ମୋ ଛାତିର ରକ୍ତ
ମୋ ଛାତିର ରକ୍ତ
ତୁମ କଲମ ପାଇଁ
ତୁମେ ମତେ ମାଗିଥିଲ କାଳି
ମୋ ପାଖରେ ଥିଲା ଯାହା ଦେଲି
ମୋ ଛାତିରୁ ରକ୍ତ ଆଞ୍ଜୁଳାଏ
ପାରିବ ତ ଭରି ନିଅ କଲମରେ
ମଣିଷ ହୃଦୟର ଯେତେ କଥା
ହୋଇ ନାହିଁ ଲେଖା
ଲେଖିଦିଅ ସେଇଥିରେ
ଯେତେ ବ୍ୟଥା ପାଇନାହିଁ ଭାଷା
କହିଦିଅ ସେ ସବୁକୁ
ତାକୁ ବି ଲେଖିଦିଅ କାଗଜ ଉପରେ ॥
ପୃଥିବୀର ଯେତେ ଯେତେ ବୟସ ବଢୁଛି
ମନ ସବୁ ସେତେ ସେତେ ବୟସ୍କ ହେଉଛି
ମୋ ଛାତିର ରକ୍ତ ନିଅ
ପୃଥିବୀର ଶିରା ପ୍ରଶିରାରେ
ସେ ରକ୍ତ ବୁହାଅ
ତାରୁଣ୍ୟ ଭେଟି ନ ଥିବା
ବୁଢାମାନଙ୍କୁ ପିଲା କରିଦିଅ ॥
ଏବେ ତ ସନ୍ଦେହ ଓ ପ୍ରତାରଣା
ବିଷ ଚରିଯାଏ ମନର ଜମିରେ
ସେ ଧୂସର ମରୁରେ
ମାଡିବାକୁ ଦିଅ ମୋର
ଏ ଛାତିର ରକ୍ତ
ପ୍ରତୀକ୍ଷାରେ ଥାଅ
ସେଇଠି ମେଲିବ ପୁଣି
ଭଲପାଇବାର କଅଁଳ ଦ୍ୱିପତ୍ର ॥