Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Others

3  

Ajaya Mahala

Others

ତାରିଣୀ

ତାରିଣୀ

10 mins
14.5K


ସବୁ କଥାର ଗୋଟିଏ 'ଅତି' ଅଛି।

ଭାଇମାନେ ବହୁତ ଅଧିକ କରିଦେଲେ। ପୂରା ଧନ୍ଦା ବୁଡ଼େଇ ଦେଲେ।ଏମିତି ବେଳ ଆସି ପହଁଚିଲା ଯେ ଏବେ କୌଣସି ଝିଅ ବୋହୂ ନେକଲେସ ପିନ୍ଧି ଘରୁ ବାହାରକୁ ଗୋଡ କାଢୁ ନାହାନ୍ତି। ସକାଳୁ ମୋଟ ଛଅ ଜଣଙ୍କ ଉପରେ ନଜର ରଖିଛି ସେ। ତିନି ଜଣ ଯାଇ ସାରିଲେଣି ଲଙ୍ଗଳା ବେକରେ ଏବଂ ଆଉ ଜଣେ କଳା ସୁତା କେରାଏ ପକାଇ।

ରାକେଶ ଭାବୁଛି ଉଠି ଚାଲିଯିବ । ପୁଣି ଭାବୁଛି, ଏତେ ସମୟ ବର୍ବାଦ ହେଲା ପରେ ଖାଲି ହାତରେ କେମିତି ଫେରିଯିବ । ଭଉଣୀର ବାହାଘର ଆଉ ସାନ ଭାଇର କଲେଜ ଆଡ଼ମିସନ ଏକାଠି ଆସୁଛି -ଜୁଲାଇ ମାସରେ। ଏପ୍ରିଲ ଆଉ ମେ, ଏହି ଦୁଇ ମାସ ତ କାମ କରିବାକୁ ପଡିବ। ଏତିକିବେଳେ ପ୍ରାୟ ସମସ୍ତେ ଛୁଟି ମୂଡ଼ ରେ ରୁହନ୍ତି।ବାହାରକୁ ବାହାରନ୍ତି ଗହଣାଗାଣ୍ଠି ପିନ୍ଧି।

ଏବେ ଯେଉଁ ଦୁଇ ଜଣ ରହି ଗଲେ, ସେମାନେ ଅଲଗା ଅଲଗା ଗୋଟିଏ ଗୃହପଂକ୍ତିରେ ଆଠ ଦଶ ଘର ଛାଡ଼ି ରୁହନ୍ତି । ସେମାନଙ୍କୁ ଗୋଟିଏ ଜାଗାରେ ବସି ନଜର ରଖି ହେବ। ତା ଭିତରୁ ଜଣଙ୍କର ଘୋର ଅନିୟମିତ ବ୍ୟବହାର । ଥରେ ଘରୁ ବାହାରିଲେ ପନ୍ଦର ଦିନ ନ ଗଲେ ପୁଣି ବାହାରିବ ନାହିଁ। ତାଙ୍କ ବେକର ଚେନଟା କିନ୍ତୁ ମୋଟା। କିନ୍ତୁ ଆଜି ତା ଲାଗି ସମୟ ଅପଚୟ କରି କିଛି ଲାଭ ନାହିଁ।

ଶେଷରେ ଯିଏ ରହିଗଲା ସେହି ଜଣକ ବଡ ଫୁଲେଇ। ତିନିଥର ଚୋର ହାର ଝିଙ୍କି ନେଲା ପରେ ମଧ୍ୟ ପୁଣି ଆରଥରକୁ ନୂଆ ହାରଟିଏ ପିନ୍ଧି ବାହାରକୁ ଆସି ଯାଉଛି। ଚାଲିଲା ବେଳେ କେବେ ବି ଲାଗେନା ତା ମନରେ ହାର ଚୋରି ଲାଗି ଦୁଃଖ ବା ଭୟ ଅଛି।

ଦେହରେ ଥାଏ ସବୁବେଳେ ଦାମୀ ଶାଢ଼ୀ ଆଉ ଓଠରେ ମେଞ୍ଚାଏ ନାଲି ରଙ୍ଗ । ଉଚ୍ଚତା ବି ବହୁତ ସୁବିଧାଜନକ । ଏତେ ଉଞ୍ଚା ନୁହେଁ ସେ। ଡେଙ୍ଗା ଝିଅ ମାନେ ଚାଲୁଥିବା ମୋଟର ସାଇକେଲରୁ ସୁନା ହାର ଝିଙ୍କା ପାଇଁ ଉପଯୁକ୍ତ ନୁହନ୍ତି।

ଆଉ ଯେଉଁ ଗୋଟିଏ କାରଣରୁ ବୋହୂଟି ଶିକାର ପାଇଁ ଉପଯୁକ୍ତ ତାହା ହେଲା - ସେ କେବେ ବି ଶାଢ଼ୀ ଦ୍ୱାରା ବେକକୁ ଘୋଡାଇ ରଖେନା। ବହୁତ ଦୂରରୁ ଲକ୍ଷ୍ୟ କରି ହୁଏ ସିଏ ବେକରେ କଣ ପିନ୍ଧିଛି ବୋଲି।

