ଅପାଠୋଇ
ଅପାଠୋଇ
ମୁଣ୍ଡରେ ହାତେ ଲମ୍ବା ଓଢ଼ଣା ଟାଣି ଗୋପୀଭାଇ ହାତ ଧରି ଶଂଖୀ ନାନୀ ଯୋଉଦିନ ଶାଶୂଘର ଗାଁ ଛକମୁଣ୍ଡରେ ପହଂଚିଲା ତାକୁ ଦେଖିବାଲାଗି ପାଖଆଖ ଦୁଇଚାରି ଗାଁ ଲୋକ ଜମା ହେଇଥିଲେ।ତା ବାହାଘର କିଛି ଏମିତି ସେମିତି ନଥିଲା କି ଜାକଜମକରେ ହୋଇନଥିଲା । କିନ୍ତୁ ନିଆରା ଥିଲା।ରାତିପାହିଲେ ଗୋପୀଭାଇ ଝିଅ ଦେଖିବାକୁ ଯିବ କମଟ ସାହି ପଦ୍ମପୁର ଗାଁ କୁ। ଥିଲାଵାଲା ଲୋକ ସେମାନେ। କାଉ ରାବିଲା ବେଳକୁ ଗୋପୀର ବଡଭାଇ ମୁକୁନ୍ଦ ଉଠେଇ କହିଲେ ଗୋପୀ ସକାଳ ହେଲା ସତୁ କୁ କହିଛି ମୋଟରଗଡ଼ି ଆଣି ଠିଆ କରିଦେବ । ଯା ଗାଧୋଇ ପଡ଼। ଦୁଇଭାଇ ସଅଳ ନିତ୍ୟକର୍ମ ସାରି ସୁର୍ଯ୍ୟ ଉଇଁଲା ବେଳକୁ ଦାଣ୍ଡ ପିଣ୍ଡା ରେ ହାଜର। ସେଇଠୁ ମାବୁଢ଼ୀ ଡାକ ପକେଇଲେ କଣ ଦିଟା ପାଟି ରେ ଦେଇ ଜା। ପକେଟ ରୁ ଶିଙ୍ଗ ପାନୀଆ ବାହାର କରି ମଥା କୁ ସାଇଜ କରୁ କରୁ ଗୋପୀ ହୋଉ ବୋଲି କହିଲା। ଜମିଦାର ବଟ ବାବୁଙ୍କ ଗୁମାସ୍ତା ବିଦୁଭୂଷଣ ଏ ପ୍ରସ୍ତାବ ଟା ଦେଇଥିଲେ। ସମସ୍ତେ ମିଶି ପଦ୍ମପୁର ବାହାରିଗଲେ। ଅଧଘଣ୍ଟା ଗାଡି ଚାଲିଛି କି ନାହିଁ ଗୋରୁପଲ ଗାଡି ଆଗକୁ ଆସିଗଲେ। ପଛରୁ ଗାଇଆଳ ଟୋକା ଆସି ଆଢେଇ ନେଇଗଲା। ବଡଭାଇ ମୁକୁନ୍ଦ ଯାହା କହିଲେ ଗୋପୀ ର ହଁ। ଆଜିମଧ୍ୟ ଭାଇ ଆଗରେ ପାଟି ଫିଟୁନି। ତ୍ରିଲୋଚନ ବାବୁଙ୍କ ଝିଅ ସାଳମଣୀ କୁ ଦେଖିବା ପାଇଁ ଯିବା କଥା। ଗାଡି ଆସି ତାଙ୍କ ଫାଟକ ପାଖରେ ଲାଗିବାରୁ ଦାଣ୍ଡ ପିଣ୍ଡା ରୁ ତ୍ରିଲୋଚନ ବାବୁ ଆଉ ଦୁଇଚାରିଜଣ ଭଦ୍ରଲୋକଙ୍କୁ ଧରି ଉଠି ଆସିଲେ।ଘରଭିତରକୁ ପା ଛୋଟୀ ନେଇ ଯଥାବିଧି ମାନ୍ୟ କଲେ।