ମୋ ଛାତିର ରକ୍ତ
ମୋ ଛାତିର ରକ୍ତ
1 min
684
ତୁମ କଲମ ପାଇଁ ତୁମେ ମତେ ମାଗିଥିଲ ସ୍ୟାହି
ମୋ ପାଖରେ ଥିଲା ଯାହା ଦେଲି,
ମୋ ଛାତିରୁ ରକ୍ତ ଅଞ୍ଜୁଳାଏ
ପାରିବ ତ ଭରି ରଖ କଲମରେ
ମଣିଷ ହୃଦୟର ଯେତେ କଥା ହୋଇନାହିଁ ଲେଖା
ଲେଖିଦିଅ ସେ ସ୍ୟାହିରେ
ଯେତେ ବ୍ୟଥା ପାଇ ନାହିଁ ଭାଷା
କହିଦିଅ ସେ ସବୁକୁ କାଗଜ ଉପରେ ॥
ପୃଥିବୀର ଯେତେ ଯେତେ ବୟସ ବଢୁଛି
ମନ ସବୁ ସେତେ ସେତେ ବୟସ୍କ ହେଉଛି
ମୋ ଛାତିର ରକ୍ତ ନିଅ
ପୃଥିବୀର ଶିରା-ପ୍ରଶିରାରେ ସେ ରକ୍ତ ବୁହାଅ
ତାରୁଣ୍ୟ ଭେଟି ନ ଥିବା ବୁଢାମାନଙ୍କୁ ପିଲା କରିଦିଅ ॥
ଏବେତ ସନ୍ଦେହ ଓ ପ୍ରତାରଣାର ବିଷ ଯାଉଛି ଚରି
ମନର ଜମିରେ
ପାଲଟି ଯାଉଚି ସେ ଧୂସର ମରୁ
ସେ ଜମିରେ
ମାଡିବାକୁ ଦିଅ ମୋର ଏ ଛାତିର ରକ୍ତ
ଆଉ ଟିକେ ପ୍ରତୀକ୍ଷାରେ ରୁହ
ଅନେକ ଆଶାରେ
ପୁଣି ଶାଖା ମେଲିବ ସେଇଠି
ଭଲପାଇବାର କଅଁଳ ଦ୍ଵି-ପତ୍ର ॥