ତାହା ସୁନିୟୋଜିତ ଢଙ୍ଗରେ ଚେନ ସ୍ନାଚିଂ ସମ୍ପନ୍ନ କରିବାରେ ସହାୟକ ହୋଇଥାଏ।

ବୋହୂଟି ବେକରୁ ଯେଉଁ ତିନି ଥର ହାର ଛିଣ୍ଡାଇ ନିଆ ଯାଇଛି, ସେଥିରୁ ପ୍ରଥମ ଦୁଇଟି ଘଟଣାରେ ରାକେଶ ନିଜେ ସାମିଲ ଥିଲା। ଗଲା ଥର ତା ବେକରୁ ଯେଉଁ ହାରଟି ଗଲା, ତା ପଛରେ ଚନ୍ଦ୍ରଶେଖରପୁର ଆଖପାଖ ବସ୍ତି ପିଲାଙ୍କର ହାତ ନ ଥିଲା। ସେଇଟା ରେଲୱେ ଷ୍ଟେସନ ବସ୍ତିର ପିଲାମାନେ ଉଡାଇ ନେଲେ। ତାହା ରାକେଶ ସମକ୍ଷରେ ଘଟି ଗଲା। ସେତେବେଳେ ସେ ପାଖ ଚା' ଦୋକାନ ବେଞ୍ଚରୁ ଚା ପିଉ ପିଉ ଦେଖିଛି। ସେଗୁଡ଼ିକ ଅତ୍ୟଧିକ ବିଗିଡି ଯାଇଥିବା ପିଲା। ଚୋରି ସୁନାକୁ ଏଣୁ ତେଣୁ ଦାମରେ ବିକି ସେ ପଇସାରେ ମଦ ପିଇବେ, କୁକୁଡ଼ା ମାଂସ ଖାଇବେ, ନ ହେଲେ ଜୁଆ ଖେଳିବେ। ମଝିରେ ମଝିରେ ସେମାନେ ନିଜ ଏରିଆ ଛାଡି ଅନ୍ୟ ଏରିଆକୁ ଆସିଥାନ୍ତି ପୋଲିସ ଆଖିରୁ ବଞ୍ଚିବା ପାଇଁ ।

ଯେତେବେଳେ ସେହି ଫୁଲେଇ ବୋହୂଟିର ବେକରୁ ବାହାର ଏରିଆର ପିଲା ଆସି ଚେନ ଛିଣ୍ଡାଇ ଚାଲିଗଲେ, ରାକେଶ ମନରେ କାହୁଁ କେଜାଣି ବହୁତ କ୍ରୋଧ ଆସିଥିଲା ଷ୍ଟେସନ ପାଖ ବସ୍ତିର ପିଲା ମାନଙ୍କର ଏହି ଅନଧିକାର ପ୍ରବେଶକୁ ନେଇ। ତାକୁ ଲାଗେ ଯେମିତି ଚନ୍ଦ୍ରଶେଖରପୁର ହାଉସିଂ କଲୋନୀର ଲୋକ ତା ନିଜ ଲୋକ ସବୁ। ସିଏ ନିଜେ ପଛେ ନ ପାରୁ, ଏଠିକାର ବୋହୂ ଝିଅ ମାନଙ୍କ ବେକରୁ ହାର ଛିଣ୍ଡାଇ ନେବା କେବଳ ଚନ୍ଦ୍ରଶେଖରପୁର ଆଖପାଖ ଯେତେ ବସ୍ତି ଅଛି ସେଇ ସବୁ ପିଲା ମାନଙ୍କର ନୈସର୍ଗିକ ଅଧିକାର । କିନ୍ତୁ ଏ ଅଧିକାର ସାବ୍ୟସ୍ତ କରିବାକୁ କାହା ପାଖକୁ ଯିବ ସେ ! ସେଦିନ ଚେନ ବେକରୁ ସେମାନେ ଛିଣ୍ଡାଇ ନେବା ପରେ ବୋହୂଟି ଅଧିକ ମାତ୍ରାରେ ବିଚଳିତ ହୋଇ ନ ଥିଲା। ରାସ୍ତା ଉପରେ ବେଶୀ କିଛି ଗଣ୍ଡଗୋଳ ହେବା ପରି ପରିସ୍ଥିତି ସୃଷ୍ଟି ନ କରି ସେଇଠୁଁ ସେ ଘରକୁ ଫେରି ଯାଇଥିଲା ।

ଆଜି ବୋହୂଟିର ମନ୍ଦିରକୁ ବାହାରିବା ବେଳ ହୋଇଗଲାଣି। ଏବେ ସେ ହାତରେ ପୂଜା ଥାଳି ଧରି ରାକେଶ ବସିଥିବା ଚା' ଦୋକାନ ସାମନା ଵାଲା ଗଳିରୁ ବାହାରକୁ ଆସିବ । ସେ ବାହାରିବା ମାତ୍ରେ ମନ୍ଦିର ପର୍ଯ୍ୟନ୍ତ ଧୀରେ ଧୀରେ ଅନୁସରଣ କରିବାକୁ ପଡିବ। ଦୁଇ ଜଣ ହେବା ଦ୍ୱାରା ପଳାୟନ କରିବା ଟିକେ ସହଜ ହୋଇଥାଏ । ସେମିତି ଅବସ୍ଥାରେ ଚେନ ଛିଣ୍ଡାଇବା ଲୋକ ଜଣେ, ଗାଡ଼ିର ଚାଳକ ଆଉ ଜଣେ। ଉଭୟଙ୍କ କାର୍ଯ୍ୟ ଅଲଗା। ସେ ଅନ୍ୟ କାହାରିକୁ ସହଯୋଗୀ ରୂପେ ରଖିନି । ତାହା କରିଥିଲେ, ବେମତଲବ ଚୋରି ମାଲରେ ଭାଗ ଦେବାକୁ ପଡୁଥାନ୍ତା ।ଏକୁଟିଆ ହେବା ଦ୍ୱାରା ଟିକେ ରିସ୍କ ଅଧିକ। ଇଏ ବି ସେହି ବୈପାରିକ ସିଦ୍ଧାନ୍ତ ଉପରେ ଆଧାରିତ - ଯେତେ ରିସ୍କ ସେତେ ଲାଭ।

