Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AMRITA PANI

Others

3  

AMRITA PANI

Others

ପଖାଳ ପାର୍ଟି

ପଖାଳ ପାର୍ଟି

4 mins
693


ରାତି ବାରଟା ବେଳେ ଲାଣ୍ଡ୍ ଫୋନ ଟା ଗର୍ଜି ଉଠିଲା ।ଏତେ ରାତି ରେ କିଏ କଲ୍ କରିଥିବ ଭାବି ଦ୍ଵନ୍ଦ ରେ ଫୋନ ଉଠାଇଲା ରିମା । ଆମେରିକା ରୁ ମାଉସୀ ପୁଅ ଭାଇ ଦୀପକ ଥିଲା । ଆସନ୍ତା ସପ୍ତାହ ରବିବାର ରେ ତାର ନବ ବିବାହିତା ବିଦେଶିନୀ ସ୍ତ୍ରୀ ,ଆଞ୍ଜେଲାକୁ ନେଇ ପ୍ରଥମ ଥର ଓଡିଶା ଆସୁଛି । ଆଞ୍ଜେଲା ରଘୁରାଜପୁର ର ପଟ୍ଟଚିତ୍ର ଉପରେ କିଛି ଗବେଷଣା କରିବାକୁ ଚାହେଁ । ସେମାନେ ରିମା । ଘରେ ପହଂଚି ସେଠୁ ପୁରୀ ଯିବେ । ଆଞ୍ଜେଲା ସହ ଦୀପକ ର ବାହାଘରକୁ ସିଏ ଯାଇନି ପୁଅ ର ପରୀକ୍ଷା ହେତୁ ,କିନ୍ତୁ ଫେସବୁକ୍ ରେ ଫୋଟୋ ଦେଖିଛି ।ପୁରା ହଲିଉଡ଼୍ ନାୟିକା ପରି ଚେହେରା । ଆମେରିକା ରୁ ଆସିବେ , ତେଣୁ ଘରକୁ ତାଙ୍କ ରୁଚି ଅନୁସାରେ ସଜାଡ଼ିବାକୁ ହେବ । ହେଃ ଭଗବାନ ଆଉ ମାତ୍ର ସପ୍ତାହେ । ଘରକୁ ପୁରା ନୂଆ ଢାଞ୍ଚା ରେ ସଜାଡ଼ିବାକୁ ଲାଗିଲା ରିମା । ଘର ର ସୋଫା କଭର୍ ,ବେଡ଼ସିଟ୍ , ବାସନ ସବୁ ବଦଳାଇ ପକାଇଲା । ଯେତେ ପ୍ରକାର ର କଣ୍ଟିନେଣ୍ଟାଲ ଖାଦ୍ୟ ସରଞ୍ଜାମ ଏବଂ ଦାମୀ ୱାଇନ୍ କିଣି ଆଣିଲା । ଛୁରୀ କଣ୍ଟା ଚାମଚ ରେ ଖାଇବା ଅଭ୍ୟାସ କରିବାକୁ ସମସ୍ତଙ୍କୁ ଆଦେଶ ଦେଲା । ଆମେରିକା ରୁ ଆସି ସେମାନେ ଆଉ କଣ ଭାତ ଡାଲି ଖାଇବେ କି ? ସ୍ୱାମୀ ନରେଶ ଆଉ ତା ପୁଅକୁ କଡ଼ା ତାଗିଦ କଲା ସେ ଓଡ଼ିଆ ରେ କଥା ନହୋଇ ଘରେ ଇଂଲିଶ୍ ରେ କଥା ହେବେ ଯେମିତି । ଆଉ ତାର ମଫସଲିଆ ଶାଶୁ ଙ୍କ ବ୍ୟବସ୍ଥା କଣ କରିବ ବୁଝି ପାରୁନଥିଲା । ଯେତେ ସବୁ ପୁରୁଣା କାଳିଆ ଚିନ୍ତାଧାରା ତାଙ୍କର , ବିଦେଶିନୀ ଭାଉଜ ସାମ୍ନା ରେ କିପରି ପୋଷାକ ପିନ୍ଧି ଚଳିବାକୁ ହେବ ତାଙ୍କୁ କିଏ ବୁଝାଇବ । ଆରିଷା ,କାକରା ଛାଣି ବସୁଥିବା ଶାଶୁ ଙ୍କୁ ଛିଗୁଲେଇଲ ପରି କହିଲା ,”ବୋଉ ,ସେମାନେ ଫରେନ ରୁ ଆସୁଛନ୍ତି ଦୟା କରି ଏସବୁ ମଫସଲିଆ କାରବାର ବନ୍ଦ କରନ୍ତୁ । ପିଜ୍ଜା ,ବର୍ଗର ନଖାଇ ସେମାନେ ଏ ଅଖାଦ୍ୟ ଖାଇବେ ବୋଲି କାହିଁକି ଭାବୁଛନ୍ତି । ଆଉ ସେ ଶାଢ଼ୀ ନ ପିନ୍ଧି ବରଂ ନାଇଟୀ ପିନ୍ଧିବେ ସେମାନେ ଯେତେଦିନ ରହିବେ । “ନରେଶ ବୁଝାଇ ଥକି ଯାନ୍ତି ଆଧୁନିକତା ର ପରିଭାଷା ପୋଷାକ ନୁହେଁ ରିମା . ପ୍ରଥମେ ନିଜ ଚିନ୍ତା ଧାରାକୁ ଉନ୍ନତ କରିବାକୁ ଚେଷ୍ଟା କର । ଚିଡ଼ି ଯାଏ ରିମା ,ରଖ ମ ତମ ଭାଷଣକୁ । ତମେ କଣ ଜାଣିବ ଯୁଗକୁଆଡ଼େ ଗଲାଣି । ତମେ କଣ ଚାହଁ ମୁଁ ଓଢ଼ଣା ଦେଇ ଘରେ ବସିଥିବି ? ଚୁପ ରହି ଯାନ୍ତି ନରେଶ ।

