେମର ମୂଳଦୁଆ । ମୁଁ ଜାଣେ ତୁ ମୋ ପାଇଁ ଅଖୋଲା ବହି ଟିଏ ପରି । ସାରା ଜୀବନ ମୋ ବହି ଥାକରେ ରହି ପାରିବୁ ସତ ।କିନ୍ତୁ ଖୋଲି ପଢ଼ିନେବାର ଅନୁମତି ମୋ ପାଖେ ନାହିଁ। ତୁ ଏତେ ପାଖରେ ଥାଇ ବି ମୋ ଠାରୁ ଯୋଜନ ଯୋଜନ ଦୂରରେ । ତୋର କଣ ଥରେ ବି ଇଚ୍ଛା ହୁଏନି ମତେ ପାଇ ଯିବାକୁ ???

― ନା !!ମୁଁ ତୁମକୁ ପାଇବାକୁ ପାଇବାକୁ ଚାହେଁନି । କାରଣ ମଣିଷର ପ୍ରକୃତି ହେଉଛି ପାଇବା ପରେ ମୂଲ୍ୟ ଭୁଲିଯିବା। ତୁମେ ମୋ ପାଇଁ ଏଇମିତି ଅମୂଲ୍ୟ ହୋଇ ରହିଥାଅ ସାରା ଜୀବନ !ଆଉ ମୁଁ ବି ତୁମ ପାଇଁ ଅପ୍ରାପ୍ୟ ହୋଇ ରହିଯାଏ।

ସେଦିନ ସେ ଖୋଲା ବାଲକୋନି ଉପରେ ଅନେକ ମନ କଥା ଖୋଲି ସାରିଥିଲା । ଆଜିର ରାତି ଦିଲ୍ଲୀ ରେ ଶେଷ ରାତି । ତିନି ମାସ କେମିତି ସରିଗଲା ଜଣା ପଡ଼ିଲାନି ଟିକେ ବି। ମାହିରା ଆଉ ଅବିନାଶ ଭିତରେ ସମ୍ପର୍କ ଏକ ଭିନ୍ନ ମୋଡ଼ ନେଇ ସାରିଥିଲା ଉଭୟଙ୍କ ଜ୍ଞାତ ଅଜ୍ଞାତରେ !!! ସମ୍ପର୍କ ମାନେ ବି ବଡ଼ ବିଚିତ୍ର କେଜାଣି କେଉଁଠୁ ନିର୍ମୂଳୀ ଲତା ପରି ମନ ଭିତରେ ମାଡି ଯାଆନ୍ତି ବୁଝା ପଡେନି ।

ଠିକ ତିନି ମାସ ତଳେ ମାହିରା ପାଦ ଥାପିଥିଲା ରାଜଧାନୀ ଦିଲ୍ଲୀରେ , ଇନଟର୍ନସିପ୍ ପାଇଁ। ପ୍ରଥମ ଚେଷ୍ଟାରେ ଏତେ ବଡ଼ ମଲ୍ଟିନ୍ୟାସନାଲ କମ୍ପାନୀରେ ସୁଯୋଗ ପାଇଥିବାରୁ ବାପା ଯେତିକି ଖୁସି ଥିଲେ ଦିଲ୍ଲୀ ଯିବାକୁ ନେଇ ସେତିକି ଚିନ୍ତିତ। ମଣିଷ ଅନେକ କିଛି ଯୋଜନା କରେ କିନ୍ତୁ ଯୋଜନା ମୁତାବକ ଘଟଣା କେତେ ଘଟେ ତା କହିବା ମୁସ୍କିଲ। ସମୟ ସହିତ ଏମିତି କିଛି ଘଟଣା ଜୀବନ ଭିତରେ ଘଟି ଯାଏ ଯାହା କେବଳ ଜୀବନର ମୋଡ଼ ନୁହେଁ ବଞ୍ଚିବାର ମୂଲ୍ୟବୋଧ ବି ବଦଳେଇ ଦିଏ ଅନାୟାସରେ ।

― ୟୋର ପ୍ଲାନ୍ସ ଆର୍ ଗୂଡ଼ !! କମ୍ ସମୟରେ ଭଲ ପ୍ରଡକ୍ଟଟିଭ ହେବ !! ମୁଁ ଚାହିଁବି ତୁମେ କାମ ଠିକ ଭାବେ କରି ଦେଖାଅ। ପ୍ଲାନ କରିବା ସହଜ ମିସ୍ ......

― ମାହିରା !!

― ଓକେ !! ମିସ୍ ମାହିରା !! ମୁଁ ଇଛୁକ ଯେ ତୁମେ ନିଜ ଯୋଜନା ଅନୁସାରେ ଉପଯୁକ୍ତ କାମ କର।

― ସିଓର୍ !! ସାର୍ ! ମୁଁ ମୋର ପୁରା ପରିଶ୍ରମ କରିବି।

― ଲେଟସ୍ ସି ! କିନ୍ତୁ ମୁଁ ତୁମ ଯୋଜନା ଦ୍ୱାରା ପ୍ରଭାବିତ ।।

ସେଲସ୍ ବିଭାଗର ଏ. ଜି .ଏମ୍ ଅବିନାଶ ଦାଶ । ଅଫିସର ସବୁ ଠାରୁ ରୁକ୍ଷ, ରାଗି ଆଉ କର୍ମ କୁଶଳ ଲୋକ। କାମରେ ଟିକେ ଭୁଲ କ୍ଷମା କରନ୍ତି ନାହିଁ। ପାଟି ଶୁଣିଥିବା ଲୋକଙ୍କ ସଂଖ୍ୟା ଖୁବ ଅଧିକ । ପ୍ରସଂଶା ପାଇଛନ୍ତି ହାତ ଗଣତି କେଇଜଣ । ସେଇ ତାଲିକାରେ ମାହିରା ମିଶି ସାରିଥିଲା । ଖୁବ୍ ଖୁସି ହୋଇ କାମରେ ମନ ଦେଲା ମାହିରା । ନିଜକୁ ପ୍ରମାଣ କରିବାର ଝୁଙ୍କ ମଣିଷକୁ ଖୁବ୍ ଶକ୍ତ ଓ ସମର୍ଥ କରିଦିଏ। ତିନି ମାସ ସମୟ ଯେମିତି ବି ହେଉ ଟାର୍ଗେଟ ପୁରା କରିବାକୁ ହେବ। ରାତି ଦିନର ପାର୍ଥକ୍ୟ ହୁଏତ ଭୁଲି ସାରିଥିଲା ମାହିରା। ଏଇ ଭିତରେ ଅନେକ ଥର ଗାଳି ବି ଶୁଣି ସାରିଥିଲା ଅବିନାଶ ସାର୍ ଙ୍କ ଠାରୁ। ପ୍ରତିଥର ନିଜକୁ ସଜାଡ଼ିବା ପାଇଁ ପୁରା ଚେଷ୍ଟା କରେ ସେ । ସଫଳ ବି ହୁଏ ,କିନ୍ତୁ ଅବିନାଶ ସାର୍ ଙ୍କ ପ୍ରତି ଭୟ ଟାଏ ବସି ସାରିଥିଲା ମନରେ।

ସେଦିନ ଲିଫ୍ଟର ସ୍ୱିଚକୁ ବାରମ୍ବାର ଟିପୁଥିଲା ମାହିରା। ବାରଟା ହେଲାଣି । ହଷ୍ଟେଲ ବାରଟା ରେ ବନ୍ଦ । ଆଉ ଭିତରୁ ଯିବାକୁ ମିଳିବନି। ଅଯଥା ଗୁଡାଏ ଏକ୍ସପ୍ଲାନେସନ ଦେବାକୁ ହେବ। ଆଜି ହିଁ ଲିଫ୍ଟ ଟା ବେଶି ଡେରି କରୁଥିଲା। ଆଉ ଲିଫ୍ଟ ଖୋଲିଲା ସାଙ୍ଗରେ ସରପ୍ରାଇଜ ଟାଏ ନେଇ । ଲିଫ୍ଟ ଭିତରେ ଅବିନାଶ ସାର୍।

― ଏଯାଏଁ ଯାଇନ ???

