Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Others

3  

sushama Parija

Others

ମୋ ସ୍ମୃତିରେ କଟକର ବାଲିଯାତ୍ରା

ମୋ ସ୍ମୃତିରେ କଟକର ବାଲିଯାତ୍ରା

4 mins
7.4K


ଗତକାଲି ଥିଲା ଏ ବର୍ଷ ବାଲିଯାତ୍ରାର ଶେଷଦିନ। ସମୟ ସୁବିଧା ନଥିବାରୁ ଏ ବର୍ଷ ବାଲିଯାତ୍ରା ଦେଖି ହେବନି ବୋଲି ମନେମନେ ଭାବୁଥିଲା ବେଳେ ଦିନ ଦଶଟା ବେଳକୁ ହଠାତ୍ ପୁଅ କହିଲା " ଯିବୁ ଯଦି ଶୀଘ୍ର ବାହାର , ଆଜି ଶେଷ ଦିନ, ପ୍ରବଳ ଭିଡ ହେବ, ଛୁଆଙ୍କୁ ନେଇ ମୋଟେ ଯାଇ ହେବନି "। ଭୋକିଲା ଲୋକକୁ ଖାଦ୍ୟ ମିଳିବା ଭଳି ତରତରରେ ବାହାରି ପଡିଲି ପିଲାଙ୍କୁ ସାଥିରେ ନେଇ । ବୋଧହୁଏ ଏକଚାଳିଶି ବର୍ଷ ଭିତରେ ଏମିତି ସୁବିଧା ରେ , ଏତେ ସୁନ୍ଦର ଭାବରେ ବାଲିଯାତ୍ରା ଦେଖିଲି ମୁଁ। ଚାଲିଚାଲି ଥକି ଯିବାରୁ ପୁଅ ମତେ ନେଇ ବସାଇ ଦେଲା ଗଡଗଡିଆ ମନ୍ଦିର ବେଢା ର ବର ଗଛ ମୂଳ ପିଣ୍ଡି ଉପରେ, ଆଉ ସେମାନେ ପିଲାଙ୍କୁ ଧରି ଚାଲିଗଲେ ଆହୁରି ବୁଲାବୁଲି କରିବାକୁ । ସେଇଠି ବସି ବସି ମୁଁ ମନେମନେ ରୋମନ୍ଥନ କରୁଥିଲି ଅତୀତକୁ ।

ଖାଲି ମୋର କାହିଁକି କଟକିଆ ସବୁ ପିଲାଙ୍କ କଥା ବୋଧହୁଏ ଏମିତି । ବାଲିଯାତ୍ରା ଆରମ୍ଭ ହେବାର କିଛି ଦିନ ଆଗରୁ କୁଣିଆ ମଇତ୍ରଙ୍କ ସମାଗମ ହୋଇଥିବ ଘରେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନ୍ଧାରୁ ଆସି ଡଙ୍ଗା ଭସା ହେବ ଗଡଗଡିଆ ଘାଟରେ । ଗଡଗଡିଆ ମହାଦେବଙ୍କ ଦର୍ଶନ ସାରି ପେଟେ ଲେଖାଏଁ ଦହିବରା ଆଳୁଦମ୍ ଖାଇ ଚାଲି ଚାଲି ଫେରିବୁ ଘରକୁ । ବାଟରେ ପଡିବ ମାତା ମଠ, ସେଠାରେ ମିଳିବ ବାଟୁଳି ଭୋଗ ( ମୁଗଡାଲି, ଗୁଆଘିଅ ପଡି ବାସୁମତୀ ଚାଉଳର କାନିକା, ଯାହା ବଡ ବାଟୁଳି ଆକାରର ହୋଇ ଗୋଟିଏ ଶାଳପତ୍ର ଠୋଲାରେ ବଣ୍ଟାଯାଇ ଥାଏ )। ଘରେ ପହଞ୍ଚିଲା ପରେ ମନ ଛକପକ ହେଉଥିବ , କେମିତି ସଂଜ ବେଳକୁ ବାଲିଯାତ୍ରା ଦେଖିବାକୁ ଯିବା ।

