STORYMIRROR

sushama Parija

Others

2.0  

sushama Parija

Others

ମୋ ସ୍ମୃତି ରେ ମୋ ପିଲା ଦିନ

ମୋ ସ୍ମୃତି ରେ ମୋ ପିଲା ଦିନ

8 mins
708


ମୋ ସ୍ମୃତି ରେ ମୋ ପିଲା ଦିନ ଆଉ ଆମ ବାଙ୍କୀର ଝାମୁଁ ଯାତ୍ରା

-------------------

ଚୈତ୍ର ମାସର ସଂକ୍ରାନ୍ତି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ନାମରେ ଆମ ଓଡିଶା ରେ ବିଶେଷ ପ୍ରସିଦ୍ଧ । ଶକ୍ତି ପୀଠ ମାନଙ୍କରେ ଏହି ସଂକ୍ରାନ୍ତି ରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆମ ବାଙ୍କୀ ରେ ମା’ ଚର୍ଚ୍ଚିକା ଙ୍କର ଝାମୁଁ ଯାତ୍ରା ଓଡିଶା ର ଏକ ପ୍ରସିଦ୍ଧ ପାର୍ବଣ। ଆମ ଗାଆଁ ଡମପଡାରୁ ବାଙ୍କୀର ଦୂରତ୍ବ ପ୍ରାୟ ଆଠ କିମ୍ବା ନଅ କିଲୋମିଟର ହେବ। ମୋ ପିଲା ବେଳ ର କଥା । ସେତେବେଳେ ବାଙ୍କୀରୁ କଟକ କୌଣସି ସବୁଦିନିଆଁ ରାସ୍ତା ନଥିଲା। କେବଳ ଖରା ଚାରି ମାସରେ ତ୍ରିଶୁଳିଆ ଠାରେ ମହାନଦୀ ଭିତର ଦେଇ ଅସ୍ଥାୟୀ ରାସ୍ତା ଟିଏ ତିଆରି ହେଉଥିଲା ବାଲିକୁଦା ପର୍ଯ୍ୟନ୍ତ । ରାଜ୍ୟ ପରିବହନ ନିଗମ ର ଗୋଟିଏ ନାଲି ରଙ୍ଗର ବସ୍ କଟକରୁ ଯାଉଥିଲା ବାଙ୍କୀ ସେଇ ରାସ୍ତା ଦେଇ । ମହାନଦୀ ରେ ପ୍ରଥମ ପାଣି ଆସିଲେ ସେଇ ରାସ୍ତା ଟି ଧୋଇ ଯାଉଥିଲା । ତା’ପରେ ଆଉ ଯାତାୟତ ର କୌଣସି ସାଧନ ନଥିଲା କଟକରୁ ବାଙ୍କୀ ଯାଏଁ । ବାପା କଟକରେ ଚାକିରୀ କରୁଥିବାରୁ ଆମେ ସବୁ କଟକରେ ରହିଥାଉ, ସ୍କୁଲ୍ ରେ ପରୀକ୍ଷା ସରି ଛୁଟି ହେଲେ ଗାଁ’ କୁ ଯାଉ ବୋଉ ସାଥିରେ । ଆମ ମାନଙ୍କ ମନରେ ଗାଆଁ କୁ ଯିବା ଲାଗି ପ୍ରବଳ ଆଗ୍ରହ ଥିଲେ ବି ଏଇ ଯିବା ଆସିବା ର ଅସୁବିଧା ଲାଗି ବାପା ରାଜି ହୁଅନ୍ତି ନାହିଁ ଆମକୁ ଏକା ଛାଡିବା ଲାଗି । ବୋଉ କିନ୍ତୁ ଜିଦ୍ ଧରେ ,ସମୟ ସୁବିଧା ଦେଖି ଗାଁ ଆଡେ ନଗଲେ ଯେତିକି ଧାନ ଚାଉଳ ମିଳୁଛି, ସେତକ ବି ଆଉ ମିଳିବନି , ଆମ୍ବ ପଣସ ବାଉଁଶ ବୁଦା ସବୁ ପଡୋଶୀ ମାନେ ଖାଇଯିବେ କହି ଡରେଇ ଦିଏ ବାପାଙ୍କୁ । ବାପା ତାଙ୍କର ଅନିଚ୍ଛା ସତ୍ତ୍ଵେ ମଧ୍ୟ ଆମକୁ ଗାଆଁକୁ ଯିବାକୁ ଅନୁମତି ଦିଅନ୍ତି, ସାଥିରେ ଆଉ ଜଣଙ୍କୁ ପଠାନ୍ତି ଆମକୁ ଗାଆଁ ରେ ଛାଡି ଆସିବା ଲାଗି । ଫେରିବା ବେଳକୁ କିନ୍ତୁ ନିଜେ ଜିପ୍ ଧରି ଯାଆନ୍ତି ଆମମାନଙ୍କୁ ଆଣିବା ଲାଗି । ଜିପ୍ ରେ ଚାଉଳବସ୍ତା ଉପରେ ବସି ଆସିବାର ମଜା ନିଆରା ।

