ମନ ମନ୍ଦିର , ବିବେକ ପୂଜାରୀ
ମନ ମନ୍ଦିର , ବିବେକ ପୂଜାରୀ
ରୋଜା ପଣ୍ଡା
ଅଳିଆ ରଖିବା ଘର ନୁହେଁ ମନ
ମନ ଯେ ପବିତ୍ର ମନ୍ଦିର,
ଇର୍ଷା ,ରାଗ,କ୍ରୋଧ ନରଖି ସେଥିରେ
ସ୍ନେହ,ପ୍ରେମ ଭରି ସଭିଏଁ ତାହାକୁ
ଆସରେ କରିବା ସୁନ୍ଦର -------------------୧
ମନ୍ଦିରରେ କିଏ ଦେଖିଛ କି କେବେ
ଈଶ୍ୱରଙ୍କ ସ୍ଥାନେ ଅସୁର,
ତେବେ କାହିଁ ମନେ ଭରିବା ବିଷକୁ
ନଝରାଇ ସେଇ ପବିତ୍ର ମନରେ
ଶାନ୍ତିର ଅମୃତଧାର--------------------------୨
କ୍ରୋଧ ମଣିଷର ସବୁ ଧୋଇନିଏ
ଇର୍ଷା ଭୁଲିଯାଏ ସମ୍ପର୍କ,
କାହିଁକି ସେଥିରୁ ଦୁରେଇ ନଯିବା
କେତେଦିନ ଆଉ ଆୟତେ ନରହି
ମନକୁ କରିବା ନର୍କ--------------------------୩
ଆସରେ ସଭିଏଁ ଏକମନ ହୋଇ
ବାଣ୍ଟିବା ଶାନ୍ତିର ବାରତା,
ଇର୍ଷା,କ୍ରୋଧ ପରି ଅସୁରକୁ ତ୍ୟାଗୀ
ହେବା ଏହିକ୍ଷଣି ସତ୍ୟ,ନ୍ୟାୟ,ନିଷ୍ଠା
ସ୍ନେହ ଓ ପ୍ରେମର କରତା---------------------୪
ହସି ହସାଇବା ସଭିଙ୍କୁ ମହୀରେ
ହରିବା ସବୁରି ଦାରୁଣ ଦୁଃଖ,
ନବୁଝି ପାରିଲେ ଦୁନିଆଁ ଆମକୁ
ବୁଝିବେ ଈଶ୍ୱର ଆମ ହୃଦୟକୁ
ଏଇ କଥାଟିକୁ ମନରେ ରଖ---------------------୫
ସମାଜ କଥାକୁ ମନକୁ ନନେଇ
ଆତ୍ମାକୁ ପଚାରି କର୍ତ୍ତବ୍ୟ କର,
ସବୁବେଳେ ନୁହେଁ ସମାଜ ଯେ ଠିକ
ନିଜ ବିବେକର କଥା ମାନି ସଦା
ଭୁଲ,ଠିକ ବାଛି ଆଗକୁ ବଢ଼---------------------୬
ସମାଜ ବି କେବେ ନିଜ ସ୍ୱାର୍ଥ ପାଇଁ
ଭୁଲ ରାସ୍ତା ପଟେ ନେବ କଡେଇ,
ବିବେକ ନିଜର ସଦା ସାଥି ଦେବ
ବିବେକାନୁଯାୟୀ କାର୍ଯ୍ୟ କରୁଥିଲେ
ଈଶ୍ୱର ବି ଦେବେ ପଥ ଦେଖାଇ--------------------୭
ମନ ମନ୍ଦିରରେ ଈଶ୍ୱରଙ୍କୁ ସ୍ଥାପି
ସର୍ବଦା ସତ୍ୟର ମାର୍ଗରେ ଯିବା,
ଅନ୍ୟାୟ, ଅନୀତି ଦେଖିଲେ ସାମ୍ନାରେ
ନିଜ ପର ଭୁଲି ସବୁ ସମୟରେ
କେବଳ ନ୍ୟାୟର ପକ୍ଷରେ ଥିବା----------------------୮
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା
କଟକ-୭୫୩୦୧୦
Email-roja.somya@gmail.com