ଚନ୍ଦ୍ର
ଚନ୍ଦ୍ର
ଜ୍ୟୋସ୍ନାରେ ବିଧୌତ ପରଶ ତାହାର
ସଭିଙ୍କୁ କରଇ ଆନନ୍ଦ ବିଭୋର
ଦେଖିଦେଲେ ରୂପ ପୂର୍ଣ୍ଣମୀ ଇନ୍ଦୁର
ମନରେ ଉଠଇ ଭାବର ଜୁଆର॥
ଘୁରି ବୁଲୁଥାଏ ଆକାଶ ବକ୍ଷରେ
ଲୁଚକାଳି ଖେଳଇ ମେଘ ସାଥିରେ
ଶୋଭା ପାଏ ବିଶ୍ବପିତାଙ୍କର ଶିରେ
ଅଦ୍ଵିତୀୟ ସେତ ସୌର ମଣ୍ତଳରେ॥
କମନୀୟ ରୂପରେ ଗଢିଛି ବିହି
ତା ସୁଷମା ନବର୍ଣ୍ଣି ପାରିବେ କେହି
ଶୁକ୍ଳପକ୍ଷ ରଜନୀ କୋଳରେ ରହି
ଶୁଭ୍ରତାରେ ସୁନ୍ଦର କରଇ ମହି॥
ମାଆ ବୋଲେ ଲୋରୀ ତାକୁଅନେଇ
ଶିଶୁ ସନ୍ତାନର ଅତିପ୍ରିୟ ସେଇ
ଉଜ୍ଜଳମୁଖକୁ ତାର ଦେଖି ଦେଇ
କଅଁଳ ଓଠରେ ହସ ଯେ ଫୁଟଇ॥
କଇଁ ସୌନ୍ଦର୍ଯ୍ୟର ସାଜି ସେପ୍ରେମିକ
ପାଲଟି ଯାଏ ପୁଣି ରାସରସିକ
ତାକୁ ଦେଖିଦେଇ ହୁଅଇ ଭାବୁକ
ଶାଶ୍ବତ ପ୍ରେମର ଅଟଇ ପ୍ରତୀକ॥
କୁମାର ପୂର୍ଣ୍ଣିମାର ଶୁଭ ଲଗନେ
ଚାନ୍ଦକୁ ପୂଜା କରି ଆନନ୍ଦମନେ
ପାଇବାକୁ ସୁନ୍ଦର ବର ଜୀବନେ
ମାନସିକ କରନ୍ତି କୁମାରୀ ମାନେ॥
ପରିପୃଷ୍ଟ କରି କବି ଲେଖନୀକୁ
ସରସ ସୁନ୍ଦର କରେ କଳ୍ପନାକୁ
ପ୍ରଗଲ୍ଭ ସଜାଇ ଥାଏ ବିରହୀକୁ
ପୂର୍ଣ୍ଣ କରେ ପୁଣି ମିଳନସ୍ବପ୍ନକୁ॥