ମୋର ଭଲ ଭାବରେ ମନେ ଅଛି ଗାଆଁକୁ ଯିବାବେଳେ କଟକ ଷ୍ଟେସନ୍ ରୁ ଆମେ ଟ୍ରେନ୍ ରେ ବସି ଯାଉ ବାରଙ୍ଗ ଷ୍ଟେସନ୍ ଯାଏଁ, କାଚ କାରଖାନା ଆରପଟେ ଥୁଆ ହୋଇଥାଏ ସଡକ ପରିବହନ ନିଗମର ନାଲି ବସ୍ ଟିଏ ବାଙ୍କୀ ଯିବା ପାଇଁ। ସେଇ ଗୋଟିକ ମାତ୍ର ବସ୍ ଆମ ଗାଆଁ କୁ ଯିବା ପାଇଁ । ଟ୍ରେନ୍ ରହିବା କ୍ଷଣି ବାଙ୍କୀ ଯିବାକୁ ଥିବା ଲୋକ ମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଏ ଦୌଡ ପ୍ରତିଯୋଗିତା, କିଏ ଆଗ ଯାଇ ବସ୍ ରେ ସିଟ୍ ଖଣ୍ଡିଏ ରଖିବ ବୋଲି । ସିଟ୍ ଖଣ୍ଡିଏ ମିଳିଲା ତ ଭାଗ୍ୟ ଭଲ , ନହେଲେ ଭିଡାଭିଡି ଠେସାଠେସି ହୋଇ ଠିଆ ହୋଇ ଯାତ୍ରା କରିବାକୁ ପଡିବ । କିଛି ଲୋକ ବସ୍ ର ଛାତ ଉପରେ ଚକା ପକେଇ ବସି ବସି ଯିବେ । ବଡ ଦୟନୀୟ ଅବସ୍ଥା । କେବେ କେଉଁଠି କିଏ ସିଟ୍ ଉପରେ ରୁମାଲ୍ କି ଗାମୁଛା ପକାଇ ରିଜର୍ଭ କରିଥିବ ତ କିଏ ଛାତ ଉପରେ ଜାଗା ମାଡି ବସିଥିବ । ଆମେ ପିଲାମାନଙ୍କର ଭାରି ମଜା । ଟ୍ରେନ୍ ରହିବା କ୍ଷଣି ବ୍ୟାଗ୍ ଖଣ୍ଡିଏ ଧରି ପିନିପିନିଆ ଦୌଡିବୁ ବସ୍ ପାଖକୁ, କ୍ଲିନର୍ ଟି ଆମକୁ ଟେକି ଟେକି ବସ୍ ର ରେଲିଂ ବାଟ ଦେଇ ଗଳେଇ ଦେବ ସିଟ୍ ଉପରକୁ, ବାସ୍ ଆମେ ପୁରା ସିଟ୍ ଟି ଉପରେ ଶୋଇ ପଡିବୁ ବୋଉ ଆସିଲା ଯାଏଁ । ଏବେ ବି ସୁଦ୍ଧା ମନେ ପଡିଗଲେ ଖୁବ୍ ହସ ଲାଗେ, ଆମେ ଭାଇ ଭଉଣୀ ତିନିଜଣ ହସି ହସି ଗଡି ଯାଉ, ବାବାରେ କି ଦୌଡ, ଯଦି ସେଇ ବେଗରେ ଦୌଡ ଜାରି ରଖିଥାନ୍ତୁ ତାହେଲେ ହୁଏତ ଦୌଡରାଣୀ ପି ଟି ଉଷା ଙ୍କୁ ବି ବଳି ଯାଇଥାନ୍ତୁ ଦିନେ । ବସ୍ ଟି ଚାଲିବା ଆରମ୍ଭ କଲେ ଆହୁରି ମାରାତ୍ମକ ଅବସ୍ଥା । ଅଣଓସାରିଆ ଖାଲ ଢିପ ରାସ୍ତାରେ ବସ୍ ଟି ସବାରି ଭଳିଆ ଚାଲୁଥିବ, କିଏ ତୁମ ଉପରେ ନହେଲେ ତୁମେ କାହା ଉପରେ ଦଶ ଥର ଗଡି ପଡୁଥିବ, ଛାତ ଉପରେ ବସିଥିବା ଲୋକରୁ କେବେ କାହାର ଗଛ ଡାଳ ବାଜି ମୁଣ୍ଡ ଫାଟିବଣି ତ କେବେ ନିଦରେ ଘୁମେଇଁ କିଏ ଗଳି ପଡିବଣି । ଏମିତି ହଲି ଦୋହଲି ଚାଳିଶି କିଲୋମିଟର ବାଟ ଆମ ଗାଁ ଯାତ ମୁଣ୍ଡିଆ ଛକ ରେ ପହଞ୍ଚିବାକୁ ଲାଗିବ ତିନି ରୁ ଚାରି ଘଣ୍ଟା । ସେଇଠୁ ଦୁଇ କିଲୋମିଟର ଭିତରକୁ ଗଲେ ଆମ ଗାଁ ଡମପଡା । ଜଗନ୍ନାଥ ମୁଣ୍ଡିଆରୁ ଗଡାଣି ଗଡିଲେ ଉପରଗଡର ମଦନମୋହନ ମଣ୍ଡପ । ସେଇଠି ରହିବ ବସ୍ ।ଆମେ ସବୁ କୁଦା ମାରି ଓହ୍ଲାଇ ପଡିବୁ ବସ୍ ରୁ। ଗୋଟାଏ ଛୋଟ ବଜାର ମଦନମୋହନ ଛକ । ଅଳ୍ପ କିଛି ଦୋକାନ ବଜାର ଆଉ ମଦନମୋହନ ମୋହନ ମନ୍ଦିର । ଦି’ ଚାରିଟା ଲଣ୍ଠନ ଲଗା ହୋଇଥାଏ ଦୋକାନମାନଙ୍କରେ। ସେଇ ଆଲୁଅରେ ଟର୍ଚ୍ଚ ମାରି ବାଟ ଦେଖିବା କଥା।