― କାମ ଟିକେ ବାକି ଥିଲା। କାଲି କୌଣସି ମତେ ରିପୋର୍ଟ ଦେବାକୁ ହେବ। ଏବେ ବାହାରିଲି।

― ରାତି ବାରଟା ହେଲାଣି ମାହିରା। ତୁମେ ଏକା ଯିବା ଠିକ ହେବନି ଆସ ମୁଁ ଛାଡିଦେବି ହଷ୍ଟେଲରେ।

― ଧନ୍ୟବାଦ ସାର୍।

ଦିଲ୍ଲୀର ଟ୍ରାଫିକ କେବେକେବେ କୋଡିଏ ମିନିଟର ବାଟକୁ ଦେଢ଼ ଘଣ୍ଟା ଲଗେଇ ଦିଏ। ଅଟକି ଅଟକି ଚାଲୁଥିବା କାର ଭିତରେ ଅବିନାଶ ସାର୍ ଙ୍କୁ ବାରମ୍ବାର ଦେଖୁଥିଲା ମାହିରା । ଗୋଲ ଚଷମା , ବଡ଼ ବଡ଼ ଆଖି, ଫ୍ରେଞ୍ଚ କଟ ଦାଢ଼ି, କେବେ ବି ହସୁନଥିବା ଓଠ ମୋଟାମୋଟି ତିହାର ଜେଲର ଜେଲର ପରି ଭାବମୂର୍ତ୍ତି । କିଛି ଭାବ ନଥାଇ କଣ ମଣିଷ ବଞ୍ଚିପାରେ। ହୁଏତ ନିଖୁଣ ଅଭିନେତା ଟାଏ ହିଁ ଲୁଚାଇ ପାରେ ନିଜ ମନର ଭାବ ସବୁକୁ ପୁଡି ପୁଟୁଳି ଭିତରେ। ମୋବାଇଲ ରେ ଗୀତ ଲଗେଇଦେଲା ମାହିରା ।

― ଡ୍ରାଇଭ କରିବାବେଳେ ଗୀତ ଭଲ ନୁହେଁ ମାହିରା। ଧ୍ୟାନ ହଟିଲେ ଖୁବ ସହଜରେ ଦୁର୍ଘଟଣା ହୁଏ ଏଠି।ଦିଲ୍ଲୀ ସହର ସାଧାରଣ ନୁହେଁ।

― ସରି ସାର୍।

― ତୁମେ ହେଡ ଫୋନରେ ଶୁଣିପାର। ତେବେ ଦିଲ୍ଲୀ ଦେଖିଲଣି କି ନାହିଁ। ଅନେକ କିଛି ଭରି ରହିଛି ଏଠି ଇତିହାସ ଠାରୁ ଆରମ୍ଭ କରି ଭବିଷ୍ୟତ ଯାଏଁ ।

― ଏକୁଟିଆ ବୁଲିବାକୁ ଭଲ ଲାଗେନି। ହଷ୍ଟେଲ ମେଟ ପ୍ରାୟ ବିହାରି ତାଙ୍କ ସହ ମିଶିବାକୁ ଭଲ ଲାଗେନି।ତେଣୁ ଛୁଟି ଦିନରେ ପ୍ରାୟତଃ ଲାପଟପ ଆଉ କିଛି ପୁରୁଣା ଫିଲ୍ମ।

― ଏଥର ରବିବାର ଦିଲ୍ଲୀ ବୁଲିବା ପ୍ଲାନ କଲେ କିଛି ଅସୁବିଧା ନାହିଁ ତ ?

ଆଶ୍ଚର୍ଯ୍ୟ ହେଲା ମାହିରା ଅବିନାଶ ସାର୍ ବୁଲିବା କଥା କହୁଛନ୍ତି ନା ଅଧିକା କାମର ଚାପ ଯୋଗୁଁ ହ୍ୟାଲୁଜିନେସନ ହେଲାଣି ତାକୁ । ପଥରରୁ ପାଣି ବାହାରି ପାରେ ବୋଲି ଶୁଣିଥିଲା ସେ ଝରଣା ବି ଦେଖିଚି ଅନେକ, କିନ୍ତୁ ଜେଲର୍ ଅବିନାଶ ସାର୍ ଆଉ ଆଉଟିଂ ଜମା ସାଧାରଣ ନୁହେଁ।

―କଣ ଭାବୁଛ ? କିଛି ଅସୁବିଧା ଅଛି କି ?

― ନୋ ! ମୁଁ କେବେ ଠୁ ଚାହିଁ ବସିଛି ଦିଲ୍ଲୀ ଦେଖିବାକୁ।

― ତାହେଲେ ଏ ରବିବାର । ହଷ୍ଟେଲ ବାହାରେ ଦେଖା ହେବ।

ଅବିନାଶ ସାର୍ ଙ୍କ କହିବା ଯୋଗୁଁ ହଷ୍ଟେଲରେ ଏଣ୍ଟ୍ରି ମିଳିଲା । ଗଡି ପଡିଲା ମାହିରା ଫ୍ରେସ ନ ହୋଇ।କିନ୍ତୁ ନିଦ ନାହିଁ। ଅବିନାଶ ସାର୍ ଆଜି ନୂଆ ଲାଗୁଥିଲେ ତାକୁ। ଅଫିସର ରୁକ୍ଷ ସ୍ୱର ନ ଥିଲା କେଜାଣି କେମିତି ଗୋଟେ ଆଦ୍ରତା ଥିଲା ତା ପ୍ରତି।

ମଣିଷ ଭିତରେ ସବୁବେଳେ ଆଉଟେ ମଣିଷ ଲୁଚି ବସିଥାଏ। ଯାହା ଏକାନ୍ତରେ କିମ୍ବା ଏକାନ୍ତ ନିଜର ପାଖରେ ଧରାପଡ଼େ। ନଚେତ ପ୍ରତି ମଣିଷ ଟିଭି ସିନେମାର ଅଭିନେତା ଠାରୁ ମଧ୍ୟ ବେଶ ଭଲ ଅଭିନୟ କରେ ସାରା ଜୀବନ। ଗୁଡାଏ ଝାଳରେ ଭିଜି ଯାଇଥିଲା ମାହିରା। ଅଫିସ ଆଉଟଫିଟ ରେ ନିଦ ହେବା ସମ୍ଭବ ନୁହେଁ।ବାଧ୍ୟ ହୋଇ ପୋଷାକ ବଦଳେଇଲା । ଫୋନ ଟା ଚାର୍ଜ କରୁ କରୁ ଅବିନାଶ ସାର୍ ଙ୍କ ମେସେଜ

― ରୂମରେ ଠିକରେ ପହଁଚିଲ ତ ? ୱାର୍ଡନ କିଛି କହିଲେ ମତେ ଜଣାଇବ ।

― ଧନ୍ୟବାଦ ସାର୍। ମୁଁ ପୁରା ଠିକ ଅଛି । ଶୁଭ ରାତ୍ରି।

ଆଉ କିଛି ଟାଇପ କରୁଥିଲେ ଅବିନାଶ ସାର୍ ଶୁଭରାତ୍ର ପରେ ରଖିଦେଲେ ।ସେ ବି ଶୁଭରାତ୍ର କହି।

........

