ମୋ ପ୍ରିୟା
ମୋ ପ୍ରିୟା
ଫୁଲରେ ଫୁଲରେ ଯେତେକ ସୁରଭି,
ସବୁ ସେଇ ତୁମ ଅଙ୍ଗ ଲତାର,
ମହୁଆ ବାସ୍ନା ।
ପବନେ ପବନେ ଯେତେ ଗୁଞ୍ଜନର,
ସବୁ ସେଇ ତୁମ ଘନ ନିଶ୍ଵାସେ,
କେତେ ବିଶ୍ଵାସର କାହାଣୀ ସିନା।
ନିଗାଡି ଦେଇଛ,
ଜୀବନର ଯେତେ ନିର୍ଯାସ ତୁମ,
ଭରିଦେଇ ତୁମେ ପିଆଲା ମୋର ।
ଋଣି କରିଦେଲ ହୃଦୟ ରାଣୀ ଗୋ,
ଭରି ଦେଇଗଲ ଯେତେକ ଶକ୍ତ,
କ୍ଳାନ୍ତ ଡେଣାରେ ମୋର।
ଉଡିବାକୁ ଅଛି ପଥ ବହୁତ
ବେଳ ବାକି ନାହିଁ ଆଉ ତିଳେ ।
ଢଳିଯାଏ ଦେଖ କ୍ଳାନ୍ତ ସୂର୍ଯ୍ୟ,
ଦୂର ଦିଗବଳୟ ପଣତ ତଳେ ।
ତୁମରି ପଣତ ଚଞ୍ଚଳ କାନି,
ଢାଙ୍କି ଦିଅ ଗୋ, କ୍ଳାନ୍ତ ପଥିକ ଦେହେ ।
ଭୁଲିଯାଏ ଯେତେ ସାରା ଦିବସର
ମାନ ଅପମାନ ବେଦନା ବ୍ୟଥା ।
ତୁମରି ନରମ ହାତର ପରଶେ,
ପଲ୍ଲବୀ ଯାଏ ଶାଖାରେ ଶାଖାରେ,
ରୋମାଞ୍ଚର କେତେ କୁସୁମ ପେନ୍ଥା।।
ନିଃସଙ୍ଗ ଏଇ ଶ୍ରାବଣ ସଂଧ୍ୟା,
ମନ ଝୁରେ ତୁମ ପଣତ ଛାଇ,
ତୁମେ କି ଜାଣୁଚ ଏ ମନ ବେଦନା,
ବ୍ୟାକୁଳ କାହିଁକି ତୁମରି ପାଇଁ ।।