ଓଡ଼ିଶା ମାଟିର ସନ୍ତାନ
ଓଡ଼ିଶା ମାଟିର ସନ୍ତାନ
ଓଡିଶା ମାଟିରେ ଜନମି ବଢିଲେ
ତା’ ପାଣି ପବନ ଖାଇ
ହେଲେ ଆଜି ତାଙ୍କ ପାଟିରେ ଓଡିଆ
ଜମାରୁ ପଶଇ ନାହିଁ !
ନିଜ ପରିଚୟ ଲୁଚେଇ ରଖନ୍ତି
କାରଣ ମାଡଇ ଲାଜ
ବିଦେଶ ମାଟିରେ ଓଡିଆ କହିଲେ
ଲୋକେ ହେବେ ନାହିଁ ସାଙ୍ଗ !
ଭୁଲ୍ ଭାଲ୍ କରି ବିଦେଶୀ ଭାଷାକୁ
କୁହନ୍ତି ଫୁଲେଇ ଛାତି
ଘରେ ତାଙ୍କ ପିଲେ ଓଡିଆ ଗୋଟାଏ
ଭାଷା ବୋଲି ନଜାଣନ୍ତି ।
ହିନ୍ଦୀ ଇଂରାଜୀରେ କହିଲେ ପ୍ରଭାବ
ଲୋକଙ୍କ ଉପରେ ପଡେ
ମାଟି ମା’କୁ ଭୁଲି ପରଦେଶୀ ସାଙ୍ଗେ
ଭାବ ଦିଆନିଆ ବଢେ ।
‘ମାତୃଭାଷା ତୁମ କଅଣ?’, କହିଲେ
କୁହନ୍ତି ହିନ୍ଦୀ ଇଂରାଜୀ
ସଭା ସମିତିରେ ଓଡିଆ ଭାଷାକୁ
ଶୁଣିବାକୁ ନୁହେଁ ରାଜି ।
ପିଲାଏ ତାଙ୍କର ଓଡିଶୀ ନଶିଖି
ଶିଖନ୍ତି ଇଂରାଜୀ ନାଚ
ଚୁଡା, ମୁଢି, ପିଠା ପଣା ସ୍ୱାଦ, ସବୁ
ହେଲାଣି ଅପୂର୍ବ ଚିଜ !
ଓଡିଆ ସାହିତ୍ୟ ରୁଚିଶୀଳ ନୁହେଁ
ମନକୁ ନପାରେ ଛୁଇଁ
ତେଣୁ କରି ପିଲେ ତାଙ୍କର ଯାଆନ୍ତି
‘ହ୍ୟାରି ପଟର’କୁ ପିଇ !
‘ଫକୀର ମୋହନ କିଏ?’ ବୋଲି ଯଦି
ପଚାରି ବସିବା କେବେ
‘ହେଇଥିବ କେଉଁ ଗାଆଁ ଲୋକ’ ବୋଲି
ଉତ୍ତର ଝଅଟ ମିଳେ ।
ଏପରି ଚଳଣୀ ଜୋର୍ ଧରିଲାଣି
ସହର ଗାଆଁ ବସ୍ତିରେ
ଏମିତି ଦିନଟେ ଆସିବ ଓଡିଆ
ନଥିବ କାହାରି ଘରେ ।
ଏମିତି ସନ୍ତାନ କାହିଁ ପାଳୁଥିଲୁ
ହେ ମୋର ମାଟି ମାଆ !
ସେମାନଙ୍କ ହାତେ ବଳି ପଡିବାକୁ
ପ୍ରସ୍ତୁତ ହେଇ ତୁ ଥାଆ ।
ଯାହା କଣ୍ଠେ ଦିନେ ଭାଷା ଦେଇଥିଲୁ
ତାହାରି କୃପା ବଳରେ
ଓଡିଆ ଭାଷାଟେ ଥିଲା ବୋଲି ତୁହି
ପଢିବୁ ଇତିହାସରେ ।
ମାଟି, ମାଆ, ମାତୃଭାଷାର ସୁରକ୍ଷା
ଯେ କରି ପାରଇ ନାହିଁ
ସେ ସନ୍ତାନ ଠାରୁ ମାଆ ଡାକ ଶୁଣି
ହୋଇବୁ କି ଖୁସି ତୁହି ?