ମା' ପରି କେହି ନାହିଁ
ମା' ପରି କେହି ନାହିଁ
ଶୀତରେ ଦେହ ଯାଉଛି ଥରି
ନାହିଁ ଚାଦର ଖଣ୍ଡେ
ଶୀତରୁ ରକ୍ଷା ପାଇବା ପାଇଁ
ନିଆଁ ଲଗାଏ ଦାଣ୍ଡେ ।
ଗରିବ ପାଇଁ ସବୁତ ଏଠି
ସାଜଇ ସେହସୁହା
ଖାଲି ଯା'ସାହା ହୁଅଇ ତାଙ୍କୁ
ଦାଣ୍ଡର ନିଆଁ ପୁହାଁ ।
ନିଆଁକୁ ହାତ ଦେଖେଇ ଦେଇ
ଗାଲରେ ତାକୁ ଥାପେ
ସେହି ହାତର ଉଷୁମୁ ସ୍ପର୍ଶେ
ଶୀତଟି କାହିଁ ଛପେ ।
ପୁଅକୁ ସିନା ଦାମୀ ଚାଦର
ପାରୁନି ଦେଇ କିଣି
ସକାଳୁ ଉଠି ନିଆ ପୁହୁଁଛି
ପୁଅର ମନ ଜାଣି ।
ତଥାପି ପୁଅ ବହୁତ ଖୁସି
ଏମିତି ମାଆ ପାଇ
ମାଆକୁ ଚାହିଁ କହୁଛି ସିଏ
ତୋପରି କେହି ନାହିଁ ।
ମାଆର ସ୍ନେହ ପାଖରେ ଏଠି
ସବୁ ଲାଗଇ ତୁଚ୍ଛ
ତାହାରି ସ୍ନେହ ମମତା ପାଖେ
ଆଉ ସବୁତ ମିଛ ।
ଦୁଃଖ ଯନ୍ତ୍ରଣା ଦୁରେଇ ଯାଏ
ମାଆ ଯେ ପାଖେ ଥିଲେ
କେତେ ଶରଧା ଭରି ରହିଛି
ମାଆର ମିଠା ଗେହ୍ଲେ ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର ।