ସ୍ୱୟଂସିଦ୍ଧା
ସ୍ୱୟଂସିଦ୍ଧା
ସ୍ୱୟଂସିଦ୍ଧା
ବିନୟ ମହାପାତ୍ର
ମୁଁ ନାରୀଟିଏ,
ଜନନୀ, ଭଗିନୀ, କନ୍ୟା, ଜାୟା ମୁଁ,
ପ୍ରକୃତି ମୁଁ, ସୃଷ୍ଟି ମୋ ଠାରୁ ସମ୍ଭବ
ପୁରୁଷର ଆଧାର ମୁଁ ।
ସକଳ ଶକ୍ତି ମୁଁ, ହେଲେ
ପୁରୁଷର ସମାଜ ମୋତେ,
ଅବଳା, ଦୁର୍ବଳା ଢାଙ୍କୁଣିରେ ଢାଙ୍କିଦିଏ ।
ମୋ ଠାରୁ ସୃଷ୍ଟିର ସର୍ଜନା
ହେଲେ ସମାଜରେ ନିଷ୍ଫଳା ମୁଁ,
ନାରୀ ବିନା ସୃଷ୍ଟି କି ସମ୍ଭବ ହୁଏ?
ସମାଜରେ କାହିଁକି ମୁଁ
ଦ୍ୱିତୀୟ ଶ୍ରେଣୀ ନାଗରୀକଟିଏ ?
ସମ୍ବିଧାନ ନଜରରେ
ସମାନ ଅଧିକାରୀ, ହେଲେ
କିଏ ଦିଏ ତାକୁ ତାର ମୂଲ୍ୟ ?
ପରିବାର, ସମାଜ ଆଖିରେ,
ମୁଁ ନାରୀ, ସର୍ବଦା ଦୟାର ପାତ୍ରୀ,
କାରଣ ଦୂର୍ବଳା ମୁଁ, ଅବଳା ମୁଁ ?
ବିଧାତା କି ଅବା
ଦୂର୍ବଳା ଗଢିଅଛି ମୋତେ ????
କେବେ ତ ଲାଗେନା
ଅନ୍ୟର ଦୟା ବିନା,
ନାରୀ କିଛି ନୁହେଁ ବୋଲି !
ତେବେ କାହିଁକି ବନ୍ଦ କରିଦିଅ ମୋତେ,
କାଚର ସିନ୍ଧୁକ ଭିତରେ ?
ଅବଳାର ମୁଖା ତଳେ କାହିଁକି ଛୁପାଇ ଦିଅ
ମୋର ଦିବ୍ୟ ମହାମାୟା କାନ୍ତି ?
ପୁରୁଷ କି ଡରି ଯାଏ
ଶକ୍ତି ସ୍ୱରୂପିଣି, ବିଦ୍ୟାଦାତ୍ରୀ ଧନର ଦେବୀକୁ ??
ମୋର ହତ୍ୟା କରାଯାଏ
ଜନ୍ମର ଆଗରୁ ଗର୍ଭପାତ କରି,
ଯଦିବା ଜନ୍ମ ହୋଇଗଲି,
ପରିବାର କଂସ ପାଲଟି ଯାଏ,
ଶିଳାରେ ପିଟି ପ୍ରାଣ ନେଇଯାଏ ।
ତଥାପି ବଞ୍ଚିଯାଏ ଯଦି,
ଜୀବନର ପଥମ ଦିନରୁ,
ସୁନାର ଶିଙ୍କୁଳି ଆଉ
ରୂପାର ପିଞ୍ଜୁରୀ ସଜଡା ଯାଏ ।
ବଡ ଆଦରରେ,
ମିଠା ସ୍ନେହରେ, ମିଠା କଥାରେ,
ମୋତେ ଜତ୍ନରେ ସାଇତି ରଖନ୍ତି,
ମଣିଷଟିଏ ନୁହେଁ,
ବରଂ ପରର ସମ୍ପତ୍ତି ଭାବି ।
ବଳି ପାଇଁ ସମର୍ପିତ
ନୀରିହ ପଶୁଟିଏ ଅବା ।
ମୋତେ ସ୍କୁଲ ତ ପଠାଯାଏ,
କିନ୍ତୁ ବିଦ୍ୟାର୍ଜନ ପାଇଁ ନୁହେଁ।
କେବଳ ପ୍ରମାଣପତ୍ରଟିଏ ଲୋଡା,
ଭଲ ବରଟିଏ ପାଇଁ ।
ହେ ପୁରୁଷ, ଏବେ ତ ଜାଗିଯାଅ,
ସୃଷ୍ଟିର ଆଧାରକୁ ବାନ୍ଧି ଦେଲେ,
ସୃଜନ ହୋଇବ କିପରି?
ମାତା ଯଦି ରୁଷ୍ଟ ହୁଏ,
କଳ୍କି କାତ୍ୟାୟନୀ ରୁପ ନେବ !
ଏବେ ବି ସମୟ ଅଛି,
ଜନନୀକୁ ପୂଜ, ଜାୟାକୁ ସମ୍ମାନ ଦିଅ,
ଭଗ୍ନୀକୁ ପ୍ରେମ, କନ୍ୟାକୁ ସ୍ନେହ ଦିଅ ।
ନାରୀ ଲକ୍ଷ୍ମୀ, ନାରୀ ସରସ୍ୱତୀ
ନାରୀ ଶକ୍ତି ସ୍ୱରୂପିଣୀ ଦୁର୍ଗା,
ନାରୀରେ ମାତାକୁ ଦେଖ,
ସେ ନାରୀ ନିଜ ଘରର
କି ବାହାରର ହେଉ ।
*** & ***