ସେଇ ଛକରେ ଛୋଟ ଗୁଡିଆ ଦୋକାନ ଟିଏ ଥିବ ଜିଲାପି ଥୁଆହୋଇଥିବ ଥାଳିରେ ସଜା ହୋଇ, ଗରମ ପକୁଡି ଜାଣୁଥିବ ଗୁଡିଆ, ବୋଉ ଟଙ୍କାଟିଏ କି ଦି’ ଟଙ୍କା ଦେବ ଆମକୁ, ଆମେ ଜିଲାପି ପକୁଡି ଖାଇବୁ, ସେଇଠୁ ଗୋଟିଏ ଗୋଟିଏ ଚାଲି ଚାଲି ଗାଁ ଭିତରେ ଯିବୁ ଘରକୁ । ଭାରି ଖୁସି ଲାଗେ ଆମ ଗାଁ ଘରେ ପହଞ୍ଚିଲେ ।

ବଡବୋଉ, ଖୁଡୀ, ମାଇଁ, ମାଉସୀ ସବୁ ଧାଇଁ ଆସିବେ, ଆହା ପିଲା ମାନଙ୍କୁ ଧରି କେତେ କଷ୍ଟ କରି ଆସିଛି କହି ବୋଉ କୁ ପାଛୋଟି ନେଇଯିବେ କଚ୍ଚା ବାଡ୍ ଘେରା ଆମ ଘର ଭିତରକୁ ।ଦୁଇଟା ମୂଳି ବାଉଁଶ ଛନ୍ଦା ହୋଇ ପଡିଥିବା ଗେଟ୍ ଡେଇଁ ଆମେ ପଶିବୁ ଘରେ। ଖଞ୍ଜାଳିଆ ଆମ ଘର ର ଅଗଣାରେ ଆଣ୍ଠିଏ ବହଳରେ ଚାକୁଣ୍ଡା ବଣ ହୋଇଥିବ , ତା’କୁ ଆଡେଇ ଆଡେଇ ଆମେ ଘର ର ଦୁଆରମୁହଁ ଯାଏ ପହଞ୍ଚିବୁ । ଘର ର ତାଲା ଖୋଲି ବୋଉ ତରବର ଘର ଝଡା ଝଡି କରି ଡିବି, ଲଣ୍ଠନ ଲଗେଇବ , ସେଦିନ ଆଉ ରୋଷେଇ ହେବନାହିଁ, ସମସ୍ତଙ୍କ ଘରୁ ଖାଇବା ଆସିବ ଆମପାଇଁ । ଖାଇ ସାରିବା ପରେ ଗୋଟିଏ ଘରେ ଯାକିଯୁକି ହୋଇ ଶୋଇପଡିବୁ। ତା’ ପରଦିନ ଭୋର୍ ରୁ ଆସିବ ଆମ ରୟତ , ତା’ର ସ୍ତ୍ରୀ ପିଲା ଙ୍କୁ ସାଥିରେ ଧରି । ସକାଳ ନଅଟା ଦଶଟା ବେଳକୁ ଆମ ଘର ଦ୍ବାର ସଫା ସୁତୁରା ଲିପାପୋଛା ହୋଇ ପୁରା ଚକାଚକ୍ ହୋଇସାରିଥିବ। ସବୁ ଜିନିଷ ପତ୍ର ବ୍ୟବସ୍ଥିତ ହୋଇ ରହି ସାରିଥିବ ଯେଝା ସ୍ଥାନ ରେ । ଏମିତି ଲାଗୁଥିବ ସତେ ଯେମିତି ଆମେ ସବୁବେଳେ ଏଇଠି ହିଁ ଥିଲୁ, କୁଆଡେ ଯାଇନଥିଲୁ । ବୋଉ ରୋଷେଇ ଘରେ ରୋଷେଇ କରୁଥିବ ତା’ ଆପଣା ଢଙ୍ଗରେ, ଆମେ ଗାଁ ର ଅନ୍ୟ ଭାଇଭଉଣୀ ମାନଙ୍କ ସହିତ ଖେଳୁଥିବୁ ଆମ ବଡ ଅଗଣାରେ । ଅଗଣାର ମଝିରେ ଥିବା ମଲ୍ଲୀ ଗଛର ବୁଦା ରୁ ଭାସି ଆସୁଥିବ ମହମହ ହୋଇ ମଲ୍ଲୀ ଫୁଲର ବାସ୍ନା । ଘରେଥିବା କାଠପଟା ଖଟଟିକୁ ବୋଉ ବାହାରକୁ କାଢି ପକେଇ ଦେଇଥିବ ଅଗଣାରେ, ସେଇଠି ସଞ୍ଜ ବେଳକୁ ଜମିବ ଆମର ଆଡ୍ଡା । ଚୈତ୍ର ମାସ ଖରାବେଳର ଡହ ଡହ ଖରା କମି ଯାଇ ସାଏଁ ସାଏଁ ପବନ ବାଡୋଉଥିବ , ନିଦ ରେ ମାଡି ପଡୁଥିବ ଆଖିପତା । ଆଃ , କି ସୁନ୍ଦର, କି ସୁଖଦ ଥିଲା ସେଇ ଦିନ ଗୁଡାକ ।