ସମଗ୍ର ପ୍ରକ୍ରିୟା ମଧ୍ୟରେ ରାକେଶ ଚେନ ଛିଣ୍ଡାଇବା କାର୍ଯ୍ୟକୁ ମହତ୍ୱପୂର୍ଣ୍ଣ ଭାବେ। ଯେତେବେଳେ ଚେନ ସ୍ନାଚର ନିଜର ଶିକାର ଆଡକୁ ଅଗ୍ରସର ହେଉଥାଏ, ଏକ ଅଦ୍ଭୁତ ହଲଚଲ ପବନକୁ ତରଙ୍ଗିତ କରିଦିଏ ।ବେକରୁ ଚେନ ଛିଣ୍ଡିବା ମାତ୍ରେ ପରିବେଶ ଏକଦମ ବଦଳିଯାଏ। ଝିଅଟି ଚାହିଁ ରହେ ଭୟାର୍ତ୍ତ ଚାହାଣୀରେ । କେବେ ଆବାକାବା ହୋଇ ଯାଏ , କେବେ ଚିତ୍କାର କରିବସେ - ଯେମିତି ମା କୁକୁଡ଼ା କୁଡ଼କ କୁଡ଼କ ଚିତ୍କାର କରି ଏଣେ ତେଣେ ଦୌଡ଼ି ବୁଲେ, ତା ଛୁଆଙ୍କୁ ଚିଲ ଝାମ୍ପି ନେଲାପରେ । ସେତିକିବେଳେ କେଉଁଠୁ କେଜାଣି ଏତେ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଆନ୍ତି ମାତ୍ର କେଇ ମିନିଟରେ, କଣ ହେଲା ବୋଲି ଜାଣିବାକୁ। ସେତିକିବେଳେ ଯେନ ତେନ ପ୍ରକାରରେ ଜୀବନ ବଞ୍ଚାଇବାକୁ ପଡେ। ନିୟନ୍ତ୍ରଣହୀନ ବେଗରେ ମୋଟର ସାଇକେଲକୁ ଚଳାଇବାକୁ ପଡେ, ଲୋକଙ୍କ ଦୃଷ୍ଟିରେଖାରୁ ଯେତେ ଶୀଘ୍ର ଅନ୍ତର୍ଦ୍ଧାନ ହୋଇଯିବାକୁ। ଦରକାର ପଡ଼ିଲେ ଗଳି କନ୍ଦି ଭିତରେ ପଳାୟନର ରାସ୍ତା ଖୋଜେ ସେ। ଗଳି ଭିତରେ ଗତି ଧୀମେଇ ଯାଏ ସତ, କିନ୍ତୁ ଅନୁସରଣକାରୀଙ୍କୁ ଚକମା ଦେବା ସହଜ।

ସବୁ ବିକଳ୍ପର ପ୍ଲସ ଆଉ ମାଇନସ ଦିଗ ଅଛି।

ଭାଗ୍ୟ ଭଲ ଥିଲେ, ଘଟଣାସ୍ଥଳରେ ଲୋକ ଏକାଠି ହେଉ ହେଉ ସମୟ ଲାଗିଯାଏ। କିନ୍ତୁ ସବୁବେଳେ ସମାନ କଥା ନୁହେଁ। ସତ କହିବାକୁ ଗଲେ, ପୋଲିସକୁ ଏତେ ଡର ନାହିଁ ଯେତିକି ଡର ଯଦି ହଠାତ ଫିଲ୍ମ ହିରୋ ସାଜି ଜନସାଧାରଣ ଭିତରୁ ଅଚାନକ କିଏ ଅନୁଧାବନ କରିବାର ଦୁଃସାହସ କରି ବସେ। କେବେ କେବେ ଆଖ ପାଖରେ ଦୁଃସାହସୀ ସମାଜସେବୀ ଯୁବକ କେଉଁଠି ଥାଆନ୍ତି କେଜାଣି, ଚେନ ଛିଣ୍ଡିଯିବା ମାତ୍ରେ ହଠାତ ଦୃଶ୍ୟଗୋଚର ହୋଇଯାନ୍ତି। ଆଉ ଡେଇଁ ପଡନ୍ତି ଜେମ୍ସ ବଣ୍ଡ ଚ୍ୟାଲେଞ୍ଜରେ - ଚେଜ କରିବାକୁ ଚେନ ସ୍ନାଚରକୁ ନିଜ ନିଜ କାମ ଛାଡି । ପରିଣାମ ଭୟାବହ ହୋଇ ଥାଏ କେବେ କେବେ । ମାତ୍ର ପନ୍ଦର ଦିନ ତଳେ ଗୋଟିଏ ମର୍ମ୍ମନ୍ତୁଦ ଘଟଣା ଘଟିଥିଲା ନନ୍ଦନକାନନ ରାସ୍ତାରେ। ଅନୁସରଣ କରୁଥିବା ସମାଜସେବୀ ଯୁବକର ଭୟରେ ଚେନ ଚୋରର ମୋଟର ସାଇକେଲ ନିୟନ୍ତ୍ରଣ ହରାଇ ଗୋଟିଏ ଅଏଲ ଟ୍ୟାଙ୍କରରେ ବାଡେଇ ହୋଇଗଲା। ଆଉ ଚେନ ଚୋରର ମୃତ୍ୟୁ ସେଇଠି ହୋଇ ଯାଇ ଥିଲା। ଚେନ ଚୋର ପ୍ରତି ସମବେଦନା କାହା ମନରେ ନ ଥିଲା। ବରଂ ସମସ୍ତେ ଖୁସି ହେଉଥିଲେ ପଳାୟନକାରୀ ଚେନ ଚୋରକୁ ମିଳିଥିବା ଭଗବାନ ପ୍ରଦତ୍ତ ଶାସ୍ତିରେ।