ସବୁ ଆୟୋଜନ ସରିଲା ,ଖାଲି ବାକି ରହିଲା ନିଜର ସୌନ୍ଦର୍ଯ୍ୟ ପରିଚର୍ଯ୍ୟା । ସେଥି ପାଇଁ ବିଉଟି ପାର୍ଲର୍ ଯାଇ ନିଜ ର କାୟା କଳ୍ପ କରି ପକାଇଲା । ଚୁଟିକୁ କରିନା କପୁର୍ ଷ୍ଟାଇଲ ରେ ସଜେଇଲା। ଶପିଂ ମଲ୍ ଯାଇ ଗୁଡ଼ିଏ ନୂଆ ଫେସନ୍ ର ପୋଷାକ କିଣି ଆଣିଲା । ଆମେରିକାନ ଭାଉଜ ସାମ୍ନା ଶାଢ଼ୀ କି ସାଲୱାର ପିନ୍ଧିଲେ ଆଉ ପ୍ରେଷଟିଜ୍ ରହିବ ? ବହୁତ ବାଛି ବାଛି କଳା ରଙ୍ଗ ର ହାତକଟା ମିନି ଟପ୍ ଆଉ ଆଂଠୁ ପର୍ଯ୍ୟନ୍ତ ଚିରା ହୋଇ ଥିବା ଡିଜାଇନ୍ ର ଜିନ୍ ପ୍ୟାଣ୍ଟ୍ ଟି ପିନ୍ଧିବାକୁ ସ୍ଥିର କଲା । ଜିନ୍ସ ସହ କିଏ ଚୁଡ଼ି ପିନ୍ଧେ ? ଏହା ଭାବି ହାତରୁ ଦୁଇ ହାତ ରୁ ଚୁଡ଼ି ଓଲ୍ହାଇ ପିନ୍ଧିନେଲା ବ୍ରେସଲେଟ୍ ଟିଏ । ତାକୁ ଯେତେହେଲେ ବି ଆଞ୍ଜେଲା ସମକ୍ଷକ ଦେଖା ଯିବାକୁ ହେବ ନା । ନହେଲେ ପିଲାଦିନେ ଗାଁ ସ୍କୁଲ୍ ରେ ପଢୁଥିଲା ବୋଲି ଏଇ ଦୀପକ ତାକୁ କେତେ ନ ଚିଡ଼ାଉଥିଲା । ତାର ପୁରୁଣା କାଳିଆ ଗାଉନ୍ ଆଉ ତେଲ ଜର ଜର ବେଣୀକୁ ଦେଖି ଚିପକୁ ଚିପକୁ କହି କେତେ ପରିହାସ ନ କରା ଯାଉଥିଲା । ଆଜି ଦେଖାଇ ଦେବ ସିଏ କେମିତି ଅଲଟ୍ରା ମର୍ଡନ୍ ହୋଇ ଗଲାଣି । ତାର କାଟ୍ରିନା କୈଫ୍ ପରି ପୋଷାକ ଦେଖି ନିଶ୍ଚୟ ଦୀପକ ର ଆଖି ଟେରା ହୋଇ ଯିବ । ବହୁ ପ୍ରତିକ୍ଷିତ ସେହି ରବିବାର ଦିନ ନରେଶ ଙ୍କ ସହ ଏୟାରପୋର୍ଟ୍ ଯିବା ରାସ୍ତା ରେ ରିମା । ମନ ରେ ଉତ୍କଣ୍ଠା ର ସୀମା ନଥିଲା ,ବାରମ୍ବାର ଦର୍ପଣ ରେ ନିଜ ମୁହଁକୁ ଦେଖି ନେଉଥିଲା । ଗାଡ଼ି ପାର୍କ କରିବା ସମୟ ରେ ଦୀପକ ର ଫୋନ୍ ଆସିଲା ଅମୁକ ଟର୍ମିନାଲ ରେ ପହଂଚିଲାଣି ବୋଲି । ରିମା । ଭାନିଟି ରୁ ମେକପ୍ ସାମାନ ବାହାର କରି ଟଚ୍ ଅପ୍ କରିନେଲା । ଟର୍ମିନାଲ୍ ବାହାରେ ଅପେକ୍ଷା କଲା । କିଛି ସମୟ ପରେ ନରେଶ ତାର