ସାହିତ୍ୟର ଶକ୍ତି
ସାହିତ୍ୟର ଶକ୍ତି
କବିତା ପ୍ରେମରେ ପଡିଅଛି ପତ୍ନୀ
ଭୁଲି ଯାଇଅଛି ଘର
ସଂସାର ଜଞ୍ଜାଳ ସମ୍ଭାଳନ୍ତି ପତି
ହୋଇ ନିତି ହରବର ।
କବିତା ଲେଖିବା ଠାକୁରଙ୍କ ଦାନ
ସଭିଙ୍କର ନାହିଁ ଶକ୍ତି
ଏ ତ ନୈସର୍ଗିକ ଅନୁଭବ ଏକ
ହୃଦେ ଭରିଦିଏ ଭକ୍ତି ।
ଘର ପରିବାର ସମ୍ଭାଳନ୍ତି ସର୍ବେ
କୋଉ ବଡ କଥା ଅବା !
ଛାଡିଲି ଆଜିଠୁ ଧରାବନ୍ଧା ସେହି
ନିୟମେ ନିତି ଚାଲିବା ।
ସେପରି ଝିଅ ମୁଁ ନୁହେଁ ଯିଏ
ଘରକଣରେ ଲୁଚିରହିବ
ଅସୂର୍ଯ୍ୟଂପଶ୍ୟା ହୋଇ ଜୀବନଟା
ଲୁହରେ ବୁଡେଇ ଦେବ ।
ଆଧୁନିକା ନାରୀ, ପଣତ ମୁଁ ଛାଡି
ସଭା ସମିତିକୁ ଯିବି
କବିତା ମାଧ୍ୟମେ ସମାଜରେ ଏକ
ବିପ୍ଳବ ନୂଆ ଆଣିବି ।
ଲେଖିବି କବିତା ଏପରି ସୁଦୃଢ
ଯିବ ଦୋହଲି ଆସ୍ଥାନ
ଶହ ଶହ ନାରୀ, ସେହି ବିପ୍ଳବରେ
ଢାଳିଦେବେ ପ୍ରାଣ ମନ ।
ନାରୀ ଜାଗରଣ ପାଇଁ ମୁଁ ଧରିଛି
ମସୀ ରୂପେ ତରବାରୀ
ସେ ମସୀର ଶକ୍ତି ଆଗେ ଫିକା ହେବ
ପୁରୁଷଙ୍କ ବାହାଦୁରୀ ।
ଅତ୍ୟାଚାରୀର ବିରୋଧ କରିବି
ଛାତିରେ ମିଶାଇ ଛାତି
ଯୁଗ ଯୁଗର ଅତୃପ୍ତ ଆତ୍ମାକୁ
ଅଚିରେ ମିଳିବ ଶାନ୍ତି ।
ଆଜି ଯାଏଁ ଚୁପ୍ ରହୁଥିଲା ନାରୀ
ସକଳ ଦୌରାତ୍ମ୍ୟ ସହି
ଆଜି ଠାରୁ ଆଉ କାନ୍ଦିବନି ସିଏ
ଘରକଣେ ଲୁଚି ରହି ।
ଉତ୍ସର୍ଗ କରିଲି ଜୀବନ ମୋହର
ସାରା ନାରୀ ଜାତି ପାଇଁ
ମୃତ ସଞ୍ଜିବନୀ ଫୁଙ୍କିବି କାନରେ
କବିତା ଶୁଣେଇ ଦେଇ ।
ଚାହିଁଛନ୍ତି ପତି ଜଳକା ହେଇକି
କି ହୋଇଲା ବେଳ କାଳ
ପାଟିରୁ କଥା ଯା’ ବାହାରୁ ନଥିଲା
ଦିଏ ସେ ରଣହୁଙ୍କାର !
ଦିନେ କାଳେ ଯାହା କାନ ନଶୁଣିଛି
ଆଖି ନଦେଖିଛି ଯାହା
କେଡେ ଆଚମ୍ଭୀତ କଥା ଘଟିଯିବ
କବିତା ରୂପରେ ଆହା !
କବିତା ଲେଖୁ କି କାହାଣୀ ସେ ଲେଖୁ
ନାହିଁ ତ ଆପତ୍ତି କିଛି
ବିପ୍ଳବ ଆଣୁ ସାହିତ୍ୟ ମାଧ୍ୟମେ
ବନ୍ଧ ବାଡ ଭାଙ୍ଗିରୁଜି ! ସ୍ୱାଧିନତାର ପ୍ରତୀକ ଆଜିର ନାରୀ ସେ
କିଏ ବା ପାରିବ ରୋକି
କଥାରେ କଥାରେ ଅଦାଲତ ଭୟ
ମୁଣ୍ଡ କେ ପାରିବ ଟେକି !
ଶାଶୁ ଶ୍ୱଶୁରଙ୍କ ସେବା କଥା ଛାଡ
ଘରକାମ ଲାଗେ ବୋଝ
ପାଇବାକୁ ମୁକ୍ତି, ସେସବୁରୁ ପତ୍ନୀ
ନିଏ ସାହତ୍ୟ ସାହାଯ୍ୟ ।
ନାରୀର ଉତ୍ଥାନ ଅଟଇ ଜରୁରୀ
ସମୂହ ବିକାଶ ପାଇଁ
ମାତ୍ର ଏ କି କଥା, ବିକାଶ ନାଆଁରେ
ନିଜ ଘର ଭୁଲେ କେହି !
କିଏ ବା ନଜାଣେ ସାହିତ୍ୟ ଅଟଇ
ବିପ୍ଳବର ମୂଳଦୁଆ
ମାତ୍ର ଯେ ସାହିତ୍ୟ ଘର ଭାଙ୍ଗିଦିଏ
ସେ ସାହିତ୍ୟେ ଲାଗୁ ନିଆଁ !!