ସେଦିନ ରବିବାର । ପୁରା ଦିନ ଅନେକ ସ୍ଥାନ ବୁଲିବାର ଲମ୍ବା ଲିଷ୍ଟ ଟାଏ ଧରି ବାହାରି ପଡିଲେ ଦୁହେଁ। ଇଣ୍ଡିଆ ଗେଟ , ଜନ୍ତର ମନ୍ତର , ପୁରୁଣା କିଲ୍ଲା ସବୁ ଜାଗା ବୁଲିବୁଲି ଶେଷରେ ପହଁଚିଲେ ଜାତୀୟ ବିଜ୍ଞାନ କେନ୍ଦ୍ରରେ। ପୁରା ଦିନ ଅବିନାଶ ସାର୍ ଙ୍କ ଠାରୁ ଦିଲ୍ଲୀର ଇତିହାସ ଶୁଣି ଶୁଣି ମାହିରା ଏକ ରକମ ଚିଡି ଯାଇଥିଲା। ତା ସହ ବୋରିଂ ଟ୍ରାଡିସନାଲ ଲଞ୍ଚ। ଏଥର ବିଚାରିକୁ ଶୁଣିବାକୁ ପଡିଲା ବିଜ୍ଞାନର ନାନାଦି ଟ୍ରିକ ସବୁ। ମନେ ମନେ ବିରକ୍ତ ହେଉଥିଲେ ବି କିଛି କହିପାରୁ ନଥିଲା । ବଡ଼ ଲୋକଙ୍କ ସହ ବୁଲିବାରେ କିଛି ମଜା ନଥାଏ । ଦିନ ସାରା ଟ୍ୟୁସନ ପୁଣି ଡ଼ରରେ ଗୋଟେ ବି ସେଲ୍ଫି ନେଇ ପାରିନି ସେ। ପୁରା ବୁଲିବା ବେକାର ହେଇଗଲା। ଫେରିଯିବାକୁ ଖୁବ୍ ଇଛା ହେଉଥିଲା ମାହିରାର । ହଠାତ ଅବିନାଶ କହିଲେ

― ଚାଲ ଆଇସ କ୍ରିମ ଖାଇବା ।

ଆଶ୍ଚର୍ଯ୍ୟ ହୋଇ ଚାହିଁଲା ମାହିରା । ପୁଣି ଗୋଟାଏ ଝଟକା କଲେଜର ସବୁ ଠାରୁ ଭୟାନକ ଅଧ୍ୟାପକ ମନେ ହେଉଥିବା ଅବିନାଶ ସାର୍ ଆଉ ଆଇସ କ୍ରିମ। ସେ ଆଉ ଜମା ବୁଝିପାରୁ ନ ଥିଲା ଯେ ପ୍ରକୃତରେ ଅବିନାଶ ସାର୍ ଙ୍କୁ ନେଇ କଣ ଧାରଣା ରଖିବ ସେ।

― ପୁଣି କଣ ଭାବିବାରେ ଲାଗିଗଲ ??ତୁମେ କଣ କଥା କୁହନି ?? ପୁରା ଦିନ ଚୁପ ଚାପ ଅଛ ??

― ଆପଣ ସିନା କହିବାକୁ ଦେଲେ କହିବି । ପୁରା ଦିନ ଗୁଗୁଲ ପରି ଇତିହାସ ,ଭୂଗୋଳ ବିଜ୍ଞାନର ଗୁଡାଏ ଜ୍ଞାନ ଦେଇସାରିଲେଣି ମତେ । ଆଉଟିଂ ଅପେକ୍ଷା ଷ୍ଟଡ଼ି ଟୁର୍ ବେଶୀ ଲାଗୁଛି ।

ମନ ଖୋଲା ହସ ଟାଏ ହସିଲେ ଅବିନାଶ ସାର୍ !!

― ୟୁ ଆର ସୋ ଅନମ୍ୟାଚୁୟର !!

― ଅନମ୍ୟାଚୁୟର !! ନା ତ ସାର୍ ଇମମ୍ୟାଚୁୟର ହୁଏ ନା ?

― ଗୁଗୁଲରେ ଦେଖିନେବ !! ଆଇସ କ୍ରିମ ଖାଇବା ଚାଲ !!

― ଶୁଣିଛି ଦିଲ୍ଲୀର ଷ୍ଟ୍ରିଟ ଫୂଡ଼ ଭଲ ମିଳେ !! ଯିବା ??

ଏଥର ବିଜ୍ଞାନ କେନ୍ଦ୍ରରୁ ଗାଡି ବୁଲିଲା ପରାଠା ଗଳି ଆଡ଼କୁ। କୁଲଫି ଖାଇବା ଆରମ୍ଭ ହେଲା। ଖୁବ୍ ମନ ଦେଇ କୁଲଫି ର ମଜା ନେଉ ନେଉ ଚିରା ଚରିତ ଭାବେ ନାକରେ ଲଗେଇ ସାରିଥିଲା ମାହିରା । ଅବିନାଶ ସାର୍ ଙ୍କ ରୁମାଲ ଛୁଆଁ ରେ ଚମକି ପଡିଲା ମାହିରା।

― ତୁମେ ପୁରା ପିଲା ମାହିରା । ବୟସରେ ବଢି ଯାଇଛ ସିନା କାମ ସବୁ ପିଲା ଭଳି । ଫୋନ ଦେବା ବେଳେ ତୁମ ଆଖିର ଡ଼ର ଦେଖିଛି ମୁଁ। ସ୍କୁଲର ହେଡ ସାର୍ ଙ୍କୁ ଏମିତି ଡରୁଥିଲୁ ଆମେ।

― ମୁଁ ପିଲା ନୁହେଁ । ଛୋଟ ପିଲା କଣ ଅଫିସରେ କାମ କରନ୍ତି ??

― ହା ହା !! ଏଥିରୁ ତ ପ୍ରମାଣିତ ଯେ ତୁମେ ଏବେ ବି ନୂଆ ନୂଆ କଲେଜ ପଢ଼ୁଥିବା ଝିଅ ଟିଏ । ବୟସ ଟା ଆଗୁଆ ବଢି ଅଫିସ ଯାଏଁ ପହଂଚି ସାରିଲାଣି। ଏଥର ଯିବା ??

ଗାଡି ପୁଣି ରହି ରହି ଗଡ଼ିଲା ଦିଲ୍ଲୀର ଗହଳି ଭିତରେ । ଏଥର ନୂଆ ଦିଶୁଥିଲେ ଅବିନାଶ ସାର୍। ସେ ଗୋଲ ଚଷମା , ହସୁ ନଥିବା ଓଠ ସବୁ ନୂଆ ଲାଗୁଥିଲା। ମାହିରା ଖୋଜୁଥିଲା ନିଜ ପାଇଁ ସାଙ୍ଗ ଟିଏ । କିନ୍ତୁ ଆଗରେ ଅନେକ ପ୍ରଶ୍ନ।

― ଆପଣଙ୍କ ପରିବାର ??

― ତୁମ ମ୍ୟାମ ବେଙ୍ଗାଲୁର୍ ରେ । ସେଠି ଚାକିରୀ। ପୁଅ ବି ତାଙ୍କରି ସହ ।ମୁଁ ଏଠି ଏକା ।

ଆଉ କିଛି କହିଲାନି ମାହିରା । ଝରକା ବାଟେ ବାହାରକୁ ଦେଖି କଣ ସବୁ ଭାବିଚାଲିଥିଲା। ଏକାନ୍ତ କଣ ମଣିଷକୁ ବାଧ୍ୟ କରେ ନିଜ ଭିତରେ ଲୁଚି ଯିବା ପାଇଁ??ହସ କାନ୍ଦ ରାଗ ରୁଷା ପାଇଁ କଣ ସାଥି ଟିଏ ନିହାତି ଦରକାର ?? ହଁ !!ହେଉଥିବ !! ନ ହେଲେ ଆଜି ପରି ଅବିନାଶ ସାର୍ ଙ୍କୁ ଆଉ କେବେ ହସିବାର ଦେଖିନି ସେ।

― ଗାଡି ରଖ ।।। ପ୍ଲିଜ !!!