ମୋ ପିଲାଦିନ ବି ସେମିତି କଟିଥିଲା । ବାଲିଯାତ୍ରା ସେତେବେଳେ ଖାଲି ନଦୀ ଏପଟରେ, ମାନେ ଷ୍ଟାଡିୟମ ସାମନା ପଡିଆରେ ହେଉଥିଲା କାରଣ ଗଡଗଡିଆ ବନ୍ଧ ର ଠିକ୍ ତଳକୁ ଲାଗି ଥିଲା ନଈ । କାଣ୍ଟନମେଣ୍ଟ ରୋଡ ଅଧାରୁ ଆରମ୍ଭ ହେଉଥିଲା ଶୁଖୁଆ ହାଟ। ତା ପରେ ପରେ ବସୁଥିଲେ ପଥର ବେପାରୀ, ମାନେ ଶିଳ, ଚକି, ଘୋଷଣା, ଚନ୍ଦନ ପଡି, ପଥରକୁଣ୍ଡ ଇତ୍ୟାଦିର ବେପାରୀ, ତା' ପରେ ଡାଲା,କୁଲା, ବିଞ୍ଚଣା , ଝୁଡି ଇତ୍ୟାଦି , ଷ୍ଟାଡିୟମ ସାମନା ଟା ସାରା କାଠ ସରଂଜାମ ଦୋକାନୀ,ସେଇଠି ହେଉଥିଲା ପ୍ରବେଶପଥ । ଭିତରେ ସବୁ ଦୋକାନ ବଜାର, ଗଡଖାଇ ସେପଟେ ହେଉଥିଲା ନାଟକ ମଞ୍ଚ , ସେଠାରେ ପାଲା, ଦାସକାଠିଆ, ନାଟକ ଆଦି ପରିବେଷଣ କରା ଯାଉଥିଲା । ଗଡଗଡିଆ ମନ୍ଦିରକୁ ଲାଗି କରି ହେଉଥିଲା ଖାଇବା ଦୋକାନ ସବୁ । କାରଣ ସେତେବେଳେ ରୋଷେଇ ପାଇଁ ନଦୀ ଜଳ ହିଁ ଏକମାତ୍ର ବିକଳ୍ପ ଥିଲା । ଜଳଖିଆ ଦୋକାନ ମାନଙ୍କରେ ଭଳି କି ଭଳି ସୁନ୍ଦର ସୁନ୍ଦର ମିଠେଇ ସବୁ ସଜା ହୋଇ ରହୁଥିଲା , ବଡ ବଡ କଡେଇ ରେ ଟଙ୍କାକିଆ, ଦି' ଟଙ୍କିଆ, ପାଞ୍ଚ ଟଙ୍କିଆ ରସଗୋଲା ସାଙ୍ଗକୁ ଗୋଲାପଜାମୁ, ଜିଲାପି ଆଦି ମିଠା । ରନ୍ଧା ଖାଦ୍ୟ କହିଲେ କେବଳ ଠୁଙ୍କା ପୁରୀ, ବୁଟ କଖାରୁ ଡାଲମା ,ଛେନା ତରକାରୀ , ଫୁଲକୋବି ଭଜା ହିଁ ମିଳୁଥିଲା । ଗୋଟିଏ ଠୁଙ୍କା ପୁରୀ କି ଗୋଟିଏ ପାଞ୍ଚ ଟଙ୍କିଆ ରସଗୋଲା ଜଣେ ଖାଇ ପାରୁନଥିଲା , ଏତେ ବଡ ଆକାରର ଥିଲା ସେ ।

