ଯମପୁରୀରେ ବିଚାରଧୀନ ବନ୍ଦୀ
ଯମପୁରୀରେ ବିଚାରଧୀନ ବନ୍ଦୀ
ବେଳ ହେଇଗଲା ଚାଲ ଚାଲ । ବସିଛ କଣ ?
କୁଆଡେ ଯିବି ?
ଯେଉଁଆଡେ ସମସ୍ତେ ଶେଷରେ ଯାଆନ୍ତି । ।
ମୋର ତ କିଛି କାମ ସରିନି । ରୁହ ଟିକେ
ଆମେ କାହାପାଇଁ ଅପେକ୍ଷା କରୁନି । ଯାହାର ସମୟ ସରିଗଲା,ଆମେ ଯମରାଜାଙ୍କ ଆଦେଶରେ ତାକୁ ନେଇଯାଉ । ଆମେ ହେଉଛୁ ତାଙ୍କର ଦୂତ ।
କଳା ହେଇ ଦିଜଣ ମୋଟା ଲୋକ ତାକୁ ଟାଣୁଥିବା ଦେଖିଲା ବିଜୟା । ଯମରାଜାଙ୍କ ଦୂତ ଜାଣିବାପରେ ତାର ଆଉ କିଛି କହିବାର ନଥିଲା । ସେମାନେ ଯାଇ ଯମଙ୍କ ନଗରୀରେ ପହଁଚିଲେ । ସେଠି ସେ ଦେଖିଲା କାହାକୁ ତତଲା ତେଲ କରେଇରେ ପକାଯାଇଛି ତ କାହାକୁ ପୋକ ସାଲୁବାଲୁ କୁଣ୍ଡରେ ପୁରାଯାଇଛି । ଏହାକୁ ଦେଖି ଦେଖି ସେ ଯାଉଥାନ୍ତି ।
ତାଙ୍କର ମନେପଡ଼ିଲା, ତାଙ୍କ ବାପା କହୁଥିଲେ ଭଲ କାମ କର । ଚୋରି କର ନାହିଁ, ମିଛ କୁହ ନାହିଁ । କାହାକୁ କଷ୍ଟ ଦିଅ ନାହିଁ । ଏହିଭଳି ଅନେକ କିଛି । ପିଲାଦିନୁ, ସେଇ ପରାମର୍ଶର ପ୍ରଭାବ ପଡିଛି ବିଜୟାଙ୍କ ଉପରେ । ତାଙ୍କୁ ଏସବୁ ଦେଖି ଦୁଃଖ ଲାଗୁଥାଏ ।
ବିଜୟା ଗୋଟିଏ ସଂସ୍ଥାରେ କାମ କରୁଥିଲେ, ଯେଉଁଠି ମାନବିକ ଅଧିକାର ଉପରେ କାମ ହେଉଥିଲା । ଲୋକମାନଙ୍କୁ ମାନବିକ ଅଧିକାର ସମ୍ପର୍କରେ ସଚେତନ କରାଯାଉଥିଲା । ଯଦି କାହାର ସେ ଅଧିକାର କ୍ଷୁର୍ଣ୍ଣ ହୁଏ, ତେବେ କିପରି ତାହାର ପ୍ରତିକାର କରାଯିବ, ସେଥିପାଇଁ ପଦକ୍ଷେପ ନିଆଯାଏ । ଭାରତର ସମ୍ବିଧାନ ଅନୁସାରେ ହିଁ ସବୁ କାର୍ଯ୍ୟ କରାଯାଏ । ଅଣସାମ୍ବିଧାନିକ କୌଣସି କାର୍ଯ୍ୟ କରାଯାଏ ନାହିଁ । ବିଜୟା ସେଠି କାମକରି ଜଣେ ଆକ୍ଟିଭିଷ୍ଟ ହେଇଯାଇଥିଲେ । ଅନେକ ସମୟରେ କିଛି ସେପରି ଅଘଟଣ ଘଟିଲେ, ବିଜୟା ତାଙ୍କ ସାଥୀମାନଙ୍କ ସହ ପ୍ରତିବାଦ ଜଣାଉଥିଲେ । କେବେ ନୀରବ ଶୋଭାଯାତ୍ରାତ କେବେ ମହମବତୀ ଶୋଭାଯାତ୍ରା । ପୁଣି କେବେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନରେ ଠିଆ ହେବା ।
ଏବେ ଏଇ ଯମପୁରୀରେ ଏସବୁ କାଣ୍ଡ କାରଖାନା ଦେଖି ବିଜୟାଙ୍କୁ ଆଶ୍ଚର୍ଯ୍ୟ ତଥା ଖରାପ ଲାଗିଲା । ଭଗବାନ୍ କିପରି ଏହାକୁ ସହୁଛନ୍ତି । ଏସବୁ କଣ ତାଙ୍କରି ଇଚ୍ଛା ଓ ଅନୁମୋଦନରେ ହେଉଛି । ଯଦି ଭଗବାନ୍ ନିଜେ ଏପରି କରୁଛନ୍ତି, ତେବେ ତାଙ୍କଠୁ କି ନ୍ୟାୟ ମଣିଷ ଓ ଜୀବଜନ୍ତୁ ମାନେ ପାଇବେ । ଏହାର କଣ କିଛି ପ୍ରତିକାର କରିହେବ ନାହିଁ । ସେ ଶୁଣିଥିଲେ, 'ଭଗବାନ୍ କେ ଘରପେ ଦେର୍ ହୈ ପର୍ ଅନ୍ଧେର୍ ନେହିଁ ' ।
ତେଣୁ କିଛି ଗୋଟେ କରିବେ ବୋଲି ଭାବିଲେ । ଯମଦୂତମାନଙ୍କୁ ପଚାରିଲେ, ଏଠିକାର ମୁଖ୍ୟ କିଏ ?
