Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Others

3  

Lopamudra Parida

Others

ଫୁଲଦେବୀ

ଫୁଲଦେବୀ

11 mins
218



_" ପାଟିରେ ପାଟିଏ ପାଣି ଆପେ ଆସି ଯାଏ ନା ତା ବାସ୍ନା ନାକ ଛୁଁ ଛୁଁ ।ଟ୍ଟା ଟ୍ଟା ଟ୍ଟା ଟାକରା ଆପେ ଫୁଟନ୍ତି ଜିଭରେ ବାଜୁ ବାଜୁ , ଆଖି ଆପେ ଫାଳେ ବନ୍ଦ ହେଇଯାଏ ଶୁକୁରୁ କଣା ପରି, ସେଇପଟ ଗାଲ ଟିକୁ ଟେକିନେଇ ।ବିଶେଷତଃ ବାଁ ପଟ ଆଖି ଟି ,ବୋଧେ ସେ ପଟର ବ୍ରେନ୍ ଠି ବେଶୀ ହଲ୍ ଚଲ୍ ହୁଏ ଏ ସ୍ବାଦ ଆଉ ବାସ୍ନା ରେ ।ବାଁ ହାତ ପାପୁଲିରେ ସାଦା ଲୁଣ ସହ ସନ୍ଧବ ଲବଣ ଆଉ ,ଲଙ୍କା ଗୁଣ୍ଡ ର ମିକ୍ସ ଟା ,.....ତା ବାସ୍ନା ଟି ବି ଅଦ୍ଭୁତ ।ଅରୁଚି ଛଡେଇଦିଏ ଅଧା କଞ୍ଚା ଅଧା ପାଚିଲା ପିଜୁଳି ,ସେମିତିଆ କରମଙ୍ଗା, ବରକୋଳି ଆଉ ଏଇ ଖରାଦିନେ କଞ୍ଚା ଆମ୍ବ ।ଅଳ୍ପ ଖଟା ,ଅଳ୍ପ ମିଠା ,ଟିକେ ରାଗ,ଟିକେ ଲୁଣି ।ତଳ ଓଠରୁ ପାଣି ତ ବୋହିବ ହି ।"


ଶୂନ୍ୟ ରେ ଟାକରା ଫୁଟେଇ ଫୁଟେଇ କହୁଥିଲା ନିମିନାନୀ ।ଏଇ ମ ମୋ ପିଇସୀଝିଅ ଭଉଣୀ ।ମୋର ତାର ବୋଧେ ଏଇ ହାତଗଣା କିଛି ମାସ ସାନ ବଡ ହବୁ କି କଣ ? ସଙ୍ଗାତ ପରି ଜାଣ ।ଭଉଣୀଟେ ସାଙ୍ଗ ହେଇଗଲେ ପାଗ ଯେମିତି ଜମେ !

ଦି ଦିନ ହେଲା ଦେହ ପା' କଣ ଖରାପ ନେଇ ମୋ ପାଖରେ ହାଜର ।କଟକରେ ବଡ ମେଡିକାଲ କୁ ନାଲିକୋଠା ।ଯାହାର ଯାହା ତକାତେ ଲୋଡା ସବୁ ଏଇଠି ।ହଁ ମ ।ଘର ,ପରିବାର ,କୁଟୁମ୍ବ,ଚିହ୍ନାଜଣା, ସାଉଙ୍ଗସୁଆଗ ମଣିଷ ଆଉ କାଇଁ ଥାନ୍ତି କି !ଲୋଡା ବେଳେ ତମେ ଅଲୋଡା କଲେ କୋଉ ହୁଏ ! ତମର ପୁଣି ଦିଅଁ ନ କରୁ କୋଉ ଦିନ ଭଲ ମନ୍ଦ ହବ କି ହଉଛି ନା ନାଇଁ ।ସେଥିପାଇଁ ଆମ ଦୁଆର ସବୁଦିନ ସାହାଣ ।ବୋଉ ଶିଖେଇଛି , " ଦେଇଥିଲେ ... ପାଇ "।ବାପା କହିଛନ୍ତି, " ଫଳଂ ନ ଇଛ୍ଛତି, ଖାଲି ସତକର୍ମେ ଜୀବନ ଗଡେଇବ " ।ହଁ ନିମିନାନୀ ପୁଣି ଆରମ୍ଭ କଲା ......ଆଉ ମୋ ପିଲେ ଆଁ କରି ଶୁଣୁଥିଲେ ।ଆଜି କାଲି ଗାଁ କାଇଁ? ଆଉ ଯଦି ଅଛି ସେ ଗାଁ କାଇଁ ଏ ଅନୁଭୂତି ସବୁ ନେଇ ?