ଅବିନାଶ ଅଧା ବ୍ରେକ ମାରୁ ମାରୁ ଗାଡିରୁ ଓଲ୍ହାଇଗଲା ମାହିରା । ତୀର ବେଗରେ ଦୌଡ଼ି ଯାଇ ଗୋଟାଏ କାର ଆଗରୁ ଟେକି ଆଣିଲା ବିଲେଇ ଛୁଆଟେ । ଅଳ୍ପକେ ବଞ୍ଚିଗଲା ନିଜେ । ଗାଡି ରାସ୍ତା କଡ଼କୁ ଥୋଇ ଦେଇ ଦୌଡ଼ି ଆସିଲେ ଅବିନାଶ । ହାତ ଧରି ଟାଣି ଆଣିଲେ ତାକୁ । ହାତ ଉଠେଇ ସାରିଥିଲେ ଏକ ରକମ।

― ତୁମର ମୁଣ୍ଡ କାମ କରେନି କି ? ଛୋଟ ପିଲା କି ? କିଛି ହେଇ ଯାଇ ଥାନ୍ତା !! ଏଟା ଦିଲ୍ଲୀ ଗାଁର ରାସ୍ତା ନୁହେଁ।

ମାହିରା ଶୁଣୁଥିଲା କି ନା ଜଣା ନାହିଁ ।ତନ୍ନ ତନ୍ନ ଖୋଜିବାରେ ଲାଗିଥିଲା ବିଲେଇ ଟିର ଦେହ । କିଛି କ୍ଷତର ଆଶଙ୍କାରେ । ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଅବିନାଶ । କେତେ ନିରୀହ ଭାବେ ଦେଖି ଚାଲିଛି ସେ। ନିଜକୁ ବିପଦରେ ପକେଇ ସାମାନ୍ୟ ବିଲେଇ ଟିଏ କୁ ରକ୍ଷା କରିବାର ସତ୍ ସାହସ କେବଳ ନିଷ୍କପଟ ପିଲାମାନରେ ହିଁ ରହିପାରେ। ମାହିରାର ପିଲାଳିଆମୀ ଆଗରେ ନିଜକୁ ଛୋଟ ଭାବୁଥିଲେ ସେ ।ଏତେ ନିରୀହ ମନ ଆଉ କାହିଁ ?? କେଜାଣି କେମିତି ଏକ ଆପଣାପଣ ଭରିଯାଇଥିଲା ମନ ଭିତରେ।

ମାହିରା ଫେରିଗଲା ହଷ୍ଟେଲ। ଅବିନାଶ ଘରକୁ ଆଉ କୁନି ବିଲେଇ ତା ମା ପାଖକୁ। ତା ମାକୁ ଖୋଜି ଦେବା ଯାଏଁ ମାହିରା ଫେରିବାକୁ ନାରାଜ ହୋଇ ଏଗାରଟା ବଜେଇ ଦେଲା। କେଜାଣି କାହିଁକି ବିରକ୍ତ ହେଲେନି ଅବିନାଶ । ଏ ସବୁ ପାଗଳାମି ଆଜି ଭଲ ଲାଗୁଥିଲା। ମଣିଷ ସବୁବେଳେ ଏମିତି ଜମା ଭଲ ଲାଗୁ ନଥିବା କଥା ଗୁଡାକ ବି ବେଳେ ଭଲ ଲାଗେ । ବେଳେ ନିଜ ଭିତରର ଅସଲ ଚେହେରାକୁ ସମାଜ ନାମକ ପ୍ରଣାମ ପତ୍ର ହାତରେ ଲୁଚେଇ ଦିଆ ଯାଏ । ବୟସ ସହିତ ଅନେକ କିଛି ବନ୍ଦ ହୋଇଯାଏ। ବାସ୍ ଯିଏ ବୟସ ସହ ବଡ଼ ହୁଅନ୍ତି ନାହିଁ , ସେଇ ମାନଙ୍କ ପାଖେ କିଛି ଟା ଖୁସି ବାକି ରହିଯାଏ। ଆଜି ଭାରି ଇଚ୍ଛା ହେଉଥିଲା ଅବିନାଶ ସାର୍ ଙ୍କର ପୁଣି ଥରେ ପଚିଶ ବର୍ଷକୁ ଫେରି ଯିବାକୁ। ମାହିରା ସହ ତାଳ ମିଶେଇ ଦୌଡ଼ିବାକୁ। ବିଲେଇ ଟେ ଧରିବା ପାଇଁ ଗାଡି ଆଗକୁ ଡେଇଁ ପଡ଼ିବାକୁ।ଇଛା ଟାଏ ସବୁ ବେଳେ ହୁଏ। କିନ୍ତୁ ତାକୁ ଗ୍ରହଣ କରିବାର ସାହସ କମ୍ ଲୋକଙ୍କ ପାଖେ ଥାଏ। ଯିଏ ଗ୍ରହଣ କରିନିଏ ସେ ହୁଏ ଅନମ୍ୟାଚୁୟର !!

ହଷ୍ଟେଲର ବେଡ଼ରେ ମାହିରା ପୁରା ଦିନର କଥା ଭାବୁଥିଲା। ଅବିନାଶ ସାର୍ ଙ୍କର ପ୍ରତିଥର ଗୋଟେ ନୂଆ ରୂପ। ଆଜି ଆଉ ଡର ଲାଗୁନଥିଲା ତାକୁ ।ଅବିନାଶ ସାର୍ ଏତେ ବି ଖରାପ ନୁହନ୍ତି ।ଟିକେ ରାଗି କିନ୍ତୁ ଖୁବ୍ ଭଲ। କାଲି ଦେଖା ହେଲେ ଭୁଲ ମାଗିନେବ ବୋଲି ଠିକ କଲା ମାହିରା । ଆଜି ଅକାରଣ ଗୁଡ଼େ ସମୟ ନଷ୍ଟ କରିଦେଲା ସେ ବିଲେଇ ପଛରେ।

ଟେବୁଲ ଉପରେ ଚକଲେଟ ଦେଖି ଆଶ୍ଚର୍ଯ୍ୟ ହେଲେ ଅବିନାଶ। ସରି କାର୍ଡ ସହ ଚକଲେଟ ଟିଏ । ଆହୁରି ହସିଲେ ସେ । ସତରେ ଛୋଟ ପିଲା ଟେ। କେଜାଣି କାହିଁକି କେବେ ଚୋକଲେଟ ଖାଉ ନ ଥିବା ଅବିନାଶ ଚୋକଲେଟ ଖୋଲି ଖାଇବାକୁ ଲାଗିଲେ ।ଚକଲେଟର ମିଠା ପଣ ସହିତ ସମ୍ପର୍କ ର ମିଠା ପଣ ବଢି ଚାଲିଥିଲା।

ସବୁ ରବିବାର ବୁଲା ଏଥର ଗୋଟେ ଅଭ୍ୟାସରେ ପରିଣତ ହେଲା । କେବେ ବେଲୁନ ଧରି ଖେଳିବା। କେବେ ଟେଡି ଵିୟର କିଣି ଖୁସି ହେବା । ଏସବୁ ଖୁବ ଭଲ ଲାଗୁଥିଲା ଅବିନାଶଙ୍କୁ। ମାହିରା ବି କମ୍ ଆଶ୍ଚର୍ଯ୍ୟ ନ ଥିଲା , ଅବିନାଶ ସାର୍ ଏଥର ଆଉ ବୟସ୍କ ଲାଗୁ ନ ଥିଲେ ତାକୁ । ତାଙ୍କ ଭିତରେ ସାଙ୍ଗ ଟିଏ ଖୋଜି ନେଇଥିଲା ସେ। ଗୋଟେ ସମ୍ପର୍କର ନିର୍ମୂଳି ମାଡିବା ଆରମ୍ଭ କରିଥିଲା ଉଭୟଙ୍କ ମନରେ ବିନା ଅନୁମତିରେ ।

ପ୍ରେମ କେବେ ଅନୁମତି ନେଇ ହୁଏନା କିମ୍ବା ଗାର କାଟି ସୀମା ଭିତରେ ରହି ପାରେନା। ମନର କଥା କେଉଁଠି ନା କେଉଁଠି ଜାଗା ଟିଏ ଖୋଜିନିଏ ଓଠ ପାରି କରିବାକୁ। ଏ ବିଷମ ବନ୍ଧୁତା କେତେବେଳେ ପ୍ରେମରେ ବଦଳି ସାରିଥିଲା ତାର ହିସାବ ଉଭୟଙ୍କ ପାଖେ ନ ଥିଲା।

― ତୋର କେହି ବୟ ଫ୍ରେଣ୍ଡ ନାହାଁନ୍ତି ??ପ୍ରେମ କରିନୁ କେବେ?

