ବାପା
ବାପା
କିଏ କହେ ତୁମ ହୃଦୟ
ପଥରରେ ଗଢା ।
ଦୁଃଖ ତୁମକୁ ସ୍ପର୍ଶ କରିପାରେନା’
ଲୁହ ତୁମ ଆଖି କି ଛୁଏଁନା’
ଭୋକ ତୁମକୁ ହୁଏନା’ ।
ତୁମେ ସ୍ଥାଣୁ ହୃଦୟହୀନ
ମୈତ୍ରୀ କରୁଣା ଶୂନ୍ୟ
ଅବୟବ ଟିଏ ମାତ୍ର ।
କିଏ କହେ ତୁମେ କାନ୍ଦନା’
କି କେବେ କାନ୍ଦି ଜାଣନା’
ମାଟି ସହ ଲଢି ଲଢି
ତମେ ବି ମାଟି ପାଲଟି ଯାଇଛ
ପଥର ସହ ଖେଳି ଖେଳି
ନିଜକୁ ପଥର ସଜେଇ ଦେଇଛ ।
ହେଲେ ସତ କୁହ
ତୁମେ କ’ଣ ସେମିତି ?
ମୋ ଜାଣିବାରେ ତ
ତୁମେ ସେମିତି ନୁହଁ !
ମୁଁ କ'ଣ ଦେଖିନି ତୁମ କାନ୍ଦ
ସମସ୍ତେ ଶୋଇଗଲା ପରେ
ମୁଣ୍ଡରେ ହାତ ଦେଇ
ସେଇ ରାତି ତମାମର ଅନିଦ୍ରା
ଆଉ ଦୀର୍ଘ ଶ୍ଵାସ ଭରା ଅନୁତାପ
ସବୁ ଦୁଃଖକୁ ହୃଦୟରେ ଚାପି
ନିଜକୁ ସାହସୀ କରି ଦେଖେଇ ହେବାର
ଶତ ପ୍ରଚେଷ୍ଟା ସତ୍ତ୍ଵେ
ତୁମ ମୁହଁରେ ଅନ୍ତହୀନ ବିଷର୍ଣ୍ଣତା ।
ସତରେ ବାପା ,
ତୁମେ ଯେମିତି ଦେଖା ଯାଅ
ତମେ ତ ଠିକ ସେମିତି ନୁହଁ ।
ମୋ ଜାଣିବାରେ ତମେ ,
ଦୁଃଖ, ଯନ୍ତ୍ରଣା ଆଉ ଅନୁତାପ ମୁଣ୍ଡେଇ ଥିବା
ଗୋଟେ ବିରାଟ ପୃଥିବୀ
ଆଉ ତୁମ ଛାତି ତାକୁ ଢାଙ୍କି ରଖିଥିବା
ଅନନ୍ତ ଆକାଶ ।