ଯମରାଜା
ତେବେ ମୁଁ ତାଙ୍କୁ ଦେଖାକରିବାକୁ ଚାହୁଁଛି ।
ତାଙ୍କୁ କାହିଁକି ଦେଖାକରିବ
ମୋର କ'ଣ କ'ଣ ପାପ ଓ ପୂଣ୍ୟ ଅଛି ଜାଣିବାକୁ ଚାହୁଁଛି ।
ଦିଜଣ ଯାକ ଦୂତ ନିଜ ଭିତରେ ଟିକେ ଚାହାଁ ଚାହିଁ ହେଇ ଟିକେ ବାଁକୁ ବୁଲି ପୁଣି ସିଧା ଚାଲିଲେ । କିଛି ବାଟ ଗଲାପରେ ଏକ ନଅର ପଡ଼ିଲା । ତା ଭିତରକୁ ଯାଇ ଦେଖିଲେ ଯମରାଜ ସିଂହାସନରେ ବସିଛନ୍ତି । ତାଙ୍କୁ ବିଜୟା ପଚାରିଲେ ନିଜର ପାପ ପୂଣ୍ୟ ବିଷୟରେ । ଚିତ୍ର ଗୁପ୍ତ ପାଞ୍ଜି ଖୋଲି ଦେଖିଲେ, ଏପର୍ଯ୍ୟନ୍ତ ଜମରାଜାଙ୍କ ବିଚାରପତିମାନେ ବିଜୟାଙ୍କ ଦୋଷ କଣ ଓ ସେଥିପାଇଁ ସେ କି ଦଣ୍ଡ ପାଇବେ ତାହାର ନିଷ୍ପତ୍ତି ହେଇନାହିଁ । ତେବେ ମତେ କାହିଁକି ଏଠିକି ଅଣାହେଇଛି? ମୋର ତ ମୃତ୍ୟୁର ଦିନ ଠିକଣା ନାହିଁ ।
ମୃତ୍ୟୁର ଦିନ ଜନ୍ମବେଳୁ ଠିକଣା ହେଇଥାଏ । ଖାଲି ଦଣ୍ଡ କଣ ପାଇବେ, ତାହା ବିଚାରଧୀନ ରହିଛି ।
ଏପରି କେତେ ଲୋକଙ୍କର ବିଚାରଧୀନ ରହିଛି ?
ତିନି ଜଣ ବିଚାରପତିଙ୍କୁ ଡାକି ପଚରାଗଲା ବିଚାରଧୀନ ବ୍ୟକ୍ତିଙ୍କ ସଂଖ୍ୟା ଲକ୍ଷାଧିକ ବୋଲି ଜଣାଗଲା ।
"ତେବେ ଏତେ ଲୋକ ଏଠି ବିଚାରଧୀନ ବନ୍ଦି ପରି ଅଛନ୍ତି ଆଉ ଦଣ୍ଡ ବି ପାଉଛନ୍ତି । ଏତେ ବଡ଼ ଅନ୍ୟାୟ ମହାରାଜା", କହିଲେ ବିଜୟା ।
ମଣିଷଙ୍କ ସଂଖ୍ୟା ବଢିବା ତୁଳନାରେ ବିଚାରପତିଙ୍କ ସଂଖ୍ୟା ବଢୁନଥିବାରୁ, ଏପରି ଅବସ୍ଥା ସୃଷ୍ଟି ହେଇଛି ବୋଲି ଜଣାଗଲା । ତେଣୁ ପାଳନକର୍ତ୍ତା ବିଷ୍ଣୁଙ୍କୁ ଏ ବିଷୟରେ ଅବଗତ କରାଗଲା । ଏହାପରେ ବିଚାରଧୀନ ମଣିଷମାନଙ୍କୁ ମୁକ୍ତ କରାଗଲା । କିନ୍ତୁ ପୁଣି ପ୍ରଶ୍ନ ଥିଲା, ସେମାନେ ଯମପୁରୀରେ ରହିବେ ନା ପୃଥିବୀକୁ ଫେରିଯିବେ !!
ଏ ବିଜୁ, ବିଜୁ ଉଠ୍ । କଣ ସବୁ ଶୋଇକି ବିଳବିଳୋଉଛୁ । ବିଜୟାଙ୍କ ମା କହି ଡାକୁଥିଲେ ।
ଧଡପଡ ହେଇ ଉଠି ବସି ନିଜକୁ ଖଟରେ ଆବିଷ୍କାର କରି ଆଶ୍ଚର୍ଯ୍ୟ ଓ ଖୁସୀ ହେଇଗଲେ ବିଜୟା । ଏତେବେଳ ପର୍ଯ୍ୟନ୍ତ ସେ କେବଳ ପରଲୋକ ବିଷୟରେ ସ୍ୱପ୍ନ ଦେଖୁଥିଲେ ।
