ଗାଁ ଇତିହାସ
ଗାଁ ଇତିହାସ
ଗାଆଁ ଦାଣ୍ଡ ମୋର କାଦୁଅ ହୁଅଇ
ବରଷା ଟୋପିଏ ହେଲେ
ଭାରି ମଜା ଲାଗେ ଚାଳର ଉପରୁ
ବର୍ଷା ପାଣି ଝରୁଥିଲେ
ରାତି ନପାହୁଣୁ ଡାମରା କାଉଟି
ଡାକୁଥିଲା କାଆ କାଆ
ଭାରି ଖୁସି ଲାଗେ କଅଁଳା ବାଛୁରୀ
ମାରୁଥାଏ ଯେବେ ଡିଆଁ ।
ନଈ ନାଳ ଯେବେ ପୁରି ଯାଉଥିଲା
ଦିଶୁଥିଲା କି ସୁନ୍ଦର
ସବୁଜ ବନାନୀ ମନ ନିଏ କିଣି
ମନୋରମ ମନୋହର ।
ସଞ୍ଜ ହୋଇଗଲେ ହମ୍ବରଡି ଛାଡି
ଫେରୁଥିଲେ ଗୋଠ ଗାଈ
ସଭିଙ୍କୁ ବସେଇ ବୁଢ଼ୀ ଅସୁରୁଣୀ
ଗପ କହୁଥିଲା ଆଈ ।
କୃଷକ ଭାଇଟି କ୍ଷେତ ଯାଉଥିଲା
ଧରିଣ ବଳଦ ହଳ
ସଭିଙ୍କ ଓଳିରେ ଶୋଭା ପାଉଥିଲା
ଜୁଆଳି ସାଥେ ଲଙ୍ଗଳ ।
ବରଷା ଦିନରେ ଚାଷୀ ଭାଇ ପରା
ମୁଣ୍ଡରେ ପଖିଆ ଦିଏ
ନାଳିଆ ଚାହରୁ କଂସାଏ ଲେଖାଏଁ
ପିତଳ କଂସାରେ ପିଏ ।
ଧାନ କ୍ଷେତ ଯେବେ ପାଚୁ ଯାଉଥିଲା
ମନ ନେଉଥିଲା କିଣି
ସତେକି ଯେମିତି ସୁନା ଫଳିଅଛି
କୃଷକର ମନ ଜାଣି ।
ଚାଷ ବାସ ସେବେ ହେଉଥିଲା ଏତେ
ନାଦେଇ ସାର ଓ ପାଣି
ମତିତଳେ ଧାନ ପୋତି ରଖୁଥିଲା
ଖୋଳି ସିଏ ଏକ ଖଣି ।
ବିରି ଆଉ ମୁଗ ଅମଳ ପାଇଁକି
ବନ୍ଧା ଯାଉଥାଏ ମେରି
ବଳଦ ବୁଲନ୍ତି ମେରି ଚାରିପାଖେ
ହୋଇ ପୁଣି ଘିରି ଘିରି ।
ଚୂଲିର ଉପରେ ମାଟିର ହାଣ୍ଡିରେ
ହେଉଥିଲା ନୀତି ରନ୍ଧା
କିସୁନ୍ଦର ତାହା ସୁଆଦ ଲାଗଇ
ତପାଖରେ ମନ ବନ୍ଧା ।
ଓଷା ପରବରେ ମାଟିର କାନ୍ଥରେ
ପଡୁଥିଲା ଝୋଟିଚିତା
ଫୁଲ ଫୁଟୁଥିଲା ଟଗର ମନ୍ଦାର
ମାଳତୀ ଅପରାଜିତା ।
ପଡିଆ ଉପରେ ଧାଡି ଧାଡି ହୋଇ
ପରା ଯାଉଥିଲା ଘଷି
ଓଷା ପରବରେ ସବୁ ଘରେ ଘରେ
ଭରିଯାଏ ହସ ଖୁସି ।
ନୂଆବୋହୂ ଟିଏ ଘରକୁ ଆସିଲେ
ଚାଲୁ ଥିଲା ନଇଁ ନଇଁ
ବାହା ହୋଇ ଝିଅ ଗଲାବେଳେ ପରା
କାନ୍ଦୁଥିଲା କଇଁ କଇଁ ।
ହାବିସ ଜନ୍ତାଳ ହେଉଥିଲା କେତେ
ଭଜନ କୀର୍ତ୍ତନ ନିତି
ଶହେ ଆଠ ନାମ ଡକା ଯାଉଥିଲା
କାର୍ତ୍ତିକ ପୂର୍ଣ୍ଣମୀ ରାତି ।
ବାଟ ଓଷା ଦିନ ଗାଆଁ ଦାଣ୍ଡ ମୋର
ଗୋବରରେ ଲିପା ହୋଇ
ପୂଜା ହେଉଥିଲା ଦାଣ୍ଡର ମଝିରେ
ମନୁ ଜମା ଭୁଲି ନାହିଁ ।
ଶୀତ ସକାଳରେ ଘାସର ଉପରେ
ପଡିଲେ କାକର ବିନ୍ଦୁ
ଲାଗୁଥାଏ ସତେ ଖେଳୁଛି ଯେମିତି
ଧାରାରେ ମୁକୁତା ସିନ୍ଧୁ ।
ଆମ୍ବ ବଉଲିଲେ ଅଦିନ କୁହୁଡି
କରିନେବ ବୋଲି ଗ୍ରାସ
ଗଛ ତଳେ ପରା ଧୂଆଁ ଦେଉଥାନ୍ତି
କରିବାକୁ ତାକୁ ହ୍ରାସ ।
ଫଗୁଣ ଆସିଲେ ରଙ୍ଗ ଅବିରରେ
ଗାଆଁଟା ରଙ୍ଗୀନ ହୁଏ
ରାଜଦୋଳି ଆଉ ପାନଖିଆ କଥା
ସହଜେ ଭୁଲିବ କିଏ ।
କୁଆଁରୀ ମାନଙ୍କ ମନ ନାଚିଯାଏ
କୁମାର ପୂର୍ଣ୍ଣିମା ଦିନ
ବଉଳବେଣୀର ମଧୁର ସଙ୍ଗୀତ
କିଣାଇ ସବୁରି ମନ ।
ବାର ମାସେ ପରା ତେର ପର୍ବ ବୋଲି
ଲୋକେ ଦେଉଛନ୍ତି କହି
ସେହି ସେହି କଥା ଫିକା ଫିକା ଲାଗେ
କଥାରେ ଯାଉଛି ରହି ।
ମନେ ପଡିଗଲେ ଗାଆଁ କଥା ମୋର
ହଜି ଯାଏ ଭାବନାରେ
ଚାଲିଯାଏ ମୁହିଁ ପୁରୁଣା ଦିନକୁ
ସ୍ମୃତିର ଚିତ୍ରପଟରେ ।
କେବେ ଆଣିଦିଏ ଆଖିରେ ମୋ ଲୁହ
କେବେ ଭରିଦିଏ ହସ
ହେଲେ ନାଚି ଯାଏ ଆଖିରେ ମୋହର
ଗାଆଁର ସେ ଇତିହାସ ।
********
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର
ମୋ-08892301143