ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୁପା ଜହ୍ନ
ସ୍ମୃତି ଏକ ରୂପା ଜହ୍ନ
**************** ଡଃ ଶଶୀ ଭୂଷଣ ମହାପାତ୍ର
ସ୍ମୃତି ସବୁ ଉଙ୍କି ମାରେ
ମନର ଇଲାକାରେ
ଯେମିତି ଉଙ୍କିମାରେ ଜହ୍ନ
ବାଦଲ ଊହାଡ଼େ |
ସେ କେବେ ନୀଳ ଓ ସବୁଜ
କେବେ ରୌପ୍ୟ ଆଉ ସ୍ଵର୍ଣ,
ନଈର ପାଣିରେ କରାଣ୍ଡି ମାଛପରି
କେବେ ଚିକ ଚିକ ତ କେବେ
ଆକାଶ ର ରୂପା ଜହ୍ନ|
ସ୍ମୃତିରେ ଦିଶେ ସକଳ ଅତୀତ
ଯେତେକ ଅଗମ୍ୟ ଅନ୍ଧାର
ବାରି ହୁଏ ସ୍ପର୍ଶ ତା'ର
ଦେଖି ହୁଏ ରଙ୍ଗ,ସଞ୍ଜ ସକାଳର |
ବୁକୁତଲେ ସ୍ମୃତିର ସମ୍ଭାର
ସ୍ୱର୍ଣ ମ ୃଗ ପରି ଡେଇଁ ଡେଇଁ
କେବେ ଦେଖାଦିଏ,କେବେ ଲୁଚିଯାଏ
ନଥାଏ ତା' ପାଇଁ ଲକ୍ଷମଣ ଗାର |
ଇନ୍ଦ୍ର ଧନୁର ରଙ୍ଗ ପରି
ସ୍ମୃତିର ହଜାରେ ରଙ୍ଗ,
ଫୁଲର ପାଖୁଡା ପରି
ଶୋଷିନିଏ ଆଲୁଅର ରଙ୍ଗ |
ସ୍ମୃତିର କୋଣାର୍କରେ
ତା' ଓଠ,ତା' ଆଖି ,ତା' କଟି,
ତା' ବକ୍ଷୋଜ ପାଲଟିଯାଏ
ପ୍ରଣୟର ଗୋଟିଏ ଗୋଟିଏ
କାରୁକାର୍ଯ୍ୟ |
ସ୍ମୃତି ସବୁ ଝଲସି ଯାଏ
ମେଘର ବିଜୁଳି ପରି
ଆଖିର ଝର୍କା କଡେ,
ଆକାଶର ତାରା ପରି ଦପ ଦପ
ନଚେତ କେବେ ଉଲ୍ଲକାପାତ |
ଚହଲା ପାଣିର ମୁହଁ ପରି
ଏଇ ଅଛି,ଏଇ ନାହିଁ ,
ନିଃସଙ୍ଗରେ ବୋକ ଦେଇ
ପ୍ରେମ ଦେଇ, ପିଆଏ ଅମୃତ |
ସ୍ମୃତି ଏମିତି ଚିରକାଳ
କିଛି ଦୁଃଖ,କିଛି ସୁଖର
ମିଶା ମିଶି,ଫେଣ୍ଟା ଫେଣ୍ଟି
ମିଛ ସତ ବୋହୂ ଚୋରି ଖେଳ |
ସ୍ମୃତି ସବୁ ଗୋଟିଏ ଗୋଟିଏ
ଚଢେଇ ନୀଳ ଆକାଶର,
ରୂପା ଜହ୍ନ ଟିଏ
ମନ ଆକାଶର |
******************