_ " ସିଏ ପୁଣି ଫ୍ରେସ୍ ତୋଳା କଷିଆମ୍ବ ବୁଝିଲୁ ସଜସଜ ।କି ବାସ୍ନା କିରେ । ନସି ଲାଗି ପଛେ ଓଠରେ ,ଆଙ୍ଗୁଠିରେ ଘା ' ହଉ ... କିଏ ଖାତିରି ପକଉଚି । ମାନେ ଖରାବେଳିଆ ମେଳା ହେଇ କାହା କାହା ବାରିରେ ପଶି ନଗିରେ ଖେନ୍ଚା ଖେନ୍ଚି କରି ,ନହେଲେ ପଡି ଚଢି ମାଙ୍କଡ ଭଳିଆ ଡାଳମାଙ୍କୁଡି ଖେଳି ଖେଳି ଆମ୍ବ ତୋଳା ଅଭିଯାନ ।କାହା ହାବୁଡେ ପଡିଲ ତ ଗଲ,ଚଉଦ ପୁରୁଷ ତମର ଉଝଳା ହେବେ ।ବେଳେ ବେଳେ ପିଲା କଳି ରୁ ଦାଣ୍ଡ କଳି ବଢେ ,ହେଲେ ଆମ ମାଙ୍କଡ ପଲ ଙ୍କର ଢୋ ।କିଛି ଯାଏ ନା ଆସେ ,ଆମେ ଆମର ଚମ୍ପଟ୍ ଛୁ କାଛିଆ ଟେକି ।ଜଣେ ହେଲା ଲିଡର, ସିଏ ହେଲା ମାର୍କାମରା ବିଛୁଆତି ।ତା' ବୁଦ୍ଧି ମାନେ ......ଆଉ କହିଆର ଅଛି, ଫୁଲ୍ ଲୋଚା ।ତା ମୁଣ୍ଡ ର କେମିକାଲ୍ ସବୁ ରସିଆନ୍ ।ଇଆଡିକା ମାଲ୍ ନୁହଁ ।କି କି ଖତରନାକ୍ ଆଇଡିଆ ବାହାରେ ସେ ଭେଜା ରୁ,ତମେ ଭାବି ବି ନ ଥିବ ।ସେଥିପାଇଁ ଆମେ ପଲ୍ଲକ ତାକୁ ଗୁରୁ ମାନୁ ଜାଣିକି ।ଖରାଦିନେ ମାଷ୍ଟର ଙ୍କ ଠେଙ୍ଗଣୀ ବି ତ ନାହିଁ, ଆଉ ଆମର କାହାକୁ ଭୟ ......ବାଘକୁ ନା ଫାଗକୁ ।ଛାତିରେ ଛେପ ପକେଇ ଦେଇ ଜନମିଲା ଭଳିଆ ପୁରା ନିର୍ଭୟ ବୁଲା ଡାହାଣିଆ ଦିହିପହରଟା ସାରା । ବୋଉ ଡାକ ମାରେ ଯେ ଟିକେ ଗେଲେଇ ଦେଲେ ଗଲା ,ଆଉ ବାପା ଙ୍କ ପାଟିକି ଟିକେ ଗାଲେଇ ଦେଲେ ।ମା,ଜେଜେ ଙ୍କ ଭରସା ଥାଏ, ବେଶୀ ଡର ବେଳେ ତାଙ୍କ କୋଳ ସବୁ ଅଭୟ ପିଣ୍ଡ ।" 


ମୋ ଝିଅ ପଚାରୁଥାଏ, " ସତେ ? ହାଓ ଆମେଜିଙ୍ଗ୍ ନା ।ଫୁଲ ଅଫ୍ ଆଡଭେନ୍ଚର ।ନୋ ! " ତା ' କଥା ଆହୁରି ଆହୁରି ଉତ୍ସୁକ ହୁଏ ନିମିନାନୀ ।ଗପ ଆଗକୁ ଅଣାଏ ।ଢାଳି ଢାଳି ଦିଏ ଚଳୁ ଚଳୁ କି ପରଶିଲା ପରି ଆଞୁଳିରେ ।


_ ବେତୁଲିରେ ବେତୁଲିଏ ଆମ୍ବ ତୋଳାହୁଏ ଯୋଉଦିନ ତୋଟାରୁ ଆମର ମଉଜ ।ମନବୋଧକି ଖାଉ।ବୋଉ କହେ ତାକୁ କଣ ଖାଲି ଟାକୁଆ ଭଲ ଲାଗେ, କେମିତି କେଜାଣି.....ଟାକୁଆରେ ତ କିଛି ନଥାଏ ।ସଶ କି ରସ!


ମୁଁ ବି ତାର ଲହଡି ଛିଟା ଭରା ସ୍ମୃତି କଥାରେ ଭିଜୁଥିଲି ।ଆଉ ପିଲାଦିନ ସ୍ମୃତି ମାନେ ଆଉ ଥରେ ଜୀଁ ଯିବା ।ଉର୍ମି ମାନେ ଆଉ କି ମାନନ୍ତି ସୀମାରେଖା ।ଏଥର ମୁଁ କହିବା ଆରମ୍ଭ କଲି ....


_ ବହିଖାତାତ ଯାଇଥାନ୍ତି ସାଙ୍ଗରେ କଟକରୁ ବସ୍ତାଏ ବୁହା ହେଇ , କିନ୍ତୁ ଦିନେ ବି ବାହାରନ୍ତିନି ।ସଂଜବୁଡେକୁ ବାପା ଦଶକ ଯାଏ ପଣିକିଆ ପଚାରିଲା ବେଳକୁ ଆମର ଘୁମା ।ଅଗଣା ଚୁଲିମୁଣ୍ଡେ ଉଷୁମ ଟାଣି ଟାଣି ବିଲେଇ ପରି ଆଉଜେଇପଡୁ ସପନ ରାଇଜରେ।ଡେଇଁ ଡେଇଁ କା ତ ପାଳଭୁତ, ବହିଖାତା ସବୁ ଚୁଲିକୁ ।ଅ,ଆ ବି ଅଳ୍ପ ଦିନେ ପୋଡି ପାଉଁଶ ହେଇଯିବ ଏମିତି ଭୁଲିଲେ ବୋଲି କକା ରାଗନ୍ତି ।ସେତବେଳକୁ ପରଳେ ନିଦ, ସେଇ ପରଳେଇଥିବା ଘୁମା ଆଖି ରେ ଅଣ୍ଡାଳାଅଣ୍ଡଳୀ କରି ରାତି ଖିଆ ସରେ,ନହେଲେ ବୋଉ ତାର ବଡ ବଡ ଗୁଣ୍ଡା କରି ଖୋଇଦିଏ ଯେ ତିନି ଗୁଣ୍ଡା ରେ ପେଟ ଟୁଲ୍ ।ହା ହା ।କି ଦିନ ସବୁ ଥିଲେ ରେ ! ନା ଧୋ ନାନୀ!