କାନ୍ଧ ହଲାଇ ଦେଇ କହିଲେ ଆରେ ସିଆଡ଼େ କଣ ଚାହିଁଛ ତମ ଭାଇ ,ଭାଉଜ ଆସିଲେଣି ପରା । ଦୀପକ ଭାଇ ତାର ଚିରା ଚରିତ ଷ୍ଟାଇଲ ରେ ତାର ଚୁଟିକୁ ଟାଣି କହିଲା ଆରେ ଚିପକୁ ଅପା ମୁଁ ତୋ ଉପରେ ରାଗିଛି ,ବାହାଘରକୁ କାହିଁକି ଆସିଲୁନି ଯେ ? ଆଖି ରୁ ସନ୍ ଗ୍ଲାସ୍ ହଟାଇ ରିମା । ପ୍ରଶ୍ନ କଲା ଆଞ୍ଜେଲା କାହିଁ ?? ଦୀପକ କହିଲା ତାକୁ ମୁଁ ସେଠି ଛାଇ ରେ ଛିଡ଼ା ହେବାକୁ କହିଛି , ରିମା । ର ହାତ ଟାଣି ନେଇ ଗଲା ଆଞ୍ଜେଲା ପାଖକୁ । ଆଖି ରୁ ସନ୍ ଗ୍ଲାସ୍ ହଟାଇ ରିମା । ଦେଖିଲା ସମ୍ବଲପୁରୀ ଶାଢ଼ୀ ପିନ୍ଧି ଖଇରିଆ ଚୁଟିକୁ ବେଣୀ କରି ବାନ୍ଧି ଥିବା , ଡେଙ୍ଗା ଝିଅ ଟିଏ ସ୍ମିତ ହାସ୍ୟ ଦେଇ ଖଣ୍ଡି ଖଣ୍ଡି ଓଡ଼ିଆ ରେ କହିଲା ଜୟ ଜଗନ୍ନାଥ ଅପା ,କେମଟି ଆଛନ୍ତି ? ରିମା । ସ୍ତବ୍ଧ ହୋଇ ଏକ ଲୟ ରେ ଦେଖୁଥିଲା ଆଞ୍ଜେଲା ର ବେଶ ପୋଷାକକୁ । ହାତ ରେ ଶଙ୍ଖା , ପୁଣି ମଥା ରେ ସିନ୍ଦୁର , ଟିକିଲି । ରାସ୍ତା ରେ ଗଲା ବେଳେ ଦୀପକ କହିଲା ସନ୍ଧ୍ୟା ବେଳେ ଟିକିଏ ବଜାର ଯାଇ ଓଡିଶା ହସ୍ତତନ୍ତ୍ର ର କିଛି ଶାଢ଼ୀ ଆଉ ସାଲୱାର ସୁଟ ବି କିଣିବାକୁ ଯିବା । ଜାଣିଚୁ ଅପା ,ଆଞ୍ଜେଲା ର ଶାଢ଼ୀ ପ୍ରତି ଅହେତୁକ ଦୁର୍ବଳତା । ରିମା ର ଉତ୍ତରକୁ ଅପେକ୍ଷା ନକରି ଦୀପକ କହିଲା ଭାରି ଭୋକ ଲାଗିଲାଣି , ଘରକୁ ଗଲେ ମାଉସୀ ଙ୍କ ହାତ ରନ୍ଧା ଚୁନା ମାଛ ପତ୍ର ପୋଡ଼ା ,ବଡ଼ି ଚୁରା ଆଉ ଦହି ତୋରାଣି ,ଅଦା ,ଭୁର୍ସୁଙ୍ଗା ପତ୍ର ଛୁଙ୍କ ଦିଆ ସ୍ପେଶାଲ୍ ପଖାଳ କଂସାଏ ବାଢ଼ି ଦେବୁ ତ ? କଣ ନରେଶ ଭାଇ ହେଇ ଯାଉ ତେବେ ପଖାଳ ପାର୍ଟି । ଆଞ୍ଜେଲା ବି ସମର୍ଥନ କଲା ୟେସ୍ ୟେସ୍ ଡିପ୍ , ଆଇ ଆମ ଅଲସୋ ଡାଇଂ ଟୁ ହାବ୍ ଓଡ଼ିଆ ଡ଼ିସେସ୍ । ଆଇ ଜଷ୍ଟ୍ ଲଭ୍ ପଖାଳ । ମାଟେ ବାହୁଟ ବଲ ଲାଗେ ।