ମୋର ପିଉସୀ ଘର ବାଙ୍କୀ ର ରଗଡି ଗାଆଁ ରେ । ପଣା ସଂକ୍ରାନ୍ତି ଦି’ଦିନ ଆଗରୁ

ପିଇସା ଆସିବେ ଆମକୁ ଝାମୁଯାତ୍ରା ଦେଖି ଯିବାକୁ ନେବା ପାଇଁ । ଗୋଟିଏ ଡିଆସିଲି ଖୋଳ ଭଳିଆ ବସ୍ ଚାଲେ ଆମ ଗାଁ ରୁ ବାଙ୍କୀ ଦେଇ ଖୋର୍ଦ୍ଧା । ସେଇ ବସ୍ ଧରି ଆମେ ଯାଉ ରଗଡି। ଗାଁ ମୁଣ୍ଡରେ ଓହ୍ଲାଇ ସିଧା ରାସ୍ତା ରେ ଗଲେ ପ୍ରାୟ ଦୁଇଶହ ଫୁଟ ଦୂରରେ ମୋ ପିଉସୀ ଘର । ଘର ର ଖୁବ୍ ପାଖରେ ଜଗନ୍ନାଥ ମନ୍ଦିର । ଅନେଇଲେ ଦେଖି ହେଲାଭଳି ଦୂରତା । ପିଉସୀ ଘର ଦୁଆର ସାମ୍ନାରେ ସଜନାଗଛ, ଛୁଇଁ ଭର୍ତ୍ତି ହୋଇଥିବ ଗଛରେ, ଗଛଟିକୁ ଲାଗି ତିଆରି ହୋଇଥିବା ରଞ୍ଜା ରେ ଠୁସି କଲରା ଭର୍ତ୍ତି ହୋଇଥିବ , ପିଉସୀ ଘର ନାଲି ଉଷୁନା ଚାଉଳର ପଖାଳ ଆଉ ଛୁଇଁ ଭଜା, କଲରା ଭଜା, ଆମ୍ବ ଚଟଣୀ ମନେ ପଡିଗଲେ ଏବେ ବି ମନରେ ଭୋକ ଘାଇଁ ଆସେ।ପଖାଳ ଖାଇବା ପରେ ଯୋଉ ବଢିଆ ନିଦ, ବିନା ଫ୍ୟାନ୍, ବିନା ଲାଇଟ୍ ରେ ତା’ ଆଟୁ ଘରେ ମାଟିର ଚଟାଣ ରେ ଜମାଣିଆ ନିଦ ଟେ ଶୋଇ ପଡିବୁ। ସନ୍ଧ୍ୟା ବେଳକୁ ପିଇସା ଆଣିବେ ଜଗନ୍ନାଥ ଙ୍କ ପ୍ରସାଦ । ଭାଲୁଚଟା ବାନାଧାନର ଚାଉଳରେ ଖେଚେଡି,ମୁଗଡାଲି ଆଉ ଗୁଆଘିଅ ର ବାସ୍ନା ରେ ଘର କମ୍ପାନୀ ଯାଉଥିବ, ଡାଲମା ରେ ପରିବାପତ୍ର ସହିତ ସରିସରି ନଡିଆକୋରା । ଆହା କି ସୁନ୍ଦର ମହକ ତା’ର । ପେଟେ ପେଟେ ଖାଇ ଦେଇ ଶୋଇପଡୁ ଆମେ । ପଣା ସଂକ୍ରାନ୍ତି ଦିନ ସକାଳୁ ସକାଳୁ ନିତ୍ୟକର୍ମ ସାରି ସଜବାଜ ହୋଇ ପିଇସାଙ୍କ ସାଥିରେ ଗାଁ ଭିତର ଆମ୍ବ ତୋଟା ଦେଇ ଚାଲି ଚାଲି ଯାଉ ବାଙ୍କୀ । ଚର୍ଚ୍ଚିକା ଠାକୁରାଣୀ ଙ୍କ ମନ୍ଦିର ର ଅନତିଦୂରରେ ଚର୍ଚ୍ଚିକା ହାଟ, ସେଇଠି ହୁଏ ଝାମୁଁ । ଆମ୍ବ ପଣସ ବର ଅଶ୍ୱଥ ଗଛ ଘେରା ବଡ ପଡିଆଟିଏ । ଶହେ କୋଡିଏ ହାତ ଲମ୍ବ, ଚାରି ଫୁଟ୍ ଚଉଡା, ପାଞ୍ଚ ଫୁଟ୍ ଗଭୀର ର ଖାତ ଖୋଳା ହୋଇଥାଏ। ସେଇ ଖାତ ଭିତରେ ଶଳା କାଠର ବଡ ବଡ ଖଣ୍ଡ କାଠ ଗଳାଇ ରଡି ନିଆଁ କରା ଯାଇଥାଏ । ଖାତ ର ଦୁଇ ମୁଣ୍ଡରେ ଦୁଇଟି ଗୋଲ୍ ଗୋଲ୍ ଗାତ ରେ ଗୁଡିକ ପଣା ଭର୍ତ୍ତି ହୋଇଥାଏ । ଝାମୁଁ ରେ ଚାଲିବାକୁ ଥିବା ମାନସିକ ବ୍ରତଧାରୀ ( ଝାମୁଁଆ , ଦଣ୍ଡୁଆ ) ମାନେ ମାଆ ଚର୍ଚ୍ଚିକା ଙ୍କ ପାଖରେ ଅଧିଆ ପଡନ୍ତି, ମାଆଙ୍କର ଆଜ୍ଞା ମିଳିଲା ମାତ୍ରକେ ଧାଇଁ ଯାଆନ୍ତି ନଦୀ କୁ , ବୁଡ ପକେଇ ଖୋଳ କରତାଳ ବାଜା ବଜାଇ ନାଚି ନାଚି ଆସି ସେଇ ରଡନିଆଁ ଉପରେ ଏମୁଣ୍ଡ ରୁ ସେମୁଣ୍ଡ ହୋଇ ସାତଥର ଚାଲନ୍ତି, ଏମୁଣ୍ଡ ରେ ପଣାଗାତରେ ଓରେଗୋନ ବୁଡାନ୍ତି ତ ଫେରିଲାବେଳେ ସେମୁଣ୍ଡ ପଣାଗାତରେ ଗୋଡ ବୁଡାନ୍ତି । ମାଆଙ୍କର ନାମ ଡାକି ଡାକି ଅନ୍ୟ ମାନେ ମଧ୍ୟ ହରିବଂଶ ହୁଳହୁଳି ଦେଇ ସେମାନଙ୍କ ଉତ୍ସାହ ବଢାଉ ଥାଆନ୍ତି । ପିଇସା କହନ୍ତି ସେଇ ଦଣ୍ଡୁଆ, ଝାମୁଁଆ ମାନେ କାଳେ ଫାଲ୍ଗୁନ ମାସର ସଂକ୍ରାନ୍ତି ଠାରୁ ମାନସିକ କରି ବ୍ରତ ଧାରଣ କରିଥାନ୍ତି ମାସକ ଯାକ ଅଡୁଆ ଖାଇ ଶୁଦ୍ଧ ପୂତ ଭାବରେ ମାଆଙ୍କୁ ଧ୍ୟାନ କରିଥାନ୍ତି , ପଣା ସଂକ୍ରାନ୍ତି ପୂର୍ବଦିନ ପଡେ ମେରୁ ଉପାସ , ସେଦିନ ସେମାନେ ନିର୍ଜଳା ଉପବାସ କରି ମାଆଙ୍କୁ ଧ୍ୟାନ କରିଥାନ୍ତି ଏବଂ ଝାମୁଁ ରେ ଚାଲିବାକୁ ତାଙ୍କର ଆଶୀର୍ବାଦ ଭିକ୍ଷା କରନ୍ତି, ସେଇ ନିର୍ଜଳା ବ୍ରତ ଉପବାସ କୁ “ ଅଘୋରତପ” କୁହାଯାଏ, ଅଘୋରତପ କଲେ ମାଆଙ୍କୁ ଦର୍ଶନ ଏବଂ ବର୍ଷା ମିଳିଥାଏ ବୋଲି କଥିତ ଅଛି। ଶକ୍ତିପୀଠ ମାନଙ୍କରେ ଘଣ୍ଟ ପାଟୁଆ ନାମରେ ଦଳେ ସେବକ ଥାଆନ୍ତି । ସେମାନେ ଦୋଳପୂର୍ଣ୍ଣିମା ଦିନ ମାଆଙ୍ କ ପାଖରେ ଘଟପୂଜା କରନ୍ତି ଏବଂ ସେଇ ଘଟମାନଙ୍କୁ ଫୁଲ ,ଶାଢୀ, ସିନ୍ଦୁର ଦେଇ ସଜାଇ ଗାଆଁ ଗାଆଁ, ସହର ସହର ବୁଲନ୍ତି , ସେଇ ଘଟଣା ଘର ଘର ବୁଲି ଭୋଗ ଖାଆନ୍ତି, ଘଣ୍ଟ ପାଟୁଆ ସେବକମାନେ ମାଆଙ୍କ ପାଲଟା ବସ୍ତ୍ରକୁ ଘାଗରା କରି ପିନ୍ଧି, ଘଣ୍ଟ ବଜାଇ ଠାକୁରାଣୀଙ୍କ ଝଟକୁ ମୁଣ୍ଡରେ ଧରି ଗାଁ, ଗାଆଁ ବୁଲି ବିଭିନ୍ନ ପ୍ରକାର ନୃତ୍ୟ କୌଶଳ ପ୍ରଦର୍ଶନ କରନ୍ତି । ସେମାନେ ଗୋଡରେ ରଣପା ବାନ୍ଧି ଯେଉଁ ନାଚ କରନ୍ତି ତାହା ଖୁବ୍ ଲୋକପ୍ରିୟ ।ଲୋକମାନେ ସେଇ ଘଟକୁ ମାଆଙ୍କ ପ୍ରତୀକ ଭାବରେ ପୂଜା କରନ୍ତି ଏବଂ ଘଣ୍ଟ ପାଟୁଆ କାଳିସୀ ମାନଙ୍କୁ ଧାନ ଚାଉଳ, ଭୋଗରାଇ,ଲୁଗାପଟା ଦକ୍ଷିଣା ଇତ୍ୟାଦି ଦେଇ ସମ୍ମାନିତ କରିଥାନ୍ତି । ସେଇମାନଙ୍କ ଘଣ୍ଟ ପାଟୁଆ ସେବକ ମାନେ ପଣା ସଂକ୍ରାନ୍ତି ପୂର୍ବରୁ ଫେରି ଆସନ୍ତି ପୀଠ କୁ ଆଉ ମାଆଙ୍କ ପାଖରେ ଦଣ୍ଡ ଉପାସ କରନ୍ତି । ଏମାନଙ୍କ ବ୍ୟତୀତ ସାଧାରଣ ଲୋକମାନେ ମଧ୍ୟ ଦଣ୍ଡ ଉପାସ କରନ୍ତି ମାତ୍ର ସେଇ ସେବକ ମାନଙ୍କ ଭିତରୁ କାହାକୁ ଅନୁରୋଧ କରନ୍ତି ନିଜ ବଦଳରେ ଝାମୁଁ ରେ ଚାଲିବାକୁ ପାଇଁ । ତେବେ ଯାଇଁ ସେମାନଙ୍କ ବ୍ରତ ପୂର୍ଣ୍ଣ ହୁଏ। ଭାରି ନିଷ୍ଠାପର ଭାବରେ କରିବାକୁ ପଡେ ଦଣ୍ଡ ଉପାସ । ବାହାର ଲୋକ ସେମାନଙ୍କୁ ଛୁଇଁବା ମନା , ଯେତେଥର ମଳ ମୂତ୍ର ତ୍ୟାଗ କରିବ ସେତେଥର ମହାସ୍ନାନ କରିବାକୁ ହେବ , ଏମିତି କେତେ କ’ଣ କହନ୍ତି ପିଇସା ଯାହା ଆମ ପିଲାମୁଣ୍ଡ ରେ ପଶି ନାହିଁ । ଆମେ ଖାଲି ହାଟରେ ଲାଗିଥିବା ମେଳାର ଦୋକାନ ବଜାର ବୁଲାବୁଲି କରି କମଳା ମିଳେଇ, ନଡିଆ ମିଠେଇ ଖାଉଥିଲୁ, ବେଲୁନ୍, ବେଙ୍ଗବାଜା କିଣୁ, ଯାତ୍ରା ଦେଖୁ , ସେଇଥିରେ ଆମର ଆନନ୍ଦ । ବୋଉ ବାଲା, କୁଲା, ପାଉଁଶିଆ, ଖଇଚଲା, ବିରିଚଲା, ଗୁଆକାତି, ବିନ୍ଚଣା, ଚଟ,ଇତ୍ୟାଦି ଘରକରଣା ଜିନିଷ ସବୁ କିଣେ । ଖୁବ ଭଲ ଲାଗେ ବୁଲିବାକୁ ଝାମୁଁ ଯାତ୍ରା । ଯାତ୍ରା ଦେଖି ସାରି ଗାଆଁ ରୁ କଟକ ଆସିବା ଯାଏଁ ବି ମନେ ପଡୁଥାଏ ଦଣ୍ଡୁଆ ମାନଙ୍କ ବିକଟାଳ ବେଶ ଆଉ ଯାତ୍ରା ବୁଲିବାର ମୁହୂର୍ତ୍ତ ସବୁ।

