ମୁଁ ଓଡ଼ିଆ
ମୁଁ ଓଡ଼ିଆ
ଲାବଣ୍ୟମୟୀ ମୋ ସୁନ୍ଦରୀ ଓଡିଶା,
ଗୋଲାପ ଫୁଲ ସଦୃଶ,
ତିରିଶିଟି ଜିଲ୍ଲା ତୋହର ପାଖୁଡା,
ସଦ୍ୟ ପ୍ରସ୍ଫୁଟିତ ବେଶ l
ମନ୍ଦିର ମାଳିନୀ ବିଶ୍ୱବିମୋହିନୀ,
କି ବର୍ଣ୍ଣିବି ତୋର ରୂପ,
ଖଣି ଖାଦାନରେ ଭରି ରହିଛୁ
ସମ୍ପତି ତୋ ଅମାପ l
ଚଣ୍ଡାଶୋକ ଏଠି ଧର୍ମାଶୋକ ହେଲେ
ଧନ୍ୟ ଏ ଓଡିଶା ଭୂଇଁ,
କେତେ ନଦନଦୀ ବହିଯାଏ ଏଠି
ବୀରଙ୍କ ଗାଥାକୁ ଗାଇ l
ବିଶ୍ୱ ପ୍ରସିଦ୍ଧ କାଳିଆ ଠାକୁର
ତୋ କୋଳରେ ଶୋଭାପାଏ,
ତୋ ରଥଜାତ ଦେଖିବା ପାଇଁ
ସାରା ବିଶ୍ୱ ରୁଣ୍ଡ ହୁଏ l
କୋଣାର୍କର କଥା କି ବର୍ଣ୍ଣିବି ଆଉ
କାରୁକାର୍ଯ୍ୟରେ ମଣ୍ଡିତ,
ପ୍ରସିଦ୍ଧ ଏଠି ସୂର୍ଯ୍ୟ ମନ୍ଦିରଟି
ଜଗତେ ପରା ବିଖ୍ୟାତ l
ତୋ କୁଟୀରଶିଳ୍ପ,କଳାସଂସ୍କୃତି,ବାଲୁକାଶିଳ୍ପ
ବିଶ୍ୱରେ ଅତି ଆଦର,
ତୋ ଓଡିଶୀ ନୃତ୍ୟ ଦେବଦାସୀ ନୃତ୍ୟ
ଅତି ଉଚ୍ଚ କୋଟିର l
ଓଡ଼ିଆର ଖାଦ୍ୟ ଓଡିଶାର ମିଠା,ପିଠା
ବାହାରେ ବଡ଼ ଆଦର,
ଓଡ଼ିଆଣୀର ଓଢଣୀ ଭିତରେ
ମୁଁହଟି ଅତି ସୁନ୍ଦର l
ତୋ ବୟନ ଶିଳ୍ପ ତାରକସୀ କାମ
ରାଜା ମହାରାଜା କଥା,
ଯେତେ ବଖାଣିଲେ ସରିବ ନାହିଁ
ନୁଆଁନ୍ତି ସମସ୍ତେ ମଥା l
କେତେ ସୁରବୀର ତୋ କୋଳେ ଜନମି
ଯଶ କୀର୍ତି ରଖିଛନ୍ତି,
ଉତ୍କଳ ବୁକୁରେ ଗରବ ଗାରିମା
ଲିପିବଦ୍ଧ ରହିଅଛି l
ବିଶ୍ୱହକି ଖେଳ ତୋ କୋଳେ
ହୋଇଲା ପାଇକ ମଉଡମଣୀ,
ଯେତେ ବଖାଣିଲେ ପୃଷ୍ଠା
ସରିବନି ତୁ ପରା ସଭିଙ୍କ ରାଣୀ l
ସୁକାନ୍ତି ହୋତା ତାଳଚେର
