ସମ୍ପର୍କ
ସମ୍ପର୍କ
ସମ୍ପର୍କ ଖୋଜୁଛି ସମ୍ପର୍କ ଆହା କି ବିଚିତ୍ର ଧରା !
ବିଶ୍ୱାସ ହଜୁଛି ପ୍ରତିଟି ପ୍ରାଣର ଦୁନିଆଁ ଦାଣ୍ଡରେ ପରା ।।
ହାଡ଼ଭଙ୍ଗା ଜାଡ ଦେଉଅଛି ମାଡ଼ ଶୀତରେ ଥରୁଛି ଦେହ
ଦୋକାନର ଦ୍ୱାର ସାଜିଅଛି ଘର ନିରାଶ୍ରୟ ମା ପୁଅ ।।
ଅସହାୟ ମାତା ପାଉଛି ଯେ ବ୍ୟଥା ମହାବଳ ଶୀତ ଚାପ
ଦି ମାସର ଛୁଆ କାନ୍ଦେ କୁଆଁ କୁଆଁ ଖୋଜୁଛି କିଏ ତା ବାପ ।।
ଖାଇବାକୁ ଗଣ୍ଡେ ନ ମିଳଇ ଦଣ୍ଡେ ଆହା କି ଦୁଃଖଦ ଚିତ୍ର !
ପରିଚୟ ଆଜି ପାଉନାହିଁ ଖୋଜି ନିରାଶ୍ରୟେ କଟେ ରାତ୍ର ।।
ନିଜ ଭାଗ୍ୟ ନିନ୍ଦି ଭାବେ ବସି କାନ୍ଦି ଶୁଖିଲାଣି ଆଖି ଲୁହ
ମାଆ ବୁକୁ ତଳ ଜଳୁଛି ଅନଳ ସମ୍ଭାଳିପାରୁନି କୋହ ।।
କି କରମ ଫଳେ ଆଜି ଭାଗ୍ୟବଳେ ପାଆନ୍ତି ଅମାପ ଦୁଃଖ
କପାଳ ଲିଖନ କେ କରିବ ଆନ ହଜିଛି ହୃଦୟେ ସୁଖ ।।
ମା'ର ପଣତ ତା' ରକ୍ଷା କବଚ ଆଶିଷ କରୁଣା ଭରା
ସେ ଚିରା ପଣତ ଦେବ ପରା ସାଥ ରୋକିବାକୁ ଜାଡ ପରା ।।
ବିଶ୍ୱାସର ବୀଜ ବୁଣିବ ମୁରୁଜ ଉଇଁବ ନବ ତପନ
ବାନ୍ଧିଛି ସେ ଆଶା କରୁଛି ଭରସା ଦୂର ହେବ ସେ ଦୁର୍ଦ୍ଦିନ ।।
ତମସାକୁ ଚିରି ଶୀତକୁ ବିଦାରିଆସିବ ନବ ଆଲୋକ
ପ୍ରତୀକ୍ଷା ରହିଛି ଆଶା ବି ବାନ୍ଧିଛି ହଟିଯିବ ସବୁ ଦୁଃଖ ।।
କାଳର ଅଧିନେ ଆଜି ନିଃସ୍ୱପଣେ ଖୋଜୁଛି ନିଜର ସ୍ଥିତି
ଆଗତ ଭବିଷ୍ୟ ହେବ ଅତ୍ୟୁଜ୍ଜଳ ଦୂରେଯିଇବ ଦୁର୍ଗତି ।।
ଚିରା ପଣତର ଋଣ ସେ ସୁଝିଣ ଟେକି ଚାଲିଥିବ ମଥା
ଆସିବ ସେ ଦିନ ତା' କୁଳନନ୍ଦନ ହୋଇବ ଜଗତଜିତା ।।
ଦେବବ୍ରତ ଜେନା
ଶିକ୍ଷକ, ରଣସିଂହପୁର ଆଶ୍ରମ
ଭୋଗରାଇ,ବାଲେଶ୍ଵର