ବହୁତ ଦିନ ପରେ ବୋଧହୁଏ ପଚାଶ ବର୍ଷ ପରେ ଏବର୍ଷ ନାତି ନାତୁଣୀ ଙ୍କୁ ସାଙ୍ଗରେ ଧରି ଯାଇଥିଲି ଝାମୁଁ ଯାତ୍ରା ଦେଖିବାକୁ ବାଙ୍କୀ। ଯୁଗ ବଦଳି ଯାଇଛି । ସେ କାଳ କଥା ଆଉ ନାହିଁ , ଗାଆଁ ସହରିଆ ସହରିଆ ଲାଗୁଛି । ଝାମୁଁ ଯାତ୍ରା ସେଇ ଗତାନୁଗତିକ ଢଙ୍ଗରେ ହେଉଛି କିନ୍ତୁ ସେଦିନର ପବିତ୍ରତା ଆଜି ଥିଲା ପରି ମନେ ହେଲାନାହିଁ। ଦୋକାନ ବଜାର ସେମିତି ବସିଛି, କିଣାବିକା ବି ଚାଲିଛି, ହେଲେ ସେଇ ଉତ୍ସୁକତା ଆଉ ନାହିଁ ଲୋକମାନଙ୍କ ଭିତରେ। ସବୁ କେମିତି ଗୋଟାଏ ଚାଲିଛି ବୋଲି ଚାଲିଛି । ପିଲାମାନେ ବଜାର ବୁଲି ଚକ୍ରୀ ଦୋଳି ଖେଳିଲେ,ଆଇସ୍ କ୍ରୀମ୍ ଖାଇଲେ, ଲଙ୍କା ଚପ୍, ମଥୁରାପେଡା ,ଚାଟ୍, ଗୁପ୍ ଚୁପ୍ ଖାଇଲେ, ହେଲେ ଆମ ବାଙ୍କୀ ପ୍ରସିଦ୍ଧ ମନୁହର ଦୋକାନଟିଏ ଖୋଜି ପାଇଲିନି ମୁଁ । ମନ୍ଦିର ବୁଲି ଚର୍ଚ୍ଚିକା ମାଆଙ୍କୁ ଦର୍ଶନ କରି ଫେରିଲୁ । କଟକ କୁ ଫେରିବା ବେଳକୁ ବାଟସାରା ମୋର ମନେ ପଡୁଥିଲା ମୋ ପିଲାଦିନେ ଦେଖିଥିବା ଝାମୁଁ ଯାତ୍ରା ର ଦୃଶ୍ୟ । ମୋ ବୋଉ ଯଦିଓ ଏବେ ବି ବଞ୍ଚିଛି ହେଲେ ସେ ବେଶୀ ଚଲାବୁଲା କରି ପାରୁନି ବୋଲି ଭାଇ ମନାକଲା ତା’କୁ ଚର୍ଚ୍ଚିକା ମନ୍ଦିର ନେବାଲାଗି, ମୁଁ ଭାବୁଥିଲି ବୋଉ ଏଇ ଯାତ୍ରା ନେ ଦେଖିଛି ଭଲ ହୋଇଛି, ନହେଲେ ଏଠି ଯାହା ଚାଲିଛି ତା’କୁ ଭାରି ବାଧି ଥାଆନ୍ତା । ସେ ବରଂ ସେମିତି ଗାଆଁ ରେ ଶୋଇଥାଉ, ମୋ ପିଲା ମାନଙ୍କୁ ତା’ ସମୟର ଝାମୁଁ ଯାତ୍ରା କଥା କହୁଥାଉ।


Rate this content
Log in