ସବୁ ଉଦ୍ୟମରେ ପେଶାଗତ କୁସମ୍ଭାବନା ରହିବ ହିଁ ରହିବ । ତେଣୁ ସେଥିପାଇଁ କଣ ବୃତ୍ତି ଛାଡି ବାକୁ ପଡିବ ? ରାକେଶ ଜାଣେ, ଚେନ ଛିଣ୍ଡେଇବାର ପରବର୍ତ୍ତୀ ଦୁଇ ମିନିଟ ହିଁ ସବୁଠୁଁ ମହତ୍ତ୍ୱପୂର୍ଣ୍ଣ। ସେତିକି ସମୟ ପାର ହୋଇଗଲେ ଦଶା ଟଳି ଗଲା ବୋଲି ଜାଣିବ। ସେଇଥି ପାଇଁ ସେହି ସମୟରେ ମନେ ପକାଏ ମାଆ ତାରିଣୀଙ୍କୁ । ଏ ପର୍ଯ୍ୟନ୍ତ ସବୁଥର ସେ ଚୋରିକରି ବଞ୍ଚି ଯାଇଛି। ମୁଣ୍ଡରେ ବି ମା ତାରିଣୀଙ୍କ ସିଂଦୂରର ଲମ୍ବା ଟୀକା ଲଗାଇ ଘରୁ ବାହାରେ ସବୁଦିନ ।

ସେଇଥି ପାଇଁ ତା ମନରେ ଦୁଇଟି ଜିନିଷ ବଢି ଯାଇଛି - ମାଆ ତାରିଣୀ ପ୍ରତି ଭରସା ଆଉ ନିର୍ବୋଧ ତରୁଣୀମାନଙ୍କ ଗଳାରୁ ଚେନ ଛିଣ୍ଡେଇବାର ସାହସ ।

"ଆସୁନି କାହିଁ ଏ ଯାଏଁ ସେ ?"

ରାକେଶ ପୁଣି ରାସ୍ତା ଆଡକୁ ନିଘା କଲା। ଏଇ ଯେଉଁ ଚା' ଦୋକାନଟା ବସିବା ପାଇଁ ବାଛିଛି, ସେଇଟା ବୋହୂଟି ବାହାରିବାକୁ ଥିବା ଗଳିର ଏକ ଦମ ସାମ୍ନାରେ। ଦୁଇ ଶହ ମିଟର ଦୂରରୁ ଦେଖି ହେବ କୁକୁର ଛୁଆଟିଏ ବି ସେହି ଗଳିରୁ ବାହାରିଲେ। କିନ୍ତୁ ଗୋଟିଏ ଜାଗାରେ ବେଶୀ ସମୟ ବସି ରହିବା ଠିକ ନୁହେଁ। ତା କାର୍ଯ୍ୟକଳାପ ଚା' ଦୋକାନୀ ମନରେ ସନ୍ଦେହ ସୃଷ୍ଟି କରିବନି ତ ? ତିନି ଚାରି କପ ଚା ବରାଦ ଦେଇ ପିଇ ସାରିଲାଣି ଏ ପର୍ଯ୍ୟନ୍ତ। କିଏ ଜାଣେ, ପୋଲିସ ପଚାରିଲେ ଦୋକାନୀଟି ତାର ଏହି ପ୍ରିୟ ଗ୍ରାହକ ବିରୁଦ୍ଧରେ କାହିଁକି କେବେ ଶକ୍ତିଶାଳୀ ସାକ୍ଷୀଟିଏ ନ ହୋଇଯିବ ? ଘଣ୍ଟା ଘଣ୍ଟା ଧରି ଦେଖିଛି ତ ତାକୁ। ନଖଠୁଁ ନାସୀ ପର୍ଯ୍ୟନ୍ତ ସବୁକଥା ପୋଲିସକୁ କହିଦେବ। ଚିହ୍ନା ପଡିବାକୁ ବେଶୀ ସମୟ ଲାଗିବନି।

ତେଣୁ ତାକୁ ଯାଗା ବଦଳେଇବାକୁ ପଡିବ। ଆର ଚା' ଦୋକାନଟି ମନ୍ଦିର ପାଖାପାଖି। ଅନୁସରଣ କରିବାକୁ ସେଠି ଏତେ ସୁଯୋଗ ନାହିଁ। ତା ଛଡା ପାଖ ଗଳି ଛକରେ ପୋଲିସ ପେଟ୍ରୋଲ ଦିନକୁ ଚବିଶ ଘଣ୍ଟା କର୍ତ୍ତବ୍ୟ କରୁଛି। ରାକେଶ ଜାଣେ, ସେଗୁଡିକ ସବୁ ନିଷ୍କ୍ରିୟ।ଏ ପର୍ଯ୍ୟନ୍ତ ଗୋଟିଏ ବି ଚେନ ସ୍ନାଚରକୁ ଧରିବାରେ ସକ୍ଷମ ହୋଇ ନାହାନ୍ତି। ପୋଲିସଵାଲା କରିବ ବା କଣ ? ଛିଡା ହୋଇ ବୋର ହେଲେ ଆଖପାଖ ରୋଡ଼ କଡ଼ ଛୋଟ ଠେଲା ଦୋକାନରୁ ଜିନିଷ ଉଠାଇ ଖାଆନ୍ତି। କେଉଁ ଦୋକାନୀକୁ ଖରାପ ଲାଗେନା। ଟିକେ, ଧାପେ ବକଟେ ଜିନିଷ ତ ଚାଖିଲା ପରି ଖାଆନ୍ତି ଆଉ ତା ବଦଳରେ ପୋଲିସ ସହ ଗୋଟିଏ ପ୍ରକାର ମିତ୍ରତା - ରାସ୍ତା କଡ ଦୋକାନୀଙ୍କ ପାଇଁ ଏ କୌଣସି ଛୋଟ ଉପଲବ୍ଧି ନୁହେଁ। ଏମିତି ନୁହେଁ କି ସେମାନେ ପଇସା ଦିଅନ୍ତିନି - ପଇସା ଦିଅନ୍ତି କେବେ । କିନ୍ତୁ ଚିନାବାଦାମବାଲା ପୁଡ଼ିଆ ବାନ୍ଧୁ ବାନ୍ଧୁ ସବୁଠୁଁ ଲମ୍ବା ଚାରି ମଞ୍ଜିବାଲା ଚିନାବାଦାମ ଗୁଡିକୁ ଅଧିକାରପୂର୍ବକ ଚିପି ଭାଙ୍ଗି ଖାଇ ଯାଆନ୍ତି ହାତପୂରା ବାବଦରେ।