ମୋର ତା' ଗପ ପଙ୍ଗତରେ ଯୋଡି ହବା ଦେଖି ସିଏ ଉତଫୁଲିତ ହେଇଗଲା ।ଆଉ ସପମସିଣାଟାରେ ଲେଉଟି ପଡି ଗପସୂତାକୁ ଟାଣିଲା ।ସିଏ ଥିଲା ଆଜିର ସୂତ୍ରଧର ।


_ " ଗାଁ ର ଏ ଆମ ବଡ ନାନୀ, ଭାଇ ସବୁ ମ ଯେମିତି ସ୍ବୟଂ ସିଦ୍ଧ ଆଉ ସିଦ୍ଧ ହସ୍ତ ବି ,ଆମେ ପାଳିଆ,ଚେଲା ଚାମଣ୍ଡା, ବୋଲକରା କାମିକା ।ନେଇ ଆଣି ଥୋଇ ପାରିଲେ ସବୁ ବିଦ୍ଯା ଭ.... ଅ .....ଲ ।ସେଇ ଖୁଚୁରା କାମ କରିବାକୁ ତ ଆମ ଟିଅଁ ଦଳରେ ଭିଡାଭିଡି, ମରାଟଣା ଆଉ ।ଯିଏ କରିଥିବ ତାକୁ ଗୁରୁ ଦାନାଏ ବେଶୀ କି ଦେବେ ନା ,ସେ ଅପୂର୍ବ ଦରବରୁ ।ଯୋଉଟା ଯୋଉଦିନର ଅମଳ।

କୋଉ କୋଉ ଦିନ ଭୋଜି ବି ସଜିଲ ହେଇଯାଏ ଛାଁ କୁ ଛାଁ, ଏଇ ଲାଗେ ଲାଗେ ।"ପିଲେ ଆଜି ଖଳାବାରିରେ ଖା_ପିଅ ଗୋଟେ ଜୋଗାଡିଆ କିରେ ? " ସ୍ଲୋଗାନ୍ ରେ ସମସ୍ତ ସରକାର ତୟାର୍ ।ମୁଠେ ମୁଠେ ଚାଉଳ,ଡାଲି,କଞ୍ଚା ପରିବା ଜେଝା ଘରୁ,କା ଘରୁ ତେଲ,ଲୁଣ ଠୋପେ,କାହା ବାରିରୁ କଦଳୀ ପତ୍ର ଦିଟା ,ଚାରିଟା ସାଇଜିଆ ପଥର ଚୁଲି ପାଇଁ, ଆଉ କଣ ଲୋଢା ଯେ ।


ଯୋଡେ ଗାମୁଛା ଲୁଗା କାନି ନେଇ ଟୁବି ଗାଡିଆ କି ପୋଖରୀ ରେ ପଙ୍କରେ ପଶି ପଙ୍କ ମଡେଇ ଇଆଡେ ଆଉ ସବୁ ଜାଳବରଡା ଯୋଗାଡୁ ଯୋଗାଡୁ ତେଣେ ଗାମୁଛାଏ ଚୁନା ରୁପେଲି ଚାନ୍ଦି ମାଛ ଏକାଠି ହେଇଯିବେ, ଖାଲି ତରକା ନ ହୋଇ ଥିରିକି ଉଠେଇଆଣିଲେ ଗଡ଼ ଜିତିଲା ପରି ମନ ନା କୁରୁଳି ଉଠେ କିନ୍ତୁ ଚିଲେଇହୁଏନି, ମାଛ ବା ।ହିସ୍ କଲେ ଫିସ୍ ହେଇଯିବେ ।

ଆହା ସେ ଯୋଉ ବାସ୍ନା ଆଉ ସୁଆଦ ଆଜିର ବାର ରକମାରୀ ବଫେ ଭୋଜିରେ କାଇଁ ଲୋ ! ଛିଃ! ସିଏ ଥିଲା ଅସଲ ପ୍ରିତି ଭୋଜନ ।ପ୍ରିତିଭରା ।


ଅଳ୍ପ ଅନ୍ଯମନସ୍କ ହେଲା ନାନୀ ।ମୁଁ ଠଉରେଇଲି ହେଲେ କହିଲିନି ।ସିଏ ପୁଣି ଲମ୍ବାକରି ପାରିଦେଲା ତା ଗପକାନି ।