ହଠାତ ନିରବୀ ଗଲା ମାହିରା ! ପ୍ରେମ ! ଛନ୍ଦି ହୋଇଗଲା ଆଙ୍ଗୁଠି ଗୁଡିକ ତା ଅଜାଣତରେ ! ବେଶ କିଛି ସମୟର ନୀରବତା ଓ ମାହିରାର ଅର୍ନ୍ତଯୁଦ୍ଧ ! ପୁରୁଣା କ୍ଷତ ଗୁଡିକ ଭାରି କଷ୍ଟ ଦାୟୀ । ଯେତେ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ କେଉଁଠି ନା କେଉଁଠି ଉଖାରି ହୋଇପଡେ ! ମନର କ୍ଷତ ଆହୁରି ଜଟିଳ । ଅଦୃଶ୍ୟ କିନ୍ତୁ ଯନ୍ତ୍ରଣା ଗୁଡ଼ାଏ ଖୁନ୍ଦି ଦିଏ । ମାହିରାର ଟଣା ଟଣା ଆଖିର କଜଳ ଦେଇ ବୋହି ଯାଉଥିଲା ଦୁଇ ଟୋପା ଗରମ ପାଣି । ବେକ ଯାଏଁ ପହଂଚିବା ଆଗରୁ ଅବିନାଶର ହାତ ପହଞ୍ଚି ସାରିଥିଲା ଗାଲ ଯାଏଁ। ଚମକି ପଡିଲା ମାହିରା !! ସେଦିନ ଏଇମିତି ଲୁହରେ ଭିଜିବାକୁ ଛାଡି ଯାଇଥିଲା କେହି ଜଣେ । ଅନେକ ଲୁହ ଜମାଟ ବାନ୍ଧି ଯାଇଥିଲା ଆଖି ଭିତରେ । ଲୁହ ବି ବଡ଼ ବିଚିତ୍ର ଟିକିଏ ବାଟ ପାଇଲେ ବାହାରି ଆସେ ,ଆଉ ମନ ନିଜର ମଣୁଥିବା ଲୋକ ପାଖରେ ବେଶୀ ଆବେଗରେ ବେଶୀ ଉଷ୍ମତାରେ ବୋହି ଆସେ ମନର ସନ୍ତାପକୁ ସାଥିରେ ଧରି। ଅପ୍ରସ୍ତୁତ ହେଲା ମାହିରା !! ଲୁହ ପୋଛିଲା !!

― ମୁଁ ଯଦି ତୋ ସମକକ୍ଷ ହୋଇଥାନ୍ତି ତୋତେ ପ୍ରେମ ନିଶ୍ଚୟ କରିଥାନ୍ତି !

ଚୁପ ଚାପ ଉଠି ଆସିଲା ମାହିରା ଚାମ୍ବର ଭିତରୁ । ଡେ଼କ୍ସ ଉପରେ ଅନ୍ୟମନସ୍କ ଭାବେ ମନେ ପଡ଼ିଲା ସଙ୍କେତ । ତାର ବି ଠିକ ଏଇ ପରି ଦାବୀ । ଟିନ୍ ରେ ନୂଆ ନୂଆ ପାଦ ଥାପିଥିବା ମାହିରା ପାଇଁ ପ୍ରେମ ଏକ ଅଜଣା ଆକାଂକ୍ଷା । ବନ୍ଧୁତା ,ସ୍ନେହ ଯତ୍ନ ରେ ମିଶା ନୂଆ ଏକ ପ୍ରେମଯୋଡି ଗଣା ହେଲେ କଲେଜ ଲିଷ୍ଟରେ। ଗୁଡାଏ ସମୟ ସାଥିରେ କାଟିବା ; କ୍ଲାସ୍ ବନ୍ଦ କରି କଲେଜ ଛାତରେ ବସିବା ; ରାତି ସାରା ଫୋନରେ ଗପିବା ପରେ ବି କଥା ନ ସରିବା । ଗାଢ଼ ହୋଇ ଚାଲିଥିଲା ପ୍ରେମର ଅନୁଭବ । ସନ୍ତୁଷ୍ଟ ଥିଲା ମାହିରା , କିନ୍ତୁ ସଂକେତର ଇଛା ଭିନ୍ନ ଥିଲା । ମନ ନୁହେଁ ଦେହର ଆଖିରେ ଦେଖିଥିଲା ପ୍ରେମକୁ ସେ । ମାହିରା ପାଇଁ ଗ୍ରହଣ କରିବା ସମ୍ଭବ ହେଲାନି । ପ୍ରେମ କଣ କେବଳ ଦେହ ? ଦେହ ବ୍ୟତିରକେ ପ୍ରେମର ଅସ୍ତିତ୍ୱ ନାହିଁ ? ଦେହ ବାଣ୍ଟିବା ପାଇଁ ତ ଅଜଣା ଲୋକଟିଏ ବି ମିଳିଯିବ କେତେଟା ଟଙ୍କାର ବିନିମୟରେ । ପ୍ରେମର ସେଠି କି କାମ !ପ୍ରେମ ଏକ ନିଚ୍ଛକ ଅନୁଭବ, ବିଶ୍ୱାସର ସମ୍ପର୍କ । ସମର୍ପଣ ଥାଏ, ହାସିଲ କରିବାର ଇଚ୍ଛାକୁ ନେଇ ପ୍ରେମ ହୁଏନି । କିନ୍ତୁ ସଂକେତର ପ୍ରେମ ଓଠରୁ ଆରମ୍ଭ ହୋଇ ଛାତି ଯାଏଁ । ହୃଦୟର ବାଟ ତାକୁ ଅପହଞ୍ଚ ! ଦେହର ରୋମାଞ୍ଚ ଅପେକ୍ଷା ମନର ଆବେଗ ଫିକା ପଡ଼ିଯାଏ ତା ଆଗରେ । ସେଥିପାଇଁ ପ୍ରେମକୁ ଭରସି ପାରେନା ମାହିରା । ଆଜି ଆଉ ଥରେ ପୁରୁଣା କ୍ଷତ ତାକୁ ତାଜା କରିଦେଲେ ସାର୍ । ଲୁହ ମାନେ କଥା ମାନିବାକୁ ନାରାଜ ।

ଶୀଘ୍ର ଫେରିଗଲା ମାହିରା ଅବିନାଶ ସାର୍ ଙ୍କ ଅଜାଣତରେ । ସମାଜ ସହିତ ଯୁଦ୍ଧ ଖୁବ୍ ସହଜ ନିଜ ସହିତ ଅର୍ନ୍ତଯୁଦ୍ଧରେ ମଣିଷ ସବୁବେଳେ ପରାଜୟ ହିଁ ପ୍ରାପ୍ତି କରେ ।ତୁଳନାର ଲମ୍ବା ତାଲିକା ଟାଏ ଧରି ବସିଥିଲା ମାହିରା । ସଂକେତର ଜିଦ୍ , ଦାବୀ , ଅହେତୁକ ନିକଟତା ; ସାର୍ ଙ୍କର ଦାୟିତ୍ୱବୋଧ , ସ୍ନେହ , ଆକଟ ମିଶା ସ୍ୱାଧୀନତା । ସଙ୍କେତ ପାଖରେ ରୋମାଞ୍ଚ ମିଶା ଭୟ ; ସାର୍ ଙ୍କ ପାଖେ ନିର୍ବେଦ ସୁରକ୍ଷା ବୋଧ । କେଉଁଟା ପ୍ରେମ କଣ ପ୍ରେମର ପରିଚୟ ??

