ସମର୍ପି ଦେଇଛି
ସମର୍ପି ଦେଇଛି
ତୁମରି ଚିବୁକ
ଅନ୍ଧାରକୁ ସ୍ୟାହି କରି
ଯେଉଁପରି ଲେଖିଛି କବିତା
ମୋ ଦେହର କାଗଜରେ,
ସେହିପରି ମୁଁ
ଆଙ୍କିଛି ଚୁମ୍ବନର ଚିତ୍ର
ତୁମ ଦେହ ମଲାଟରେ ।
ଫୁଲ ପରି ଗୁନ୍ଥି
ଶବ୍ଦ ଯୋଡି ଯୋଡି
ରୁଧିର ନିଗାଡ଼ି
ଲେଖୁଥିଲି କେତେ
ପ୍ରାଣର କବିତା
ଅତି ସଂଗୋପନେ ।
ମନର ସଳିତା
ଜଳୁଥିଲା ଯେବେ
ଦେହର ନିଆଁରେ,
ବିରହ ବେଦନା
ଘୁଞ୍ଚି ଯାଉଥିଲା
ପ୍ରୀତି ପ୍ରଣୟର
ଦେହ କୁଞ୍ଜବନେ ।
ସିନ୍ଦୁର ଜଳୁଛି
ମଥାରେ ତୁମର,
ଦାଉ ଦାଉ ଦିଶୁଛି
ସୁନାର ପାଦରେ
ଅଳତାର ଗାର ।
ସୁଖ ଦୁଃଖ ସବୁ
ଏଡାଇ ଦେଇଛି
ମଥାକୁ ରଖି
କୋଳରେ ତୁମର ।
ଜଗତକୁ ଦେଖି
ଦେହ ଦେଉଳରେ
ତର୍ପଣ କରି
ସମର୍ପି ଦେଇଛି
ଜୀବନକୁ ମୋର ।
ଜୀବନର ନୂଆ ଇସ୍ତାହାର
ତୁମ ଗେରୁଆ ବସ୍ତ୍ର
ମଥାରେ ଚନ୍ଦନ ଟିପା
ଏବେ ଫୋପାଡ଼ି ଦେଇଛି
ସବୁ କାମନା ବାସନା ।
ତୁମ ଦେହ ବୋଇତରେ
ଏବେ ଆହୁଲା ହୋଇଛି
ମୋ ମନ
ପାରି ହେବ ପାଇଁ
ସଂସାର ସାଗର ।
ଆଗରେ ରହିଛି
ତୁମ ପାଇଁ ମୋ ପାଇଁ
ଗୋଟେ ଆଲୋକର ପଥ
ସେ ପଥର ଯାତ୍ରା ପାଇଁ
ଆତ୍ମା ଆଜି ଜାଗ୍ରତ ।