ଗୋଲାପି ଚିଠି
ଗୋଲାପି ଚିଠି
ସକାଳୁ ସକାଳୁ ଘରସଫା ବେଳେ
ମିଳିଛି ଗୋଲାପି ଚିଠି
ଚିଠି ନୁହେଁ ସେ ତ ଯୁଦ୍ଧର ବାରତା
ଦେଇଛି କିଏ ସେ ଲେଖି ।
ଆଖି ତରାଟିକି ଦେଖି ପକାଇଲେ
କାହା ନାଆଁ ତଳେ ଲେଖା
ପ୍ରେମିକ ଟୋକାଟା ବଡ ଚାଲାକିଆ
ଲେଖିଛି ତୁମର ‘ସଖା’ ।
ବଡ ଶରଧାରେ ସାଗୁଆ କାଳିରେ
ସମ୍ୱୋଧିଛି ‘ପ୍ରିୟତମା’
“ତୁମ ବିନା ମୋର ଜୀବନ ଆକାଶୁ
ବୁଡିଛି ଆଜି ଚନ୍ଦ୍ରମା ।
ଦେଇଥିଲ କଥା ଦେଖାହେବ ବୋଲି
ସେଦିନ ଠିକଣା ଜାଗାରେ
ଆସିଲନି ବାଟ ଚାହିଁ ବସିଥିଲି
ବିତିଗଲା କେତେ ଘଣ୍ଟାରେ ।
ଆଣିଥିଲି ତୁମ ପାଇଁ ଦୋକାନରୁ
ସୁନ୍ଦର ଗିଫ୍ଟ ଗୋଟିଏ
ନଆସିଲ ବୋଲି ଫିଙ୍ଗିଦେଲି ରାଗି
ପାଣି ଭିତରକୁ ଆଣ୍ଠୁଏ ।
ରାଗିଛ, ରୁଷିଛ, ଅବା ଚିଡିଅଛ
କୋଉ କାମ ମୋର ଦେଖି
ଏମିତିରେ ଯଦି ଦିନ ଦିନ ବିତେ
କାନ୍ଦି କାନ୍ଦି ଯିବି ଶୁଖି ।
ସପନରେ ଦେଖେ ଚନ୍ଦର ବଦନୀ
ମିଠା ମିଠା ହସ ତହିଁ
ସଂସାର ଯାକର ଝିଅ ଆସିଲେ ବି
ସରି କେହି ହେବେ ନାହିଁ ।
ଆହେ ଚନ୍ଦ୍ରମୁଖୀ, ପରାଣ ମୋ ଦୁଃଖୀ
କହିବ ନାହିଁ କି କଥା
ଭଲ ଯଦି ମତେ ପାଉଥିବ ତୁମେ
ପଠେଇ ଦେବ ବାରତା ।
ଆକୁଳ ନୟନେ, ତୁମ ପଥ ଚାହିଁ
ବସିଛି ତୁମର ସଖା
କୁହ ପ୍ରାଣସହୀ, ହୃଦ ମୋ ନ ଦହି
କେଉଁ ଦିନ ହେବ ଦେଖା ?”
ଘରଣୀଙ୍କ ମୁଣ୍ଡ ଘୂରିଗଲା ଦେଖି
ପତିଙ୍କ ଗୁଣ ଏମନ୍ତ
ବାଳ ପାଚିଲାଣି, ଦାନ୍ତ ପଡିଲାଣି
ତଥାପି ଦେଖ କି ନାଟ !
ଯୁବା ପୁଅ ଝିଅ କଅଣ ଭାବିବେ
ଜାଣିଗଲେ ଏ ଗୁମର
ପୁଅ ଝିଅ ବାହା କରିବା ବୟସେ
ସେ ଲେଖନ୍ତି ପ୍ରେମ ପତର !