ଏ ତ ଗଲା ତଳତଳିଆ ପୋଲିସଙ୍କ କଥା। ଭୁବନେଶ୍ୱର ପୋଲିସର ଉପର ଅଫିସର ମାନେ ଏକ ରିସର୍ଚ୍ଚ ଉପରେ କାମ କରୁଛନ୍ତି ଚେନ ସ୍ନାଚର ଆଉ ଛୋଟ ମୋଟ ଚୋର ଗୁଡିକୁ ଧରିବା ପାଇଁ। ଏହା ମହୁ ଫେଣା ଥିଓରୀ ଆଉ ମହୁ ମାଛିଙ୍କ ବ୍ୟବହାର ଉପରେ ଆଧାରିତ। ଯେମିତି ମହୁମାଛିଟିଏ ମହୁଫେଣା ଚାରି ପଟେ ଥିବା ଫୁଲ ବଗିଚା ଗୁଡିକରୁ ମଧୁ ସଂଗ୍ରହ କରିଥାଏ, ସେମିତି ଚୋର ମାନେ ତାଙ୍କ ରହୁଥିବା ଜାଗାର ଚାରିପଟେ ଥିବା ନିବାସ ସ୍ଥାନ ଆଉ କଲୋନୀ ଗୁଡିକରେ ହିଁ ଚୋରି କରି ଥାଆନ୍ତି। ମହୁଫେଣା କେନ୍ଦ୍ରବିନ୍ଦୁ ହେଲେ ମହୁ ଚୋରି ହୋଇ ଯାଇଥିବା ଚାରିପଟରେ ବଗିଚା ଗୁଡିକ ବୃତ୍ତ ପରି। ସେହିପରି ଯଦି ଚୋରି ହେଉଥିବା ଘଟଣାସ୍ଥଳ ଗୁଡିକୁ ଯଦି ବୃତ୍ତ ଆକାରରେ ସଜାଇ ଦିଆଯାଇ ପାରେ, ତେବେ ସେହି ବୃତ୍ତର କେନ୍ଦ୍ର ବିନ୍ଦୁ ବା ଚୋର ରହୁଥିବା ଯାଗାକୁ ସଠିକ ନ ହେଲେ ବି ମୋଟାମୋଟି ରୂପରେ ନିରୂପଣ କରିହେବ।

ପୋଲିସ ପେଟ୍ରୋଲ ଭ୍ୟାନ କେତେଥର ତା ସାମନାରେ ରାଉଣ୍ଡ ଲଗାଇ ସାରିଲାଣି। ଯାହା ହେଲେ ବି ଏବେ ଆର ଚା' ଦୋକାନ ପାଖକୁ ଉଠି ଯିବାକୁ ପଡ଼ିବ। ନୂଆ ଯାଗାଟିରୁ ଏବେ ବୋହୂଟିକୁ ଛାମୁଆ ଦେଖି ହେବନି। କିନ୍ତୁ ଅସୁବିଧା କିଛି ନାହିଁ। ହାତରେ ପ୍ରସାଦର ଥାଳି ଆଉ ଫୁଲ ଚାଙ୍ଗୁଡା ଧରି ଆସିବାର ଥିବାରୁ ଗଳାରେ ହାରଟି ଏକ ପ୍ରକାର ସୁରକ୍ଷାବିହୀନ ହୋଇଥିବ । ତା ଛଡା କାନରେ ସୁନ୍ଦର କାନଫୁଲ ହଳେ ସବୁବେଳେ ଥାଏ । ହେଲେ ଏକ ସମୟରେ ଗୋଟିଏ ହିଁ କାନଫୁଲ ଛିଣ୍ଡେଇ ହେବ। ଏହି କାରଣରୁ ସେଥିରେ ଅତିରିକ୍ତ ଅସୁବିଧା। ପଟେ କାନଫୁଲ ନେଇ ସୁନାଦୋକାନୀ ପାଖକୁ ଗଲେ ଏଣୁ ତେଣୁ ହଜାର ପ୍ରଶ୍ନ ପଚାରି ବସିବ - ଆଉ ପଟେ କୁଆଡେ ଗଲା? ଏହାର ବିଲ ଅଛି କି?

ତିନି ଗ୍ରାମ ସୁନା ପାଇଁ ଏତେ ବଡ଼ ଅଡ଼ୁଆରେ ପଡିବା ଠିକ ନୁହେଁ । ତା ଛଡ଼ା ସେ ନିଜେ ଚାହେଁ ନା କାନଫୁଲ ଝିଙ୍କିବା କାରଣରୁ ସବୁଦିନ ପାଇଁ କାହାର କାନ ଚିରି ହୋଇ ରହିଯାଉ।