_ ଯୋଉ ଦିନ କିଛି ଯୋଗାଡ ନ ହେଲା , ଦେ ତେନ୍ତୁଳି ପତ୍ର ରୁ ମୁଠାଏ, କଞ୍ଚା ମରିଚ ଯୋଡେ, ଲୁଣ ଚିମୁଟାଏ ପକେଇ ପୋଖରୀ ତୁଠ ପଥର କୁ ଭଲକି ଧୋଇ ଶିଳ ର କାମ ଚଳେଇଦେଲେ ଜମିଲା ।ବାରିପଟ ବଡ ଆମ୍ବ ଡାଳର ପଟା ଦୋଳିରେ ବସି ସୁଲୁସୁଲିଆ ବା' ସାଥିରେ ସୁର ତାଳ ସବୁ ଛନ୍ଦେଇ ବାଁ ହାତ ପାପୁଲିରେ ପୋଛା ବର ପତ୍ର ରେ ସେ ତେଳୁଳି ଖଟା ଚାଟି ଚାଟି ଆକାଶ କୁ ଦେଖିବା ବେଳେ ଆକାଶ ଟା ବି ଆଖି କୁ ସବୁଜିଆ ଦିଶେ ।


ଫାଳେ ସିଏ ଆଉ ଫାଳେ ମୁଁ ।ଏମିତି ଯେମିତି ପାଳିଧରି ଆଗଉଥିଲୁ ପାଲା କି ଦାସକାଠିଆ ମଞ୍ଚ ପରି ।ମୋ ପିଲେ ବି ତାଟକା ହେଇ ଶୁଣିବାର ,ଖୁସି ହବାର ଏତେ ଆଗ୍ରହ ନ ବୁଣିଥିଲେ ଆମେ ବି କୋଉ ଅସରନ୍ତି ଭଣ୍ଡାର ଖୋଲିଥାନ୍ତୁ ଯେ ! ଏଇ ଖରାବେଳଟି ହି ତ ହତା ଡେଇଁ ଗପିବାର ସମୟ ।ନହେଲେ ହାତରୁ କୋଉ ପାଣି ଛାଡେ !


_ ଶଗଡ ଦୋଳି ର ବି ମଜା ନିଆରା ।ଆମେ ସବୁ ବାପା ଙ୍କ ଚାକିରୀ ଯୋଗୁଁ ତାଙ୍କ ସାଙ୍ଗେ ବାହାରେ ରହୁ, ଏଇ ଖରାଛୁଟି ଟିକୁ ସବୁ ଆଡ୍ଭେନ୍ଚର, ସବୁ ଫାନ୍ଟାସି ର ସତ୍ଯ କରିବାର ମଉକା ଭାବରେ ପାଇଯାଉ ।ଅପେକ୍ଷା ରହେ ସବୁ ବର୍ଷ ।ଆଉ ଯୋଜନା ବି ,ଏ ବର୍ଷ ଖରାଛୁଟିରେ କଣ ଶିଖିବା ଗାଁ ରେ ।


ବହୁତ ଗପ ଗାଁ ର ସିରା ସିରାରେ ଥାଏ ।ସ୍ବପ୍ନ ସବୁ ଡେଣା ଲଗେଇ ଘୁରୁଥାନ୍ତି ଚାରିକଡେ ।ବୋତଲ ବନ୍ଦ ବ୍ରହ୍ମ ରାକ୍ଷସ ଠୁ କଲୁରୀବେଣ୍ଟ ଠୁ ଯେ ମେଁ ମେଁ କା ମାଣିକ ରଜା ଯାଏ ସବୁ ଗପ ଜେଜେ ଆଉ ମାଆ ର ପାଟିର ପେଡି ରେ ଥାଏ । ଏତେ ଗପ .....ଆଁ କରି ପି ଗଲେ ବି ସରେନି, ଆଖି ପଲକ ତଳେ ଜୀଁ ଯାଏ ।ସତ ହେଇ ଦିଶିଯାଏ ।ସେଦିନ ପରା ମାଆ କୋଳରେ ରାତିରେ ଶୋଇଥାଏ ମୁଁ ।ମଶା କି ଡାଉଁଶ ଗାଁ ମାନଙ୍କେ ସେତେବେଳେ ନଥାଏ ।ଆମ ଅଁଳାଗଛ ଛାଇ କୁ ଜହ୍ନ ର ରୋଶଣୀ ମାଟି ଲିପା ପଲସ୍ତରା ଅଗଣାରେ ଲୁଚକାଳି ଖେଳୁଥାଏ ପବନ ।ଏଇ ଛୁଇଁ ଦିଏ, ଏଇ ଛୁପି ଯାଏ ।ମାଆ ତାର ମୋ ଉପରେ ହାତ ପକେଇ କୋଉ ଗୋଟେ ଚିରୁଗୁଣୀର ଗୋଡଲମ୍ବେଇ ପିଲାସେକିଆ ଗପ କହୁଥାଏ ।ସିଏ ଯେତେ ଯେତେ କହୁଥାଏ ମୁଁ ବାରିର ଦିଗବଳୟ ଶେଷ ଯାଏଁ ଉହୁଁକୁ ଥାଏ ମୋ କଳ୍ପନା ଯୋଡି ,କି ମତେ କାଳେ ଦିଶିଯିବ କିଛି ଅତି ଭୌତିକ ।ମୁଁ କଟକ ଫେରିଲେ ମୋ ସାଙ୍ଗ ମାନଙ୍କୁ କହିବି ବଡେଇ ଦେଖେଇ ।ଆଉ ମାଆ କୁ କହୁଥାଏ, " ମାଆ ସତରେ ସେମାନେ ଥାନ୍ତି ? ସେମାନେ କଣ ଆମକୁ ଖାଇଦିଅନ୍ତି? " ମାଆ ମତେ କୋଳକୁ ଜାକି ନେଇ ହସୁଥାଏ ।ମୋ ମୁଣ୍ଡ ସାଉଁଳଉ ସାଉଁଳଉ କହେ ," ହେ ଗାଁ ଠାକୁରାଣୀ କୁ ଦେଖିଛୁ କି ? ତାର ଯୋଉ ନାକବସଣୀ, ମନେ ପଡୁଛି କି ? ତାରି ଆଲୁଅରେ ପରା ସବୁଆଡ ଦକମକ ।କାହାର କଣ ବଳ ଅଛି ତାକୁ ଭେଦି ଆମ ଯାଏ ପହଞ୍ଚିବ? ସିଏ ପରା ଆମକୁ ଘଣ୍ଟ ଘୋଡେଇ ରଖିଛି ।" ତଥାପି ମୁଁ ବିଲୁଆ ଆଁ ଭିତରର ଫରଫରସ ହୁଳା କୁ ତାକି ତାକି ଖୋଜୁଥିଲି ସେଇଠି ଶୋଇ ଶୋଇ , ବୋଝାଏ ଡର କୋମଳ ଛାତି ତଳେ ପାଳି ।


ମୋ ଝିଅ କହିଲା, " ଏ ସବୁ ଇମାଜିନାରୀ ମାମା ।" ସିଏ ହସି ହସି ଗଡିଗଲା ।ମୁଁ ଟିକିଏ ଫୋଡିହେଲା ପରି ବିନ୍ଧ ଅନୁଭବ ଟେ ଭୋଗିଲି ।ଆଉ କହିଲି ," ହଉ ଶୁଣୁ ।ମଜା ଲାଗିବ ।ତମେ କୋଉଠୁ ଜାଣିବ ସେ ଶିହିରଣ ସବୁ ।ସୁପର ମାର୍କେଟ ରୋବୋଟ ର ପିଲେ ।ମୋ ହାଲୁକା ନାକଟିଙ୍ଗା ଗୁଣ ସିଏ ବୁଝେ ।ଚୁପ୍ ହେଇଗଲା ।ଆଉ ତାର ଚିତ୍ର ରେ ରଙ୍ଗ ଭରିଲା ମନଦେଇ ।ମୁଁ କିନ୍ତୁ କହି ଚାଲିଥିଲି ଆଉ ନ ଅଟକିଲା ପରି,ଯେମିତି ଗୋଟେ ଘାଇଭଙ୍ଗା ବର୍ଷା ।ନିମିନାନୀ ମୋ କଥା ଶୁଣୁଥିଲା ।ବତୁରୁଥିଲା ।ଭିତରୁ ଖୁସି ହଉଥିଲା ମୋ ହାତକୁ ତା ହାତମୁଠାରେ ଚାପି ଧରି ।ସଗଳ ସ୍ମୃତି ରେ ପହଁରି ।


_ ଖରାଛୁଟିରେ ଆଉ ଗୋଟେ ବଢିଆ କାମ ହୁଏ ,ପହଁରା ଶିଖା ନା ନିମିନାନୀ ।ତୋର ମନେ ଅଛି ନା ।ତୋରି ସାଙ୍ଗ ଚିତର ।ଚିତର ମାନେ ଭଲ ନାଁ ଚିତ୍ରା ଦାୟିତ୍ୱ ନିଏ ପହଁରା ଶିଖେଇବ ।ମୁଁ ଆଜ୍ଞାଧିନ ଛାତ୍ରୀ ପରି ତାର ଅନୁ ସରଣ,କରଣ ସବୁ କରେ ।ମତେ ତମେ ସବୁ ଡରାଅ ପୋଖରୀ ରେ ବିରାଟ କୁମ୍ଭୀର ଅଛି, ଗୋଡ ଟାଣିନିଏ, ସେଇ ଭୟରେ ମୁଁ ଢାଳ ନେଇ ପୋଖରୀ କୁ ଗାଧେଇ ଯାଏ ,ନହେଲେ ମୋର ବି ମନ ସେ ନୀଳ ଗୋଲାପୀ କଇଁ ମାନଙ୍କୁ ତୋଳନ୍ତି, କଳା ମଇଁଷି ଟି ପରି ସେ କାଚକେନ୍ଦୁ ପାଣିରେ ଅନବରତ ପେଟେଇଥାନ୍ତି ।ତମେ ମାନେ ଚିଡାଅ, କୁହ ଯେ " ହେ ତମେ ତ କଳ ର ଟେକା ପାଣିରେ ଗାଧଉଛ, ଡାଲିଭାତ ଖାଉଛ ଏ ପାଣିରେ କଳା ପଡିଯିବନି ନା ।ଟାପରା କର କଇଁ କଢ ତୋଳୁ ତୋଳୁ ଆଉ ମିଶିକି ହସ।ମତେ ବି ଭାରି ହସ ଲାଗେ ।ଏମିତି କିଛି କଥା ନଥାଇ ବିନା କାରଣରେ ହସିବା, ହସି ହସି ଫାଟିଯିବା .... ଆହା ...କୁଆଡେ ହଜିଲୋ ଏବେ ନିମିନାନୀ ? ପୋଖରୀ ର ସ୍ଥିର ଜଳରାଶି ଢେଉ ଭାଙ୍ଗେ ସେ ହସର ତାଳେ ତାଳେ ଆମେ ସବୁ ଯେମିତି ନିଜେ ମୃଣାଳ, କି କୁମୁଦ ପାଲଟି ଯାଉଥିଲେ ।ନା ଲୋ ! ପାଦ ତଳୁ କୁନି ମାଛଟେ ଗ୍ଲପ୍ କରି କହେ ଆଉ ରୁଟ୍ କିନା କାମୁଡି ଖସିଯାଏ ।ମନେ ଅଛି?ମୁଁ କେତେଥର ଚମକି ପଡି ଓଲଟି ପଡେ ପାଣିରେ । ଫେରିବା ବାଟ ସାରା ଓଦା ସର ସର ପାଦ ର ରେଖାଚିତ୍ର ସବୁ ନଜର ଅଢୁଆଳ ରେ ଆପେ ଆଙ୍କି ହେଇଯାଉଥାଏ ଆଉ ସହଳ ସହଳ ଲିଭି ବି ଯାଉଥାଏ ,କାହା ନଜର ପଡିବା ଆଗରୁ ।ଏଇ ସ୍ବପ୍ନ ସବୁ ସେବେ ଗୋଠ ହେଇ ଯାନ୍ତି ଆଉ ଆସନ୍ତି ଆଉ ହସନ୍ତି ।ମୁଣ୍ଡ ରେ ,ଅଣ୍ଟା ରେ ଆଉ ହାତରେ ପୋଖରୀ ରୁ ପାଣି ବି ଭରିଆଣନ୍ତି ନାରୀ ରୂପା ହେଇ ।ପ୍ରକୃତି ୟାଙ୍କୁ ସବୁ ଦକ୍ଷ କରିଥାଏ ସବୁ କଳାରେ ।ମୁଁ ଗରା କାଖେଇବା ଚେଷ୍ଟା ରେ ଗରା ଫଟେଇଲି ପାଦ ସହ ଥରେ ।ମହରଗୁ ଯାଇ କାନ୍ତାରେ ପଡିବା ସାର ।ବୋଉ କିନ୍ତୁ ଏ ସବୁ ପାରେ ସେମାନେ ସହ । ମତେ ଖୁବ୍ ଭଲ ଲାଗେ ।


ଢିଙ୍କି କୁଟନ୍ତି ବୋଉ ଆଉ ସମସ୍ତେ, ଚୁଡା, ଚାଉଳ ବାହାରେ ।ଜଗି ରହି ହାତ ଚଳା କଳା ଏମାନେ ଶିଖିଥାନ୍ତି, ଆମେ କଲେ ଯୋଡେ ଆଙ୍ଗୁଠି ତ କୁଟି ହେଇଯିବ ପକ୍କା ।


ମାଟି ପିଣ୍ଢା, ମାଟି ହାଣ୍ଡି, ଭାତ ଗଳା ବାମ୍ଫ। ମାଆ କହେ ସେଇ ବାମ୍ଫ କାଳେ ମହେଷଧି ସ୍କିନ୍ କେୟାର ର....ବ୍ରଣବଥୁଲି ହୁଏନି ।


ପିଲେ ଚାରୋଟି ଆମ ଗପ ଶୁଣୁ ଶୁଣୁ ଶୋଇବା ଉପରେ ।ମୋର ଆଉ ନିମିନାନୀ ର ପେଟ ବଣ୍ଟା ହେଇ ତକିଆ ହେଇଗଲେ ।ଆଉ ସେମାନେ ତାଙ୍କ ନିଦ ଦୁନିଆକୁ ଗଲେ ।ବୋଧେ ସ୍ବପ୍ନ ରେ ଭେଟିବେ ଗୋଟେ ଅପୂର୍ବ ଗାଁ ।ମୁଁ କିନ୍ତୁ ତଥାପି ଅନର୍ଗଳ କହୁଥିଲି ।ବୋଧେ ଅବ୍ଯକ୍ତ କିଛି ଉତ୍ତୁରି ଆସିବାର ଚେଷ୍ଟା ରେ ଥିଲା ।


_ ପିତଳ ଗରାକୁ ଓଲଟାଇ ତା ଉପରେ ପେଟେଇ ପଡି ହାତ ଗୋଡ ଛାଟେ ଯେ ଆପେ ପହଁରିବୁ" କୁହ ତମେମାନେ କିନ୍ତୁ ମୁଁ ବାର ବାର ବୁଡିଯାଏ, ଆକ୍ତମାକ୍ତା ହୁଏ ଏମିତି କରୁ କରୁ ।ଦୟାପରବଶ ହୋଇ ତମରି ଭିତରୁ କିଏ ଜଣେ ଛାଣି ଆଣ ମତେ, ପଦ୍ମ ନାଡରେ ମାଳ ଗୁନ୍ଥି ଦିଅ, ଠିକ୍ ମଝିଆମଝି ଯେମିତି ଫୁଲଟି ରହେ ।ମୋ ଗଳାରେ ଲମ୍ବେଇ ଦେଇ ଗାଲ ଟିପି ଦେଇ ହସିଉଠ ଆଉ କୁହ ," କଟକି ଦଶରା ଦେବୀ " ।ଗଗନ ପବନ ହସିଉଠେ ।ମତେ ଜେମା ଜେମା ଲାଗେ ।କିଆ ମୂଳରୁ ଭିଡି ଆଣି କଅଁଳ କିଆ ର ଧଳା ଭାଗଟି ବାଗେଇକି ଖାଇବାକୁ ଦିଅ, ମିଠା ଲାଗେ ଆଉ ଓଠ ବି ଫୁଟେ କଣ୍ଟା ମୁନରେ ।ମୋ ଦି ହାତକୁ ଦି ଡେଣା ପରି ଦି ପଟୁ ଧରି ଝୁଲେଇ ଝୁଲେଇ ଆଣି ଘରେ ଛାଡ ତା' ପରଦିନ ପାଇଁ ସ୍ବପ୍ନ ସଜେଇ ।ମାଛ ବେସର,ପଖାଳ କସାଂ, ହେସଂ ପରା,ଖମାର,ମାଟି ଦାଣ୍ଡ, ବର୍ଷା ଓ ମାଟି ର ଜୀବନ୍ତ ବାସ୍ନା, ମଲ୍ଲୀ ର ହାସ୍ନା, ଅଳତା, ମଞ୍ଜୁଆତି, ହରଗଉରା, କଦଳୀବେଣୀ, ରିବନ ଫିତା,ଭୁଜା ବାଲିହାଣ୍ଡି ସବୁ ରେ ଖରାଛୁଟି ର ମହକ ବୋଳି ପୁଣି ଫେରିଆସୁ ପାଠ ଜାଗା କୁ ଆର ଛୁଟିକୁ ଆସିବାକୁ ।ଅନ୍ୟ ଦିନେ ଆସୁ,ରହୁ ।କିନ୍ତୁ ଚଞ୍ଚଳ ସରିଯାଏ ।ଖରାଦିନଟା ଲମ୍ବି ଯାଏ କିନ୍ତୁ ମନ ପୁରେନି ଲୋ ।