ଛୁଟି ନେଲା ମାହିରା । ଏକାନ୍ତରେ କଷ୍ଟ ତକ ଭୋଗିବାକୁ । କିଛି ସମୟ ଦୂରତା ହେଲେ ହୁଏତ ମୁକ୍ତି ପାଇଯିବ ଏ ପ୍ରେମର ବ୍ୟୁହରୁ । ଛୋଟ ପିଲାକୁ ଜହ୍ନ ବଦଳରେ ପ୍ରତିଛବି ଦେଖାଇ ଭୁଲେଇ ଦେବା ପରି ଦିଲ୍ଲୀ ସାରା ବୁଲି ବୁଲି ନିଜକୁ ବ୍ୟସ୍ତ ରଖିବାର ବ୍ୟର୍ଥ ପ୍ରୟାସ ଟାଏ କରୁଥିଲା ମାହିରା । ଅଠେଇଶି ଥର ମିସ୍ କଲ ଅଣଦେଖା କରିବା ପରେ ନିଜ ପାଖରେ ନିଜେ ବାଧ୍ୟ ହେଲା ମାହିରା !!

― ତୁମେ ମତେ ପ୍ରେମ କରିବା ଭୁଲ ।।।।

― ନା ! ପ୍ରେମ କରିବା ଭୁଲ ନୁହେଁ । ପ୍ରେମକୁ ଭୋଗି ନେବାର ବାଟ ଟା ବେଳେ ବେଳେ ଭୁଲ ହେଇଯାଏ। ମୁଁ ତତେ ପ୍ରେମ କରେ ତାର ଅର୍ଥ ନୁହେଁ ତତେ କୌଣସି ମତେ ବିଛଣା ଯାଏଁ ନେବାର ଇଚ୍ଛା ଟାଏ ରଖିବି। ସବୁ ବେଳେ ପ୍ରେମ ପ୍ରାପ୍ତି ନୁହେଁ । ବେଳେ ବେଳେ ଅପ୍ରାପ୍ତି ବି ପ୍ରେମର ପରିଭାଷା ସ୍ପଷ୍ଟ କରିଦିଏ।

― ତୁମକୁ ଡ଼ର ଲାଗୁନି ଏମିତି ସବୁ କଥା କହିବା ପାଇଁ ??

― ଡ଼ର ସେଠି ଲାଗେ ଯେଉଁଠି ମନରେ ପାପ ଥାଏ । ମୁଁ ତତେ ନିର୍ଭକ ଭାବେ ପ୍ରେମ କରେ।

― କିନ୍ତୁ ମୁଁ ଯେ ତୁମଠୁ ଅନେକ ସାନ । ତୁମେ ବିବାହିତ । ଏ କେମିତିକା ପ୍ରେମ ? ସମାଜ ଭଲ ଆଖିରେ ଦେଖେନି ଏସବୁ କୁ !! ତୁମ ନିର୍ଭୀକ ପଣିଆ ସମାଜ ଆଗରେ କଥା କହି ପାରିବ ତ ?

― ୟୁ ଆର୍ ରିୟଲି ଅନମ୍ୟାଚୁୟର !! ସବୁ ସମ୍ପର୍କକୁ ସାମାଜିକ ଷ୍ଟାମ୍ପ ମିଳେନି ମାହିରା !! କିଛି ସମ୍ପର୍କ କେବଳ ମନର କାଗଜ ପତ୍ରରେ ଚାଲେ। ପରଦା ପଛରେ ରହିବା ବନ୍ଦ କର । ତୁ ଚିନ୍ତା କରି କହ । ତୁ କଣ ମତେ ଭଲ ପାଇନୁ ???

― ଭଲ ପାଇବା ଅଲଗା କଥା !! ମୁଁ ମୋ ମା ବାବା ଭାଇ ସାଙ୍ଗ ସମସ୍ତଙ୍କୁ ଭଲ ପାଏ । ତୁମକୁ ବି ଭଲ ପାଏ । କିନ୍ତୁ ତୁମେ କହୁଥିବା ଭଳି ପ୍ରେମ କରେନି।

― ମୁଁ ଜମା ମିଛ କୁହେନି ତୁ ପୁରା ଛୋଟ ପିଲା । ବଡ଼ ହେବାକୁ ହେବ ମାହିରା । ଦେହରେ ନୁହେଁ ମନରେ। ତୋ ଟ୍ରେନିଂ ସରିବା ଆଗରୁ ମୁଁ ତତେ ବଡ଼ କରିଦେବି ।

….

ବଡ଼ ହେବାର ସଂଜ୍ଞା ବୁଝିବା ମାହିରା ପକ୍ଷରେ ବଡ଼ କଷ୍ଟକର ବ୍ୟାପାର ପାଲଟି ଯାଇଥିଲା। ସେଦିନ ରାତିରେ ଦର୍ପଣ ଆଗରେ ଠିଆ ହୋଇ ନିଜକୁ ଖୁବ ଗଭୀର ଭାବେ ଦେଖିଲା ସେ ହଁ ମୁଁ ତ ବଡ଼ ହୋଇ ସାରିଛି। ହଠାତ ମନେ ପଡିଲା "ଦେହରେ ନୁହେଁ ମନରେ " ମନରେ ବଡ଼ ହେବା ପୁଣି କେମିତିକା। କେତେକ ପ୍ରଶ୍ନର ଉତ୍ତର ଶବ୍ଦରେ ନ ଥାଏ।ଅନୁଭବ କରିହୁଏ କେବଳ !!

― ଏ କେବଳ ଏକତରଫା ପ୍ରେମ ଭିନ୍ନ ଅନ୍ୟ କିଛି ନୁହେଁ ।।

― ଏକ ତରଫା ପ୍ରେମ ବୋଲି କିଛି ନ ଥାଏ ମାହିରା। ତୁ ଯାହାକୁ ଏକତରଫା କହୁ ତା ଅପର ଲୋକର ଭୀରୁତା ଭାବେ ମୁଁ ଗ୍ରହଣ କରେ। ତୁ ମତେ ପ୍ରେମ ନ କରୁଥିଲେ ଏତେ ସବୁ କଥା ଶୁଣନ୍ତୁ କାହିଁକି। ଏ ବି ପ୍ରେମ । କେବଳ ତୋ ପିଲା ମନ ଗ୍ରହଣ କରିବାକୁ ସମର୍ଥ ନୁହେଁ। ସେତିକି ସାମର୍ଥ୍ୟ ମୋର କାମ୍ୟ !! ମୁଁ ତତେ ପରିପକ୍ୱ କରିବାକୁ ଚାହେଁ ସମ୍ପୂର୍ଣ୍ଣ କରିବାକୁ ଚାହେଁ !!

― ପ୍ରେମ କଣ ସ୍ୱୀକାର କରିବା ନିହାତି ଦରକାର ?? ନ କହି କଣ ପ୍ରେମ କରି ହୁଏନି ??

― ୟୁ ଆର୍ ରିୟଲି ଅନମ୍ୟାଚୁୟର୍ !!! ସ୍ୱୀକୃତି ବିନା ପ୍ରେମ ଭୀରୁତା ମାହିରା । ସାହସୀ ହ !! ହୃଦୟର ଇଛା କୁ ଗ୍ରହଣ କରିବାକୁ ସକ୍ଷମ ହେବାକୁ ହେବ !! ପ୍ରେମ ଏକ ଉର୍ଦ୍ଧ୍ବଗାମୀ ନିଶ୍ୱାସ , ନାକର ପୁଡା ବନ୍ଦ କରି ଧରିଲେ ପ୍ରାଣଘାତୀ ହେବ କିନ୍ତୁ ବାହାରି ଯିବାର ବାଟ ଟାଏ ଖୋଜି ନେବ ନିଶ୍ଚିତ ।। ରାତି ଅନେକ ତୁ ଚାହିଁଲେ ମୋ ନିଦ ନେଇପାରୁ !! ମୁଁ କିନ୍ତୁ ତତେ ସ୍ୱପ୍ନରେ ପାଇବାକୁ ଚାହେଁ !!