ହଠାତ ବୋହୂଟି ବାହାରିଲା । ତା ଭିତରର ଚିଲ ଆଉ ଇଗଲ ମାନେ ସକ୍ରିୟ ହୋଇଗଲେ ଏକ ଅନାଗତ ଦୁଃସାହସିକ ମୂହୁର୍ତ୍ତର ସାମନାସାମନି ହେବାକୁ। ସବୁକିଛି ନିହାତି ତ୍ରୁଟିହୀନ ପ୍ରଣାଳୀରେ କାର୍ଯ୍ୟାନ୍ବିତ କରିବାକୁ ପଡିବ। ଧୀରେ ଧୀରେ ମୋଟର ସାଇକେଲ ଚଲାଇ ପହଁଚିଲା ବୋହୂଟିର ଠିକ ପଛ ପଟେ। ହଠାତ ବୋହୂଟି ପଛକୁ ବୁଲିପଡ଼ି ଚାହିଁ ଦେଲା। କାତରତା, ଭୟ ଆଉ ଆଶ୍ଚର୍ଯ୍ୟ ମିଶି ଗୋରା ମୁହଁଟିକୁ ଯେମିତି ମୂହୂର୍ତ୍ତକ ପାଇଁ କଳା କରି ଦେଇଥିଲେ। ଏ ପର୍ଯ୍ୟନ୍ତ ତା ହାତ ବେକ ପର୍ଯ୍ୟନ୍ତ ଯାଇନି ବି। ବୋହୂଟି ଚିତ୍କାର କରିବାର ପ୍ରୟାସ କରି ଆସୁଥିଲା।

ଏତେ ଆଗକୁ ବଢି ଏବେ ପଛଘୁଞ୍ଚା ଦେବାର ବେଳ ନୁହେଁ। ଆଗକୁ ଯାଇ ଗୋଟିଏ ଝଟକାରେ ଛିଣ୍ଡାଇ ନେଲା ବେକରୁ ହାର। ବଳାତ୍କାର ନ ହୋଇ ବି ବଳାତ୍କାର ଠାରୁ କମ୍ ନ ଥିଲା ସମଗ୍ର ପରିଦୃଶ୍ୟ। ବୋହୂଟିର ଚିତ୍କାର ପହଞ୍ଚି ସାରିଥିଲା। ନୁଆଁଣିଆ ଚାଳ ଦୋକାନରେ ବସିଥିବା ଗ୍ରାହକ ମାନଙ୍କ କାନରେ। କେଇ ଫୁଟ ପଛରେ କିଛି ପଥଚାରୀ ବି ଥିଲେ।

ରାକେଶ ଆଜି କାହିଁ ସାମାନ୍ୟ ଛାନିଆଁ ହୋଇଗଲା।ପ୍ରଥମେ ଏମିତି କେବେ ହୋଇ ନ ଥିଲା। ଆଜି ତାକୁ ବହୁତ କମ ସମୟ ମିଳିବ ପଳାୟନ କରିବାକୁ। ଯେମିତି ହେଲେ ଅଙ୍କା ବଙ୍କା ରାସ୍ତାରେ ଦୁଇ ତିନି ଗଳି ଜଲଦି ପାର କରିବାକୁ ପଡିବ। ଅଧିକ ଦ୍ରୁତ କରିଦେଲା ସେ ମୋଟର ସାଇକେଲର ବେଗକୁ। ପଶିଗଲା ଗଳିଟିଏ ଭିତରକୁ। ସିଏ କି ଜାଣିଥିଲା ସେହି ରାସ୍ତାକୁ ନଗରପାଳିକା କର୍ତ୍ତୃପକ୍ଷ ମାତ୍ର ଗୋଟିଏ ଦିନ ଆଗରୁ ଖୋଳିଥିଲେ । ପାଞ୍ଚ ଫୁଟର ବିରାଟ ଖାଇ। ତା ଭିତରେ ଜଳ ଯୋଗାଣ ବିଭାଗର ବିରାଟ ପାଇପ। ଗଳି ମୁହଁରେ ଡାଇବର୍ସନ ଲାଗି ସାଇନ ବୋର୍ଡ ଲାଗିଥିଲା। ପଳାୟନକାରୀକୁ ସମୟ କାହିଁ ତାକୁ ପଢିବାକୁ ।

ଭୁସସସ୍ ... ସବୁ ସମାପ୍ତ ହୋଇ ଗଲା ଯେମିତି।

 x x x x x x x x x x x

ଜୀବନଦୀପ ହସ୍ପିଟାଲର କାଜୁଆଲଟି ୱାର୍ଡ ବାହାରେ ବସିଛି ସୁରଭି- ଚେନ ସ୍ନାଚର ରାକେଶର ସ୍ୱଘୋଷିତ ଅଭିଭାବକ ହୋଇ। ପ୍ରାରମ୍ଭିକ ଔପଚାରିକତାର କାଗଜ ଗୁଡିକରେ ସେ ଦସ୍ତଖତ କରିଛି । ଘଣ୍ଟାଟିଏ ଭିତରେ ଗୋଟିଏ ମଣିଷର ଦୁଇଟି ଚେହେରା ଦେଖିଛି ସିଏ। ତା ଆଡ଼କୁ ହିଂସ୍ର ପଶୁ ପରି ମାଡି ଆସୁଥିବା ଭୟଙ୍କର ଦାନବଟିି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏବେ ସେ କମାକୁ ଚାଲି ଯାଇଥିବା ଆହତ, ବେହୋଶ, ନିରୀହ, ସାଧାରଣ ମଣିଷଟିଏ। ମୁଣ୍ଡରେ ଲମ୍ବା ସିନ୍ଦୂର ଗାରଟିଏ। ଗୋଟିଏ ଗୋଡ଼ ଲୁହା ପାଣି ପାଇପରେ ବାଜି ସମ୍ପୂର୍ଣ୍ଣ ଚୁନା ହୋଇଯାଇଛି। ଭାଗ୍ୟବାନ ରାକେଶ ।ତାର ଚେନ ସ୍ନାଚିଂର ଶିକାର ସୁରଭି ଛଡା ଆଉ କିଏ ହୋଇଥିଲେ ବୋଧେ ତାର ଆଇ.ସି.ୟୁ ରେ ନ ହୋଇ ଶବଗୃହରେ ଥାଆନ୍ତା।