ରକତ ଚଢିଲା ମୁଣ୍ଡେ ଯାଇ ସିଧା
ଅଣ୍ଟାରେ ଲୁଗାକୁ ଭିଡି
ପହଞ୍ଚିଲେ ଯାଇ ବାବୁଙ୍କ ପାଖରେ
ଦେଇ ଯୁଦ୍ଧଂଦେହି ରଡି ।
ରଣ ହୁଙ୍କାରରେ ଦୁଲୁକିଲା ମହୀ
ଥରିଲା ଗଗନ ପବନ
“ଏଡେ ରସିକିଆ ପଣ ଦେଖୋଉଛ
ନାହିଁ ଟିକେ ଲଜ୍ଜା ସରମ !”
ଆଚମ୍ଭୀତ ବାବୁ, କି ହେଲା ସକାଳୁ
ପାଣି ପାଗ ବଦଳିଲା
ଟିକକ ପୂର୍ବରୁ, କେତେ ପ୍ରେମବାଣୀ
ଏଇ କାନ ଶୁଣିଥିଲା !
ଘଟଣାଟା କ’ଣ ବୁଝିବା ପୂର୍ବରୁ
ଫିଙ୍ଗିଦେଲେ ମୁହେଁ ଚିଠି
“ଏଇଆ କରୁଛ ବୁଢା ବୟସରେ
କିଏ ସେ ଏଇ ନିଲଠୀ ?
ଲଜ୍ଜା ସରମକୁ ପୋଡି ଖାଇଲଣି
ବାଟେ ଘାଟେ ନାଆଁ ପଡିବ
ମୋର ଭାଗ୍ୟେ ପୁଣି ଏୟା ଲେଖା ଥିଲା
କି ଦାଉ ସାଧିଲା ଦଇବ !
ଜାଣି ରଖିଥାଅ ଏ ଘରେ ମୋହର
ଚଳେନି ଭେସେଡା କଥା
ପ୍ରେମ ଯଦି ଏତେ ଉଚ୍ଛୁଳି ପଡୁଛି
ତା’ ଘରେ ରୁହ ଯାଇ ସିଧା ।
ଅଭାବ ରହିଲା ଜୀବନେ କି ଆଉ
ଯା’ ପାଇଁ ମନଟା ଚଞ୍ଚଳ
ପ୍ରେମିକା ମୁହଁରୁ କି ମହୁ ଝରିଲା
ଭୁଲିଗଲ ବେଳ କାଳ !”
“କାହିଁକି କଥାଟା ଏତେ ବଢୋଉଛ ?”
କହିଲେ ବାବୁ ଭରସି
“ଚିଠି ଉପରର ତାରିଖ ନଦେଖି
କାହିଁକି ଯାଉଛ ରୁଷି ?
ପଚିଶ ବରଷ ତଳେ ପାଇଥିଲି
ତୁମ ପଢା ବହି ଭିତରୁ
ପ୍ରେମ ଚିଠି ବୋଲି ଜାଣି ଯାଇଥିଲି
ତା’ର ମହ ମହ ବାସରୁ ।
ଅତି ଶରଧାରେ ରଖିଥିଲି ନେଇ
ସିନ୍ଦୁକ ଭିତରେ ମୋହର
କିଏ ସେ ପ୍ରେମିକ ଜାଣିବାକୁ ଚେଷ୍ଟା
କରିନାହିଁ କେବେ ମାତର ।
କରିଥିଲି ଗର୍ବ ସେତେବେଳେ ଭାବି
ସୁନ୍ଦରୀ ରାଧା ମୁଁ ପାଇଲି
ସେଇ ଚିଠି ଦିନେ ମତେ ଜାଳିଦେବ
ସ୍ୱପ୍ନରେ ବି ଭାବିନଥିଲି ।
ତୁମେ କୁହ ଏବେ କିଏ ସେ ହୋଇବ
ଆଜିଠୁ ଏ ଘରୁ ବାହାର
ଯିଏ ରଖିଥିଲା ସାଇତିକି ଅବା
ନାମେ ଥିଲା ଯା’ର ପତର !”
ଚମକିଲେ ପତ୍ନୀ, ଧଡକିଲା ଛାତି
କେମିତି ଭୁଲ୍ ଟା ହୋଇଲା
କୋଉ ଦିନ ଏଇ ଚିଠି ଯାଇ ପୁଣି
ତାଙ୍କ ହାତେ ସିଧା ପଡିଲା !!