― ଗୂଡ଼୍ ନାଇଟ୍।

ମାହିରା ନିଜ ପାଖରେ ଅଟକି ଯାଇଥିଲା । ପ୍ରେମର ସଂଜ୍ଞା ସିନା ବୁଝି ପାରି ନଥିଲା । କିନ୍ତୁ ଅବିନାଶ ସାର୍ କଥା ସବୁ ଠିକ ଲାଗୁଥିଲା ତାକୁ।ପ୍ରେମ ପରିସ୍ଥିତିର ଅଧୀନରେ ନୁହେଁ, ପ୍ରେମ ସମୟକୁ ବଶୀଭୂତ କରିବା ଜାଣେ। ଇଚ୍ଛା କି ଅନିଚ୍ଛା ଅଜଣା ଥାଇ ମଧ୍ୟ ମନ ଭିତରେ କେହି ଜଣେ ମନକୁ ଆକର୍ଷିତ କରେ ନିବିଡ଼ ଭାବେ । ସେଇ ନିବିଡ଼ତା ଆଗରେ ଭୟର ଖୋଳପା ଛାଡିବାକୁ ହୁଏ । ପ୍ରେମର ଉଷ୍ଣତାକୁ ଅନୁଭବ କରିବାକୁ ହୁଏ ।

ଅବିନାଶ ସାର୍ ଙ୍କ ଠାରୁ ଯଥାସାଧ୍ୟ ଦୂରତା ରଖିବାର ଚେଷ୍ଟା ବାରମ୍ବାର କରି ମଧ୍ୟ ବିଫଳ ହେଉଥିଲା ମାହିରା। ମସ୍ତିଷ୍କ ସମ୍ପୂର୍ଣ୍ଣ ରୂପେ କାମରେ ବ୍ୟସ୍ତ ଥାଇ ମଧ୍ୟ ହୃଦୟ ଅଟକି ଯାଇଥିଲା ଅବିନାଶ ସାର୍ ଙ୍କ ଚାମ୍ବର କାଵଟ ସନ୍ଧିରେ!! ଡେଡ଼୍ ଲାଇନ୍ ଆଗରୁ କାମ ଶେଷ କଲା ମାହିରା। କେବଳ ଅବିନାଶ ସାର୍ ଙ୍କ ଆଗରେ ନିଜକୁ ମ୍ୟାଚୁୟର୍ ପ୍ରମାଣ କରିବା ନିମନ୍ତେ । କିନ୍ତୁ ତା ମ୍ୟାଚୁୟରିଟିର ଭିନ୍ନ ଏକ ସଂଜ୍ଞା ଦେଖୁଥିଲେ ଅବିନାଶ ସାର୍।

― ଏକ୍ସଲେଣ୍ଟ !! ଖୁବ ଭଲ କରି ପାରିଛ ତୁମେ !! ତୁମ ସେଲସ୍ ପ୍ଲାନ ଷାଠିଏ ପ୍ରତିଶତ ଅତିରିକ୍ତ ଲାଭ ଦେଇଛି। ମାହିରା ମୋର ଇଚ୍ଛା ତୁମେ ଆହୁରି ଆଗକୁ ଯାଅ !!

― ମୁଁ ଇମମ୍ୟାଚୁୟର୍ ନୁହେଁ !!!

― ନୋ !! ତୁମେ ଇମମ୍ୟାଚୁୟର୍ ନୁହେଁ ଅନମ୍ୟାଚୁୟର୍ !!!

― ମୁଁ ତୁମକୁ ପ୍ରେମ କରେ ଖୁବ୍ ଗୁଡାଏ !!

― ଶବ୍ଦରେ ନୁହେଁ ପ୍ରମାଣ ଦେ ଠିକ ତୋ ପ୍ଲାନର କାର୍ଯ୍ୟକାରିତା ପରି।। ଭୟ ନ କରି !! ଦ୍ୱନ୍ଦରୁ ବାହାରକୁ ଆସି ହୃଦୟ ଖୋଲି କହ ମତେ ପ୍ରେମ କରିବାକୁ ତୁ ସମର୍ଥ ବୋଲି !!

ଚୁପ ଚାପ ବାହାରି ଆସିଲା ମାହିରା !! ସମୟକୁ ସେଇଠି ରୋକି ହୃଦୟ ଖୋଲି ସତ କହିବାର ସାହସ ନ କରି ପାରି ନୀରବ ପରାଜୟ ସ୍ୱୀକାର କରି !! କଷ୍ଟର ଅନୁଭୂତ ମଣିଷକୁ ଅନେକ କିଛି ଶିକ୍ଷା ଦିଏ !! କଷ୍ଟ ଯେବେ ଛାତି ଭିତରେ ରକ୍ତ ସହିତ ପ୍ରତି ଶିରା ପ୍ରଶିରା ଦେଇ ପ୍ରବାହିତ ହୁଏ ସେତେବେଳେ ମଣିଷ ଅଣାୟତ ହୋଇ ପଡେ !! କେବଳ ନିଜକୁ ତୃପ୍ତ କରିବା ବ୍ୟତୀତ ଆଉ କୌଣସି ଆବଶ୍ୟକତା ବାକି ନ ଥାଏ !!

― ଆଜି ବି କାମ ବାକି ଅଛି ଯାଇନୁ ଯେ ???

― ତୁମକୁ ଅପେକ୍ଷା କରିଛି।

ରହି ରହି ଗଡୁଥିବା ଗାଡି ଓ ସେଇ ଜେଲର ଭଳି ଲାଗୁଥିବା ମଣିଷଟି ଆଜି ସମ୍ପୂର୍ଣ୍ଣ ନିଜର ଲାଗୁଥିଲା !! କିଛି ଗୋଟେ କହିବ କହିବ ହେଉଥିଲା ମାହିରା ।

― ଗାଡ଼ିରେ କେତେ ପେଟ୍ରୋଲ ଅଛି ??

― ଅଶୀ କିଲୋମିଟର ଯିବା ଭଳି ।।

― ଶେଷ ଯାଏଁ ଚଲେଇ ପାରିବ ??? ଗହଳିରୁ ବାହାରି !! ମୁଁ ତୁମକୁ ଏକାନ୍ତରେ ଭେଟିବାକୁ ଚାହେଁ !!

ଗାଡି ୟୁ ଟର୍ନ ନେଲା ସହରର ବିପରୀତ ଦିଗକୁ। କେବେ କେବେ ମଣିଷର ଇଛା ଅନେକ କିଛି କରିବସେ ।ଇଚ୍ଛା ଟାଏ ଆଦୌ ଅସଙ୍ଗତ ନୁହେଁ !! ଜୀବନ କାମନା ଉପରେ ପ୍ରର୍ଯ୍ୟବେସିତ !! ସନ୍ତୁଷ୍ଟ ତ କେବଳ ମୃତ୍ୟୁ ହିଁ ଦେଇପାରେ !! ପ୍ରାପ୍ତି ଓ ଅପ୍ରାପ୍ତି ଭିତରେ ଛୋଟିଆ ଦୂରତା ହିଁ ଜୀବନର ସଙ୍ଘର୍ଷ !!

― ପ୍ରେମ ରେ ପ୍ରମାଣ ଦେବା ପାଇଁ କଣ ଶାରୀରିକ ହେବାକୁ ପଡେ ??

― ନା ! ମ୍ୟାଚୁୟର୍ ହେବାକୁ ପଡେ । ସାହସୀ ହେବାକୁ ପଡେ। ଭୟକୁ ହୃଦୟରୁ କାଢି ପ୍ରେମକୁ ସ୍ଥାନିତ କରିବାକୁ ପଡେ ।

― ଟ୍ରେନିଂ ଆଉ ଚାରି ଦିନ ବାକି । ତା ପରେ ଆମ ବାଟ ଅଲଗା ।

― ଆମ ବାଟ କେବେ ଏକାଠି ନ ଥିଲା ମାହିରା !! କେବଳ ଛକି ଶୂନ ଖେଳ ପରି ଛେଦ କରିଥିଲା ଗୋଟାଏ ବିନ୍ଦୁରେ। ଛେଦ ବିନ୍ଦୁରେ ଗୁଡାଏ ଅନୁଭୂତି ସାଉଁଟି ନେଇ ଆଗକୁ ଯିବୁ ତୁ।

― ଆଉ ତୁମେ ??