ରାକେଶର ମୋଟର ସାଇକେଲ ଖାତରେ ପଡିବା ପରେ ଲୋକମାନେ ସେଠି ରୁଣ୍ଡ ହୋଇ ଯାଇଥିଲେ।ସୁରଭି ବି ପାଦରେ ଚାଲି ସେଠି ପହଞ୍ଚି ଯାଇଥିଲା।

ସମସ୍ତେ ଖୁସି ଥିଲେ ଚେନ ଚୋରର ଏ ଦୁର୍ଦ୍ଦଶା ନେଇ। ଜାଣିବାକୁ କେହି ଚେଷ୍ଟିତ ନ ଥିଲେ ସେ ବେହୋଶ ନା ସତକୁ ସତ ମରି ଯାଇଛି।

ଲୋକମାନେ ତାର ସୁନା ଚେନ ରାକେଶ ପକେଟରୁ କାଢି ତା ହାତରେ ଦେଇ କହିଥିଲେ, "ମ୍ୟାଡମ, ଆପଣଙ୍କ ଚେନ ମିଳିଗଲା। ଆପଣ ଘରକୁ ଚାଲି ଯାଆନ୍ତୁ। ମିଛରେ ପୋଲିସ ଆସି ଆପଣଙ୍କୁ ହଇରାଣ କରିବ କିଛି ସମୟ ପରେ"।

ସେ ଭାବୁଥିଲା ତିନି ବର୍ଷ ତଳେ ମୋଟର ସାଇକେଲ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ମରି ଯାଇଥିବା ତା ନିଜ ଭାଇ ବିଷୟରେ । କେହି ଲୋକ ତାକୁ ସମୟ ଥାଇ ଡାକ୍ତରଖାନାରେ ପହଞ୍ଚାଇ ନ ଥିଲେ। ଅତ୍ୟଧିକ ରକ୍ତକ୍ଷୟ ହୋଇଥିଲା। ତା ଭାଇ କମାରୁ କେବେ ବି ଫେରି ନ ଥିଲା।

ସେ ଚିନ୍ତିତ ହୋଇଗଲା ଅଚାନକ - ବିଚରା ଚେନ ଚୋରଟି କଣ ହୋଶକୁ ଫେରିବନି?

ଆଜି ସେ ନିଜେ ତ ଉପସ୍ଥିତ ଅଛି ସେହିପରି ଗୋଟେ ଘଟଣାରେ । ସେଇଥିପାଇଁ ତ ଦୁର୍ଘଟଣା ସ୍ଥଳରୁ ଉଠାଇ ଆଣିଛି ତା ବେକକୁ ଲଙ୍ଗଳା କରିବାକୁ ପ୍ରଚେଷ୍ଟା କରିଥିବା ଚୋରଟିକୁ

ତାର ଚିନ୍ତା ଭଗ୍ନ ହେଲା। ନର୍ସଟିଏ ପାଖରେ ଆସି କାଗଜ ଦେଖାଇ କହୁଥିଲା, "ଦଶ ହଜାର ଟଙ୍କା ଜମା କରିବାକୁ ପଡିବ। "

ଏହା ଛଡ଼ା କିଛି ଇଂଜେକସନ ଆଉ ଔଷଧ ଶୀଘ୍ର ଅପରେସନ ଥିଏଟରରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଗଲା।

ସୁରଭି ଏ ସବୁ ପାଇଁ ପ୍ରସ୍ତୁତ ନ ଥିଲା। ସେ ତ ମନ୍ଦିର ଲାଗି ବାହାରିଥିଲା ଘରୁ। ଏତେଗୁଡିଏ ପଇସା କେଉଁଠୁଁ ଆଣିବ ? ସଂଯୋଗକୁ ହସ୍ପିଟାଲ ସମ୍ମୁଖରେ ଥିବା ଅଳଙ୍କାର ଦୋକାନ ଆଡକୁ ଦୌଡ଼ି ଗଲା ସିଏ।

ଏହା ପୂର୍ବରୁ ସେ ନିଜେ ଏକୁଟିଆ କୌଣସି ଗହଣା କିଣାବିକା କରି ନାହିଁ। ବ୍ୟାଗ ଭିତରୁ ଛିଣ୍ଡା ସୁନା ଚେନ କୁ କାଢିଲା ସେ। ତାକୁ ବଦଳାଇ ପଚାଶ ହଜାର ପାଖାପାଖି ଟଙ୍କା ଯୋଗାଡ କରିନେଲା ସେ। ଏଠି ପାଇଁ ସଂକୋଚ ନ ଥିଲା । ଏମିତି ବି ସେ ଚେନକୁ ଆଉ କେବେ ସେ ପିନ୍ଧି ପାରି ନ ଥାନ୍ତା।

ହସ୍ପିଟାଲ କାଉଣ୍ଟରରେ ଦଶ ହଜାର ଟଙ୍କା ଜମା କଲା ସେ। ଏହା ଅତିରିକ୍ତ ଆଉ ତିରିଶ ହଜାର ଦେଇ ରସିଦ ନେଲା ସମ୍ଭାବିତ ଖର୍ଚ୍ଚ ପାଇଁ। ସେତେବେଳକୁ ରାକେଶର ଘରଲୋକେ ପାଖ ଆଦର୍ଶ ବସ୍ତିରୁ ଆସି ହସ୍ପିଟାଲ ପହଞ୍ଚି ସାରିଥିଲେ ପଚରା ଉଚରା କରି।