ବାଳୁଙ୍ଗା ଟୋକାଟା ତାଙ୍କ ପଛେ ପଛେ
ଗୀତ ଗାଇ ବୁଲୁଥିଲା
ବାପ ଭାଇଙ୍କର ନଜର ବଞ୍ଚେଇ
ଚିଠି ଦିନେ ଲେଖିଥିଲା ।
ବୋଉର ଡରରେ ପଢି ନପାରିକି
ରଖିଥିଲେ ବହି ଭିତରେ
ସେଦିନ ପରଠୁ କେତେ ଖୋଜିଛନ୍ତି
ଲୁଚି ଲୁଚି ରାତି ଅଧରେ ।
ତାକୁ ପୁଣି ବାବୁ ପାଇଛନ୍ତି ବୋଲି
ଜାଣି ତ ନଥିଲେ କେବେ
ରାଗରେ ଦି’ ପଦ ଶୁଣେଇ ଦେଲେଣି
କି ହେବଟି ଆଉ ଏବେ !
କେମିତି ସ୍ୱାମୀଙ୍କୁ ଥଣ୍ଡା କରେଇବେ
ମୁଣ୍ଡରେ ପଶିଲା ଚିନ୍ତା
ପ୍ରେମିକ ଗୋଟିଏ ଥିଲା ବୋଲି ତାଙ୍କୁ
ଲୁଚେଇ ଥିଲେ ସେ କଥା ।
ଶରଧାରେ ଯାଇ କହିଲେ, “ଶୁଣ ଗୋ
ରାଗିଲ କି ପ୍ରିୟତମ ?
ପରୀକ୍ଷା ତୁମର ନଉଥିଲି ମୁହିଁ
ଦେଖୁଥିଲି ତୁମ ପ୍ରେମ ।
ନିଜେ ରଖିଥିଲି ସେତେବେଳେ ଏ’ଟା
ମନ ଚିହ୍ନିବାକୁ ତୁମ
ଭାବିଥିଲି ରାଗ କରିବ ଯେବେ ଗୋ
ଦୂରେଇବି ତୁମ ଭ୍ରମ ।
ସେ କାଳ କଥାକୁ ମନେ ରଖିଛ କି
ଭୁଲି ଯାଇ ସାରିଲଣି
ତାହାରି ପରୀକ୍ଷା ପାଇଁ ଶୁଣାଇଲି
ତୁମକୁ ଏ କଟୁବାଣୀ ।
ପରୀକ୍ଷାରେ ତୁମେ ପାସ୍ କରିଗଲ
ଶହେରୁ ଅଧିକ ରଖି
ଚାଲ ଆଜି ଦୁହେଁ ବୁଲି ତ ଆସିବା
ସିନେମା ଗୋଟିଏ ଦେଖି ।“
ସଜ ହେବା ପାଇଁ ଚାଲିଗଲେ ପତ୍ନୀ
ଯଥାଶୀଘ୍ର ଜାଗା ଛାଡି
ବାବୁ କିନ୍ତୁ ବସି ଭାବୁଥିଲେ ସେଠି
ସତେ କି ପାରିବେ ଜାଣି !
ବର୍ଷ ବର୍ଷ କରି ପଚିଶ ବିତିଲା
ତଥାପି ରହିଲା ରହସ୍ୟ
ଜାଣି ପାରିଥାନ୍ତେ ଆଜି ବି ଯଦି ସେ
ଫେରେଇ ଦିଅନ୍ତେ ସର୍ବସ୍ୱ ।
ନେଇ ଦେଖୁ ସିଏ, କାହାକୁ ଜୀବନେ
ନପାଇଛି ବୋଲି କାନ୍ଦୁଛି
କେମିତି ଜାଣିବ ଭାଗ୍ୟବାନ ସିଏ
ତା’ ଭାଗ୍ୟକୁ କେତେ ମୁଁ ଝୁରୁଛି !!
-0-