ଜଳଖିଆ ପର୍ବ ସରିଲା ପରେ ସାଳମଣୀ ପାନ ନେଇ ଆସିଲେ। ଠିକ ସେତିକିବେଳେ ଶଂଖୀ କୁ ଘରକାମ କରୁଥିବାର ଦେଖି ମୁକୁନ୍ଦ ପଚାରିଲେ ଏ ଝିଅ କିଏ? ତ୍ରିଲୋଚନ ବାବୁ କହିଲେ ଆମ ଘରେ ବୋଲହାକ ଶୁଣେ। ମା ବାପା ତାର କେହିନାହିଁ। ଟିକେ ଉହାଡ଼ କରି ମୁକୁନ୍ଦ ଆଉ ଗୋପୀ ପଚାରିଲେ ସଂଖିକୁ ଆମେ ତୁମକୁ ବୋହୁ କରି ନେବାକୁ ଚାହୁଁଛୁ। ରାଜି ଅଛକି? ହଠାତ ଏ ପ୍ରଶ୍ନ ଶୁଣି ଶଂଖୀ ପଥର ପାଲଟିଗଲା। ପୁର୍ନଯୌବନା ଶଂଖୀ ଆଗ ପଛ ବିଚାର କରିପାରିଲା ନାହିଁ। ମୌନ ସମ୍ମତି ଲକ୍ଷଣ ଭାବି ଦୁଇ ଭାଇ ମନ୍ଦିରକୁ ଯାଇ ପୂଜା ପଣ୍ଡାଙ୍କୁ କହି ମନ୍ଦିରରେ ବିଭାଘର ଜିନିଷ ସବୁ ନେଇଆସିଲେ। ସବୁ ଜିନିଷ ଦେଇ ସଂଖିକୁ ବଧୁ ବେଶରେ ସଜେଇ ଦିଆ ଗଲା। ସଂଜ ବୁଡୁ ବୁଡୁ ବାହାଘର ସାରି ବରକନିଆ ଗାଁ ମୁଣ୍ଡରେ। ଆଖ ପାଖ କେତେଖଣ୍ଡ ଗାଁ ଲୋକ ଏ ଘଟଣା ଶୁଣି କନିଆଁ ଦେଖିବାକୁ ଧାଇଁ ଆସିଲେ। ମୁକୁନ୍ଦ ବାବୁଙ୍କ ଘର ଆଗରେ କନିଆଁ ଦେଖା ମେଳା ବସିଲା।
ପାଠର ପ ଅକ୍ଷର ଜାଣେ ନି ଶଂଖୀ। କିନ୍ତୁ ଘରକାମରେ ପୋଖତ। ଏତେବଡ ପୁରବନ୍ଦୀ ଘର। କୁଳ କୁଟୁମ୍ବ ମିଶି ପ୍ରାୟ କୋଡିଏ ରୁ ପଚିଶ ଜଣ। କେହି କିନ୍ତୁ ଶଂଖୀ କୁ ଦେଖି ନାକ ଟେକି ନଥିଲେ।ବାପା ମା ଠୁ ଯୋଉ ଆଦର ପାଇ ନଥିଲା ଏକାବେଳେକେ ସବୁ ପାଇଲା। ତା ପରଦିନ ଗାଧୋଇ ଆସି ମୁଣ୍ଡରେ ସିନ୍ଦୁର ଲଗେଇଲା ବେଳକୁ ଆଇନା ଦେଖି ଲାଜେଇ ଗଲା।ପଛକଥା ବହେ ଭାବିଦେଲା ଭାଇ ଭଉଣୀ ମାନଙ୍କୁ ମନେପକାଇ ଆଖିଛଳ ଛଳ କଲା। ସେପଟେ ବଡ ଦେଢସୁର ଆଉ ଗୋପୀ କଥା ଭାବି ମଥା ନୋଇଂ ଗଲା। ସେ ଭାବିନଥିଲା ତା ଭାଗ୍ୟ ଶାଲମଣି ଦେଇ ଭାଗ୍ୟଠୁ ବଳି ଯିବ। ଇସସ ମୋ ପାଇଁ ଦେଇ କେତେ କଷ୍ଟ ପାଉନଥିବେ। ଏଇ ସମୟରେ ବଡ ଜା ଉଖୁଡା କଦଳୀ ମିଠା ଧରି ଆସି ତା ଆଗରେ ବସିପଡି କହିଲେ ସବୁ ଭାଗ୍ୟ ଲୋଶଂଖୀ ।