ଆହେ ଚକାଆଖି
ଆହେ ଚକାଆଖି
ଆହେ ଚକାଆଖି ସୃଷ୍ଟିର ଆରକ୍ଷୀ
କହିଦିଅ ମୋତେ ଥରେ,
ଚକାଆଖି ବହି ଦିଶୁ କିବା ନାହିଁ
କରୋନାରେ ପୃଥ୍ଵୀ ଥରେ !
ତଥାପି ନୀରବ କେମିତି ତୁମେ
ସୃଷ୍ଟି ବିନାଶର ଭିନ୍ନ ଏକ ଖେଳ
ଖେଳୁଛକି ଧ୍ବଂସ ନାମେ ?
ଆହେ ଚକାଆଖି.... (1)
ଜୀବନ ଖେଳୁଛି ଏଠି
ମୃତ୍ୟୁ ସହ ଚକା ଭଉଁରୀର ଖେଳ,
ଗଡୁଛି ଶ୍ମଶାନେ ପୁଣି
ଲକ୍ଷ ଲକ୍ଷ ମଣିଷଙ୍କ ମୁଣ୍ଡ ମାଳମାଳ !
ଛାମୁ ଦରଶନୁ ବଞ୍ଚିତ ଭକତେ
ଭକତଙ୍କ ଦୁଃଖ ଦେଖୁଛ କେମନ୍ତେ
ଡାକ ପଡୁଅଛି ମଣିମା ମଣିମା
ଶୁଣି କି ପାରୁନ ଜମା ?
ଆହେ ଚକାଆଖି...... (2)
ମହାମାରୀ ଲଙ୍ଘେ ସ୍ଥଳକୂଳ ଜଳ
ଜୀବନ ଜୀବିକା ସବୁ ଅସମ୍ଭାଳ
କାନ୍ଧ ମିଳୁନାହିଁ ଶ୍ମଶାନ ନେବାକୁ
ଶବ ଏଠି ସଢ଼େ ରୋଗ ବାଣ୍ଟିବାକୁ !
ଆହେ ଚକାଆଖି ସୃଷ୍ଟିର ଆରକ୍ଷୀ
ଶରଣେ ଗଲୁ ତୁମରି,
ଚକ୍ର ଆଢ଼ୁଆଳେ ରଖ ଆହେ ହରି
ସୃଷ୍ଟିର ମହତ ଶିରୀ !
ଆହେ ଚକାଆଖି......(3)
ନହେଲେ ହୋଇବ ଜନଶୁନ୍ୟ ଏଇ
ସବୁଜ ସୁନ୍ଦର ଧରା,
ଅଳି କରିବାକୁ କେହି ନ ରହିବେ
ଚକାଆଖି...
ତୁମେ ଥିବ ଏକା ପରା !
ଆହେ ଚକାଆଖି....(4)
