ମୁହଁ ସଂଜବେଳ
ମୁହଁ ସଂଜବେଳ
ଆକାଶ ଶୋଇଥିଲା
କଡମାଡି
ଅଧା ଛାଇ ଅଧା ଆଲୁଅରେ,
ଗଛ-ବୃଚ୍ଛ ସବୁ
ହାଇ ମାରି ମାରି
ବ୍ୟସ୍ତ ହେଉଥିଲେ
ମଳି ମଳି ଆଖି
ପାହାଡ ସନ୍ଧିରେ ।।
ଟିକି ଟିକି ତାରା ଫୁଲ
ଆକାଶରେ ଫୁଟିଲେ
ସକାଳର ସଜଫୁଲ ଯେତେ
ବାସି ହେବା ପରେ ।।
ଘର ଚଟିଆ
ଘରକୁ ଫେରିଲେ
ଗୋରୁ-ଗାଈ
ପଘାରେ ବଂଧା ହେଲେ,
ଚିହ୍ନା ଚିହ୍ନା ମୁହଁ ସବୁ
ଦୃଶ୍ୟରୁ ଅଦୃଶ୍ୟ ହେଇ
ଘନ କୁହୁଡ଼ି ତଳେ
କେଉଁଠି କିଏ
ଲୁଚିବି ଗଲେ ।।
ଠିକ୍ ଏତିକି ବେଳେ
କାହା ବୀଜମନ୍ତ୍ରରେ
ଅଭିମନ୍ତ୍ରିତ କେହିଜଣେ,
ତୁଳସୀ ଚଉରା ମୂଳେ
ଆକାଶ ଦୀପଟିଏ ଜାଳି
ଶୁଭ ମନାସୁ ଥିଲା
ପ୍ରତିଟି ସଂଜ- ସଳିତାରେ
ଢଳି ଢଳି ଆସୁଥିବା
ଜୀବନର ଅନ୍ତିମ ସଂଧ୍ୟାରେ ।।
***
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ, ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)