ନହେଲେ ତୁ ଏତେ ସଅଳ ଆମଘରେ କେମିତି ବୋହୁ ହୋଇଥାନ୍ତୁ। ଏବେ ତା କାମ ଦେଖି ଘରସାରା ଲୋକ ଖୁସି। ସେଦିନ ଗୋପୀ ବଡଭାଇ ସହ ହାଟକୁ ଯାଇଥିଲା। ଉପରଓଳି ଖଳାରେ ବସି ନଣଦ ଗେଲ୍ଲୀ ଆଉ ଦୁଇ ଜା ବସି ଗପୁ ଥିଲେ। ଗେଲ୍ଲୀ ନୂଆଭାଉଜ ମଥାରେ ପାନୀ ଆ ଦଉ ଦଉ କହିଲା ଭାଉଜ ସତକହିଲ ତୁମେ କଣ ଭାବିଥିଲ ଏଇ କାଶୀପୁର ଗାଁ ରେ ବହୁ ହୋଇ ଆସିବ ବୋଲି। ତା ପୂର୍ବଦିନ ରାତିରେ ଗୋପୀ ତାକୁ ପ୍ରଥମ କରି ଛୁଇଁଥିଲା।ସେକଥା ଭାବି ସେ ଆହୁରି ଟିକେ ଶିହରି ଉଠିଲା। ଲୁଣ ପରି ସବୁ କାମରେ ସମସ୍ତଙ୍କ ସହ ମିଶିଯାଏ। ଭଣଜା ଭାଣିଜୀ ପୁତୁରା ଝିଆରୀ ରେ ପରିପୂର୍ଣ୍ଣ ସଂସାର। ସମସ୍ତଙ୍କ ମନଜାଣି ପରସୀ ଦିଏ। ପାଠ ସିନା ଜାଣେ ନି ହେଲେ ପାଠର ମୂଲ୍ୟ ବୁଝେ।ପୁତୁରା ଝିଆରୀଙ୍କୁ ଦଶଟା ବେଳେ ଗରମ ଭାତ ତରକାରୀ କରି ଖୁଏଇ ଦିଏ। ପାଠ ପଢି ଭଲ ମଣିଷ ହେବା କୁ କୁହେ। ଘରର ସବୁ କାମକୁ ତାର ନିଘା ଥାଏ। କିଏ କେତେବେଳେ ଆସିବ।କଣ ଖାଇବ। ହାଟ ସଉଦା କଣ ହେବ। ଖରାବେଳେ ଦୁଇଚାରିଜଣ ଅଧିକା ଲୋକ ହେଲେରୋଷେଇ କେମିତି ହେବ ସବୁ ତା ମୁଣ୍ଡରେ ଥାଏ। ସେଦିନ ସଂଜ ବୁଡୁ ବୁଡୁ ମୁକୁନ୍ଦ ଭାଇ ସହ ଗୋପୀ ହାଟରୁ ଆସି ପହଁଚିଲେ। ଶଂଖୀ ବିନା ଚିନି ର ଚା କପେ ଆଉ ଚିନି ଚା କପେ ନେଇ ଆସିବାରୁ ମୁକୁନ୍ଦ ପଚାରିଲେ କଣ ମା ଏଠି ତୋର କିଛି ଅସୁବିଧା ହଉନି ତ। ତୁ ଏଠି ଖୁସି ଅଛୁ ତ। ମନେ ମନେ ଭାବୁଥାଏ ଶଂଖୀ ଯୋଉ ଛୁଆର ବାପା ମା ନାହିଁ ସେ କେମିତି ଜାଣିବ ସୁଖ ମାନେ କଣ ଆଉ ଦୁଃଖର ସଂଜ୍ଞା କଣ । ଭାଇଭଉଣୀ ବକତେ ଖାଇ ଲେ ଆର ଓଳି ଓପାଶ। ବାପା ମା ଭଳି ସବୁ ଦେଇ ବୋହୁ କରି ଆଣିଲେ।ଘର ପରିବାର ସବୁ ଦେଲ ।ପୂର୍ଣ୍ଣମୀ ଜହ୍ନପରି ପରିପୁର୍ଣ ସଂସାର ମୋର ।କୋଉ ଜନ୍ମର ପୁଣ୍ୟଫଳ ମୁ ଜାଣେନା ।ସେତିକିବେଳେ ଘରେ ଘରେ ଶଙ୍ଖ ଧ୍ୱନି ଆଉ ମନ୍ଦିର ରୁ ଘଣ୍ଟା ଆଳତି ସ୍ୱର ଭାସି ଆସିଲା ।ଶଂଖୀ ତୁଳସୀ ଚୌରାରେ ସଂଜବତୀ ଜାଳି ଶଙ୍ଖ ଫୁଂଖିଲା ବେଳକୁ ପୂର୍ଣ୍ଣମୀ ଜହ୍ନଟା ଠିକ ତା ସାମନାରେ ହସି ଉଠୁଥିଲା ।
ମୈତ୍ରେୟୀ କମିଳା