ନରେଶ ଗାଡ଼ି ଅଟକାଇ ଘରକୁ ଫୋନ୍ ଲଗାଇ କହିଲା ,ବୋଉ ସେ ହୋଟେଲ ରୁ ଅର୍ଡ଼ର ହୋଇଥିବା ଖାଦ୍ୟ ଗୁଡ଼ିକ ଫ୍ରିଜ ରେ ରଖିଦେ , ଆଉ ଭାତ ବସାଇ ପଖାଳ ର ବ୍ୟବସ୍ଥା କରେ । ଆମେ ଗଲାବେଳେ ରାସ୍ତାରୁ ଚୁନା ମାଛ ନେଇକି ଯାଉଛୁ ବଢ଼ିଆ ପତ୍ର ପୋଡ଼ା କରିବୁ ,ଦୀପକ ଆଉ ତ ସ୍ତ୍ରୀ ର ବିଶେଷ ଅନୁରୋଧ ପଖାଳ ପାର୍ଟି ର ଆୟୋଜନ କରିବାକୁ ।

ଫୋନ୍ କାଟି ସାରି ସାମ୍ନା ମିରର ରୁ ନରେଶ ଦେଖିଲେ , କାର ପଛ ରେ ତୁନି ହୋଇ ବସିଥିବା ରିମା ର ଅଲଟ୍ରା ମର୍ଡନ୍ ଡ୍ରେସ୍ ଟି ଓ ତାର ଉଗ୍ର ମେକପ ଵାଲା ଚେହେରା, ଉଭୟ ଆଞ୍ଜେଲା ର ସୁତା ଶାଢ଼ୀ ଟି ସାମ୍ନା ରେ ଫିକା ପଡ଼ିଯାଉଥିଲେ ।

© ଡଃ ଅମ୍ରିତା ପାଣି


Rate this content
Log in