ମୁଁ ଯେ ମାଟି କଳସୀ
ମୁଁ ଯେ ମାଟି କଳସୀ
କେବେ ମୁଁ ଅସ୍ପୃଶ୍ୟ କଳସୀଟିଏ ହୋଇ ,
ଗଡୁଥାଏ କାହାର ଦଶ ତୁଠରେ,
ପୁଣି କେବେ ମହୁର ସୁରେଇ ହୋଇ,
ମହକୁଥାଏ କାହାର ହାଣ୍ଡିଶାଳରେ ।
ବେଳେ ବେଳେ ଆଞ୍ଜୁଳାଏ ବର୍ଷା ଜଳ ଛଡା,
ମୋ ଭିତରେ ଆଉ କିଛି ନଥାଏ ,
ତାହାବି କେବେ ପ୍ରଚଣ୍ଡ ରୁଦ୍ରର ଉତ୍ତାପରେ ,
ବାଷ୍ପୀଭୁତ ହୋଇଯାଏ ।
କେବେ ପୁଣି ଖଣ୍ଡବିଖଣ୍ଡିତ ହୋଇ
ଭାଙ୍ଗିଯାଏ ମୁହିଁ ,
କାହାର ଗୋଇଠା ମାଡରେ,
କାହାର ତୃଷ୍ଣା ମେଣ୍ଟାଇବାର ସ୍ୱପ୍ନରେ
କେବେ କେବେ ବସିଥାଏ
ଜଳଛତ୍ର ଚୋଉକିରେ ।
ମନ୍ଦିରର କାନ୍ଥରେ ଥିବା ଚିତ୍ର ଫଳକରେ
ଶୋଭା ପାଉଥାଏ କେବେ କଳାକିର୍ତ୍ତି ହୋଇ,
ପୁଣି କେବେ ଚହଲୁଥାଏ ରୂପସୀ କାଖରେ
ସୁମଧୁର ପାଣି ଭାର ନେଇ ।
ଠାକୁର ଘରେ କେବେ ବସୁଥାଏ
ବାମଭାଗେ ଅଗ୍ରପୂଜ୍ୟ ହୋଇ,
ପ୍ରଥମେ ପୂଜା ପାଇବାପାଇଁ
ଗଣେଶଙ୍କ ଦ୍ୱିତୀୟ ନାମ ନେଇ
ପୂଜା ଅନ୍ତେ , ଶେଷରେ ମୁଁ ବିସର୍ଜନ ହୁଏ,
ମୂର୍ଣ୍ମୟୀ ମୂର୍ତ୍ତିଙ୍କ ସଙ୍ଗେ
କେଉଁ ଏକ ନଦୀ ଗର୍ଭେ ଯାଇ ।
ମୁଁ ଏକ ମାଟି କଳସୀ,
ମୋର ପରିଚୟ ପରା ଏଇ ,
ମାଟି କଳସୀ ଟେ ଯେ ମୁହିଁ ।
ପବିତ୍ର କାର୍ଯ୍ୟଠୁ ନେଇ,
ଅକାଳ ବିୟୋଗରେ ମଧ୍ୟ ,
ସବୁଠି ଯେ ଲୋଡ଼ା ମୁହିଁ ,
ମୋର ପରିଚୟ ପରା ଏଇ
ମାଟି କଳସୀଟେ ଯେ ମୁହିଁ
ମାଟି କଳସୀଟିଏ ଯେ ମୁହିଁ
ମାଟି କଳସୀଟିଏ ଯେ ମୁହିଁ ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର
ମଧୁପାଟଣା
କଟକ