ଛୋଟ ମୋ ଚାଳ ଘର
ଛୋଟ ମୋ ଚାଳ ଘର
ଛୋଟ ମୋ ଚାଳଘର ଛୋଟ ମୋ ଚାଳ ଘର
ଅଟଇ ସତେ ସରଗପୁର ଝାଟି ମାଟିର ନଡା ଛପର
ହସ ଖୁସିରେ ଚଳେରେ ଯହିଁ ମୋ ତେଲ ଲୁଣ ସଂସାର
ଛୋଟ ମୋ ଚାଳଘର............||
ଏ ଘରଟିରେ ଜନମ ମୋର ବଢିଛି ପାଇ ସ୍ନେହ ଆଦର
ଏହାର ପାଣି ପବନେ ଗଢା ମୋ ପଞ୍ଚଭୂତ ଶରୀର
ଛୋଟମୋ ଚାଳଘର....||
ଭାଇ ଭଉଣୀ ବୁଢି ମା ପାଶେ ଗପ ଶୁଣୁ ଶୁଣୁ ନିଦ ଆସେ
ବୁଢିମାଆଙ୍କ ଗେଲ ବସରେ ଦିନ ବିତଇ ଆମର
ଛୋଟ ମୋ ଚାଳ ଘର.........||
ବାପାଙ୍କ ସ୍ନେହ ବୋଉଙ୍କ ଗେଲ ଆମରି ପାଇଁ ଅମୂଲମୂଲ
ବାଇ ଚଢେଇ ବସା ଅଟଇ ବୋଉ କୋଳଟି ଆମର
ଛୋଟ ମୋ...............||
ବୋଉ ଆକଟ ବାପାଙ୍କ ଗାଳି ଅବାଟେ ଗଲେ ଖାଇଛୁ ଛାଟ
ଭଲ ବାଟରେ ଚାଲିବା ପାଇଁ ଯେତେ ପ୍ରଚେଷ୍ଟା ତାଙ୍କର
ଛୋଟ ମୋ................||
ଜେଜେ ବାପାଙ୍କ ଗପ ପସରା ଆମ ସଭିଙ୍କର ଅପାସୋରା
ତାଙ୍କ ସରସ ଶ୍ରୁତି ମଧୁର ଯେତେ କାହାଣୀ ତାଙ୍କର
ଛୋଟ ମୋ................||
ଜେଜେ ବାପାଙ୍କ ଢଗ ଢମାଳି ଅନେକ କଥା ଶିଖାଏ ବୋଲି
ଜୀବନ ଯୁଦ୍ଧେ ଯାଉନି ହାରି ନାତି ନାତୁଣୀ ତାଙ୍କର
ଛୋଟ ମୋ...................||
କାଳ ବୈଶାଖୀ ଝଡ ବରଷା ଚାଳ ଉଡାଇ ଦିଏ ସହସା
ତାହାକୁ ତିଳେ ଯାଉନି ଡରି କରୁ ଛଣରେ ଛପର
ଛୋଟ ମୋ....................||
ଖରା ଶୀତକୁ ଭାରି ବଢିଆ ନିଆଁ ପାଣି ତା ପାଇଁ ଅଡୁଆ
ଗୋବର ଲିପା ମାଟି ଚଟାଣ ମାଟିର କାନ୍ଥ ତାହାର
ଛୋଟ ମୋ..................||
ନିଆଁ ପାଣିକୁ ଥିଲେବି ଡର ସରି ନୁହଁଇ ମାର୍ବଲ ଘର
ସବୁ ସମ୍ପର୍କ ଅଟେ ମଜବୁତ କଂକ୍ରୀଟ ସମ ଏଠାର
ଛୋଟ ମୋ.................||
ବାର ମାସରେ ତେର ପରବ ଆମ ସଂସ୍କୃତି ଆମ ଗରବ
ସାଇତି ରଖି କରେ ପ୍ରଚାର ଦେଇ ଆନନ୍ଦ ଅପାର
ଛୋଟ ମୋ ...............||
ଏଠାର ଢିଙ୍କି କୂଟା ଚାଉଳ ଅଟଇ ଆମ ସ୍ବାସ୍ଥ୍ୟର ମୂଳ
ଚଉରା ମୂଳେ ସଞ୍ଜ ସକାଳେ ବୃନ୍ଦାବତୀ ପୂଜନର
ଛୋଟ ମୋ ..............||
ବାତ୍ୟାବଇରୀ ବନ୍ୟାଭଗାରି ଆସିଲେ ଆମେ ଯାଉନା ଡରି
ଯୁଗ ଯୁଗର ସାଥି ଆମରି କରିଦିଏ ନାରଖାର
ଛୋଟ ମୋ.................||
ସୁଖ ଶାନ୍ତିର ଏକ ମନ୍ଦିର ସ୍ନେହ ଭକତି ପୂଜାର୍ଘ୍ୟ ତାର
ପ୍ରୀତି ମମତା ଥାଏରେ ଯହିଁ ବାନ୍ଧି ପରାଣ ଆମର
ଛୋଟ ମୋ...........||
ଟାହି ଟାପରା କଲେବି ଯେତେ ସହିଯାଉରେ ଶକତି ମତେ
ଭାଗ୍ୟ ଆଦରି ଥାଉରେ ଆମେ ନକରି ତାକୁ ଖାତର
ଛୋଟ ମୋ .............||
ଅଟଇ ସେତ ସରଗ ପୁର ପ୍ରୀତି ମମତା ସୁଖ ଶାନ୍ତିର
ହସ ଖୁସିରେ ଥାଉରେ ଯହିଁ ମିଳିମିଶି ନିରନ୍ତର
ଛୋଟ ମୋ...........||
ଜନମ ଏଠି ମରଣ ଏଠି ଯେତେ ଧରମ କରମ ଏଠି
ଏଠୁ ଶ୍ମସାନ ଚଳିବ ଶେଷେ ଶୋକାକୁଳ ଶବାଧାର
ଛୋଟ ମୋ................||