ସୁରଭିକୁ ଘରୁ ଗୋଡ କାଢିବା ପରେ ଦୁଇ ଘଣ୍ଟା ହୋଇଗଲାଣି। ଫୋନ କରି ଘରେ କହି ସାରିଛି ସାଙ୍ଗ ଘରକୁ ଯାଉଛି ବୋଲି।

ରାକେଶର ଘର ଲୋକଙ୍କୁ ଦେଖି ସିଏ ଭାବୁଥିଲା ଏବେ ସିଏ ଘରକୁ ଫେରି ଯିବ। ୱାର୍ଡ ଭିତରୁ ଖବର ଆସିଲା ରାକେଶର ହୋଶ ଫେରିଛି ବୋଲି। ନର୍ସ ଆସି କହିଲା ଆଉ କିଛି ଚିନ୍ତା କରିବାର ନାହିଁ। ଏକ ଅଜଣା ଖୁସି ଆସିଲା ତା ମନ ଭିତରେ। ତାର ପ୍ରଚେଷ୍ଟା ବେକାର ଯାଇନି।

କବାଟ ପେଲି ସେ ରୁମ ଭିତରେ ପଶିଲା । ଖଣ୍ଡେ ଦୂରରେ ଛିଡା ହୋଇ ଗଲା ସେ। ମୁଣ୍ଡକୁ ଟିକିଏ ବାଁ ପଟକୁ ନୁଆଇଁ ଦେଇ ହସି ଚାହିଁରହିଲା ରାକେଶକୁ ଅଧ ମିନିଟ ଲାଗି - ଗୋଟିଏ ମୁଦ୍ରାରେ । ସେହି ସ୍ମିତ ହସରେ ଥିଲା ଶତକଡା ନବେ ଭାଗ ତାତ୍ସଲ୍ୟ ଆଉ ତାଗିଦ। ଆଉ କିଛି ମାତୃସୁଲଭ ଅନୁକମ୍ପା ବି । ନାଲି ପାଟ । ଖୋଲା ଖୋଲା ବଡ ଆଖି । ମା ତାରିଣୀ ଛିଡା ହୋଇଛି ତା ଆଗରେ । ସିଂଥିରେ ସିନ୍ଦୂର କିନ୍ତୁ ବେକ ଖାଲି । ଅକ୍ସିଜେନ ପାଇପର ମୁଖା ତଳେ ଗରମ ହୋଇ ଆସୁଥିଲା ରାକେଶର ନିଶ୍ୱାସ । ସେ ଚାହିଁଲା ନିଜର ସଦ୍ୟ ପ୍ଲାଷ୍ଟର ହୋଇଥିବା ଗୋଡ ଆଡେ । ଲୁହ ଦୁଇ ଧାର ବହିଯାଉଥିଲା । ମୁଣ୍ଡ ଉଠାଇ ଦେଖିଲା ବେଳକୁ ତାରିଣୀ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ।

ପୁଣି ବେହୋଶ ହୋଇଗଲା ରାକେଶ।

ବାହାରେ ପୋଲିସ ଟିମ ନେଇ ଛିଡା ହୋଇଛନ୍ତି ଚନ୍ଦ୍ରଶେଖରପୁର ଥାନା ଷ୍ଟେସନ ଅଫିସର। ଅଣତିରିସଟି ଚେନ ଟଣା ଘଟଣାକୁ ନେଇ ରାକେଶକୁ ପଚରା ଉଚରା କରାଯିବ। ସୁରଭି କଣ କରି ପାରିବ ? ନୀରବରେ ଶୁଭ ମନାସିଦେଲା ଚେନଚୋର ପାଇଁ ।

ସୁରଭି ରୁମ ବାହାରକୁ ଆସି ରାକେଶର ସାନ ଭଉଣୀକୁ ହସ୍ପିଟାଲ ରସିଦ ଧରାଇଦେଇ ଘରକୁ ଯିବା ପାଇଁ ଉଦ୍ୟତ ହେଲା। ଶାଶୁ ରାଗି ସାରିବେଣି ।ଅଟୋ ରିକ୍ସାଟିଏ ଧରିଲା। 

ପୋଲିସ ବି ଫେରି ଯାଉଥିଲେ ନିରାଶ ହୋଇ - ରାକେଶର ଗମ୍ଭୀର ସ୍ୱାସ୍ଥ୍ୟକୁ ଦେଖି।

ଅଟୋ ରିକ୍ସାର ଘର୍ଘର ଧ୍ୱନି ଭିତରେ ବସି ସୁରଭି ଭାବୁଥିଲା ପଛ କେତେ ଘଣ୍ଟାର କଥା ସବୁ। ମନ୍ଦିରରେ ଦେବତା ଦର୍ଶନ କରି ସକାଳୁ ଘରୁ ବାହାରିଗଲା ପରେ ଆଜି ମନ୍ଦିର ଯାଇ ପାରିଲାନି ସିନା କିନ୍ତୁ ତିନି ଘଣ୍ଟା ପରେ ସିଏ ଫେରିଛି ଦେବୀଟିଏ ହୋଇ। ଜିଇଥିଲା ଜୀବନକୁ ଆଜି ସେ ଭରପୂର - ନିଜପରି ନିଜେ ହୋଇ।

ସୁନ୍ଦର ଚମ୍ପା ଆଙ୍ଗୁଳିରେ କଲ ବେଲ ଦବାଇବା ବେଳେ ଛାଏଁ ଛାଏଁ ହସଟିଏ ଫୁଟି ଆସୁଥିଲା ତା ମୁହଁ ରେ।

ଶାଶୁ ଏବେ କବାଟ ଖୋଲିବେ।

ସିଏ ନିଜର ଲଙ୍ଗଳା ବେକକୁ ଶାଢୀରେ ଭଲକରି ଢାଙ୍କି ଦେଲା ।

                     ~◆~ଦେହ


Rate this content
Log in