― ଏଇମିତି ଏଇଠି ଜୀବନର ଗତି ସହିତ ଗତିଶୀଳ!!

ପେଟ୍ରୋଲ ପମ୍ପ ଆଗରେ ଗାଡି ରଖିଲେ ଅବିନାଶ ସାର୍ । ତୃପ୍ତ କରିଦେଲେ ଯନ୍ତ୍ରର ତୃଷ୍ଣା। ଏବେ ଆହୁରି ଆଗକୁ ଯାଇହେବ ହୁଏତ ନ ଫେରିବାର ଇଛା ଟାଏ ନେଇ , ଫେରିବାଟା ନିଶ୍ଚିତ ଜାଣି ମଧ୍ୟ। ଯେତିକି ସମୟ ମିଳିବ ଜିଇଁ ନେବା ହିଁ ଉଚିତ। ମଣିଷକୁ ଖୁସି ହେବାର ପୂର୍ଣ୍ଣ ଅଧିକାର ଥାଏ କୌଣସି ନିୟମ ନୀତି ଅବା ସମାଜକୁ ତୁଚ୍ଛ କରି। ବାସ୍ ସମାଜକୁ ଫାଙ୍କି ଦେବାର କଳା କିମ୍ବା ବଦନାମ ହେବାର ସାହସ ଗୋଟିଏ ଆବଶ୍ୟକ। ମାହିରା ଚିନ୍ତିତ ଥିଲା ନିଜର ମ୍ୟାଚୁୟରିଟିକୁ ନେଇ।

― ଆମେ କୁଆଡେ ଯିବା ??

― ଚିନ୍ତା କରିନି!! ଯଦି ଚାଂହୁ ଫେରିଯିବା !!

― ନା ! ଚାଲ ମତେ ଏ ଆନ୍ତରିକ ଦ୍ୱନ୍ଦରୁ ମୁକ୍ତି ଦିଅ।

― ଆନ୍ତରିକ ଦ୍ୱନ୍ଦ ନୂତନ ବ୍ୟକ୍ତିତ୍ୱକୁ ଜନ୍ମ ଦିଏ । ବ୍ୟକ୍ତିକୁ ସାର୍ଥକତା ଦିଏ। ଭାଲୁ ପୋକର ଖୋଳପାରୁ ପ୍ରଜାପତିକୁ ଜନ୍ମ ଦିଏ। ତତେ ପ୍ରଜାପତି ପରି ମୁକ୍ତ କରିବା ହିଁ ମୋର ଇଚ୍ଛା। ଅନମ୍ୟାଚୁୟରିଟିର୍ ଖୋଳପାରୁ ବାହାରି ଜୀବନର ନୂଆ ପରିଭାଷା ତୋର ଗନ୍ତବ୍ୟ।

―ତୋ ବ୍ରା ଷ୍ଟ୍ରାପ୍ ଟା ଦେଖା ଯାଉଛି ଠିକ କର୍ !!

― ତୁମେ କଣ ସବୁ ବେଳେ ଏମିତି ! ସାହାସି ! କିଛି ବି କହି ପାରିବ ! ତୁମକୁ ଡ଼ର ଲାଗେନି କାହିଁକି ??

― ମୁଁ ସଚ୍ଚୋଟ ! ଚୋର ନୁହେଁ ! ମୋ ଆଖି ତତେ ସିଧା ସିଧା ଦେଖେ । ବିନା ଦ୍ବିଧାରେ ! ମୁଁ ମୋ ମନରୁ କଥା କୁହେ । ଭଲ ଲାଗିବା ଭଳି ବନେଇ ଚୁନେଇ କଥା କହି ଆସେନି । ତତେ ଡ଼ର ଲାଗିଲାନି ମୋ ସହ ଅଶୀ କିଲୋମିଟର ଦୂର ଏକାନ୍ତରେ ଆସିବାକୁ ମତେ ଡର ଲାଗିବ କାହିଁକି ?? ମୁଁ ଜାଣେ ତୁ ଡରୁ ତୋ ଶରୀରକୁ ନେଇ ! ଖୁବ୍ ସତର୍କ ରହିବାକୁ ଚାଂହୁ ! ତତେ କେହି ସ୍ପର୍ଶ କଲେ ଶଙ୍କି ଯାଉ ! ଅନେକ ଥର ତୋ ଆଖିର ଅପ୍ରସ୍ତୁତ ଭାବ ମୋ ଆଖି ଧରିନିଏ ! ସେଇ ଭୟ ତୋର ବାଧକ । ତୋ ଭୟର ଖୋଳପା କାଢ଼ିବା ମୋର ଲକ୍ଷ୍ୟ !ଭିଡକୁ ସାମ୍ନା କରିବା ଶିଖ୍ !

ନିଜ ଭିତରେ କଷ୍ଟ ପାଇବା ଅପେକ୍ଷା ଭୟକୁ ଜିତିଯିବା ଉଚିତ ! ତୁ କଣ କେବେ ମୋ ସହ ଅନ୍ତରଙ୍ଗ ହେବାକୁ ଇଚ୍ଛା କରିନୁ ? ଆମ ସମ୍ପର୍କକୁ ସୀମାରୁ ମୁକ୍ତ କରି ଅସୀମ କରିବାକୁ !?? ଏ ଅନ୍ଧାର ରାସ୍ତା , ଶହେ ସ୍ପୀଡ଼ର ଗାଡି ତୁ ଆଉ ମୁଁ ! ଇଛା ହେଉନି ମୋ ହାତର ଷ୍ଟିଅରିଂ ଟାକୁ ରୋକିଦେବାକୁ ! ତୋ ସାମାଜିକ ହେବାର ପରଦା ତାକୁ ଟେକି ଦେବାକୁ !!

― ବାସ୍ ! ଚୁପ କର !

― ଇଛା ଟାଏ ହେବା ପାପ ନୁହେଁ ମାହିରା ! ସାଧାରଣ ହେ ମହାନ ହେବା ବନ୍ଦ କର !!

ଗାଡି ଅଟକିଲା ! ଓଲ୍ହାଇଗଲେ ଅବିନାଶ ସାର୍ ! ଗରମ ବନେଟ ଉପରେ ବସିଗଲେ ଚୁପ ଚାପ୍ । ମାହିରା ନିଜକୁ ଖୋଜୁଥିଲା । ସେ କଣ ଶିହରି ଉଠେନି ଅବିନାଶ ସାର୍ ଙ୍କ ଉପସ୍ଥିତିରେ ! ତାର କଣ ଇଚ୍ଛା ଟାଏ ହୁଏନି । ଭୟ ଆଗରେ ବନ୍ଧା ପଡ଼ିଯାଏ ତାର ପ୍ରେମ । ସୁରକ୍ଷାବୋଧର ଅଭାବ ଅନେକ ସମ୍ପର୍କକୁ ମନରେ ହିଁ ମାରିଦିଏ। ମରି ଯାଇଥିବା ସଂପର୍କକୁ ସନ୍ତୁଳି ହେବାକୁ ହୁଏ ସାରା ଜୀବନ । ସାରା ଜୀବନ ଅବଶୋଷ ଅପେକ୍ଷା କେଇ ମୁହୂର୍ତ୍ତର ଖୁସିକୁ ସ୍ମୃତି କରିନେବା ଭଲ ! ବନେଟ ଏବେ ବି ଗରମ ଥିଲା । ଚଢ଼ୁ ଚଢୁ ଖସି ଯାଉଥିଲା ମାହିରା ! ଅବିନାଶ ସାର୍ ଧରିନେଲେ।

ସ୍ତୁତିରେଖା ମିଶ୍ର

ପ୍ରେମ ପରିଭାଷା ଆଶ୍ଚର୍ଯ୍ୟ

Rate the content


Originality
Flow
Language
Cover design

Comments

Post

Some text some message..