ଜୀବନକୁ ପ୍ରଶ୍ନ
ଜୀବନକୁ ପ୍ରଶ୍ନ
ହେ ମୋର କଣ୍ଟକିତ ଜୀବନ
ଥରେ ଶୁଣିଯା ତୁ ମୋର ବଳିଷ୍ଠ ଆହ୍ୱାନ
ଡ଼ରିବିନି କଣ୍ଟା ଦେଖି,
ଅତିକ୍ରମ କରିଯିବି ଅମଡ଼ା ବାଟ ସବୁ ଗଲେ ଯାଉ ଭାଙ୍ଗି ପଛେ ପ୍ରତିଟି ସ୍ୱଅଙ୍କିତ ସାଇତା ସପନ
ଥରକୁ ଥର ପଡି ଉଠି ଚାଲୁଥିବି ଆଗକୁ
ମରିଯାଉ ପଛେ ଭାଙ୍ଗି ଭାଙ୍ଗି ସମୟର ପଦାଘାତେ
ମୋର ଏଇ ଛୋଟିଆ ନିଷ୍କଳଙ୍କ ମନ
ହସୁଥିବି ସଦା ଦେଖି ତୋର ମୋ ପ୍ରତି ଥିବା
ଅଟ୍ଟହାସ୍ୟ ଆଉ ମୋର ପ୍ରତିଟି ଯାତ୍ରାରେ
ମତେ ହରାଇବାର ଆମନ୍ତ୍ରଣ
ହାରିବାକୁ ନଡରି ମୁଁ ଆଜୀବନ ତୋର
ଅସହାୟତାକୁ କରୁଥିବି ପ୍ରଶ୍ନ
ହେ ମୋର କଣ୍ଟକିତ ଜୀବନ ,
ଉତ୍ତର ଦେବାକୁ ହେବ ତତେ ଦିନେ
ଉଙ୍କିମାରୁଥିବା ମୋର ସମସ୍ତ ପ୍ରଶ୍ନର
ବାଧ୍ୟ ହୋଇ କରିବୁ ତୁ ମୋ ଜୀବନ ପୃଷ୍ଠାକୁ
ଆଉଥରେ ଉନ୍ମୋଚନ
ଦେଖି ମୋର ସାହାସୀକତାକୁ
ତୋ ଆଖି ବି ଓଦା ହେବ ଦିନେ
ଆଉ କରିବୁ ତୁ ଅନୁତାପେ ଅସୁମାରୀ ରୋଦନ
ହେ ମୋର କଣ୍ଟକିତ ଜୀବନ
ବାରମ୍ବାର ରୋକିବାକୁ ମୋର ଚଲା ପଥ
ଦିନେ ତତେ ନିନ୍ଦା କରିବ
ତୋର ସେଇ ବିଚାରହୀନ,ଅଭିମାନୀ ମନ
ବାସ୍ତବତାକୁ ଚିହ୍ନି ତୁ ପୁଣି ଫେରିବୁ
ପଛରେ ଛାଡି ଆସିଥିବା ତୋର ନିଘଞ୍ଚ ଅରଣ୍ୟ
ହେ ମୋର କଣ୍ଟକିତ ଜୀବନ
ଆଜି ନୁହେଁ କେବଳ
ତତେ ମୁଁ ଆଜୀବନ କରୁଥିବି ପ୍ରଶ୍ନ
କେଉଁ ପାପେ ନେଉଅଛୁ ଏତେ ମୋର ପରୀକ୍ଷା
ରଙ୍ଗ ତୂଳୀ ଧରି ଯେତେ କରୁଛି ମୁଁ ଚିତ୍ରାଙ୍କନ
ବାରମ୍ବାର କରୁଚୁ ତୁ ସେସବୁକୁ ରଙ୍ଗହୀନ
ହେ ମୋର କଣ୍ଟକିତ ଜୀବନ
ରଙ୍ଗ ସିନା ଲିଭିଯିବ ତୋର ସେ କର୍କଶ ସ୍ପର୍ଶରେ
ଆଉଥରେ ସଜେଇବି ନିଷ୍ଠାର କାଳିରେ
ସ୍ଵରକ୍ତର ରଙ୍ଗରେ ରଙ୍ଗେଇବି ଜୀବନ ଛବିକୁ
ଭରିଦେଇ ଧର୍ଯ୍ୟର ଜୀବନ୍ତ ଇନ୍ଧନ
ତୋ ପରାକାଷ୍ଠା ପ୍ରଣିପାତ କରି
ଲେଉଟିବ ସେଦିନ ପରାଜିତ ହୋଇ
ମୋ ସ୍ୱସଜ୍ଜିତ ଜୀବନୁ ତୁଟାଇ ସବୁ ବନ୍ଧନ
ହେ ମୋର କଣ୍ଟକିତ ଜୀବନ
ହେ ମୋର କଣ୍ଟକିତ ଜୀବନ...।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର, ମଧୁପାଟଣା କଟକ-753010