ନାନୀ ବି ଶୋଇଆସିଲାଣି ।ହେଲେ ଏତେ ଦିନେ ମୋ ଭିତରେ ଯିଏ ଉଠିଛି ସିଏ ବା କେମିତି ଶୁଅନ୍ତା ।ଆଜି ତ ତା' ପଲକ ଉନ୍ମୁକ୍ତ ହେଇଛି ।ମୁଁ ନିଜେ ନିଜକୁ କହୁଛି 


_ ଆଉ ସେଥର ଯୋଉଥର ତୋର ପ୍ରଥମ ପୁଆଣି ପାଳି ଥିଲା ।ତୁ ତୋ ଶାଶୁଘରୁ ଗାଁ କୁ ଆସିବୁ ବୋଲି ମୁଁ ଜିଦ୍ କରି ଏକା ଯାଇଥିଲି ତତେ ଦେଖା କରିବାକୁ । .... ଯୋଉଦିନ ମତେ ତମେ ସବୁ ବାଲୁକା ଉପରେ ବସେଇ ଫୁଲବାରିକୁ ଫୁଲ ତୋଳିବାକୁ ଯାଇଥିଲ ମୁଁ ଥକିଯାଇ ଚାଲିପାରିଲିନି ବୋଲି । ମୁଁ ଏକା ବସି ପୋଖରୀ ବାଲିରେ ମୋର ପଦ୍ମ ଫୁଲବେଶ ଦେଖି ମୁରୁକି ହସୁଥିଲି ।ଆରକ୍ତ ଗାଲ ମୋର ଲାଜ ଲାଜ ଦିଶୁଥିଲା ଭଉଁରୀ ଖେଳେଇ ପାଣି ତଳେ । ଅକାରଣେ ଏତେ ରଙ୍ଗ ଉଡୁଥିଲେ ମୋ ଚାରିପଟେ ।ଆଉ ପାଣି ମୋ ପାଦର ଛପ୍ ଛପ୍ ରୁ ମୁକୁଳି ସ୍ଥିର ହବାକୁ ଲଢୁଥିଲା ।ମନେ ଅଛି ନିମିନାନୀ ।ତୋ ଗୋଡକୁ କାଳେ ବିଲରେ ଗେଣ୍ଡା କାଟିଦେଇଥିଲା ବୋଲି ତମର ଫେରିବାକୁ ଡେରି ହେଲା ...... ସେଦିନ ସିଏ କାହାର ଛାଇ କେଜାଣି ମୁଁ ପାଣିରେ ଦେଖିଥିଲି ।ମୋ ପଛପଟେ ସ୍ଥିର ହୋଇଠିଆ ହୋଇଥିଲା ମୁଁ ଆବିଷ୍କାର କଲି ଯେତେବେଳେ ଖରା ତାର ଲମ୍ବ ଛାଇଟା ମତେ ଆଣି ଧରେଇଦେଲା, ' ନେ ' କହି । ମୁଁ ଚମକି ପଡି ପଛକୁ ଚାହିଁ ଦେଖିଥିଲି ତାକୁ ।ଆଉ ସିଏ ବି ମତେ ।ଚାରିଚକ୍ଷୁ ଯେମିତି ଗୋଟିଏ ହି । ଆଉ ସବୁ ଚାରିପଟୁ ଉଭେଇ ଯାଉଥିଲେ ଥିରେ ଥିରେ ।ଏମିତି କି ଶବ୍ଦ ବି ।ଗୋଟେ ଝିମଝିମପଣ ।ଗୋଟେ ଭିଜା ବସନ୍ତ । ଏ ତନ୍ମୟତାକୁ ଭାଙ୍ଗିଥିଲା ତମ ସମସ୍ତଙ୍କର ଏକା ସାଙ୍ଗେ ଖିଲ ଖିଲ ତୁଠ ପଥର ଥରା ହସରେ ।ମୁଁ ପ୍ରାକୃତିସ୍ଥ ହେଲା ବେଳକୁ ସିଏ ଗାୟବ ।ଆଉ ତମେ ସବୁ ମତେ ବେଢୀଯାଇ ପଚାରୁଛ, " କଣ କିଲୋ? " ହସୁଛ ଯେ ହସୁଛ ଢେଉ ଭାଙ୍ଗି ବେସରମୀ ପରି ସବୁତକ। 


ଜାଣିଛୁ ସେଦିନର ପୁଲକ ମୋ ପାଇଁ ପ୍ରଥମ ଥିଲା ।ତୁ ତ ଉପର ଓଳି ଫେରିଲୁ ତୋ ଶାଶୁଘରକୁ ମତେ କୁଣ୍ଢେଇ ଧରି କାନ୍ଦି କାନ୍ଦି ଆଉ ତୋ ସହ ସିଏ ବି ଫେରିଗଲା ତୋରି ତାଟି ଶଗଡରେ ବସି ।ତୋ ବର ପଛ ଶଗଡରେ ଉଠିବା ଆଗରୁ ମତେ ଚାହିଁ ହସିଦେଲେ, " ଆଉ କହିଲେ ଆମ ଗାଁ ଆଡେ କେବେ ଆସ ।" ପୁଣି ଘେରିଥିବା ସମସ୍ତେ ହସିଲେ ।ହେଲେ ମୁଁ ଜଡଶଡ ହେଇଗଲି ଲାଜଲୁଗାରେ ।ଆଉ ଦେଖିନି ତାକୁ ।କି ଡରରେ ପଚାରିନି ତତେ ସିଏ ତୋର କଣ ହବ ? କିଏ ଥିଲା ସିଏ ? କୋଉ ତୋ ସହ ଭେଟ ହେଇଛି ଯେ ଏଇ ଚକ୍ର ଘେରରେ! ତା' ପରେ ଦିନ ସକାଳେ ମୋର କଟକ ଫେରିବାର ଥିଲା ।ହେଲେ ରାତି ଉଜାଗରେ କଟିଲା ।ଏଥର ଗାଁ ରୁ ମୁଁ ଫେରିଥିଲି କିଛି ଏମିତି ନେଇ ଯାହା ଆଜି ଯାଏ ସାଇତିଛି ଲୋ । ହୃଦୟର ନିଭୃତ କୋଣରେ । ଆଜି ବି ଦିଶିଯାଏ ସେଇ ଆଖି, ସେଇ ଚାହାଣୀ ।ସେଇ ସ୍ବରରେ ସିଏ କହିଥିବା ପଦ " ଇସ୍ ! ତୁମେ କଣ ଦେବୀ ? " ।ଆଜି ଯାଏ ଜାଣେନି ସେଇଟି ପ୍ରଶ୍ନ ଥିଲା କି ସମ୍ବୋଧନ ।କି ଜାଣେନି ଏମିତି କାହିଁକି ଜଣେ କହିପାରେ ।ବୋଧେ ପଦ୍ମ ମାଳର ସଜ ଦେଖି ମୋ ଦେହ ସାରା ।ସେବେଠୁ ମୁଁ ଫୁଲସଜ ହେବାକୁ ଭଲପାଏ ।ପ୍ରତିଥର ଆଖି ମୁଦି ଶୁଣେ " ଦେବୀ " ଆଖି ମୁଦିଲେ ହି ଉଜାଗର ହୁଏ ସେଇ ଦୁଇ ଆଖି ।ନାନୀ ଏଇ କଣ ତେବେ ......


ଅନ୍ୟ କୋଉ ରାଜ୍ଯରେ ପଦଚାରଣ କରୁଥିଲି ମୁଁ ସତେ ।ସତେଜ ।ଇଏ କେତେବେଳେ ଫେରିଛନ୍ତି ଆଉ ମତେ ଏମିତି ଏକା ଏକା ଗପୁଥିବା ଦେଖି ହସି ହସି କହିଲେ, " କଣ ହେଲା? କାହା ସହ କଥା ହଉଛ? ସବୁ ତ ଶୋଇଲେଣି ।ଆସ ଖାଇବାକୁ ଦବ? ଭାରି ଭୋକ ।


ମୁଁ ଚଟ୍ କି ଉଠି ଆସି ଥାଳି ଧୋଉ ଧୋଉ କହିଲି, 


_ ଖରାଛୁଟିଟି ଖୁନ୍ଦି ହେଇ ରହିଥାଏ ସ୍ମୃତି ପାଲଟି... ଚାଙ୍ଗୁଡାରେ ଫୁଲ ପରି ।ମହକୁ ଥାଏ ବୟସର ଶେଷ ଯାଏ ।ନା !


ସିଏ କହିଲେ, " କିଏ ସ୍ମୃତିରେ ଫୁଲ ଫୁଟେଇଲେ କି ଆମ ମହାଦେବୀଙ୍କର ?"


ଅଟକିଗଲି ମୁଁ ମୂହୁର୍ତ୍ତଟେ ବାଢୁ ବାଢୁ ।ମୋ ଗାଲ ସାରା ପଦ୍ମ ରେଣୁ । ଟାଣିଦେଲି ଓଢଣା ନ ଦିଶୁ ଏ ଲଜ୍ଜାରୁଣା ରଙ୍ଗ ଖୋଲିହେଇ ।ଏ ସବୁ ମୋର । ଏକାନ୍ତ ମୋର ।ସାଇତା ହେଇ ଥାଉ ସେଇ ଚିମୁଟାଏ ସ୍ମୃତିରେ..... ସେଇ ଦେବୀ ପାଲଟି ଯିବାର ଉପକ୍ରମ ....ପ୍ରତି ଥର ପଦ୍ମ ଟିଏ ଦେଖୁ ଦେଖୁ ...ଫରୁଆ ଭରା ପାର୍ବଣ ପରି ।


Rate this content
Log in