ଆମ ପରିବାର ଓ ମୋ' ମାଉସୀ ଘର ପରିବାର ମିଶିକି ଆସୁଥିଲୁ ବାଲିଯାତ୍ରା ଦେଖି । କାଳେ ଆମେ ପିଲାମାନେ କୁଆଡେ ହଜିଯିବୁ, ସେଥିପାଇଁ ବାପା ଚାଲୁଥିଲେ ସବା ଆଗରେ ଆଉ ମଉସା ସବା ଶେଷରେ , ମଝିରେ ବୋଉ, ମାଉସୀ ସହିତ ଆମେ ପିଲାମାନେ ଲାଇନ୍ କରି ଚାଲୁଥାଉ ହାତରେ ହାତ ଛନ୍ଦି । ଗୋଟିଏ କଡରୁ ବୁଲି ବୁଲି ଯାଇ ବାପା ଆମକୁ ବସେଇ ଦେବେ ଗଡଗଡିଆ ମହାଦେବଙ୍କ ପାଖରେ ଥିବା ଏଇ ବରଗଛ ମୂଳ ପିଣ୍ଡି ରେ ,ଆଜି ମୁଁ ସେଇଠି ବସିଛି। କିନ୍ତୁ ଆମକୁ ସେଇଠି ବସେଇ କି ବାଦାମ ଭଜା, ପାମ୍ପଡ ଭଜା ଖୁଆଉଥିବା ମୋ ବାପା ନାହାଁନ୍ତି । ଆମେ ସେତେବେଳେ ପାଞ୍ଚ ଦିନ ଯାକ ଆସୁଥିଲୁ ବାଲିଯାତ୍ରା ଦେଖିବା ପାଇଁ । ଦିନେ ଦିନେ ଗୋଟିଏ ଗୋଟିଏ ପଟ ବୁଲିସାରି ଖାଇପିଇ ଘରକୁ ଫେରୁଥିଲୁ ଚାଲି ଚାଲି । ଏବେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି କେମିତି ମଙ୍ଗଳାବାଗରୁ ବାଲିଯାତ୍ରା ପଡିଆ ସବୁଦିନ ଚାଲିଚାଲି ଯାଉଥିଲୁ ବୋଲି। ସେତେବେଳେ ଗଡଗଡିଆ ବନ୍ଧର ଠିକ୍ ଅପର ପାର୍ଶ୍ଵରେ ଲାଗି କରି ଥିଲା ମହାନଦୀ। ପାଣି ବି ଥିଲା ଢେର୍, ସେଥିରେ ବାଲିଯାତ୍ରା ସମୟରେ ଡଙ୍ଗା ଧରି ନାଉରୀ ମାନେ ବସି ରହୁଥିଲେ ନଦୀ ରେ ନୌକାବିହାର କରେଇବା ଲାଗି । ଆମ ପିଲାମାନଙ୍କୁ ଧରି ବାପା ଆଉ ମଉସା ବସୁଥିଲେ ଡଙ୍ଗା ରେ। ଗଡଗଡିଆ ଘାଟ ରୁ ହାଡିଆ ପଠା ଯାଏଁ ଯାଇ ଫେରି ଆସୁଥିଲା ଡଙ୍ଗା । ଓଃ, କି ଖୁସି ଲାଗୁଥିଲା ଆମକୁ ସେଇ ମହାନଦୀ ରେ ଜ୍ୟୋତ୍ସ୍ନା ବିହାର କରି । ଆଜି ବି ମନେ ପଡିଲେ ଦେହ ଉଲୁସି ଯାଉଛି ।

ସେତେବେଳେ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଖୁବ୍ ଶୀତ ହେଉଥିଲା । ଢେଙ୍କାନାଳ ରୁ ଆସୁଥିବା ବାଦାମ ବେପାରୀ ବସ୍ତା ବସ୍ତା ବାଦାମ ଧରି ବସୁଥିଲେ, ବୋଉ କହେ ନାଲି ଦିଶୁଥିବା ବାଦାମ କୁଆଡେ ବେଶୀ ମିଠା । ସେଥିପାଇଁ ବାପା ଖୋଜି ଖୋଜି ନାଲି ବାଦାମ ଆଣି ଦେଉଥିଲେ ଆମକୁ , ସେଠାରେ ବସି କି ଖାଉଥିଲୁ, ଯାତ୍ରା ଶେଷ ଦିନ କିଲେ ଦି କିଲୋ ଆଣି ସାଇତି ରଖୁଥିଲା ବୋଉ । କୋଉଦିନ ଦହିବରା ଆଳୁଦମ୍ ଖାଇ ପେଟ ପୁରୁଥିଲା ତ କୋଉଦିନ ଠୁଙ୍କା ପୁରୀ, ଛେନା ତରକାରୀ । ବର୍ଷ କ ଯାକ ପାଇଁ ଯାବତୀୟ ଘର କରଣା ଜିନିଷ ଯଥା ଛାଞ୍ଚୁଣୀ , ବଢିଣା, ସଉପ, ବିଞ୍ଚଣା,ଚାଲୁଣି, କୁଲା,ଡାଲା,ବିରି ଚଲା, ମାଛ ପାଛିଆ, ଖଇ ଚଲା, ଫୁଙ୍କନଳା, ପନିକି, କୋରଣା, ସଣ୍ଢୁଆସି, ତାୱା, ରୁଟି ସେକା ଇତ୍ୟାଦି ଇତ୍ୟାଦି ସେଇ ବାଲି ଯାତ୍ରା ରୁ ହିଁ କିଣୁଥିଲେ ବୋଉ ଆଉ ମାଉସୀ । ମୋର ତ ବେଳେ ବେଳେ ମନେ ହୁଏ ଏବେକାର ଏଇ ସପିଙ୍ଗ୍ ମଲ୍ ର କନସେପ୍ଟ ବୋଧହୁଏ ଓଡିଶା ର ବାଲିଯାତ୍ରାରୁ ହିଁ ଆରମ୍ଭ । ଗଞ୍ଜାମର ହଳଦୀଗୁଣ୍ଡ, , ମସଲା ବେପାରୀ ବି ସେତେବେଳେ ଆସୁଥିଲେ ବାଲିଯାତ୍ରା କୁ, ବର୍ଷ କର ବେପାର ଏଇଠି କରୁଥିଲେ । ବାଲିଯାତ୍ରା ପାଞ୍ଚ ଦିନ ହେଉଥିଲେ ବି କାଠ ସରଞ୍ଜାମ, ପଥର ସରଞ୍ଜାମ, ପିତଳସରଞ୍ଜାମ, ଲୁହା ସରଞ୍ଜାମର ଦୋକାନ ମାସ ମାସ ଧରି ରହୁଥିଲା ବାଲିଯାତ୍ରା ପଡିଆରେ। ଦୀର୍ଘ ଦିନ ପରେ ଫେରିବା ବେଳକୁ ଶାଗ ମାଛ ଦରରେ ଜିନିଷକୁ ବିକ୍ରି କରି ଦେଇ ଯାଉଥିଲେ ବେପାରୀ ମାନେ । କିଛି ଲୋକ ସେଇ ସମୟକୁ ଅପେକ୍ଷା କରି ରହୁଥିଲେ । ମୋର ମନେ ଅଛି ସେମିତି ଗୋଟିଏ ଶିଶୁ କାଠର ବଡ ପଲଙ୍କ ମୋ ମଉସା ତିନିଶହ ଟଙ୍କା ଦେଇ କିଣିଥିଲେ । ଅନେକ ବର୍ଷ ବିତିଗଲାଣି ଏଇ ଭିତରେ, ଧୀରେ ଧୀରେ ଅନେକ ପରିବର୍ତ୍ତନ ବି ଘଟି ସାରିଛି କିନ୍ତୁ ବାଲିଯାତ୍ରା ର ଆନନ୍ଦ ସେମିତି ଉଜ୍ଜୀବିତ ହୋଇ ରହିଛି ମୋ ମନରେ । ମୋ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ବି ରହିବ ସେମିତି ତାଜା ହୋଇ। ମୋ ପିଲା ମାନଙ୍କୁ କହୁଥିଲି, ଏବେ ମୋର ନାତି ନାତୁଣୀଙ୍କୁ କହୁଛି ମୋ ଦେଖିଥିବା ବାଲିଯାତ୍ରାର କଥା, ମୁଁ ଅଙ୍ଗେ ନିଭେଇଥିବା ବାଲିଯାତ୍ରାର ସେ ମହାର୍ଘ ଅନୁଭୂତି ସବୁ ।


Rate this content
Log in